Unknown

 

 

 

 

 

 

 

 

 

ଗଳ୍ପ ଆମ ସମୟର

 

ସଂକଳନ

ବ୍ରହ୍ମାନନ୍ଦ ସିଂହ

 

ସୂଚୀପତ୍ର

 

୧.

ସଂକଳନ ସପକ୍ଷରେ

 

୨.

ପିମ୍ପୁଡ଼ି

ଗୋପୀନାଥ ମହାନ୍ତି

୩.

ରାସ୍ତା କୁଆଡ଼େ

ରାଜକିଶୋର ରାୟ

୪.

ଶ୍ରୀକୃଷ୍ଣଙ୍କ ଶେଷ ହସ

ସୁରେନ୍ଦ୍ର ମହାନ୍ତି

୫.

ଆଗନ୍ତୁକ

ବ୍ରହ୍ମାନନ୍ଦ ପଣ୍ଡା

୬.

ବଡ଼ ଲୋକି

କିଶୋରୀଚରଣ ଦାସ

୭.

ମେଡ଼ିସିନ୍

ମହାପାତ୍ର ନୀଳମଣି ସାହୁ

୮.

ସୁବର୍ଣ୍ଣମୟୀ ଉପାଖ୍ୟାନ

ଅଖିଳମୋହନ ପଟ୍ଟନାୟକ

୯.

ନୂଆ ପୁରୁଣା

ବସନ୍ତ କୁମାରୀ ପଟ୍ଟନାୟକ

୧୦.

ଅଶୁଭ ପୁତ୍ରର କାହାଣୀ

ଅଚ୍ୟୁତାନନ୍ଦ ପତି

୧୧.

ଦୁର୍ବାର

ଶାନ୍ତନୁ କୁମାର ଆଚାର୍ଯ୍ୟ

୧୩.

ବିଷ କନ୍ୟାର କାହାଣୀ

ମନୋଜ ଦାସ

୧୪.

ଅମୁହାଁ ଦେଉଳ

ବୀଣାପାଣି ମହାନ୍ତି

Image

 

ସଂକଳନ ସପକ୍ଷରେ

 

ଅତ୍ୟାଧୁନିକ ଓଡ଼ିଆ କ୍ଷୁଦ୍ର ଗଳ୍ପ ଆଙ୍ଗିକ ଓ ଆତ୍ମିକ ରୂପ ବିଭବରେ ରୁଦ୍ଧିମନ୍ତ । ପାରମ୍ପରିକ ଆଦର୍ଶ ଓ ବିଶ୍ୱାସବୋଧର ବିରୋଧାଚରଣ ପୂର୍ବକ ଆପଣାର ନୂତନତାରେ ଏହା ତାହାର ନିପୁଣତା ପ୍ରଦର୍ଶନ କରିଛି । ସାଂପ୍ରତିକ କାଳର ଜୀବନାନୁଭୂତି ପ୍ରକାଶ ନିମିତ୍ତ ଏହା ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ ସାହିତ୍ୟ ଜଗତରେ ଆଶାତୀତ ପ୍ରଗତି ପଥରେ ଅଗ୍ରସର । ଯନ୍ତ୍ରଯୁଗର ସ୍ଵଳ୍ପ ସମୟ ମଧ୍ୟରେ ପାଠକର ପଠନ ସ୍ପୃହାକୁ ପରିତୃପ୍ତ କରି ସମଧିକ ଆନନ୍ଦ ପ୍ରଦାନ କରିବାରେ କ୍ଷୁଦ୍ରଗଳ୍ପ ଏକ ଶକ୍ତିଶାଳୀ ମାଧ୍ୟମ, ଏହା ଅନସ୍ଵୀକାର୍ଯ୍ୟ । ବିଶ୍ଵ ପରିବାରରେ ପ୍ରତିଫଳିତ ବିଭିନ୍ନ ଚିନ୍ତା ଅନୁଚିନ୍ତା, ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଦେଖା ଦେଇଥିବା ବିକ୍ଷୁବ୍ଧ ମନୋଭାବ, ପରାଧୀନତା ପରିପୀଡ଼ିତ ସାମାଜିକ ବ୍ୟବସ୍ଥା, ଜାତୀୟସ୍ଵାଭିମାନ ତଥା ଓଡ଼ିଆ ଜୀବନ ଧାରାର ଆତ୍ମଲିପି ଆଦିକୁ ସଂଯତ ଭାବରେ କେବଳ କ୍ଷୁଦ୍ରଗଳ୍ପହିଁ ପ୍ରକାଶ କରିବାରେ ସମର୍ଥ ହୋଇଛି ।

 

ଓଡ଼ିଆ କ୍ଷୁଦ୍ରଗଳ୍ପର ଜନ୍ମଲଗ୍ନ ଉନବିଂଶ ଶତକର ସନ୍ଧିକ୍ଷଣରେ ହୋଇଥିଲେହେଁ ଏହାର ପରମ୍ପରା ଖୁବ୍‌ ପ୍ରାଚୀନ । ପୁରାଣ କଥା, ନୀତି କାହାଣୀ, ଧର୍ମୋପଦେଶକ ଆଖ୍ୟାୟିକା, କିମ୍ବଦନ୍ତୀ ଆଦି ବହୁ ଧାରାରେ ବିଭକ୍ତ । ଗଳ୍ପ ଶୁଣିବା ମଣିଷର ଏକ ଆଦିମତମ ପ୍ରବୃତ୍ତି ହୋଇଥିବାରୁ କ୍ଷୁଦ୍ରଗଳ୍ପ ସାହିତ୍ୟିକ ସ୍ଵୀକୃତି ଲାଭ କରିବା ପୂର୍ବରୁ ମଣିଷ ଏହି ପ୍ରବୃତ୍ତିଟିକୁ ଚରିତାର୍ଥ କରିବାପାଇଁ କଥକମାନଙ୍କର ଆଶ୍ରୟ ନେଉଥିଲା ଏବଂ ପଥ ଅତିକ୍ରାନ୍ତ କରିବାର ଏହାହିଁ ଥିଲା ଏକ ଶକ୍ତିଶାଳୀ ପାଥେୟ । ଜୀବନକୁ ସରସ ସୁନ୍ଦର ଓ ମଧୁମୟ କରିବା ଉଦ୍ଦେଶ୍ୟରେ କାହାଣୀ ସବୁ ଶ୍ରୁତି ସ୍ରୋତରେ ନାନାରୂପରେ ନାନାଛନ୍ଦରେ ପ୍ରକାଶିତ । ପରବର୍ତ୍ତୀ କାଳରେ କପୋଳକଳ୍ପିତ ନୀତି ପ୍ରବଣ କଲରରେଫୁଲ କଥା, ରାଜାପୁଅ ମନ୍ତ୍ରୀପୁଅ କଥା, ଚକୁଳିଆ ପଣ୍ଡା କଥା ପ୍ରଭୃତି ଓଡ଼ିଆ କଥା ସାହିତ୍ୟର ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତ କରୁଛି ।

 

ଉନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ପାଶ୍ଚାତ୍ୟ ଶିକ୍ଷା ପ୍ରସାରର ପ୍ରତିଫଳ ସ୍ଵରୂପ ଓଡ଼ିଆ କ୍ଷୁଦ୍ରଗଳ୍ପ ସମଧିକ ପରିମାଣରେ ଅଗ୍ରଗତି କରିଛି । ମୁଦ୍ରାଯନ୍ତ୍ରର ପ୍ରତିଷ୍ଠା, ବିଭିନ୍ନ ପତ୍ର ପତ୍ରିକାର ପ୍ରସାର ସଙ୍ଗେ ସଙ୍ଗେ ଯୁଗରୁଚିର ପରିବର୍ତ୍ତନହିଁ ଆଧୁନିକ କ୍ଷୁଦ୍ରଗଳ୍ପର ନବଜନ୍ମର ପ୍ରଧାନ କାରଣ । ଫକୀରମୋହନ ଥିଲେ ଏହାର ଜନକ । ଆଧୁନିକ କ୍ଷୁଦ୍ରଗଳ୍ପ ବ୍ୟାପକ ଜୀବନବୋଧର ଏକ ଖଣ୍ଡିତ ଭାବମୂର୍ତ୍ତି । ବହୁଧା ବିଭକ୍ତ, ଖଣ୍ଡ ବିଖଣ୍ଡିତ ଜୀବନର କ୍ଷୁଦ୍ରାତିକ୍ଷୁଦ୍ର ଘଟଣା, କ୍ଷଣିକର ସ୍ପନ୍ଦନ, ମୁହୂର୍ତ୍ତର ଭାବ ଗୁଂଫନ ଆଦିର ଏହା ଏକ ସାର୍ଥକ କଳାଗତ ରୂପାୟନ ମାତ୍ର । ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଓ ଐକାନ୍ତିକ ଲକ୍ଷ୍ୟକୁ ସୀମିତ ପରିସର ମଧ୍ୟରେ ଅତ୍ୟନ୍ତ ପ୍ରଭାବଶାଳୀ ଭାବରେ ଉପସ୍ଥାପନ କରିବା କ୍ଷୁଦ୍ର ଗଳ୍ପର ପ୍ରଧାନ ବିଶେଷତ୍ଵ । ଫଳତଃ କ୍ଷୁଦ୍ରଗଳ୍ପ ପ୍ରାରବ୍‌ଧ ଠାରୁ ପରିସମାପ୍ତି ଯାଏଁ ଆକସ୍ମିକ ଓ ବିସ୍ମୟକର ପରିବେଶ ମଧ୍ୟରେ ଗତି କରିଥାଏ । ପାଠକର ଔତ୍ସୁକ୍ୟ, ଆବେଗ ସଂଶୟାଚ୍ଛନ୍ନ ଓ ରହସ୍ୟାବୃତ ହେଲେହେଁ ଏହା ସୌନ୍ଦର୍ଯ୍ୟ ବିମଣ୍ଡିତ । ବର୍ଣ୍ଣାନାର ବୈଚିତ୍ର୍ୟ ଘଟଣାର ବିଭିନ୍ନ ଘାତ ପ୍ରତିଘାତ, ଶୁଷ୍କ ଆଦର୍ଶାଦିର ବହୁଳ ବର୍ଣ୍ଣନା ରହିତ ଜୀବନାନୁଭୂତିର ବାସ୍ତବ ଓ ଶୈଳ୍ପିକ ରୂପ ପ୍ରକାଶ ଏହାର ଅନ୍ୟତମ ଲକ୍ଷ୍ୟ । କଥାଶିଳ୍ପୀ ଫକୀରମୋହନ ବ୍ୟାପକ ଜୀବନାନୁଭୂତିକୁ ପାଥେୟ ଭାବରେ ସଂଗ୍ରହକରି ସୁଶୃଙ୍ଖଳ ଓ ସଂହତ ଭାବରେ ଏହାକୁ ପ୍ରକାଶକରି କଥା ଜଗତର ଅପ୍ରତିଦ୍ଵନ୍ଦ୍ୱି ଅଧିକାରୀ ହୋଇଛନ୍ତି । ସଂଘର୍ଷମୟ ଜୀବନଧାରାରେ ନବୀନର ଅଭ୍ୟୁଦୟ, ତଜ୍ଜନିତ ପ୍ରତିକ୍ରିୟା, ଶିକ୍ଷା ଓ ସଭ୍ୟତା ଫଳରେ ପାଶ୍ଚାତ୍ୟ ଜଡ଼ବାଦୀ ମନୋଭାବର ବିକାଶ, ସୁରା ଓ ସାକୀର ବୀଭତ୍ସଲୀଳା, ସାମାଜିକ ଜୀବନ ଧାରାରେ ବିପର୍ଯ୍ୟୟ, ଫମ୍ପା ଅହେତୁକ ଜମିଦାରମାନଙ୍କ ଶୋଷଣ ତଥା ଜାତୀୟତାର ଅଭ୍ୟୁଦୟ ଓ ପାରମ୍ପରିକ ନୀତି ସମ୍ବଳିତ ନୈୟାୟିକ ବିଶ୍ଵାସ ଆଦି ଫକୀରମୋହନ ଓ ତତ୍‌ଯୁଗୀୟ ଗଳ୍ପକାରମାନଙ୍କର ପ୍ରଧାନ ଆଭିମୁଖ୍ୟ ।

 

ବିଂଶ ଶତାବ୍ଦୀର ପ୍ରଥମ ଦ୍ଵିଦଶକବେଳକୁ ଓଡ଼ିଶାର ସାମାଜିକ ଜୀବନଧାରାରେ ନୂତନ ଜୀବନ ଜିଜ୍ଞାସା ଓ ମୂଲ୍ୟବୋଧ ପ୍ରକାଶ ପାଇଥିବାରୁ କ୍ଷୁଦ୍ର ଗଳ୍ପରେ ସେ ସବୁର ପ୍ରତିଫଳନ ପ୍ରକାଶ ପାଇଥିଲା । ଏହି ସମୟ ମଧ୍ୟରେ ପ୍ରଥମ ବିଶ୍ଵଯୁଦ୍ଧ, ଇଂରେଜମାନଙ୍କ ନାରକୀୟ ହତ୍ୟାକାଣ୍ଡ (ଜାଲିୱାନାୱାଲାବାଗ), ମହାତ୍ମା ଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଭାରତୀୟମାନଙ୍କ ଆତ୍ମପ୍ରତ୍ୟୟ ଏକ ଦିଗରେ, ଅପର ପକ୍ଷରେ ଓଡ଼ିଶାର ପ୍ରକୃତି ବିରୁଦ୍ଧରେ ସଂଗ୍ରାମ ଓ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆଦି ଘଟଣାରାଶି ଆମର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଜୀବନ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆନୟନ କରିଥିଲା । ଏହା ସହିତ ମାନବୀୟ ଦୃଷ୍ଟିକୋଣ ଓ ରୁଚିବୋଧର ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ଯନ୍ତ୍ର ଶିଳ୍ପର ବିକାଶ, ଶ୍ରେଣୀ ସଂଘର୍ଷ ଓ ମାର୍କଶୀୟ ଚିନ୍ତାଧାରର ପ୍ରଚାର ମନୁଷ୍ୟର ଚିନ୍ତାରାଜ୍ୟର ବିପୁଳ ଆଲୋଡ଼ନ ସୃଷ୍ଟି କରିଥିଲା; ଗଳ୍ପର ମନୋଭୂମି ସଂପ୍ରସାରିତ ହେଲା । ଏ ଯୁଗର ସାର୍ଥକ ଗଳ୍ପକାର ଭାବରେ ଗୋଦାବରୀଶ ମହାପାତ୍ର କାଳିଚରଣ ପାଣିଗ୍ରାହୀ, ଭଗବତୀ ଚରଣ ପାଣିଗ୍ରାହୀ, ନିତ୍ୟାନନ୍ଦ ମହାପାତ୍ର, ସଚ୍ଚିଦାନନ୍ଦ ରାଉତରାୟ, ରାଜକିଶୋର ପଟ୍ଟନାୟକ, ହରିଶ୍ଚନ୍ଦ୍ର, ବଡ଼ାଳ ପ୍ରମୁଖ ଯଥେଷ୍ଟ ଖ୍ୟାତି ଅର୍ଜନ କରିଛନ୍ତି ।

 

ଓଡ଼ିଆ କ୍ଷୁଦ୍ରଗଳ୍ପ ସାହିତ୍ୟର ପରିସର ସ୍ଵାଧୀନୋତ୍ତର କାଳରେ ଅଧିକ ବ୍ୟାପକ ଓ ବିସ୍ତୃତ । ସାଂପ୍ରତିକ କାଳର କ୍ଷୁଦ୍ରଗଳ୍ପ ଆପଣାର ଚିରାଚଚିତ ରୀତିଠାରୁ ଅନେକ ବ୍ୟତିକ୍ରମ ସୂତ୍ରରେ ଆପଣାର ନୂତନତା ପ୍ରତିପାଦନ କରେ । ପାରମ୍ପରିକ ଫର୍ମ, ଚରିତ ଓ ଚରିତ୍ର ଆଦି ପ୍ରତ୍ୟେକଟି ଦିଗରୁ ପୂର୍ବ ପ୍ରଚଳିତ ବିରୁଦ୍ଧରେ ଏକ ଅଭିଯାନ । କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ବା ନାଟକୀୟ ଘଟଣାର ଚମତ୍କାର ଉପସ୍ଥାପନାକୁ ସାଂପ୍ରତିକ କାଳର କ୍ଷୁଦ୍ରଗଳ୍ପ କେବଳ ପ୍ରକାଶ ନକରି ଯେ କୌଣସି ବିଷୟବସ୍ତୁ, ଯେ କୌଣସି ତତ୍ତ୍ଵ ଅଥବା ସମାଜ, ଧର୍ମ, ଦର୍ଶନ, ଇତିହାସ, ବ୍ୟକ୍ତିଗତ ରୁଚି, ଇଙ୍ଗିତ ଓ ହାବଭାବକୁ ଗ୍ରହଣକରି ଏହା ପରିପୁଷ୍ଟ । ଅବଶ୍ୟ ଏଥିପାଇଁ ଆମର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଜୀବନରେ ଦେଖା ଦେଇଥିବା ବୈପ୍ଳବିକ ପରିବର୍ତ୍ତନହିଁ ମୁଖ୍ୟତଃ ଦାୟୀ । ରାଜନୀତିରେ ଦେଖା ଦେଇଥିବା ପ୍ରବଞ୍ଚନା, ଅଭିଜାତ ଗୋଷ୍ଠୀର ପ୍ରତାରଣା, ପୁରାତନ ସାମନ୍ତବାଦର ବିଲୟ ଓ ପୁଞ୍ଜିବାଦ ତଥା ଜଡ଼ବାଦ ସଭ୍ୟତା ସମ୍ଭୁତି, ନୂତନ ସାମନ୍ତବାଦର ଅଭ୍ୟୁଦୟ, ସହରୀ ଜୀବନର ଅସହାୟତା, ଶୂନ୍ୟବୋଧ ଓ ଅବକ୍ଷୟତା; ଯୋନ ପରିପୀଡ଼ିତ ଜୀବନର ବ୍ୟର୍ଥତା, ସ୍ଥିତିବାଦୀ ଜୀବନ ଜିଜ୍ଞାସା ଆଦି ବହୁ କଥା ଓଡ଼ିଆ କ୍ଷୁଦ୍ରଗଳ୍ପରେ ପ୍ରକାଶ ପାଇଛି ।

 

କେବଳ ସେତିକି ନୁହେଁ ସାଂପ୍ରତିକ କାଳର କ୍ଷୁଦ୍ରଗଳ୍ପଗୁଡ଼ିକରେ ଉତ୍କଟ ଜୀବନ ସଂଗ୍ରାମର ହାହୁତାଶମୟ ଅଭିବ୍ୟକ୍ତି, ସାମାଜିକ ଅବିଚାରର ଗ୍ଳାନିକର ପରିବେଶ, ପ୍ରଣୟ-ଦର୍ଶନର ନୂତନ ଅଭିବ୍ୟଞ୍ଜନା ଓ ଯୌନବିକାରଗ୍ରସ୍ତ ମଣିଷର ସୂକ୍ଷ୍ମାତିସୂକ୍ଷ୍ମ ଅନୁଭୂତି, ସାଂପ୍ରତିକ ଶିଳ୍ପ ବିପ୍ଳବର ମର୍ମବାଣୀ, ଆନ୍ତର୍ଜାତିକ ଜୀବନର ସଂକଟ ଓ ସଂଘର୍ଷବୋଧ ପ୍ରଭୃତି ଭାବଧାରା ନାନାରୂପରେ ପ୍ରକାଶ ପାଇଛି । ସୁତୀକ୍ଷ୍‍ଣ ବ୍ୟଙ୍ଗଧର୍ମୀ ଶୈଳୀ, ପ୍ରତୀକଧର୍ମୀ ଭାବାଶ୍ରୟୀ ଗଳ୍ପ ରଚନା ଆମ ସମୟର ପ୍ରଧାନ ବିଶେଷତ୍ଵ ।

 

ଏହି ଦୃଷ୍ଟିକୋଣରୁ ‘ଗଳ୍ପ ଆମ ସମୟର’ ପୁସ୍ତକଟି ସଂପାଦିତ । ଏଥିରେ ଓଡ଼ିଆ ଗଳ୍ପ ସାହିତ୍ୟର ପ୍ରାକ୍‌କାଳଠାରୁ ସାଂପ୍ରତିକ ସମୟ ଯାଏ ଲେଖାଯାଇଥିବା ବିଭିନ୍ନ ଗଳ୍ପଧାରାର ପରିଚୟ ପ୍ରଦାନ କରାଯାଇନାହିଁ; ବରଂ ବହୁ ବୈଚିତ୍ର୍ୟମୟ ଜୀବନର ପ୍ରତିଧ୍ଵନି ଅତ୍ୟନ୍ତ ରସାଳ ଏବଂ ଭାବକୈନ୍ଦ୍ରିକ ଭାବରେ ପ୍ରକାଶ ପାଇଥିବା କ୍ଷୁଦ୍ରଗଳ୍ପର ଏକ ସଙ୍କଳନ ମାତ୍ର । ଯେଉଁ ବିଶିଷ୍ଟ ଗଳ୍ପକାରମାନେ ସେମାନଙ୍କର ନିରଳସ ସାହିତ୍ୟ ସାଧନାଦ୍ଵାରା ସାଂପ୍ରତିକ କାଳର ଗଳ୍ପ ସାହିତ୍ୟକୁ ଏକ ନୂତନ ଦିଗ୍‌ଦର୍ଶନ ଦେବା ସଙ୍ଗେ ସଙ୍ଗେ ବିଶ୍ଵ ସାହିତ୍ୟର ନିକଟବର୍ତ୍ତୀ କରିପାରିଛନ୍ତି ଓ ଏହାକୁ ସରସ, ସୁନ୍ଦର ମନୋଜ୍ଞ ଭାବରେ ଉପସ୍ଥାପନ କରିପାରିଛନ୍ତି ସେମାନଙ୍କୁ ମୁଁ ଏ ସଙ୍କଳନରେ ସ୍ଥାନ ଦେଇଛି । ଅବଶ୍ୟ ଓଡ଼ିଆ କ୍ଷୁଦ୍ରଗଳ୍ପ ସାହିତ୍ୟରେ କେବଳ ଏତିକି ଯେ ନେତୃସ୍ଥାନୀୟ ଗାଳ୍ପିକ ତା’ ନୁହେଁ କିନ୍ତୁ ଗ୍ରନ୍ଥର ସୀମିତ କଳେବର ମୋତେ ଏପ୍ରକାର ସଂକଳନ କରିବାକୁ ବାଧ୍ୟ କରିଛି । ସେଥିପାଇଁ ଯେଉଁ କଥାକାରମାନଙ୍କୁ ଏହି ଗ୍ରନ୍ଥରେ ସ୍ଥାନ ଦେଇପାରିଲିନାହିଁ ସେମାନଙ୍କ ପ୍ରତି ଯେ ମୋର ଅସମ୍ମାନ ଅଛି ତାହା ଗ୍ରହଣ କରିବା ଉଚିତ ନୁହେଁ । ସମସାମୟିକ ଗଳ୍ପ-ସାହିତ୍ୟର ଅନ୍ୟାନ୍ୟ ଅନେକ ଅମ୍ଳାନ ପ୍ରତିଭାରେ ଗଳ୍ପ ସାହିତ୍ୟ ରୁଦ୍ଧିମନ୍ତ । ପୁନଶ୍ଚ ସଂକଳିତ ଗଳ୍ପସମୂହ ଯେ ସଂପୃକ୍ତ ଗାଳ୍ପିକଙ୍କର ସର୍ବଶ୍ରେଷ୍ଠ ରଚନା ତାହା ନୁହେଁ କେବଳ ସାଂପ୍ରତିକ କାଳର ଏକ ପ୍ରତିନିଧିମୂଳକ ଜୀବନଧାରାର ସଫଳ ରୂପାୟନ ମାତ୍ର ।

 

ଯେଉଁ ବରେଣ୍ୟ ସ୍ରଷ୍ଟାଗଣ ଏହି ସଂକଳନଟିକୁ ପୂର୍ଣ୍ଣାଙ୍ଗ କରିବାପାଇଁ ନିଜ ନିଜର ସୃଷ୍ଟିକୁ ସ୍ଥାନ ଦେବାପାଇଁ ସଦୟ ଅନୁମତି ପ୍ରଦାନ କରିଛନ୍ତି ସେମାନଙ୍କ ନିକଟରେ ମୁଁ କୃତଜ୍ଞ ।

 

ସତୀର୍ଥ ବନ୍ଧୁ ଅଧ୍ୟାପକ ରଘୁନାଥ ମହାପାତ୍ର ଏ ସଂକଳନଟିର ପ୍ରଚ୍ଛଦପଟ ଅଙ୍କନ କରି କୃତଜ୍ଞତା ପାଶରେ ଆବଦ୍ଧ କରିଛନ୍ତି । ଶ୍ରଦ୍ଧେୟ ମହେଶ୍ଵର ଶ୍ରମସ୍ଵୀକାର ପୂର୍ବକ ବିଭିନ୍ନ ପତ୍ରପ୍ରତିକାରୁ କେତେକ ଗଳ୍ପ ନିର୍ବାଚନ କରି ଏହାକୁ ପୂର୍ଣ୍ଣାଙ୍ଗ କରିଛି । ପ୍ରକାଶକ ବନ୍ଧୁ ନିତ୍ୟାନନ୍ଦ ଦାସଙ୍କ ଉତ୍ସାହ ଓ ପ୍ରେରଣା ଭୁଲିବାର ନୁହେଁ । ସବୁଠାରୁ ବିରକ୍ତିକର କାର୍ଯ୍ୟ ହେଉଛି ପଦ୍ମାଳୟାଙ୍କର ଯିଏକି ମୂଳଲେଖା ଦେଖି ପାଣ୍ଡୁଲିପି ପ୍ରସ୍ତୁତ କରିଛନ୍ତି । ଏ ସମସ୍ତେ ମୋର ଧନ୍ୟବାଦାର୍ହ ।

 

ରାକ୍ଷୀ ପୂର୍ଣ୍ଣିମା ୧୯୭୮

ବ୍ରହ୍ମାନନ୍ଦ ସିଂହ

ବ୍ରହ୍ମପୁର

 

Image

 

ପିମ୍ପୁଡ଼ି

(ଗୋପୀନାଥ ମହାନ୍ତି)

 

ଧୀରେ, ଧୀରେ, ଧୀରେ–ସବା ଉପରେ ପହଞ୍ଚିବାକୁ ଆଉ ବାର ହାତ ବାକି ଅଛି, ଗୋଟାକ ପଛେ ଗୋଟାଏ ହୋଇ ଉପରକୁ ଉପରକୁ ଚାଲିଛି ପାଦ ଦି’ଟା, ଗୋଡ଼ର ପେଣ୍ଡା ଓ ଜଙ୍ଘ ଯେପରିକି ଫାଟି ପଡ଼ିଲାଣି, ଛାତି ଭିତରେ ଧୁଡ଼ମୂଶ୍ ଚାଲିଛି, ମୁଣ୍ଡର ଟୋପି ଫନ୍ଦରେ ଝାଳଗୁଡ଼ାକ ଝୁଲୁଛି, ଓଳିରୁ ବର୍ଷାପାଣି ପରି, ହାଫ୍ ପ୍ୟାଣ୍ଟ ହାଫ୍ କମିଜ ଓଦା ସର ସର, ତଥାପି ଟେକି ହେଲାପରି ଚାଲିଛି ଦେହଟା, ଲାଗୁଛି ସତେକି ପବନରେ ଆଉଜିଛି । ପର୍ବତର ମହୁଡ଼ ହୋଇଗଲା, ରମେଶ ଅଟକିଲା ।

 

ବଡ଼ ଗଛର ବଣ କାଇଁତଳେ ରହିଲାଣି, ଉପରୁ ଦିଶୁଛି କଳାଘୁମର, ଯେପରିକି ପାତାଳକୁ ଓହ୍ଲେଇଯାଇଛି ଅଗନାଗ୍ନି ବନସ୍ତ । କିନ୍ତୁ ଉପରେ ଲଣ୍ଡା ଚଟାଣ, କରେ କରେ ଘାସ, ଚାରିପାଖେ ଆକାଶ ।

 

ପର୍ବତ ଚଢ଼ିବା ଖୁବ୍ କଷ୍ଟ ସେ ଆପଣା ପାଖେ ସ୍ଵୀକାର କଲା, ଦଳର ଅନ୍ୟମାନଙ୍କ ଆଗରେ ସେକଥା କହିବାକୁ ଲାଜ ମାଡ଼େ । ବୟସରେ ସେହି ତ ଟୋକା, ସେମାନେ ବୁଢ଼ା ବା ଦରବୁଢ଼ା, ତା’ ଛଡ଼ା ସେ କର୍ମଚାରୀ ଅଧିକାରୀ ଲୋକ, ଯେତେ କଷ୍ଟ ପାଉ ତଳି ଓଠରେ ଦାନ୍ତ ମାଡ଼ିଦେଇ କାଠପରି ରହିବା ତା’ର କର୍ତ୍ତବ୍ୟ । ଓଲଟି ସେମାନଙ୍କୁ କହେ, ‘କ’ଣ ତୁମେ ଏତିକିରେ ଥକିଗଲ ?’ ସରୁଆ ନହକା ଭେଣ୍ଡିଆ ଲୋକ, ଜୋତାମଡ଼ା ପାଦରେ ଦାଢ଼ୁଆ ଗୋଜିଆ ପଥର ଉପରେ ଖଟ୍ ଖଟ୍ ଡେଇଁ ଆଗେ ଆଗେ ଚାଲିଯାଏ ।

 

ଇଞ୍ଜିନ ପରି ସଁ ସଁ ହୋଇ ଉପରକୁ ଉଠି ଆସୁଛି ଚପରାସି ବିନୁ, ଓଡ଼ିଆ ରମେଶ ଉପରେ ଠିଆହୋଇ ଅପେକ୍ଷା କଲା । ବିନୁର ପ୍ରକାଣ୍ଡ ଠେକା ଧୀରେ ଧୀରେ ବଡ଼ ହେଇ ହେଇ ଉପରକୁ ଉଠୁଛି, ଯେପରି କି ଗୋଟାଏ ମାଟିଆ ବର୍ଣ୍ଣର ଅତିକାୟ ଛତୁ । ତା’ ତଳେ କଳା ମିଶ୍‌ମିଶ୍‌ ଗେଟମ୍ ଗାଟମ୍ ଲୋକଟି, ନାକରେ କାନରେ ସୁନା ନୋଳି, ଦେହରେ କୋଟ ପ୍ୟାଣ୍ଟ, ବନ୍ଧୁକ ବୋହିଛି ଓ ପିଠିରେ ଫ୍ଲାସ୍କ ଝୁଲେଇଛି । ବିନୁ ଉପରେ ଆସି ଠିଆ ହୋଇ ହାଁ ହାଁ ହେଲା । ପାଟିକଲା,–“ଏହି ତେରେବେରେ ୱାଦୁଡ଼େ ।” ରମେଶ ପଛଆଡ଼େ ତା’ର ସାଇନ୍‌ବୋର୍ଡ଼ ପରି ଠିଆହୋଇ ରହିଲା ଚପରାସି ।

 

ତଳୁ ସମସ୍ଵରରେ ଗୀତ ଶୁଭୁଛି, ଗୀତର ଗହଳି ଘୋଷା ଲହରେଇ ଉଠୁଛି, “ବାଇଲେ, ବାଇଲେ– ।”

 

ଆଗ ଜଣେ, ତା’ପରେ ଦି’ ଜଣ, ତା’ପରେ ଏକାଠି ଆଠଜଣ ଭାରୁଆଙ୍କ ଚେହେରା ଫୁଟି ବାହାରିଲା ଡେଙ୍ଗା ଘାସ ଉହାଡ଼ରୁ କୌପୀନ ପିନ୍ଧା କନ୍ଧ ଲୋକ, ଖାଲି ଦେହ । ଗୀତ ବନ୍ଦ ହେଲା-। ବିନୁ ପାଟି କଲା, “ଖାଲି ଅଳସୁଆଗୁଡ଼ାକ, ଯେତେ ଗାଳିଦେଲେ ଖାଲି ପଛରେ ପଡ଼ିଥିବେ ।” “ବୁଢ଼ା ହୋଇଗଲୁବେ ଆଜ୍ଞା”, ଜଣେ କିଏ ଉତ୍ତର ଦେଲା, ଲାଗିଲା ତାଙ୍କର ହସ, ସେମାନେ ଖଣ୍ଡେ ଛାଡ଼ି ବସିପଡ଼ି ପିଙ୍କା ଲଗେଇଲେ ।

 

ବିନୁ ଫ୍ଲାସ୍କ୍‌ ଖୋଲି ଚା’ ଦେଲା । ଗୋଟିକିଆ ଅଁଳା ଗଛତଳେ ବସିପଡ଼ି ରମେଶ ଚା’ ପିଉ ପିଉ ପଚାରିଲା, “ଆଉ କେବେ ଏବାଟେ ଆସିଥିଲୁ ବିନୁ ?”

 

“ଆଉଥରେ ଆସିଥିଲି ଦି’ବର୍ଷ ତଳେ, ତା’ ଆଗରୁ ତ ଅନେକ ଥର ।”

 

“ଆଉ କେହି ଅଧିକାରୀ ଏବାଟେ ଚାଲି ଚାଲି ଆସିଥିଲେ ?”

 

“କେତେ ଆସିଥିଲେ ଆଜ୍ଞା, ଏ ତ ହାଟକୁ ଯିବାକୁ ପାଖବାଟ, ଯା ଆସ ହୁଏ ।”

 

ରମେଶର ଆତ୍ମାଭିମାନ ଦବିଗଲା । ପିଲାଦିନୁ ଏପର୍ଯ୍ୟନ୍ତେ ସବୁଠୁ ବେଶି ଆନନ୍ଦ ସେ ପାଇଆସିଛି ସମସ୍ତଙ୍କ ଆଗରେ ରହିବାରେ । ଆଉ ସେହି ତ ଉପାୟ ସଂସ୍ଥାନପାଇଁ, ପ୍ରତିଷ୍ଠାପାଇଁ-। ଉତ୍ତର ବାଲେଶ୍ଵରର କାହିଁ ଏକ ଖଣ୍ଡ ମଫସଲରେ ଗୋଟିଏ ଦରିଦ୍ର ପରିବାରରେ ତା’ର ଜନ୍ମ । କେତେ ସାଙ୍ଗୀ ଅଟକିଗଲେ ଗାଁ ଚାଟଶାଳୀରେ, କେତେ ପୁଣି ରହିଗଲେ କଲେଜ ଏପାଖେ, ତା’ ଗାଁରୁ ସେ ଏକା କଲେଜ ଅତିକ୍ରମ କଲା, ତା’ ବି ସମ୍ଭବ ହେଲା ସ୍କଲରସିପ ବଳରେ-। ପ୍ରତିବର୍ଷ ପ୍ରାଇଜ ବହି, ପରୀକ୍ଷାରେ ଫଳ, ସ୍କଲରସିପ, ମେଡ଼ାଲ, ଜୀବନର ବାଙ୍କେ ବାଙ୍କେ ଗଡ଼ଜିତା ସାଫଲ୍ୟ ଏତିକି, ରମେଶ ତା’ର ସ୍ମୃତିରେ ଗର୍ବିତ । ତା’ପରେ ଦିନେ, ସେ ଚାକିରୀରେ ଯୋଗ ଦେଲା, ଅଚିହ୍ନା ଲୋକେ ଚିହ୍ନା ହେବାକୁ ଆସି ଦଣ୍ଡବତ କଲେ, ଚପରାସି ସଲାମ ଦେଲା, ସଞ୍ଜରୁଡ଼େ ଇନ୍‌ସ୍ୟୁରେନ୍‌ସ ଏଜେଣ୍ଟ ଜଗିବାକୁ ଆସି ଚା’ ଖାଇବାକୁ ନିମନ୍ତ୍ରଣ କରିଦେଇ ଗଲେ, ବିଭାଘର ସମ୍ବନ୍ଧ ଆସିଲା, ସାଙ୍ଗ ପଢ଼ୁଆ ଉମେଶ ଆସି ସ୍ପଷ୍ଟ ପଚାରିଗଲା “ଭାଇ ତୋ ବାହାଘର ବିଷୟରେ କାହା ସଙ୍ଗେ କଥାଭାଷା ହେବା କହିଲୁ ଟିକିଏ ।” ଦଣ୍ଡବତ, ଦଣ୍ଡବତ, ଚାରିଆଡ଼େ ଦଣ୍ଡବତ । ବ୍ୟକ୍ତିଗତ ଉଦ୍ୟମର ପରଖା ପରଖିରେ ପ୍ରଥମ ଜିତାଜିତି, ତା’ର ଆତ୍ମାଭିମାନ ପାଲଟିଲା ଆତ୍ମବିଶ୍ଵାସ, ରମେଶ ବୁଝିଲା, ସେ ଜଣେ କେହି ।

 

ତା’ର ପଟ୍ଟଭୂମିରେ ସେହି ଅଗଣତି ଲୋକେ, ଯେଉଁମାନେ କେହି ନୁହନ୍ତି ।

 

କିନ୍ତୁ ପଦେ ପଦେ ଖେଣ୍ଟା ଲାଗେ ଯେତେବେଳେ ସେ ଦେଖେ, ଯେତେ ଆଗକୁ ମାଡ଼ିଲେବି ତା’ ପୂର୍ବରୁ ଅନେକ ଆହୁରି ଆଗକୁ ଯାଇଛନ୍ତି, ଯେତେବେଳେ ଦେଖିଲେ ଆଗରେ ଅନେକେ, ଆଉ ତାଙ୍କୁ ଚାହିଁଲେ ସେ ଅତି ନଗଣ୍ୟ ।

 

ଅନ୍ତତଃ ପର୍ବତ ଚଢ଼ିଲାବେଳେ ଏପରି ଲାଗୁଥିଲା; ଯେପରି ତା’ର ସଭ୍ୟ ଗୋଷ୍ଠୀରୁ ସେହି ଏବାଟେ ଆସିଛି ପ୍ରଥମ ହୋଇ । ସତ ନ ହେଲେବି କଳ୍ପନା କରି ଆନନ୍ଦ ପାଉଥିଲା । ଚା’ ଦେଉ ଦେଉ ବିନୁ କହୁଚି–“ଏଇ ପର୍ବତ ଉପରେ ସେଥର ବଡ଼ ସାହେବ ଛାଉଣି ପକେଇଥିଲା, ରହିଗଲୁ ଏଠି ପାଞ୍ଚଦିନ, ସତେକି ସହର ବସିଥାଏ । ଆଉ କି ଶିକାର କି ନାଟ ତାମସା, କେତେ କଥା ।”

 

ହଁ, ମଣିଷ ଆସିଛନ୍ତି, ମଣିଷ ଯାଇଛନ୍ତି, ଯଦିଚ ଦେଖିଲେ ଲାଗୁଛି ଏ ଅନ୍ଧାରି ବଣ ସବୁଦିନ ଏହିପରି ଅନ୍ଧାରୁଆ ।

 

“ସେକାଳର ବଣ ଆଜ୍ଞା, କାହିଁ ଆଉ ସେ ।” ବିନୁ କହିଲା, “ଭାରି ବଣ ଥିଲା, ଜନ୍ତୁ ଯେ ଜନ୍ତୁ କହିଲେ ନସରେ । ସେ ବଣ ସରିଗଲା, କନ୍ଧମାନେ ହାଣି ପକେଇଲେ । ଏଇଠି ଥିଲା କେତେ କନ୍ଧ ଗାଁ, ବଣ ସରିବାରୁ ବାଘ ଧରି ଧରି ଖାଇଲା, ସେମାନେ ଉଠିଗଲେ ।”

 

“ଏକାଳେ ବଣନାହିଁ, ଆଉ ଏଗୁଡ଼ା କ’ଣ ?”

 

“କଟା ହୋଇ ଫେର ବଢ଼ିଯାଇଚି, ଯେତେ ବଢ଼ିଲେ ସେ ବଣ ଆଉ କାହୁଁ ହେବ ?”

 

ମଣିଷ ଆସିଛି, ବଣ ଭିତରକୁ ଭେଦିଛି, ଫେର ହଟିଯାଇଛି, ଫେର ଆସିଛି । ବଣ ପାହାଡ଼ରେବି ତା’ର ସୁଖ ଦୁଃଖର ଧାର ନିଭିନାହିଁ, ଛପି ରହିଛି, ଘଞ୍ଚ ଜଙ୍ଗଲ ତଳେ ତଳେ ଗୋଡ଼ି ସାଲୁ ସାଲୁ ସରୁ ଝରଣାର ଧାରପରି ।

 

ରମେଶର ଆତ୍ମଚେତନା ଉଦାସ ହୋଇ ଧିମେଇଁ ପଡ଼ିଲା ସେହି ଗଣ ଚେତନାରେ ।

 

ଭଙ୍ଗା ବିସ୍କୁଟର ଗୁଣ୍ଡ ଗୋଟେଇବାକୁ ସରୁ ହୋଇ ପିମ୍ପୁଡ଼ି ଧାରଟିଏ ଲାଗିଗଲାଣି, ରମେଶ ଚମକିପଡ଼ି ନିଘା କଲା । ହସିଦେଇ ମନକୁ ମନ କହିଲା, “ଖାଲି ମଣିଷ ନୁହନ୍ତି, ପିମ୍ପୁଡ଼ିବି-।’’ ଚାରିହଜାର ଫୁଟ ପର୍ବତ ଉପରେ ମଣିଷର ଗୃହସ୍ଥଳିର ସାଥୀ ପିମ୍ପୁଡ଼ିବି ରହିଛି । ସାମାନ୍ୟ ପିମ୍ପୁଡ଼ି ଯେପରି କି ତା’ର ଏ ପର୍ବତ ବୁଲାର ଅସଲ ଉଦ୍ଦେଶ୍ୟ ତାକୁ ସ୍ମରଣ ପକେଇଦେଲା । ଠିଆ ହୋଇପଡ଼ି ସେ ପଚାରିଲା–“ବିନୁ, ଚାଉଳ ଚୋରୀ ଧରିବା ତ ?”

 

“ତା’ ଆଉ ଧରିବା ନାଇଁ ? ଯୋଉବାଟେ ଗଲେବି ଚାଉଳ ବାହାରିବ ଯାଇ କସ୍ପାଓ୍ୱାଲସା ହାଟରେ । ଅଇଛା ୧୦ଟା ବାଜିଛି, ଏଇ ଢାଲୁଟା ଓହ୍ଲେଇପଡ଼ିଲେ ଆମେ ସେଠି ପହଞ୍ଚିବା ଦି’ଟା ଆଗରୁ । ତା’ପରେ ତ ଗୋଟିକି ଗୋଟି ଧରିପକେଇବା, ଯିବେ କୁଆଡ଼େ ?”

 

“ବେଶ, ଚାଲ ତେବେ ଆଉ ଡେରିନାହିଁ ।” ଏଠିବି ବିଶ୍ରାମ ମିଳିବନାହିଁ ଜାଣି ବିନୁ ବିରକ୍ତ ହେଲା । କିନ୍ତୁ ଉପାୟନାହିଁ । ଯାହା ଜାଣିଥିଲା ପୁଞ୍ଜାଏ ପାଞ୍ଚଟା କନ୍ଧ ବୋଲି ତାହାରି ବାହାଦୁରି ଦେଖାଇ କନ୍ଧ ବୋଝିଆଙ୍କ ଉପରେ ଗର୍ଜନ କଲା “ହେଇ, ତେରେବେରେ ହାଲା ମୁଡ଼େ (ଯାଅ) ।”

 

କନ୍ଧଲୋକେ ଗର୍ ଗର୍ ହେଲେ । ଭଲା କଥା, ଟିକିଏ ବିଶ୍ରାମନାହିଁ ଖାଲି ଦୌଡ଼ ଦୌଡ଼-। ମାଙ୍କଡ଼ ଖେଳିଲା ପରି ଆଦିମ କୁଭି କନ୍ଧ ଭାଷାରେ ବିନୁ ଓ ତା’ର ପୂର୍ବପୁରୁଷଙ୍କୁ ଗାଳି ବଖାଣିଲେ । ସେମାନେ ଜାଣନ୍ତି, ତାଙ୍କର ଭାଷା ଏ ବୁଝିବେନାହିଁ । ଏମାନେ ଖାଲି ହୁକୁମ ଦେବେ ବୋଝ ବୁହ, ପାଣି ଆଣ, କାଠ ଆଣ । ଏତିକି ପ୍ରକାଶ କରିବାକୁ କେତେଟା କନ୍ଧ ଶବ୍ଦ କେହି କେହି ଜାଣନ୍ତି, ବିନୁବି ଜାଣେ, ସୁତରାଂ ତାକୁ ମନଖୋଲି ଗାଳିଦେଲେ କ୍ଷତିନାହିଁ । ଆପଣା ଭିତରେ କୁହାକୋହି ହେଲେ,–ଆଚ୍ଛା ବାୟା ଲାଗିଛି ୟାଙ୍କୁ ଯେ, ଏ ଦେଶର ଚାଉଳ ସେ ଦେଶର ଲୋକ କିଣି ନେଉଛନ୍ତି ବୋଲି ଏମାନେ ବଣ ଚକଟି ଚକଟି ମୂଷା ଧରିବାକୁ ଧାଇଁଛନ୍ତି । ଭୋକ ତ ସମସ୍ତିଙ୍କି କରିବ, ସେଥିରେ ଏ ଦେଶ କ’ଣ ସେ ଦେଶ କ’ଣ ? ଯାହାର ଯାହା ଦରକାର ସେ ଯଦି ତାକୁ କିଣିବାକୁ ଆସିଲା, ସେଥିରେ ଅପରାଧଟା କ’ଣ ହେଲା ? ଭଲା ଏ ଦେଶଟାବି କାହାର ? ଚାଉଳ ବା କମୋଉଛି କିଏ ? ନା, ଏମାନଙ୍କ ନ୍ୟାୟଟା ଭିନେ, ସେ ନ୍ୟାୟରେ ମଦ ରାନ୍ଧିଲେ ଦୋଷ, ବଣ ହାଣିଲେ ଦୋଷ, ଚାଉଳ କିଣିଲେ ଦୋଷ, ବୋଝ ବୋହି ବୋହି ଦି’ଦିନ ବାଟ ଚାଲି ଘାଲିଆ ହୋଇ ବସିପଡ଼ିଲେ ଦୋଷ । କଥା ଗପିବାକୁ ବେଳନାହିଁ, ଚପରାସି ଗାଳି ଦେଲାଣି, ବାବୁଟାବି ମାଡ଼ି ଚାଲିଲାଣି ଆଗେ ଆଗେ । କନ୍ଧଲୋକ ଉଠିପଡ଼ିଲେ । ଆପଣାର ସବୁ ଅଭିଯୋଗକୁ ଏକାଠି ଗୁନ୍ଥି ଗୀତ ଫାନ୍ଦିଦେଲେ । ତା’ ପଛରେ ତୁହାଇ ତୁହାଇ ସେହି ଏକା ଘୋଷା–“ବା’ଇଲେ–ବା’ଇଲେ–”

 

ସାମ୍ନାରେ ମହାବଣ, ତାହାରି ତଳେ ତଳେ ପର୍ବତ ଢାଲୁରେ ଛପିଲା ସୁଡ଼ଙ୍ଗ ପରି ତଳକୁ ତଳକୁ ବାଟ । ପଛରୁ ସମସ୍ଵରରେ କନ୍ଧ ଗୀତ ରମେଶବୁ ଆନନ୍ଦ ଦେଉଥିଲା । କେଡ଼େ ସୁନ୍ଦର ଶୁଭୁଛି । କ’ଣ ତା’ର ଅର୍ଥ ହୋଇଥିବ ନିଶ୍ଚୟ କୌଣସି ଏକ ଜାତୀୟଗାଥା ।

 

“ବିନୁ !” ରମେଶ ରଡ଼ିଲା ।

 

ମନେ ମନେ ତାକୁ ଗାଳି ଦେଇ ଦେଇ ପଥର ଉପରେ ଟଳ ଟଳ ହୋଇ ବିନୁ ତା’ ପାଖକୁ ଚମକିଗଲା । ତା’ର ବୟସ ପଞ୍ଚାବନ, ମୁଣ୍ଡ ମଝିରେ ଚନ୍ଦା, ଛ’ଟି ଦାନ୍ତ ପଡ଼ିଗଲାଣି । ଏ ବୟସରେ ପାହାଡ଼ ଚଢ଼ା ତା’ ଦେହକୁ ସହେନାହିଁ, ଦେହ ଖୋଜେ ସୁସ୍ଥି ମଠ ମଠ ଚାଲି । କିନ୍ତୁ ଏ ଟୋକା ଅଧିକାରୀ ତରତର କରିଦିଏ, ଅମଡ଼ା ମଡ଼ାଏ, ଆପେ ବାୟା, ପରକୁ ବାୟା ଲଗାଏ । ବିନୁର ଖାଇବାକୁ ଅଭାବନାହିଁ, କିନ୍ତୁ ଚାକିରୀ ଚାଲିଗଲେ ତା’ର କ୍ଷମତା ଚାଲିଯିବ, କଳାହରଣ ହୋଇ ସେ ହେବ ସାମାନ୍ୟ ଏକ ଦେଶୀୟା, ଜୀବନଯାକ ବାଘ ପଛେ ପଛେ ବିଲୁଆପରି ସେ ଦେଶୀୟାଙ୍କ ଉପରେ ଚରିଛି, ପୁଣି ନିଜେ ଦେଶୀୟା ହୋଇ ପଡ଼ି ରହିବାକୁ ହେବ ଭାବିଲେ ଜୀବନ ଉପରେ ଧିକ୍‌କାର ଜନ୍ମେ । ସେହି ଭୟରେ ବିନୁ ପାହାଡ଼ ଚଢ଼େ ।

 

“ବିନୁ, ଏମାନେ ଭାରି ସୁନ୍ଦର ଗୀତ ଗାଉଛନ୍ତି ।”

 

“ଭାରି ସୁନ୍ଦର ଆଜ୍ଞା” ।

 

“କ’ଣ ୟାରମାନେ ?”

 

ବିଜ୍ଞଲୋକ ପରି ପଗଡ଼ି ହଲେଇ ଦି’କଳ ପାନ ଭିତରୁ ଅବୁଝା କନ୍ଧ ଗୀତର ଅର୍ଥ ଫାନ୍ଦିଦେଇ ବିନୁ କହିଲା,–“ଏଇଟା ସେଇ ଚଇତ୍‌ ପରବର ଗୀତ ଆଜ୍ଞା ।”

 

“କ’ଣ ୟାର ମାନେ ?”

ଖାଲି ଧାଂଡ଼ାଧାଂଡ଼ୀ କଥା, ସେଇ ପୁରୁଣା କଥା–ଯେମିତି କହନ୍ତି ନାଇଁ–ତତେ ଦେଖି ମୋର ବଡ଼ ଶରଧା, ଏ ଯାଇଫୁଲ । ତୁ କେବେ ମୋ ଘରକୁ ଆସିବୁ ? ଏ ଯାଇଫୁଲ !” ବିନୁ ହସିଲା ।

ରମେଶ କହିଲା, “ସବୁଦିନେ ୟାଙ୍କର ଏଇ ଗୀତ ?”

“ସବୁଦିନେ ଆଜ୍ଞା ।”

“ବାଇଲେ ଅର୍ଥ କ’ଣ ଯୁଇଫୁଲ ?”

ଠିକ୍‌ ଧରିଚନ୍ତି ଆଜ୍ଞା, ଆପଣ ଏମିତି ଶିଖି ବସିଲେ ଭାରି ଚଞ୍ଚଳ ୟାଙ୍କ ବୋଲି ଶିଖିଯିବେ ।

ରମେଶ ଖୁସି ହେଲା, ପଚାରିଲା, “ଯେତେ ବୁଢ଼ା ହେଲେବି ଏଇ ଗୀତ ?”

“ଆମ ଦେଶରେ କେହି ବୁଢ଼ା ହୁଅନ୍ତିନାହିଁ ।”

ରମେଶ ମନେ ମନେ ଲେଖି ରଖିଲା,–‘ବାଇଲେ ମାନେ ଯୁଇଫୁଲ । କନ୍ଧମାନେ ଖାଲି ଘେନ ଘେନି ଗୀତ ଗାଆନ୍ତି ।

ରମେଶକୁ ଭୁତେଇ ଦେଇ ବିନୁ ଖୁବ୍‌ ଖୁସି ହେଲା ।

କନ୍ଧ ବୋଝିଆ ଗୀତରେ ଗୀତରେ ଚପରାସି ଓ ଅଧିକାରୀମାନଙ୍କୁ ଗାଳି ଦେଇ ଦେଇ ଚାଲିଲେ, ଗାଇ ଚାଲିଲେ ଆପଣାର ଦୁଃଖ ଦୁର୍ଦ୍ଦଶା । ବାଟରେ ଦେଖା ପଡ଼ିଲେ ପଞ୍ଝା ପଞ୍ଝା ହାଟମୁହାଁ କନ୍ଧ ବାଟୋଇ । ଗୀତ ଶୁଣି ହସି ଉଠିଲେ, ଗୀତରେ ଗୀତ ଯୋଡ଼ିଦେଲେ । ସମଦୁଃଖୀ ସେମାନେ, ଏକା ଉପହାସରେ ଭାଗୀ । ଗୀତ ଗାଇ ଗାଇ ପାଟି ଘୋଳିହେଲେ ବୋଝିଆ ତୁନିପଡ଼ନ୍ତି, ବିନୁ ଗର୍ଜନ ଛାଡ଼େ,–“ହେଇ ଗୀତ ଗା, ଗୀତ ଗା ।”

“ଆମ ଦେଶରେ କେହି ବୁଢ଼ା ହୁଅନ୍ତିନାହିଁ ।” ଆପଣାର କଥା ବିନୁର ଆପଣା ଆଗେ ନୂଆ ରୂପ ଧରି ଠିଆ ହେଲା । ସେ ତା’ର ସାନ ଭାରିଯା, ତୃତୀୟ ପକ୍ଷ । ଆଗର ଦୁଇ ଭାରିସା ଅଛନ୍ତି, ତଥାପି ବର୍ଷେ ହେଲା ସେ ଆସିଛି । ଅଧିକା କନ୍ୟା ସୁନା ଦେଇ ତା’ର ବାପ ମା’ଙ୍କୁ ମଙ୍ଗେଇ ଅନ୍ୟ ଜଣକ ଆଶା ମୁହଁରୁ ସେ ‘ଗୋରୀ’କୁ ଏକପ୍ରକାର ଛଡ଼େଇ ଆଣିଛି । ଏ ବଣ ଦେଶରେ ଛଡ଼େଇ ଆଣିପାରିବାହିଁ ପାରିଲା ପଣ, ସେଥିରେ ମଣିଷ ଜନ୍ତୁକୁ ଟପିଯାଏ । କିନ୍ତୁ ବିନୁର ଏ ପାରିଲା ପଣ ଉହାଡ଼ରେ ଥିଲା ଜୀବନ ଗୋଟାକର କ୍ଷୋଭ । ତା’ର ତୋଟା ଅଛି, କ୍ଷେତ ଅଛି, ଘର ଅଛି, ଗାଈଗୋରୁ ଅଛନ୍ତି, କିନ୍ତୁ ସନ୍ତାନନାହିଁ । ବୟସ ଯହୁଁ ସରି ସରି ଆସୁଛି, ତହୁଁ ସେ ବେଶି ବେଶି ଅନୁଭବ କରୁଛି ତା’ର ପୁଅଟିଏ ଦରକାର । ବାଟେ ବାଟେ ଖାଲି ତା’ର ଗୋରୀ ମନେପଡ଼ୁଛି । ଦି’ ସଉତୁଣୀ ତାକୁ ଦେଖିପାରୁଥିବେ ତ ? ମନ ରାଜି ନ ହେଲେ ଏ ଦେଶର ସ୍ତ୍ରୀ ପଳେଇଯାଏ–ଗୋରୀ ମନ କଷ୍ଟ କରୁନଥିବ ତ ? ଆଉ ସେ ଭେଣ୍ଡିଆ ଚପରାସି, ଯାହା ନାଁ ବିଶି, ଲେଖା ଯୋଖାରେ ଟାଣିଓଟାରି ବିନୁର ନାତି ସଂପର୍କ ହୁଏ, ଖାସ୍‌ ଆଈମାନଙ୍କ ସଙ୍ଗେ ଥଟ୍ଟା ଲାଗିବାକୁ ଆସି ଓଳି ଓଳି ବିତେଇଦିଏ, ସେ କ’ଣ କରୁଥିବ ?

“ବିନୁ ।”

“ଆଜ୍ଞା ।”

“ଆଚ୍ଛା ଏ ଚାଉଳ ଆଗରୁ ଧରା ପଡ଼ୁନାହିଁ କାହିଁକି ? ଲୁଚା ଚୋରାରେ ମାନ୍ଦ୍ରାଜ ଇଲାକାକୁ ଚାଲାଣ ହେବାପାଇଁ କେଉଁଠି ତ ଗଦା ହୋଇଥିବ, ହାଟ ଲାଗୁ କି ନ ଲାଗୁ ସେଉଠୁ ବେପାରୀମାନେ ବୋହି ନେଉଥିବେ, କୋରାପୁଟରୁ ଆସିଲେଇଁ ଚାରିଦିନର ବାଟ, ଏତେ ଗାଁ ବୁଲିଲେଇଁ ଏତେ ଜାଗା ଦେଖିଲେଇଁ କାଇଁ ସେମିତି ତ ଆମ ଆଖିରେ ପଡ଼ିଲାନାହିଁ । କଥା କ’ଣ-?”

“ସେମିତି ଏକାଠି ବେଶି ବେଶି ଚାଉଳ ଗଲେ କ’ଣ ଲୋକ ଦେଖାଣିରେ ଚାଲିଯାଆନ୍ତା-?” ବିରକ୍ତ ଅବସ୍ଥାରେ କଥାଟା କହିଦେଇ ବିନୁ ପସ୍ତେଇଲେ । ସେ ନିଜେ ତ କ୍ଷେତର ଶହେ ମହଣ ଚାଉଳ ଚଢ଼ା ଦରରେ ପଦାକୁ ପଠେଇପାରିଛି । ସେ ବିଶ୍ଵାସ କରେ, ଯେଉଁଠି ସମାଜର ନୀତି ଯେ ଯେଝା ପାଦରେ ସେ ଠିଆହେବେ, ପ୍ରତ୍ୟେକେ ଆପଣା ଶିଙ୍ଗରେ ମାଟି ଖୋଳିବେ, ସେଠି ପରକୁ ଠେଲିବା, ପରର ଗୋଡ଼ ଓଟାରିଦେବା, ପର କାନ୍ଧରେ ଜବରଦସ୍ତି ଲାଉ ହେବା ବା ପରକୁ ଚିତା କାଟିବା ଉଦ୍‌ଯୋଗୀ ଲୋକ ପକ୍ଷରେ ଆପେ ଆସେ, ନ ହେଲେ ନିଜେ ବଡଲୋକ ହେବା ଅସମ୍ଭବ । ଯେଉଁଠି ନିଜପାଇଁ ନିଜ ଛଡ଼ା କେହିନାହିଁ, ସେଠି ସମସ୍ତିଙ୍କ ସମୂହ କଲ୍ୟାଣ କଲାଭଳି ନିୟମକୁ ଚଲାଖ ଲୋକ ନିଜ ସ୍ଵାର୍ଥପାଇଁ ଭାଙ୍ଗିବାହିଁ ସ୍ଵାଭାବିକ ଓ ଉଚିତ ବୋଲି ସେ ଭାବେ । ଧରାପଡ଼ିବାକୁ ଡରେ । କଥା ବାରେଇଦେଇ କହିଲା,–“ଏକାଠି ବେଶି ବେଶି ଚାଉଳ କୌଣସି ଜଣକ ହାତରେ ପଦାକୁ ଯାଉନାହିଁ । ଆଜ୍ଞା, ସେମିତି ହୋଇଥିଲେ ଆମ ଆଖିରେ ପଡ଼ିଥାନ୍ତା, ଲୁଚନ୍ତା କୋଉଠି ? ହାଟକୁ ଗଲେ ଆପଣ ଦେଖିବେ କିଏ ପାଞ୍ଚ ସେର, କିଏ ଦଶ ସେର କରି ଚାଉଳ କିଣି ନେଇଯାଇଛନ୍ତି, ଏମିତି ଶହ ଶହ ତଳଦେଶର ଲୋକ । ଦି’କୋଶ ଛାଡ଼ି ମାନ୍ଦ୍ରାଜର ସୀମା, ସେଠି ସାହୁକାର ବସିଥିବେ, ଶଗଡ଼ ଥିବ, ପାଖେ ଚାଉଳ ପୂରେଇବାକୁ ବସ୍ତା, ପାଖେ ଟଙ୍କା ମୁଣି । ନହେଲେ ତାଙ୍କରି ଟଙ୍କାରେ ମୁଣ୍ଡ ବୋଝିଆ ଚାଉଳ କିଣି ଆଣିଥିବେ । ସେ ଚାଉଳ ଜମା ହେବ । ବସ୍ତାରେ ପଶିବ । ଚାଲିବ ଶଗଡ଼ ବିଶାଖାପାଟଣା ପାର୍ବତୀପୁର, ବୋବିଲି, ମକୁଆ । ବେପାରୀ ଲୋକର କଥା ଅଲଗା ଆଜ୍ଞା ।”

“ବେପାରୀ ହାତରେ ପଡ଼ିବା ପୂର୍ବରୁ ସେଇ ଚାଉଳ ଆମେ ଧରିଦେବା” ଗମ୍ଭୀର ହୋଇ ରମେଶ କହିଲା । ତା’ର ଆଖିରେ ଝଟକୁଥିଲା ଶିକାରୀ ଆଖିର ଆଲୁଅ । ମନରେ ଗୋଟାଏ ରାଆ,–ଆମର ଚାଉଳ କାହିଁକି ସେମାନେ ବୋହିନେବେ ? ଏଇଟା ଯେପରି କି ତା’ର ବ୍ୟକ୍ତିଗତ ଅଧିକାର ଉପରେ ହସ୍ତକ୍ଷେପ ।

ଆମର କହିଲାବେଳେ ତା’ର ବ୍ୟକ୍ତିତ୍ଵ ବୁଝେ ଖାଲି ଗୋଟାଏ କଥା,–ସେ ଓଡ଼ିଆ । ତା’ ପଛରେ ଓଡ଼ିଶାର ଇତିହାସ ଓ ସେ ଇତିହାସରେ ପଡ଼ିଶା ଦେଶ ଉପରେ ରାଜ୍ୟବିସ୍ତାର, ଯୁଦ୍ଧ ଜୟ, ସାମ୍ରାଜ୍ୟ ସ୍ଥାପନ । ଅତୀତର ଧୂଳିଗଦା ଓ ଭଙ୍ଗା ଇଟା କୁଢ଼ରୁ ବର୍ତ୍ତମାନର ଖ୍ୟାତିହୀନତାକୁ ସେ ଫେରିଆସେ, ମନର ଓରମାଣ ମେଣ୍ଟାଇବାକୁ ପଡ଼ୋଶୀ ଦେଶ ଉପରେ ଦୋଷ ଢାଳିଦିଏ ।

“ଖାଇ ଖାଇ ଖତିରା କରିଦେଲେ ଦେଶ ଗୋଟାକୁ, ଆଉ ଫେର୍‌ କ’ଣ ?”

ବଣ ବାଟରେ ଶିକାର ମନେପଡ଼େ । ରମେଶର ମନରେ ଛାଇଯାଏ ଚାଉଳ ଶିକାରର ନିଶା । “ଧରିପାରିଲେ,–” ଦାନ୍ତରେ ଦାନ୍ତ ଘଷି ସେ କହେ । ଧରିପାରିଲେ କ’ଣ କରିବ ସେ ଜାଣେନାହିଁ ।

ତରତର ହୋଇ ତଳକୁ ତଳକୁ । ମାଘର ପାଗ ଓ ବାଟର ତାତି ମିଶିଯାଇ ବସନ୍ତର ଅନୁଭୂତି ଆଣୁଛି, ଯୁଆଡ଼େ ଚାହିଁଲେ ପରିପୂର୍ଣ୍ଣ ଗଛପତ୍ରର ଶୋଭା । ଗଡ଼ାଣି ଶେଷରେ ବାଟ କରରେ ତଳମାଳର ଗାଁଟିଏ ପଡ଼ିଲା । ଆମ୍ବ ତୋଟା, କ୍ଷେତ, ଖଳା, ଧାଡ଼ି ଧାଡ଼ି ଘର । ଯିବା ବାଟ, ପିଲାଟିଏ ଠିଆ ହୋଇଥିଲା, ଅଚିହ୍ନା ଲୋକ ଦେଖି ଭେଁ କିନା କାନ୍ଦି ମା’କୁ ଡାକି ଡାକି ଦଉଡ଼ି ପଳେଇଲା । ସେହି ହେଲା ସଙ୍କେତ, ବାଡ଼ କରରେ ଖୁଣ୍ଟିରେ ବନ୍ଧା ହୋଇଥିବା ବାଛୁରୀମାନେ ପଘାରୁ ଉହୁଙ୍କି ହୋଇ ହମାରଡ଼ି ଦେଲେ । ସ୍ତ୍ରୀ ଲୋକମାନେ ଆଡ଼ଲୁଚା ହୋଇ ମିଟିମିଟି କରି ଅନେଇଁ ରହିଲେ । ଗାଁ ଲୋକ ଗୋଟି ଗୋଟି ହୋଇ ପାଖକୁ ଆସିଲେ । ରମେଶକୁ ଲାଗିଲା, ଏ ଦୃଶ୍ୟ ତା’ର ଚିହ୍ନା ଚିହ୍ନା । ପାଦ ଆଗେ ଘୋସାରି ହେଲା । ଝଙ୍କା ଗଛ ଛାଇରେ ଅଟକିରହି ସେ ପଛକୁ ଅନେଇଁଲା । ପ୍ରକାଣ୍ଡ ମନଗଡ଼ା ଭୁତପରି ପର୍ବତଟା ପଛରେ ଠିଆହୋଇଛି ଧକେଇ ଧକେଇ ବିନୁ ଆସୁଛି, ଦୌଡ଼ି ଦୌଡ଼ି ଆସୁଛନ୍ତି ବୋଝିଆ ।

 

“ଏଠି ଭଲ ପାଣି ମିଳିବ ବିନୁ ?”

 

“ମିଳିବ” । ବିନୁ ତତ୍ପର ହେଲା । ବୋକଚା ଖୋଲି, ଲୋଟା ଗିଲାସ ବାହାର କରି ଗାଁକୁ ଗଲା । କନ୍ଧ ବୋଝିଆ ବସି ବସି ଝାଳ ମାରିଲେ । ରମେଶ ଅପେକ୍ଷା କଲା ।

 

ଅଳ୍ପ ସମୟ ଭିତରେ କୁଆଡ଼ୁ ଆସି ପହଞ୍ଚିଗଲା ଗୋଟାଏ ଦୌଡ଼ିଆ ଖଟ, ଜଣେ ଗୋଟାଏ ଲୋଟାରେ କିଛି ଗରମ ଦୁଧ ଆଣି ଠିଆହେଲା, ଆଉ ଜଣେ ଆଣିଲା ଫେଣାଏ ପାଚିଲା କଦଳୀ, ତେଲେଙ୍ଗୁ, ଓଡ଼ିଆ, କୋଣ୍ଡାଦୋରା ମିଶି ଗାଁର ସାତଜଣ ରଇତ ଆସି ଅନୁନୟ କଲେ,–“ଖରା ବହୁତ ହେଲାଣି, ଦୟାକରି ଏଠି ଟିକିଏ ବିଶ୍ରାମ ନେଇ ଗଣ୍ଡିଏ ଖାଇକରି ନଗଲେ ଗାଁ ଲୋକଙ୍କ ମନ କଷ୍ଟ ହେବ ।”

 

ବିଶ୍ରାମ ।

 

ରମେଶ ହସିଲା । ବାଟେ ବାଟେ ସେହି ନିମନ୍ତ୍ରଣ । ସତେକି ଚାରିଆଡ଼େ ବଣଜଙ୍ଗଲ ଘେରେଇ ହୋଇ ମଣିଷ ମଣିଷକୁହିଁ ଆଉଜିବାକୁ ଖୋଜେ । ଅଟକିଯାଅ, ରହିଯାଅ ଆଜି ରାତିଟା ଆମ ଗାଁରେ । ଚିହ୍ନା ଗଛର ଛାଇ, ଅଧଚିହ୍ନା ଚାଳ ଭିତରୁ ମଠୁଆ ମଠୁଆ ଚୁଲି ଧୂଆଁ, ସାଧାରଣ କାମରେ ବ୍ୟସ୍ତ ପୁରୁଷ ସ୍ତ୍ରୀ । ସେ ବଣଠୁ ଭିନେ, ପର୍ବତରେ ଥାଇ ପର୍ବତଠୁ ଭିନେ ।

 

ତଥାପି, ଚାଲିବାକୁହିଁ ହେବ । ପଛ ଗାଁର ବାଟର ସ୍ନେହ ଲାଗି ରହିଥିବ ଖଣ୍ଡେ ଦୂର, ତା’ପରେ–ପବନରେ ଉଡ଼ିଯିବ ।

 

ବିନୁ ପାଣି ଘେନି ଆସିଲା । ପାଣି ପିଇସାରି ରମେଶ କହିଲା, “ଯିବା ଚାଲ ।” ଏଥର ବୁଢ଼ୀଟିଏ ଆସି ବାଟ ଓଗାଳିଲା । ହସି ହସି କହିଲା, “ଏତେ ବେଳଟାରେ ଅଖିଆ ଯିବୁ ପୁଅ, ମା’ ପାଖରେ ଥିଲେ ଏମିତି ଛାଡ଼ିଦିଅନ୍ତା ? ଏ ଗାଁରେ କ’ଣ ମା’ ଭଉଣୀ ତୋର ନାହାନ୍ତି ?” ସମସ୍ତେ ହସିଲେ । ବୁଢ଼ୀଟି କନ୍ଧ ତେଲେଙ୍ଗୁ ମିଶାମିଶି କୋଣ୍ଡାଦୋରା ଜାତିର । “ଏ ଗାଁରେ କ’ଣ ମା’ ଭଉଣୀ ତୋର ନାହାନ୍ତି ?”

 

ରମେଶର ଆଖି ଉପରେ ଯେପରିକି ଛାଇ ଲଦି ହୋଇପଡ଼ିଲା । ନିଜକୁ ନିଜେ ବଡ଼ ପାଟିରେ କହିପକାଇଲା–“ନା ନା–ନା, ଯିବାକୁ ହେବ, ବହୁତ କାମ ।” ଆପଣକୁ ଓଟାରି ନେଇ ଚାଲିଲା ।

 

ସ୍ମୃତିରେ ରହିଗଲା ସେହି ବୁଢ଼ୀର ମା’ ମୁହଁପରି ମୁହଁର ଛାଇ । ମା’ର ଆଖି ପେଟକୁ, ଆଉ ତୁଣ୍ଡରେ ଆହା ପଦ । ତା’ର ଅନ୍ୟ ଜାତିନାହିଁ, ଭାଷାନାହିଁ, ସେ ମା’ । ଚାଉଳଧରା ପାଶୋରିଗଲା । କିନ୍ତୁ ପୁଣି ମନେପଡ଼ିଗଲା ଯେତେବେଳେ ଖଣ୍ଡେ ଦୂରରେ ସେ ଦେଖିଲା, ହାଟୁଆ ଚାଲିଛନ୍ତି, ଭାର ଭାର ଚାଉଳ ।

“ବିନୁ, ହାଟ ଆଉ କେତେ ବାଟ ?”

“ହେଇ ଆଗରେ ଆଜ୍ଞା, ପହଞ୍ଚିଗଲେ ।”

“ହୁସିଆର୍‌, ହଲ୍ଲା କରିବନାହିଁ ।”

“ନାହିଁ ଆଜ୍ଞା, ଆରେ କନ୍ଧମାନେ, ଆଉ ଗୀତ ବୋଲନାହିଁ, ପାଟି କରନାହିଁ, ତୁନି ତୁନି ଚାଲ ।” ବିନୁ ହସିଦେଇ ବୋଝିଆମାନଙ୍କ ପାଖକୁ ଚାଲିଗଲା । ବଣ ଭିତରେ ଶିକାର କରିଗଲା ପରି । ପଦାରେ ତୁନିତାନି, ମନ ଭିତରେ ଚହଳ । ରମେଶ ତରତର ହୋଇ ତା’ର କର୍ମପନ୍ଥା ବିଷୟରେ ଭାବିଗଲା । ଚାଉଳର ଚୋରା ଚାଲାଣ ଖାଲି ଅଟକେଇ ଦେଇ ସେ ନିଶ୍ଚିନ୍ତ ହେବନାହିଁ-। ପକ୍‌କା ବନ୍ଦୋବସ୍ତ କରି ଦେଇଯିବ । ରିପୋଟ ଲେଖିବ । ପ୍ରଶଂସା ପାଇବ । ଏହିପରି ପ୍ରଶଂସା ପାଇ ପାଇ ଶୀଘ୍ର ସେ ଉନ୍ନତି କରିବ । ପରୀକ୍ଷାରେ ସମ୍ମାନ ପାଇଲାପରି ସେ ବି ଏକ ପୁରସ୍କାର । ପାଇବାକୁ ହକଦାର ସେ ନ ହେଲେ ଏତେ ବଣବୁଲା, ଖରାରେ ଶୀତରେ । ସତେକି କଙ୍ଗୋ ଆଫ୍ରିକାରେ ଲିଭିଂଷ୍ଟୋନ । ସେ ଯାଇଥିଲେ ଗୋଟାଏ ନଦୀର ଉତ୍ପତ୍ତି ସ୍ଥଳ ଆବିଷ୍କାର କରିବାକୁ, ସେ ଯାଉଛି ଚାଉଳ ରପ୍ତାନୀର ଚୋରା ମୁହାଁଣ ଆବିଷ୍କାର କରିବାକୁ । ଭାବି ଆନନ୍ଦ ଲାଗିଲା । ଆପଣା ସୁଦକ୍ଷ ପଣରେ ଆପେ ଅଭିଭୂତ ହୋଇପଡ଼ିଲା ।

କିଛି ଆଗରେ ବାଟ କରରେ ଗଛତଳେ ଗୋଟିଏ ପରିବାର ରୋଷେଇ ସାରି ଖିଆପିଆ କରୁଛନ୍ତି । ଉତାଣି ପିଲାଟିଏ ମାଟିରେ ଚିତ୍‌ ହୋଇ ଶୋଇ ଗୋଡ଼ହାତ ଛାଟି ଛାଟି କାନ୍ଦୁଛି । ଫୁର ଫୁର ମୁଣ୍ଡୀ, ଜୀର୍ଣ୍ଣଶୀର୍ଣ୍ଣ ହୋଇ ଯୁବତୀଟିଏ ତା’ର ଖାଇବା ପତ୍ର ଛାଡ଼ିଦେଇ ଅଇଣ୍ଠା ହାତରେ ଛାତି ଉପରୁ ଛିଣ୍ଡାଲୁଗା କେରାକ ଓଟାରିଦେଇ କ୍ଷୀର ଦେବାକୁ ଧାଇଁଗଲା, ମା’ର ଚିର ଦରଶୁଖିଲା, କନାପରି ଓହଳିଛି । ପିଲାଟିକୁ ଯାକିଧରି ବିଦେଶୀ ଆଗନ୍ତୁକକୁ ଅନେଇଁ ବସିଲା । ସତେକି ଦେହନାହିଁ, ଖାଲି ମୁଣ୍ଡର ଅଲରା ବାଳ ଆଉ ଉଦାସ ମଳିନ ଆଖି ଦୋଟି । ସେ ଆଖିରେନାହିଁ ସମ୍ବାଦପାଇଁ ଆଗ୍ରହ, କାହାର ବଡ଼ତି ପ୍ରତି ଭ୍ରୂକ୍ଷେପ, ଦୁନିଆଁ ଆଡ଼କୁ ଖୋଲା ଥିଲେବି ଭିତରକୁ ତା’ର ଦୃଷ୍ଟି, କାହିଁ ତଳକୁ, ତଳିତଳାନ୍ତ ଜୀବନୀଶକ୍ତିର କାଣ୍ଟି ଉପରକୁ, ଯେଉଁଠି ଶେଷ କ୍ଷୁଧାବି କାଟେ, ଶେଷ ସ୍ନେହବି ସନ୍ତାନକୁ ଘୋଡ଼େଇ ରଖେ । ଆଉ ତିନିଜଣ ଭାତ ଖାଉଛନ୍ତି, ବୁଢ଼ା, ବୁଢ଼ୀ, ଭେଣ୍ଡା ପୁଅ । ଖାଲି ହାଡ଼, ଚମ, କୋରଡ଼ ଆଉ ବେତାଏ ଲେଖାଁ ବାଳ । ଆଉ ଚକ ଚକ ଆଖି । ଖାଇବା ଭାତ ଶିଆଳୀ ପତ୍ର ଉପରେ ଚକ ଚକ କରୁଛି । ଭାତ ଖିଆ, ଖିଆ ନୁହେଁ, କୁକୁରପରି ଗାବୁ ଗାବୁ କରି ଗେଫା ମାରିବା । ଗଛତଳେ ଫନ୍ଦ ଭଙ୍ଗା ଚେପା ଡେକ୍‌ଚି ହାଣ୍ଡି ଓ ଚୁଲି । ଏକାଥରକେ ସମୁଦାୟ ଦୃଶ୍ୟ ରମେଶକୁ ଯେପରି ଆକ୍ରମଣ କଲା ।

“ବିନୁ, କିଏ ସେ ଏମାନେ ?”

“ତଳ ଦେଶର ତେଲେଙ୍ଗୁ ଲୋକ ଆଜ୍ଞା, ପେଟ ବିକଳରେ କେତେ ଏମିତି ଏ ଜଙ୍ଗଲରେ ପଲ ପଲ ହୋଇ ବୁଲୁଛନ୍ତି ।”

“ଘର କେଉଁଠି ? –ବିନୁ ପଚାରିଲା ।

ତିନିଥର ପଚାରିଲା ପରେ ଖାଇବା ପତ୍ରରୁ ମୁହଁ ନ ଟେକି ବିରକ୍ତ ହେଲାପରି ବୁଢ଼ା କହିଲା,–“ସୀମାଚଳମ୍‌ ।”

ବିନୁ ରମେଶକୁ ବୁଝେଇଦେଲା, ଏ ଆସିଛି ତିରିଶ କୋଶ ଦୂରରୁ । ସୀମାଚଳମ୍‌ । “ଆଗେ ତ ଆମ ଓଡ଼ିଶାରେ ଥିଲା ।” ଓଡ଼ିଶା ଇତିହାସ ମନେପଡ଼ିଗଲା, ପର୍ବତ ପରେ ଠିଆହେଲା, ମାଟିକୁଦ ପରି ସାନ ହୋଇଗଲା, ଗହୀର ହୋଇ ମିଶିଗଲା ସେହି ଭୋକିଲା ଯୁବତୀ ମା’ର ଆଖି ଦିଓଟିରେ । ପିଲାକୁ କ୍ଷୀର ଦେଉଛି, ଆଉଁସୁଛି । ଓଡ଼ିଶାରେ ଆଉ ନାହିଁ ସେ ଦେଶ, ପୃଥିବୀରେ ଅଛି, ସେ ଦେଶର ମଣିଷ ଅଛନ୍ତି, ତାଙ୍କର ଭାତନାହିଁ ।

“ବହୁତ ଏମିତି ବୁଲୁଛନ୍ତି ଆଜ୍ଞା, ବଣ ଜଙ୍ଗଲକୁ ଡରୁନାହାନ୍ତି, ବାଘ ଭାଲୁକୁ ଡରୁନାହାନ୍ତି, ସବୁଠୁ ବଡ଼ ଡର ତ ଆପଣା ପେଟକୁ, ଆଉ କାହାକୁ ?”

“ସତ କଥା, ସତ କଥା” କନ୍ଧ ବୋଝିଆ ପାଳି ଧରିଲେ, ସେମାନେ କତିକି ଲାଗି ଆସିଲେଣି । ବୁଢ଼ା କନ୍ଧ କହିଲା–“ଭୋକ ଲାଗିଲେ କି ଦୁଃଖ ପଡ଼ିଲେ ସମସ୍ତେ ସମାନ । ହେଇ ଦେଖ, ଆମୁକୁ କେଡ଼େ ଭୋକ ଲାଗିଲାଣି । କେଉଁଠି ଭାତିଆ ଦବ ଯେ ଚପରାସିବାବୁ ।”

ଚୁପ୍‌ ହୋଇ ରମେଶ ଆଗେ ଆଗେ ଚାଲିଲା । ହଠାତ୍ ଲାଗିଲା, ଯେପରିକି ତା’ର ଉଦ୍ଦେଶ୍ୟ ଗୋଳମାଳ ହୋଇଯାଇଛି । ସେ ନ୍ୟାୟ କରିବାକୁ ଚାହେଁ । କିନ୍ତୁ ନ୍ୟାୟର ସଂଜ୍ଞା ଭୁଲି ହୋଇଯାଇଛି ।

ସିଧା ବାଟରେ ଚଳନ୍ତି ନୀତି ଉପରେହିଁ ସେ ନିର୍ଭର କରିଛି, ମୁଣ୍ଡପାତି ଘେନିଛି ଛପା ଆଇନକୁ, ଲେଖା ନିୟମକୁ, ତା’ ପଛଆଡ଼କୁ ଉଙ୍କି ମାରିବାହିଁ ତା’ ପକ୍ଷରେ ଦୋଷାବହ ବୋଲି ହୃଦ୍‌ବୋଧ କରିଛି । ବର୍ତ୍ତମାନବି ସେହିପରି । କେବେ କେବେ ଦେଖିଛି ଛପା ଆଇନ ଓ ଦାଣ୍ଡନ୍ୟାୟ ପଡ଼ିଛି ଅମେଳ, କିନ୍ତୁ ମନକୁ ଆଶ୍ଵାସ ଦେଇଛି, କର୍ତ୍ତବ୍ୟ କଠୋରହିଁ, ସେ ଯନ୍ତ୍ରର ଘୂର୍ଣ୍ଣନ । ପେଟ ବିକଳରେ ଜଣେ ଚୋରୀ କରିଛି, ବର୍ଷକର ପିଲାକୁ ଛାତିରେ ଯାକି ଗର୍ଭିଣୀ ସ୍ତ୍ରୀ କଚିରି ଘର ପିଣ୍ଡାରେ ଗଡ଼ି ଗଡ଼ି କାନ୍ଦିଛି, ତା’ର ପୋଷଣାହାରୀ ଆଉ କେହିନାହିଁ, କିନ୍ତୁ ଚୋର ଜେଲ ଯିବା କଥା, ଜେଲ ଯାଇଛି । ଜଣେ ପାଞ୍ଚଥର ଚୋରି କରି ଦଣ୍ଡ ଭୋଗିଲାଣି, ଷଷ୍ଠଥର କାହା ବାରିରୁ କଖାରୁଟିଏ ଚୋରି କରି ଧରା ପଡ଼ିଛି । ପୂର୍ବ ଦୁଷ୍କୃତପାଇଁ ଦଣ୍ଡ ବଢ଼ିଯିବା ନିୟମରେ ତାକୁ ହୋଇଛି ବର୍ଷେ ଜେଲ, ସେ ଯାଇଛି । କଠୋର ଏ କର୍ତ୍ତବ୍ୟର ଧାରା, ଯନ୍ତ୍ରର ଘୂର୍ଣ୍ଣନ । ଚାଉଳ ଧରିବାକୁହିଁ ହେବ ।

ହାଟର ଘୋ ଘା ଶୁଭିଲା । ଗୋରୁ ଛାଲର ଆଇଁସିଣିଆଁ ସଢ଼ାଳିଆ ଗନ୍ଧ ନାକରେ ବାଜିଲା । ହଠାତ୍‌ ବଣ ଭିତରୁ ତା’ ପଛକୁ ତା’ ପଛ ହୋଇ ମଣିଷ ବାହାରି ପଡ଼ୁଛନ୍ତି, ବୋଝ, ଭାର, ଭାରରେ ବୁହାହୋଇ ଛୋଟ ପିଲା, ଗୋଡ଼ ବନ୍ଧା ହୋଇ ମୁଣ୍ଡ ତଳକୁ ହୋଇ ଗୋଛା ଗୋଛା କୁକୁଡ଼ା, ନାନାବିଧ ପଣ୍ୟଦ୍ରବ୍ୟ–ଆଉ ଚାଉଳ । ଖୋଲାରେ ଦେଖା ଦେଇ ବଣରେ ଅଦୃଶ୍ୟ ହୋଇଯାଉଛନ୍ତି ହାଟମୁହାଁ । ଶିକାର ଅତି ପାଖରେ । ରମେଶର ଛାତି ଚାଉଁକଲା । ପଥରରୁ ପଥର ତଳକୁ ଡେଇଁ ଡେଇଁ ଗଲାବେଳେ କହିଲା–“ବିନୁ, ଏଥର ।”

ହାଟ ଦିଶିଲା । କିଲିବିଲି ଜନ୍ଦା ପିମ୍ପୁଡ଼ି ପରି ମଣିଷ । ଗୁଡ଼ାଏ ରଙ୍ଗଗୁଡ଼ାଏ ଗନ୍ଧ, ଗୁଡ଼ାଏ କୋଳାହଳ । ବହୁ ଛାଲ ବିକ୍ରି ହେଉଛି, ପବନରେ ସେହି ଗନ୍ଧ । ଧାଡ଼ି ଧାଡ଼ି ଗନ୍ଧ ଶୁଖୁଆ ପସରା । ମାଛି ବେଢ଼ିଛନ୍ତି, ମଣିଷ ବେଢ଼ିଛନ୍ତି । ପାଖ ବଣରୁ ଚୋରା ମଦର ଗନ୍ଧ ।

ଘାଉଡ଼ା କୁକୁର ପରି କୁଷ୍ଠରୋଗୀ, ୟୁଜ୍‌ରୋଗୀ, ଖାସୁଲା ଖାସୁଲା କନ୍ଧ ପିଠିରେ କୁଲାପରି; ଡାଲାପରି ଅରାଏ ଲେଖା କଞ୍ଚା ୟଜ୍‌ ଘା, କଳା କଳା ପୋତକ ପାଖକୁ ପାଖ ଲାଗି ବସି ପଡ଼ିଛନ୍ତି । ଘଷାଘଷି ଠେଲାଠେଲି ହୋଇ ସୁସ୍ଥ ଲୋକ, ପୁରୁଷ, ସ୍ତ୍ରୀ ।

ରମେଶର ନିଘା ପଡ଼ିଗଲା ଗୋଟିଏ ଯୁବତୀ ଉପରେ, ଚମ୍ପାଫୁଲ ଗୋରା, ବଳିଲା ବଳିଲା ହାତଗୋଡ଼ ଗରି ଗରି, କନ୍ଧ ଦେଶର ସୁନ୍ଦରୀ । ଫାଳେ ଗାଲ ଗୋଟାଏ ୟଜ୍‌ ଘା, ଆର ଫାଳକ ଟହ ଟହ ନାଲି, ସେଠିବି ରୋଗ । ତଥାପି ସେ ଫୁଲ ନାଇଛି, ସୁଆଁ ଚୋବେଇ ଚୋବେଇ ଗତିରେ ଯୌବନର ଲହଡ଼ି ଖେଳାଇ ଚାଲିଛି । ଆଉ କଣେଇଁ କଣେଇଁ ଚାହୁଁଛି, ଆଖି ହସୁଛି, କନ୍ଧ ଦେଶର କଉତୁକୀ ଝିଅ ଆଖିରେ ଡାକୁଛି ଖେଳିବୁ ଆ ।

 

ରମେଶ ଆଖି ବୁଜିଦେଇ ହାଟ ମଝିରେ ଗଛକୁ ଆଉଜି ଗଲା ! କାନରେ ବାଜିଲା ହାଟର ଘୋ ଘା । ସ୍ମରଣରେ ସେହି ଘା–ଗାଲ ହସ–ଆଖି ଯୁବତୀ । ଆଉ ପାହାଡ଼ ଉପରେ ନାଟ କରୁଥିବା କନ୍ଧ ପିଲାଏ ।

 

ଆଉ ଅଗନାଅଗ୍ନି ବନସ୍ତ ମଝିରେ ଗୋଟିକିଆ ମୁଣ୍ଡିଆ ଆଗରେ ମଣିଷର ଜାର, ରାଉ ରାଉ ପବନ, ବାଆ ବତାସିରେ ଚୁଲି ନିଆଁ ନିଭୁନାହିଁ ।

 

ଡାଳୁଅ ଧାନପରି ମଣିଷ, ପାଣି ଯେତେ ବଢ଼େ ଧାନ ଗଛ ସେତେ ଉଞ୍ଚ ହୁଏ । ଗାଲରେ ୟଜ୍‌ ଓ କୁଷ୍ଠ ମୁହଁରେ ହସ ଓ ମୁଆଁ । ବହୁ କଷ୍ଟରେ ଫୁଟିଛି ଗୋଲାପ, ତା’ର ପାଖୁଡ଼ା ପୋକ ଦାଉରେ କେମ୍ପା । ଝଡ଼ୁ ପଛେ, ହସୁଛି ।

 

ବିନୁ ଫ୍ଲାସ୍କ ଖୋଲି ଚା’ ଢାଳିଲା । “ଆଜ୍ଞା–” ରମେଶ ଆଖି ଖୋଲିଲା ତା’ର ଚାରିପାଖେ ଭିଡ଼ ବଢ଼ୁଛି । କାନ ପାଖେ ବିନୁ କହିଲା, “ଚାଉଳ ବହୁତ ବିକ୍ରି ହେଉଛି, ସବୁ ଧରାପଡ଼ିବ, ଏଠି ନୁହେଁ ହାଟ ସେମୁଣ୍ଡରେ ଘାଟି ଜାଗା ଅଛି, ହାଟରୁ ବାହାରିଯିବା ପାଇଁ ଗୋଟିଏ ଗାଢ଼ୁଆ ଗୋହରୀ, ସେଠି ଢିପ ଉପରେ ଚାଳି ଖଣ୍ଡେ ଅଛି ।” ହସିଦେଇ କହିଲା, “ମଞ୍ଚାରେ ବସି ଜୀଆଦ ମାରିଲାପରି ।”

 

ସେଇଠିକି ଅଢ଼େଇ ନେଇ ଚାଲିଲା । ଗୋଟିକିଆ ଚଉକିରେ ବସେଇଦେଇ କହିଲା “ଯାଏଁ ମୁଁ ଏଥର, ସବୁ ଯୋଗାଡ଼ କରି ଆସେ ।”

 

ହାଟ ଶେଷରେ ଗହୀର ଗୋହୀରିବାଟ, ଦି’ପାଖେ ଢିପ, ଢିପ ଉପରେ ସ୍ଥାନେ ସ୍ଥାନେ ଗୋଟିକିଆ ଚାଳିଟିମାନ । ରମେଶ ବସି ରହିଲା । ଆରପାଖ ଢିପ ଉଞ୍ଚକୁ ଚଢ଼ି ଗୋଟିଏ ମୁଣ୍ଡିଆ ହୋଇଛି । ତା’ ଉପରେ ଗୋଟିଏ କନ୍ଧ ବସ୍ତି । ଦୁଆରେ ଦଉଡ଼ିଆ ଖଟ ପଡ଼ିଛି । କୁକୁର ବସିଛନ୍ତି । ଗୁଡ଼ାଏ ପିଲା ଗୋଟାଏ ବଡ଼ ଢୋଲ ଉପରେ ମନଇଚ୍ଛା ଦୁଡ଼ୁମ୍‌ ଦୁଡ଼ୁମ୍‌ ପିଟୁଛନ୍ତି । ଗୋଟାଏ ଦୁଆର ମୁହଁରେ ଜଣେ ବୁଢ଼ା ବସି ବାନ୍ତି କରୁଛି, ବୁଢ଼ୀ ତା’ର ପିଠି ସାଉଁଳୁଛି । ନିଶ୍ଚୟ ମ୍ୟାଲେରିଆ ଜର । ଭଙ୍ଗା କାନ୍ଥକୁଢ଼ ଉପରେ ଗୋଟାଏ ଗାରଡ଼ ଠିଆହୋଇ କ’ଣ ଗଛ ଚୋବୋଉଚି । ରମେଶ ସେହି ବସ୍ତିର ଦୃଶ୍ୟ ଉପରେ ଆଖି ରଖି ସମୟ ଚାଳିଗଲା । ନାକପୁଡ଼ା ଭିତରୁ ହାଟର ଧୂଳି ରୁମାଲରେ ରଗଡ଼ି ଲାଗିଲା, ଝାଳ ପୋଛିଲା । ବେଳ ଗଲାଣି, ମାଘର ଖରା ଛାଇ ଲମ୍ବେଇଲାଣି, ଫିକ ପୃଷ୍ଠପଟ ଆଗରେ ଲମ୍ବିଛି ଗୋଟିଏ ସାଧାରଣ ବସ୍ତିର ଚିତ୍ର, ସରଳ ଘରକରଣାରେ ।

 

ହଠାତ୍‌ ସେପଟୁ ଉଠିଲା କାନ୍ଦଣାର ରୋଳ । ସବୁ ଘରୁ ଲୋକ ବାହାରିପଡ଼ି ଗୋଟାଏ ଘରକୁ ଛୁଟିଗଲେ । ପିଲାଏ ବାଜା ବନ୍ଦ କରି ଦୌଡ଼ିଗଲେ । ଘର ମୁହଁରେ ଓ ଦୁଆରେ ଲୋକଙ୍କର ଭିଡ଼ । ଆପଣା ଗାଲ ଛାତି ଆଞ୍ଚୁଡ଼ି ଚୁମୁଟି ସମସ୍ତେ ଭେଁ ଭେଁ କାନ୍ଦିଲେ । କ୍ରମେ ସେ କାନ୍ଦଣା ଧରିଲା ଗୋଟାଏ ଛନ୍ଦର ବାଟ । ସମବେତ ମରଣ ବାହୁନା ଚାଲିଲା ।

 

“ଅଲୋ ! ଅଲୋ ! ହାତେୟୁଁ ! ହାତେୟୁଁ !”

 

(ହାୟ ! ହାୟ ! ମରିଗଲା ! ମରିଗଲା !) ବିନୁ ଆସି ପହଞ୍ଚିଗଲା । “ସବୁ ବନ୍ଦୋବସ୍ତ କରିଦେଇଛି ଆଜ୍ଞା । ହାଟରେ ପାଇକମାନେ ଥିଲେ । ସମସ୍ତିଙ୍କି ଅଡ଼େଇ ଘେନି ଆସିବେ ।”

 

“ଏ କ’ଣ ହେଲା ବିନୁ ?”

 

“କିଏ ଜଣେ ମରିଗଲା ଆଜ୍ଞା, ମାଳଜର, ଏଥିରେ ଆଉ ନୂଆ କ’ଣ ଅଛି ?”

 

ବିନୁ ତା’ ପଛଆଡ଼େ ଠିଆହୋଇ ରହିଲା ।

 

ରମେଶ ସେହି କାନ୍ଦଣାରେ ମନ ଦେଲା । ନିତି ନୂଆ, ନିତି ପୁରୁଣା । ଆଉ ଚକ ଘୁରୁଛି, ଜନ୍ମ ମୃତ୍ୟୁ, ପ୍ରଜନନ । ସବୁ ଦୃଶ୍ୟ ତରଳିଯାଇ ବଦଳିଗଲା । ଆଖି ଆଗରେ ଭାସି ଉଠିଲା ଉତ୍ତର ବାଲେଶ୍ଵରରେ ଆପଣାର ଗାଁ କାନ୍ତିପୁର । ତା’ର ଘର, ବାପ ମା’, ପଡ଼ିଶାମାନେ, ଚିହ୍ନା ବୁଢ଼ା, ଚିହ୍ନା ପିଲାମାନେ, ଚିହ୍ନାଝିଏ । ଗାଁ ମଶାଣିରୁ ଗାଁ ମଝିରେ ଚଣ୍ଡୀମଣ୍ଡପ । ଆଉ ମୃତ୍ୟୁ, ଜନ୍ମ, ପ୍ରଜନନ । ଆଉ ଏଠାପରି ସେଠିବି ସୁସ୍ଥିପ୍ରିୟ ଶାନ୍ତିପ୍ରିୟ ମଣିଷ, କଜିଆ ମୂଲେଇଯାଏ ନାହିଁ, କାହାରି ଅନିଷ୍ଟ ନକଲେବି କଷଣ ଭୋଗେ ।

 

ଅଲୋ, ଅଲୋ, ହାତେୟୁଁ; ହାତେୟୁଁ ।

 

କେତେ ଯାଇଛନ୍ତି–କେତେ କେତେ–ଅନ୍ଧାର ରାତିରେ କାଉଁରିଆ ନିଆଁ ଜାଳି ଗାଁ ଲୋକେ ଡାକନ୍ତି–“ଅନ୍ଧାରେ ଆସି ଆଲୁଅରେ ଯାଅ–ଆଲୁଏ ଯାଅ–”

 

ଆଉ ସାମ୍ନାରେ ଏଇ ମରଣର ସମତଳ, ସେଠି ଭାଷାର ଭେଦନାହିଁ ଦେଶର ବାଡ଼ନାହିଁ, ସମସ୍ତେ ସମାନ ଓ ଚିରନ୍ତନ । ପଛଆଡ଼େ ଠିଆହୋଇ ବିନୁବି ଘରକଥା ଭାବୁଛି । ସେଠି ତା’ର ସାନ ଭାରିଯା । ବିଶି କ’ଣ ଆସୁଥିବ ? ...ଠାଇ କରି ଆପଣା ଗାଲରେ ଏକ ଚାପୁଡ଼ା ମାରିଲା-। ରମେଶ ଅନେଇଲା । ବିନୁ ଗାଲ ସାଉଁଳୁଛି । କହିଲା, “ଏଠି ବହୁତ ବଡ଼ ବଡ଼ ମଶା ଆଜ୍ଞା, କାମୁଡ଼ିଲେ ବିନ୍ଧେ ।”

 

ରମେଶ ଚମକିପଡ଼ିଲା । ଆପଣାକୁ ଦେଖିଲା, ବିଛଣାରେ ପଡ଼ି କମ୍ପୁଛି । କୁମ୍ଭାଟୁଆ ଆଖିପରି ଆଖି, ଭାଲୁ ପରି କଳା, ଆରମ୍ଭ ହେବ ଶହେ ତିନିରୁ, ଇଚ୍ଛାହେବ କାମୁଡ଼େ, ମାରି ଗୋଡ଼ାଏଁ, ଗାଳିଦିଏଁ–ବାନ୍ତି, ତାତି, ତାତି,-ତା’ପରେ ?

 

ଜନ୍ମ, ମୃତ୍ୟୁ, ପ୍ରଜନନ, ଜନ୍ମ, ମୃତ୍ୟୁ–

 

ଆଇନ୍‌ ମନେପଡ଼େନାହିଁ । ଜନ୍ମ, ମୃତ୍ୟୁ, ମଣିଷ,...

 

ହଠାତ୍‌ ଯେପରି କି ନୂଆ ଆଖିରେ ସେ ଦେଖିଲା । ଲୋକ ଚାଲିଛନ୍ତି, ବହୁତ ଲୋକ । ଅନ୍ଧାରରେ ହଜି ଯାଉଛନ୍ତି । ଧାର ମରୁନାହିଁ । ଚାଲିଛନ୍ତି । ଚାଲିଛନ୍ତି । ହାଟ ଭାଙ୍ଗି ଆସୁଛି । ଲୋକ ଚାଲିଛନ୍ତି । ଯେପରିକି ସେ ଜଣ ଜଣ କରି ସମସ୍ତିଙ୍କି ଚିହ୍ନେ । ଘରେ ଅଭାବ, ପଦାରେ ପେଷଣ । ତଥାପି ଚାଲିଛନ୍ତି । ତୁଣ୍ଡରେ ସେହି ଅଖଳା ଭାଷା, ଜାତି ଭିନେ ନୁହେଁ ବୋଲି ଭିନେ ନୁହେଁ, ସେହି ମଣିଷ ସେମାନେ । ତା’ର ଗ୍ରାମଲୋକେ, ଚିହ୍ନାଲୋକେ । ଧାର ଭିତରେ ଅଣ୍ଟା ସଳଖେଇ ପିମ୍ପୁଡ଼ି ଚାହୁଁଛି ପିମ୍ପୁଡ଼ିକୁ ମୁହାଁମୁହିଁ, ଶୁଖିଲା ଆଖିରେ ହସ ଉଛୁଳେଇ କହିଯାଉଛି, ତୁମେ ଆମେ ଏକା ଜାତିଭାଇ, ଗୋଡ଼ରେ ଚାଲୁଁ ହାତରେ କାମ କରୁଁ । ତୁମର ଆମର ଏକା ଦେଶରେ ଘର ଭାଇ, ଏଇ ମାଟି ଉପରେ ଆକାଶ ତଳେ, ତୁମର ଆମର ଏକା ଶତ୍ରୁ ଭାଇ–ସେ ଆମ ମୁହଁରୁ ଆଧାର ଛଡ଼େଇନିଏ, ଗୋଡ଼ରେ ଦଳିଦିଏ ଉପରେ କୁଢ଼ାଏ ତତଲା ପାଉଁଶ–

 

ପିମ୍ପୁଡ଼ିର ଧାର ଚାଲିଛି, ତା’ର ମନ ଗହୀରରେ ହସ ଆଉ ନିଆଁ ମିଶି ଅଖଣ୍ଡ ଦୀପ ଜଳୁଛି–

 

ପଦାରେ ଗହଳି ଶୁଭିଲା । ପାଇକମାନେ ଆସୁଛନ୍ତି, ପଛେ ପଛେ ଟୋକେଇ ଓ ବସ୍ତା ଧରି ମାଳେ ଲୋକ । ରମେଶ ମୁହୂର୍ତ୍ତକେ କର୍ମଚାରୀ ପାଲଟିଗଲା, ଠିଆ ହୋଇପଡ଼ି ପାଇକମାନଙ୍କ ସଲାମ ନେଲା । ବିନୁ ଆଗକୁ ଚମକିଗଲା, କହିଲା “ପଞ୍ଝାକୁ ପଞ୍ଝା ଧରି ଆଣୁଛନ୍ତି-।” ପାଇକମାନେ କହିଲେ “ଏଇ ଦେଖିବା ହେଉନ୍ତୁ, କେମିତି ଏ ହାଟରୁ ୟେ ଲୋକେ ଲୁଚେଇ ଚାଉଳ ନେଇ ପଳାଉଥିଲେ ତଳ ଦେଶକୁ I ଉପରେ ଉପରେ ଲଙ୍କାମରିଚ ହଳଦୀ ଧୂଆଁ ପତ୍ର ବିଛା ହୋଇଛି, ତଳେ ଅଛି ଚାଉଳ । ଏ ଦେଶରୁ ନେଇ ସେ ଦେଶରେ ବେଭାର କରିବେ, ସେଠିବି ଚଢ଼ା ଦରରେ ବିକିବେ, ଚାଉଳ ଗଣ୍ଡାକପାଇଁ ଲୋକଙ୍କର ରକ୍ତ ମାଉଁସ ଝୁଣିକରି ଖାଇବେ-।”

 

ସାମ୍ନାରେ କଙ୍କାଳ ଥାଟ, ବିଦା କାଠପରି ଛାତି ହାଡ଼, ଦେହର ଚମ ଚେମେଣି ଦେହପରି ଓହଳିଛି, ଅଣ୍ଟା ପିଠି ଲାଗିଯାଇଛି; ଖାଲି ବେତାଏ ବେତାଏ ନୁଖୁରା ବାଳ ଜୁଳୁ ଜୁଳୁ ଆଖି । ମଣିଷ ନୁହନ୍ତି ମଣିଷର ପ୍ରେତଆତ୍ମା, ଆପଣା ଭାଷାରେ ଅଳି କରୁଛନ୍ତି, ବୋବାଳି ଛାଡ଼ୁଛନ୍ତି, ପେଟକୁ ପାଟିକୁ ଦେଖାଇ ଅଙ୍ଗଭଙ୍ଗୀ କରୁଛନ୍ତି, ଡାଙ୍ଗ ସର ସର ଲମ୍ବା ହାତ ହଲଉଛନ୍ତି-।

 

ସେପାଖ ବସ୍ତିରେ ମଢ଼ଟା ପଦାକୁ ଆସିଲା ବୋଧହୁଏ, ଠେଲାପେଲା ହୋଇ ମଣିଷ, ଆଗକୁ ପଛକୁ ମୁଣ୍ଡ ଝାଙ୍କି ଝାଙ୍କି ସମସ୍ଵରେ ସଙ୍ଗୀତ କଲାପରି ବାହୁନା,–“ଅଲୋ ଅଲୋ ହାତେୟୁଁ ହାତେୟୁଁ, ପାପୁ–”

 

ଆଉ ଢିପତଳେ ଗୋହୀରିରେ ବାଡ଼େଇ କଚାଡ଼ି ହୋଇ ଜୀଅନ୍ତା ପ୍ରେତ “ଏ ବାବୟା, ଏ ତଣ୍ଡ୍ରି–”

 

ଆଉ ପାଇକଙ୍କ ଗର୍ଜନ, ବିନୁ ଓଡ଼ିଆର ରଡ଼ି “ଏଇ ଏମିତି କ’ଣ ହଉଚ, ଖୋଲ ଖୋଲ, ଦେଖାଅ ଚାଉଳ–”

 

ରମେଶ ଆଖି ବୁଜିଦେଲା, ତା’ର ମୁଣ୍ଡ ଭିତର ଦୋହଲି ଯାଉଛି, ଦେହରେ ବାଟର କ୍ଳାନ୍ତି, ଆଉ ଭୋକ, ଆଖିବୁଜି ତ ଦେଖୁଛି ଗୋଳିଆଗୋଳି ଆଉଟା ଆଉଟି ମଣିଷ ସେଠି ଗାଲରେ ୟୁଜ୍‌ ରୋଗ, ମୁହଁରେ ହସ, ଦେହରେ ଧେକଡ଼ ଚମ, ଆଖି ଚିକ୍‌ ଚିକ୍‌ । ସେଠି ମରଣର କାନ୍ଦଣା, ଅଭାବର ଆର୍ତ୍ତନାଦ, ଗାଡ଼ୁଆ ଆଖିର ଗହ୍ଵର ତଳେ ନିଆଁ ଆଉ ତୋଫାନ । ଆଖି ଖୋଲି ଚାହିଁଲା,–ଲାଗିଛି ଚିତ୍କାର–“ଏ ବାବୟା, ଏ ତଣ୍ଡ୍ରି–” ହେ ବାବୁ, ହେ ବାପା, ଦେଖ ଆମ ଅବସ୍ଥା । ଥରେ ନିଘା ପଡ଼ିଲା ଆଗରେ ଠିଆ ହୋଇଛି ବରଡ଼ା ପତ୍ର ତିଆରି ଡେଙ୍ଗା ମଣିଷ, ଦୁଇ ଲମ୍ବା ହାତ ମୁଣ୍ଡ ଉପରକୁ ଟେକି ଥର ଥର ହୋଇ ନଇଁପଡ଼ିଲା, ସତେଅବା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡ଼ିବ ସେଇଠି, ଫମ୍ପା ଘାଗଡ଼ା ଗଳାରେ ରଡ଼ି ଦେଲା,–“ଏ ବାବୟା, ଏ ତଣ୍ଡ୍ରି–” “ଗଡ଼ ଗଡ଼ ହୋଇ ଆପଣା ବୋଲିରେ କରୁଣ ଅନୁନୟ ଗାଇଗଲା, ଭାଷା ନ ଜାଣିଲେବି ତା’ର ଭାବ ବୁଝିହୁଏ । ତଳେ ମୁଣ୍ଡ କୋଡ଼ି ତା’ର ପାଦଆଡ଼କୁ ହାତ ବଢ଼ାଇ ବେକ ଭାଙ୍ଗି ଦେଇ ଉପରକୁ ମୁହଁ ଟେକି ସଳଖେ ଚାହିଁଲା-। ସେହି ଚାହାଣୀ ରୂପ ନେଲା କେଉଁ ଏକ ଚିହ୍ନା ମଣିଷର, ରମେଶର ଚିହ୍ନା, ସମସ୍ତିଙ୍କର ଚିହ୍ନା, ଭୋକ ଉପାସରେ ଛଟପଟ ହେଲେ ଆପଣା ଭିତରୁ ବାହାରି ଦର୍ପଣରୁ ଚାହିଁରହେ । ଲାଗିଲା, ଏହି ସମସ୍ତେ ଯେପରି ତା’ର ଚିହ୍ନା ପରିଚ ଲୋକ, ତା’ର ଗ୍ରାମ ଲୋକ, ଦେହର ଚେହେରାକୁ ଆଉ ତା’ର ନିଘାନାହିଁ, ଭାବର ଚେହେରା ତା’ର ଅତି ଚିହ୍ନା । ସାମ୍ନାର ଏ ଲୋକଟି ଯେପରି ତା’ର ହଜିଲା ସପନାଦାଦି, ସେମିତି ଅଲରା ବାଳ, ସେମିତି ପାଗଳ ପରି ଠିଆ ରୁଢ଼, ହାଡ଼ର ଧଡ଼ିଏ ଧଡ଼ିଏ ଖାଲି ଗାଡ଼ମୟ । କେବଳ ସେ ଆହୁରି କ୍ଳାନ୍ତ, ଆହୁରି କ୍ଷୁଧିତ, ମୃତ୍ୟୁର ବିଭୀଷିକା ଆଗରେ ଭୟଭୀତ । ସେହି ନିଶୁଆ ବଙ୍କା ବୁଢ଼ା ଯେପରି କି କାନ୍ତିପୁରର ଅକାମୀ ଅରକ୍ଷ କହ୍ମାର ବୁଢ଼ା ।

 

ଏଇ ଚମହାଡ଼ମୟ ଟୋକା ପଲକ କାଲି ଥିଲେ ତା’ର ଗାଁର ଟୋକା ସେମାନେ ତା’ରି ବାରିରେ ପଶି କସି ପିଜୁଳି ଚୋବାଉଥିଲେ, ଏଇ ଦଦରା ନାହାପରି ସ୍ତ୍ରୀଲୋକମାନେ କାଲି ଥିଲେ ତା’ ଗାଁର ସ୍ତ୍ରୀଲୋକ, ପାହାନ୍ତିଆରୁ କିଲ୍‍କାଲିଆ ହୋଇ ବାଦବୁଦିଆ ଲଗାଇ ପତ୍ର ଗୋଟାଇବାକୁ ଧାଇଁଥିଲେ । ରମେଶ ଆଖି ଲୁଚେଇ ମୁହଁ ପୋତି ଠିଆହୋଇ ରହିଲା, ତୁଣ୍ଡର ଖାଲି ପଦେ କଥା,–

 

“ଯାଅ ଯାଅ-ୟ ଚାଲ–”

 

କ’ଣ କହୁଚି ଏ ବାବୁଟା ? ବିନାୟକ ଚପରାସି ତରତର ହୋଇ ଭାବିଗଲା । ସତେ ଏମାନଙ୍କୁ ଚାଉଳ ଘେନି ଚାଲିଯିବାକୁ ଛାଡ଼ିଦେଉଛି । ଆତୁର ହୋଇ ପାଟି କଲା, “ଆଜ୍ଞା–ଆଜ୍ଞା–ଆଜ୍ଞା” ।

 

ତାଠୁ ସେହି ଏକା ଉତ୍ତର–“ଛାଡ଼ିଦିଅ–ବେଳ ଯାଉଚି ଯାଅ ଭାରି–ଯା ଚାଲ–”

 

ସଂସାରକୁ ଚିହ୍ନେନାହିଁ, ନରମ ପୁଚ୍ ପୁଚ୍ ମନ, ଟୋକା ଲୋକ, ଗଜୁରା ଗଜୁରା ଅଧା ନିଶ, ତକତକିଆ ଟୋକା ଖଣ୍ଡେ, ଏଇଟା ନୁହେଁ ଅଧିକାରୀ, ପ୍ରକୃତ ‘ଅଧିକାରୀ’ ବାଘପରି ମଣିଷ, ଛେଃ ଏଇଟା । ବିନାୟକ ଓଡ଼ିଆ ତା’ର ଅଭିଜ୍ଞତାର ଇତିହାସ ଆଉଣ୍ଡି ଲାଗିଲା, ସେ ବହୁତ ଦେଖିଛି-। ତା’ର ଓଠ ବଙ୍କା ହୋଇ ରହିଲା, ନୁହେଁ ହସ ନୁହେଁ ବିଦ୍ରୁପ ।

 

ରମେଶ ଠିଆହୋଇ ରହିଲା, ତା’ର ଚେତନା ଆଗରେ ଇତିହାସ ନଥିଲା, କପିଳେନ୍ଦ୍ର ନାହାନ୍ତି, ପୁରୁଷୋତ୍ତମ ନାହାନ୍ତି, କୋଣାରକନାହିଁ, ଦେଶ ଓ ଜାତିର ପିଞ୍ଜରଗଢ଼ା ମଣିଷର ବିଶିଷ୍ଟ ରୂପନାହିଁ, ଇତିହାସର ଅର୍ଥନାହିଁ, କିଛିନାହିଁ ଚାରିଆଡ଼େ ଖାଲି ପିମ୍ପୁଡ଼ି, ପିମ୍ପୁଡ଼ି, ଭୋକିଲା ପିମ୍ପୁଡ଼ି ବଞ୍ଚିବାପାଇଁ ଆଧାର ବୋହି ନେଉଛନ୍ତି, ଆଉ ପିମ୍ପୁଡ଼ି ଧାର ଏକାଠି ହୋଇ ମନ୍ଦା ବାନ୍ଧୁଛି ନୂଆ ଅଭିଯାନ ପାଇଁ,–ସେ ବଞ୍ଚିବାକୁ ଚାହେଁ ।

 

ଶୀତେଇ ଉଠିଲା, ଖରା ଗଲାଣି, ଚାରିଆଡ଼େ ବାଲି କୁହୁଡ଼ି, ମାଘର ଶୀତ ଅନୁଭବ କଲା ।

Image

 

ରାସ୍ତା କୁଆଡ଼େ

(ରାଜକିଶୋର ରାୟ)

 

ରାସ୍ତା କୁଆଡ଼େ ? ଏ କି କଥା ? ଯୋଜନାମୟ ଦେଶରେ ରାସ୍ତାର ଅଭାବ ଅଛି କି ? ସବୁଆଡ଼େ ଲମ୍ବିଯାଇଛି ରାସ୍ତା କେବଳ ପଥ ନୁହେଁ, ପଥିକବି ଅଜସ୍ର । ଯାଉଛନ୍ତି, ଆସୁଛନ୍ତି; ଯେତେ ଫେରୁଛନ୍ତି, ତାହାଠାରୁ ବହୁଗୁଣ ଯାତ୍ରୀ ଯାଉଛନ୍ତି ।

 

ଏ ଯିବାଆସିବା ରହସ୍ୟରେ ରାସ୍ତା ପଡ଼ିରହିଛି । ରାସ୍ତାତଳେ ସଡ଼କ ଯାଇଛି । ଭୁଗର୍ଭ ଭିତରେ ପଥ, ପୁଣି ଉପରେ ଶଙ୍ଖ । ଏମିତି ଦେଖିବସିଲେ ଚାରିଆଡ଼େ ରାସ୍ତା ।

 

ନୀଳମାଧବପୁରର ଶଙ୍କର ଜେନା ରାସ୍ତା ଖୋଜି ବୁଲୁଛନ୍ତି । ତାଙ୍କୁ ସଡ଼କଟା ଦେଖାଯାଉନାହିଁ । ନାଁ, ସେ ଅନ୍ଧ ନୁହନ୍ତି । ତାଙ୍କୁ ଅନ୍ଧ କରିଦେଇଛି ଏଇ କାଳିଆ ଦେବତାଟା ଯେ ବର୍ଷକରେ ଥରେ ଗୋଟାଏ ଛଇଛୋପରା ହୋଇ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ରାସ୍ତା ଉପରେ ବସି ରହିଛି ।

 

ଦେବତାବି ଆଜି ରାସ୍ତା ଉପରେ I ଶଙ୍କର ଜେନା ଘରୁ ବାହାରିଲେ ଦଣ୍ଡ ପ୍ରଣାମ କରି-। ସାଙ୍ଗରେ ପରିବାର । କେବେ ପିଲା ବୟସରେ ମହାପ୍ରଭୁଙ୍କୁ ଦେଖିଥିଲେ । ଆଉଥରେ ପାପ ନେତ୍ର ପତିତପାବନଙ୍କୁ ଦେଖି ମୁକ୍ତି ପାଇବ ।

 

ଶଙ୍କର ଜେନା ପ୍ରଥମେ ନାଁ ଲେଖାଇଲେ ଲିଷ୍ଟରେ । ଏ ଲିଷ୍ଟ କ’ଣ ? ନୀଳମାଧବପୁରର ବିଖ୍ୟାତ ଟାଉଟର ନାରଣ ମିଶ୍ରେ ଲିଷ୍ଟ ତିଆରି କଲେ ପୁରୀ ଯିବାକୁ ହେଲେ ଆଗ ଗାଁ ଠାକୁରାଣୀଙ୍କ ପାଖରେ ଚାନ୍ଦା ଦେବାକୁ ହେବ ପାଞ୍ଚ ଟଙ୍କା । ଶଙ୍କର ଜେନା ଟଙ୍କା ଦେଲେ-

 

ପୁଣି ଏକ ଲିଷ୍ଟ–ମଟର ଭଡ଼ାଠାରୁ ଆଉ ତିନି ଟଙ୍କା ପ୍ରତ୍ୟେକଙ୍କୁ ବେଶି ପଡ଼ିବ । ନାରଣ ମିଶ୍ରେ ଯେତେବେଳେ କହୁଛନ୍ତି, ପୁଣି ସେ ପଞ୍ଚାୟତର ସଭ୍ୟ; ସେଥିରେ ମୁଣ୍ଡ ପୋତିଦେଲେ ଶଙ୍କର ଜେନା ।

 

ଯାତ୍ରୀବାହୀ ବସ୍‌ରେ ଶଙ୍କର ଜେନା ଚକ ଉପରେ ବସିଲେ । ତାଙ୍କର ପରିବାର କାକୁର୍ତ୍ତି ହୋଇ ସେଇ ଚକ ଉପରେ ରହିଲେ । ବସ୍‌ଟା ଯେତେବେଳେ ଯୋଜନାମୟ ଦେଶର ମରଣାବର୍ତ୍ତ ଭିତରେ ଗତି କରୁଥିଲା, ଜେନାଙ୍କ ପରିବାର ଚକ ଉପରେ ନାଚୁଥିଲେ । ଜେନାଏ ଦାନ୍ତ କାମୁଡ଼ି ରହିଗଲେ ।

 

ପୁଣି ଚାନ୍ଦା–ଏ କି ଚାନ୍ଦା ? ଟଙ୍କାଟିଏ । ଯେଉଁବାଟେ ବସ୍‌ ଯାଉଛି ତାକୁ ଲାଗି ଗୋଟାଏ ନିର୍ଦ୍ଦିଷ୍ଟ ଜାଗାରେ ସାଇନ୍‌ବୋର୍ଡ଼ ଟଙ୍ଗାଯାଇଛି । ଲେଖାଯାଇଛି–ଏଠି କଲେଜ ହେବ । ପ୍ରତ୍ୟେକେ ଟଙ୍କାଟିଏ ଦେବାକୁ ବାଧ୍ୟ ।

 

ବାଧ୍ୟ ? ଓଡ଼ିଆ ସବୁଠି ବାଧ୍ୟ–ବିଶେଷରେ ଓଡ଼ିଶା ଦେଶରେ । କାରଣ ଏଠି ଖାଲି ତ୍ୟାଗର ବାନା ଉଡ଼ୁଛି । ମାଛ ସେର ଛ’ ଟଙ୍କା ଦେବାକୁ ବାଧ୍ୟ । ସିମେଣ୍ଟ ମିଳୁନାହିଁ, କୀଳାପୋତେଇ ବାଧ୍ୟ । ଟ୍ରେନ୍‌ରେ ଜାଗାନାହିଁ, ଜାଗା ଟିକିଏ କରିଦେଲେ ବକ୍‌ସିସ୍ ଦେବାକୁ ବାଧ୍ୟ-। ଏମିତି କେତେ କ’ଣ ବାଧ୍ୟ ସାଧ୍ୟ ଭିତରେ ଓଡ଼ିଆ ଜୀବନଟା ଶ୍ରୀ ଫେରିପାଇଛି ।

 

ଶଙ୍କର ଜେନାଏ ଅନାଗତ ଅଦୃଶ୍ୟ ମହାବିଦ୍ୟାମନ୍ଦିର ପାଇଁ ଟଙ୍କାଟିଏ ଦେଲେ । ରସିଦନାହିଁ କି ସେ ସାଇନ୍‌ବୋର୍ଡ଼ ପାଖରେ କେହି ଲୋକନାହିଁ । କଣ୍ଡକ୍ଟର ଟଙ୍କା ନେଲେ ।

 

ତା’ପରେ ଟ୍ରେନଯାତ୍ରା ଆରମ୍ଭ । ଶଙ୍କର ଜେନା ଅଣ୍ଟାଟାକୁ ସଳଖ କରି ପରିବାର ଧରି ଟିକଟ୍‌ କରିବାକୁ ଗଲେ; ମାତ୍ର ଧାଡ଼ିବନ୍ଧା ଲୋକଙ୍କୁ ଦେଖି ସେ ହତ ଚକିତ ହେଲେ । ତାଙ୍କର ଚକିତ ଭାବ ବେଶି ସମୟ ରହିଲାନାହିଁ ।

 

ଶରଣପଞ୍ଜର କେତେ ହାତ ତାଙ୍କ ପାଖକୁ ବଢ଼ି ଆସିଲା । ସମସ୍ତେ ମିତ୍ର ମୁହଁରେ ହସ-। ଜେନାଙ୍କର ଅସୁବିଧା ହେଉଛି କି ? ନାଁ, ଅସୁବିଧା କ’ଣ ? ଟିକଟ୍‌ ଦାମ୍‌ ଟଙ୍କାଏ ତେରଣା, ସାହାଯ୍ୟକାରୀ ଲୋକର ପାରିଶ୍ରମିକ ଆଠଅଣା ମାତ୍ର ଶଙ୍କର ଜେନା ସେତକ ଦେଲେ । ଚାହିଁ ରହିଲେ ବିରାଟ ଷ୍ଟେସନର ଜନସମାଗମକୁ I

 

ଜନ ଗଲେ, ଆସିଲେ । ଦୁଇଘଣ୍ଟା ପରେ ଶଙ୍କର ଜେନା ପରିବାରଙ୍କ ମୁହଁକୁ ପାଣି ଛାଟିଲେ ପାଣି ପାପପ୍‌ ସ୍ତମ୍ଭରୁ । ସାହାଯ୍ୟକାରୀ ଆଉ କାହାକୁ ସାହାଯ୍ୟ ଦେବାପାଇଁ ବୋଧହୁଏ ବ୍ୟସ୍ତ ଥିଲା ।

 

ଟିକଟ୍‌ କଲେକ୍‌ଟର ଆସିଲେ । ଯାତ୍ରୀଙ୍କର ସୁଖ ଦୁଃଖର ମିତ୍ର । କାନ ପାଖରେ ଫୁସ୍‌ ଫୁସ୍‌ ହେଲେ–ମୋଟରୁ ଚାରିଅଣା ପଇସା ବେଶି ନେବେ । ନିଅନ୍ତୁ । ଜେନାଏ ଗାଡ଼ିରେ ବସିଲେ ।

 

ପରିବାରଙ୍କୁ ଶୋଷ ହେଉଛି । ସେ ଟିକିଏ ଚାହାପାଣି ଚାହିଁଲେ । ଚା’ ବାଲା ତା’ର ବ୍ୟବସାୟ ବୁଦ୍ଧିରେ ଜାଣିନେଲା, ଏ ଓଡ଼ିଆ ଜଣକ ଓଡ଼ିଶା ଦେଶରେ ବି ପ୍ରତାରିତ ହୋଇଛି ବହୁବାର । ସେ କାହୁଁ ଛାଡ଼ିବ ?

 

ସେ ମାଟି କପ୍‌ରେ ଚାହା ନାମକ ଏକ ତରଳ ପଦାର୍ଥ ଦେଇ, ଇସ୍ପେସିଆଲ କହି, ରଥଯାତ୍ରା ପାଇଁ ଦାମ୍‌ ବଢ଼ିଛି ବୋଲି ଜଣାଇ, ଅଣାଏ ଜାଗାରେ ଚାରିଅଣା ନେଲା । ଶଙ୍କର ଜେନାଙ୍କର ତାଳୁରୁ ତଳିପାଯାଏ ଥରିଲାଣି । କିନ୍ତୁ ଧର୍ମଭାବ ଖୁବ୍‌ ବେଶି । ସେ ଜାଣନ୍ତିନାହିଁ ଯେ ଓଡ଼ିଶା ଦେଶଟା ଯେତେ କ୍ଷିପ୍ରଗତିରେ ଶିଳ୍ପସମୃଦ୍ଧ ହେଉଛି, ସେତିକି ଏ ଠକାଠକି ବ୍ୟାପାର ବଢ଼ୁଛି-।

 

ଜେନାଏ ପୁରୀ ଷ୍ଟେସନରେ ଓହ୍ଲାଇଲେ । ପରିବାର ତାଙ୍କର ପଛେ ପଛେ ।

 

–ଆସୁନ୍‌ ବିଖ୍ୟାତ ବାଙ୍ଗାଲୀ ହୋଟେଲ ।

 

–ବଡ଼ପଣ୍ଡା ଚକ୍ର ଖୁଣ୍ଟିଆ ମାହାର୍ଜେ ଆସିବା ହେଉ । ଖାଲି ଚକ୍ର ଖୁଣ୍ଟିଆ କହିବେ । ବାପ ଅଜା କାଳରୁ ଆମେ ତମର ପଣ୍ଡା–(ସ୍ଵଗତ ଶଳା ଅନାଉଚି କିମିତି ? ପାଖରେ ପଇସାନାହିଁ, ଏଇଟାକୁ କାହିଁକି ନେବି ? ହଉ ଆସୁ ।)

 

–ଧର୍ମଶାଳା, ବିଖ୍ୟାତ ଠୁନ୍‌ ଠୁନ୍‌ ଠକ୍‌କର ଧର୍ମଶାଳା ।

 

ଏ ଶବ୍ଦ, ଏ ଟଣାଓଟରା ଭିତରେ ଜେନାଏ କ’ଣ କରିବେ କିଛି ଠିକ୍‌ କରିପାରିଲେନି । ଶେଷରେ ଚକ୍ର ଖୁଣ୍ଟିଆଙ୍କର ଶରଣାପନ୍ନ ହେଲେ ।

 

ଦେବତାମାନେ ଦାଣ୍ଡକୁ ଆସିଲେଣି । ଶଙ୍କର ଜେନାଏ ଏଯାଏ କିଛି ତୁଣ୍ଡରେ ଦେଇନାହାନ୍ତି । ପଣ୍ଡା ଲଜିଂ ହାଉସ୍‌ରେ ଛାଡ଼ିଦେଇ ଚାଲିଗଲାଣି ।

 

ଆଗରେ ପୁରି-ତରକାରୀ ଦୋକାନ । ସେଇଠି ଶଙ୍କର ଛିଡ଼ାହେଲେ । ଖଣ୍ଡିଏ ପୁରିକୁ ଦୁଇଅଣା । ତରକାରୀ ନେଲେ ଆଉ ଅଣାଏ । ଶଙ୍କର ଖଣ୍ଡେ ପୁରି ପାଟିକୁ ନେଇ ଥୁ-ଥୁ କଲେ । ପରିବାର ଖାଲି ଚାହିଁଥାନ୍ତି ।

 

ସେଇବାଟେ ସ୍ଵାସ୍ଥ୍ୟରକ୍ଷକ କର୍ମଚାରୀ ଡାହାଣ ବାହା ଉପରେ ରକ୍ତ ବସନ ଗୁଡ଼େଇ ଯାଉଥିଲେ ।

 

ସେ ହୁଁକାର ଦେଲେ–କିରେ ଦୋକାନୀ । ଏ’ ଥୁ-ଥୁ କରୁଛି ? ଖରାପ ଘିଅ ନା ବାସି ପୁରି ?

 

ଦୋକାନୀ ହସି ହସି କହିଲା–ଆଜ୍ଞା ଭିତରକୁ ଆସନ୍ତୁ । ସ୍ୱାସ୍ଥ୍ୟରକ୍ଷକ ଭିତରକୁ ଗଲେ । ବାହାରକୁ ଆସିଲାବେଳକୁ ମାତ୍ର ପାଞ୍ଚଟି ଟଙ୍କାରେ ସହରର ସ୍ଵାସ୍ଥ୍ୟରକ୍ଷା କରିଦେଇ ସେ ଚାଲିଗଲେ-

 

ଜେନାଏ ରାସ୍ତା ଖୋଜିଲେ ଫେରିବାକୁ । ଦେବତା ଏବେବି ଯାତ୍ରା କରିନାହାନ୍ତି । କିନ୍ତୁ ଜେନାଏ ଆଉ ରହିପାରିବେନାହିଁ ବୋଲି ଭାବିଲେ ।

 

ଗହଳି ବଢ଼ିଲା । ପରିବାର ଝାଉଁଳିଲେଣି । ଠେଲାପେଲାରେ ସମସ୍ତେ ହତଚକିତ । କେବଳ ମଟରରେ ଯାଉଥିବା ଲୋକେ ଚାଲିଯାଉଛନ୍ତି । ତାଙ୍କୁ ବାଟ ଛାଡ଼ିଦିଆଯାଉଛି ।

 

କିଏ ଜଣେ ଆସି କହିଲା–ବେପ୍-ପ, ଦିଅଁ ଦେଖିବୁ, ରଥ ଉପରକୁ ଆ–ଘେର ଦଉଡ଼ି ଭିତରକୁ ଆ ଆଠଅଣା ପଇସା ଦେ–ମୁଁ ସୁବିଧା କରିଦେବି ।

 

ଏତେ ବାଟରୁ ଆସି ଗୋଟାଏ ସୁବିଧାର ସୁଯୋଗ ନ ନେବାଟା ଠିକ୍ ହେବନାହିଁ ଭାବି ଶଙ୍କର ପଇସା ଦେଲେ । ଏତେ ପୁଲିସ ଘେରି ରହିଛନ୍ତି, ଅଥଚ ପଚାଶ ପଚାଶ ଭାଗରେ କାମଟା ହେଲା ।

ମାତ୍ର ପରିବାର ଉଠିପାରିଲେନାହିଁ । ରଥ ଉପରକୁ ଉଠିବାର ପାହାଚନାହିଁ । ଜେନାଏ ନିଜେ ଧର୍ମପୁଣ୍ୟ କରି ତାଙ୍କୁ ଛାଡ଼ିବେ କେମିତି ?

 

ସେ ପରିବାରଙ୍କୁ ଉଠାଇଲେ । ମୁଠା ଖସିଯିବାରୁ ପରିବାର ଖଣ୍ଡିଆ ଖାବରା ହୋଇ ଡାକ୍ତରଖାନାକୁ ଗଲେ ।

 

ଡାକ୍ତରଖାନାର ବାରନ୍ଦାରେ ବସି ଶଙ୍କର ଏତେବେଳକୁ ଦୁଇବୁନ୍ଦା ଲୁହ ଢାଳିଲେ । ଡାକ୍ତରମାନେ ସେବିକାଙ୍କ ସହିତ ଡାକ୍ତରଖାନା ଛାତ ଉପରେ ହସି ଖେଳ ଫଟ ଉଠାଉଛନ୍ତି । ଧୋତି କୁର୍ତ୍ତାର ଓଡ଼ିଆଙ୍କୁ କିଏ କାହିଁକି ପଚାରିବ ? କେତେବେଳକୁ କିଏ ଆସି ଦି’ ତିନିଟା ପଟି ବାନ୍ଧି ଦେଇଗଲା । ପରିବାରଙ୍କୁ ଧରି ଶଙ୍କର ଜେନା ରାସ୍ତା ଉପରକୁ ଆସିଲେ । ରାସ୍ତା କୁଆଡ଼େ ? ଓଡ଼ିଶାରେ ଦୁଇଟା ରାସ୍ତା । ଗୋଟାଏ ଭୋଟ ରାସ୍ତା ଆଉ ଗୋଟାଏ ଭାଟ ରାସ୍ତା; ମାତ୍ର ଶଙ୍କରଙ୍କୁ ଏ ଦୁଇଟାଯାକ ରାସ୍ତା ଅଚିହ୍ନା ।

 

ପତିତପାବନଙ୍କୁ ଟାଣି ନେଉଛନ୍ତି ଭକ୍ତବୃନ୍ଦ । ଖାଲି ଗଦ୍ ଗଦ୍ ଉତ୍ତାପରେ ଟାଣି ନେଉଛନ୍ତି ।

 

ଶଙ୍କରଙ୍କର ସୁଟ୍‍କେଶ ଉପରେ ଏ ଉତ୍ତାପ ଜମିଲା । ତାଙ୍କ ହାତରୁ କିଏ ଜଣେ ସୁଟକେଶ ଟାଣିନେଲା । ଦିନ ଦି’ ପହରେ ଏ ଟଣାଟଣି । ମନେହେଲା ଦେଶଟା ବାସ୍ତବିକ ଶକ୍ତିଶାଳୀ ହୋଇଛି, ସମୃଦ୍ଧ ହୋଇଛି । ଏ ଯେ ଶକ୍ତିର ଖେଳ; ୟାକୁ ତ ନିଜେ ସର୍ବଶକ୍ତିମାନ୍ ଈଶ୍ଵରବି କଳ୍ପନା କରିପାରିବେ ନାହିଁ–ବିବେକାନନ୍ଦ ତ ଛାରଛିକର । ସୁଟ୍‍କେଶ ହରେଇ ଶଙ୍କର ଫେରନ୍ତା ରାସ୍ତାକୁ ଅନାଇଁଲେ । ସବୁ ରାସ୍ତା ବନ୍ଦ । କେବଳ ଡାଇଭର୍ସନ ରାସ୍ତାଗୁଡ଼ାଏ ଦେଖାଯାଉଛି । ଅସଲି ରାସ୍ତା, ମାନବିକତା ରାସ୍ତା, ସହଯୋଗର ରାସ୍ତା, ବନ୍ଧୁତ୍ଵର ରାସ୍ତା କେଉଁଦିନରୁ କଙ୍କରମୟ ହୋଇଯାଇଛି ।

 

ଶଙ୍କର ଦେଖିଲେ ସ୍ୱେଚ୍ଛାସେବକମାନେ ଯାଉଛନ୍ତି, ଆସୁଛନ୍ତି । ରଥତଳୁ ପଇଡ଼ ଆଉ ବରଫ ଆଣି ସାଙ୍ଗସାଥୀଙ୍କୁ ବାଣ୍ଟୁଛନ୍ତି ।

 

ଶଙ୍କର ଡାକିଲେ–ହଇଏ ବାବୁ ! ଆମକୁ ଟିକିଏ ସାହାଯ୍ୟ କରିବ ?

 

ଉତ୍ତର ଆସିଲା ରଖ ହୋ, ଆମର ପୁରି ତରକାରୀ ଖାଇବାବେଳ ଆସିଲାଣି ।

 

ରାସ୍ତା କୁଆଡ଼େ ? ବୋଧହୁଏ ନାହିଁ । ରାସ୍ତାଟାର ଆରମ୍ଭ ଅଛି, ଶେଷନାହିଁ ।

 

ଷ୍ଟେସନକୁ ଆସି ଶଙ୍କର ଜାଣିଲେ ସବୁ ରିଜର୍ଭଡ଼, ସବୁ ଇସ୍ପେସିଆଲ୍–ଶଙ୍କର ଭଳି ଲୋକଙ୍କୁ କୌଣସି ଜାଗାରେ ଠାବନାହିଁ ।

 

ପଣତକାନିରେ ବାନ୍ଧି ଆଣିଥିଲେ ଶଙ୍କରଙ୍କ ପରିବାର ପାଞ୍ଚଟି ଟଙ୍କା, ବିପଦ ଆପଦରେ ସାହାଯ୍ୟ ହେବ । ସେଇଆ ହେଲା । ତିନିଦିନ ତିନିରାତି ଷ୍ଟେସନରେ ପଡ଼ି ଶଙ୍କର ଘର ପିଣ୍ଡା ଉପରକୁ ଚଢ଼ିଗଲାବେଳେ ଓଡ଼ିଶାର ପ୍ରକୃତ ରୂପ ଦେଖିଲେ ।

 

ଚାଷୀ ସେ–ମୂର୍ଖ, ଅର୍ଥାତ୍ ଆଜିକାର ପାଠ ସେ ପଢ଼ିନାହାନ୍ତି । ପୁରୁଣାକାଳିଆ ପାଠ–ଭାଗବତ ପଢ଼ା; ‘ତା’ ସାଙ୍ଗକୁ ଜିଲ୍ଲା ପରିଷଦ, ପଞ୍ଚାୟତର କଥା ଟିକିଏ କିଏ ଜାଣନ୍ତି ।

 

ମାତ୍ର ଯେଉଁ ପତିତପାବନ ଦେଖା ପର୍ବ ଶେଷ କଲେ, ସେଥିରୁ ସେ ଜାଣିଲେ ରାସ୍ତାନାହିଁ । କିଏ କୁଆଡ଼େ ଯାଉଛନ୍ତି କେହି ଜାଣନ୍ତିନାହିଁ । ରାସ୍ତା କୁଆଡ଼େ ?

 

ମଣିଷର ମଣିଷକୁ ହାତ ବଢ଼େଇବାର ରାସ୍ତା ହୁଏତ ଚିରଦିନ ପାଇଁ ତିମିରିତ ହୋଇଗଲା । ରାସ୍ତାନାହିଁ ।

Image

 

ଶ୍ରୀକୃଷ୍ଣଙ୍କ ଶେଷହସ

(ସୁରେନ୍ଦ୍ର ମହାନ୍ତି)

 

ସେଦିନ ମହାଭାରତ ବିୟୋଗାନ୍ତକ ନାଟକର ଶେଷଦୃଶ୍ୟ ଦେଖିଯିବାପାଇଁ ଯେପରି ଇନ୍ଦ୍ରପ୍ରସ୍ଥର ଗିରିମାଳା ନେପଥ୍ୟରେ ଅସ୍ତାଚଳ ପଥରେ ସର୍ବଦ୍ରଷ୍ଟା ଦିବାକର ଅରୁଣ-ବାହିତ ରଥ ଦଣ୍ଡେ ଅଟକାଇ ଦେଇଥିଲେ ।

 

ମହାଭାରତ–ମହାସମର ପରେ ପରିତ୍ୟକ୍ତ କୁରୁକ୍ଷେତ୍ର, ଧ୍ଵଜ ଓ କଳସଶୋଭିତ ମୁକ୍ତା ଓ ମଣିଝରା-ବିମଣ୍ଡିତ, କୌରବ ପକ୍ଷର ଅସଂଖ୍ୟ ଭଗ୍ନରଥ, ପୁଣି ତୂଣ, ଧନୁ ଓ ନାରାଚ ଶୋଭିତ ଏକାଦଶ ଅକ୍ଷୌହିଣୀ ଯୋଦ୍ଧୃବର୍ଗଙ୍କର ଶବରାଶି, ଦ୍ଵାଦଶ ଯୋଜନ ବିସ୍ତାର କରି, ଶୋଣିତପଙ୍କ ମଧ୍ୟରେ ଇତଃସ୍ତତଃ ବିକ୍ଷିପ୍ତ ହୋଇ ପଡ଼ିଅଛି । ସେହି ମହାଶ୍ମଶାନର ଶବ ମଧ୍ୟରେ ଗୋରୁଦ୍ୟମାନା, ଅସଂବୃତ ବସନା, ଅବିନ୍ୟସ୍ତ କୁନ୍ତଳା, ଦୁର୍ଯ୍ୟୋଧନ ମହିଷୀ ଭାନୁମତି ଓ ଅନ୍ୟ କୌରବକୁଳ ନାରୀମାନେ ନିଜ ନିଜର ପ୍ରିୟ ସ୍ୱଜନବର୍ଗଙ୍କୁ ଅନ୍ଵେଷଣ କରୁଅଛନ୍ତି । ସେମାନଙ୍କ ମର୍ମାନ୍ତିକ କ୍ରନ୍ଦନ, ଶ୍ଵାନ, ଶିବା ଓ ଶକୁନମାନଙ୍କର ନାରକୀୟ ରଡ଼ିକୁ ସୁଦ୍ଧା ବେଳେ ବେଳେ ନିମଜ୍ଜିତ କରିଦେଉଅଛି ।

 

ଶତ ଶତ ଚିରାଳର ଦୃପ୍ତ ଚପଳତା ମୃତ୍ୟୁର ଅଚଞ୍ଚଳ ଗାମ୍ଭୀର୍ଯ୍ୟ ମଧ୍ୟରେ ପ୍ରଶମିତ ହୋଇଅଛି, ଅଶ୍ଵମାନଙ୍କର ହ୍ରେଷାରବ, କ୍ରୁଦ୍ଧ ଦନ୍ତାବଳମାନଙ୍କର ବୃଂହତ, ଯୋଦ୍ଧୃବର୍ଗଙ୍କର ପ୍ରମତ୍ତ ଆସ୍ଫାଳନ, ମୃତ୍ୟୁର ଗଦାଘାତରେ ସବୁ ନିରବ ରହିଅଛି । କ୍ରନ୍ଦନ ଓ ଶିବାରଡ଼ି ମୁଖରିତ ସେହି ମହାଶ୍ମଶାନ ଉପରେ ଚକ୍ରାକାରରେ ଉଡ଼ି ବୁଲୁଥିବା ପର୍ଯ୍ୟୁଷିତ ମାଂସଲୋଭୀ ଅଗଣିତ ଶକୁନଙ୍କର ସଞ୍ଚାଳିତ ପକ୍ଷ, କରାଳ ଛାୟା ପରି ବିସ୍ତାରିତ ହୋଇଅଛି ।

 

ଇନ୍ଦ୍ର ପ୍ରସ୍ଥରେ ଧୃତରାଷ୍ଟ୍ରଙ୍କ ପ୍ରସାଦ ନୀରବ ଓ ନିର୍ଜନ । ବେଳେ ବେଳେ ସଞ୍ଜୟ ଓ ବିଦୁରଙ୍କର ଶାନ୍ତ, ଧୀର ପଦଶବ୍ଦ ଧୃତରାଷ୍ଟ୍ରଙ୍କର ମର୍ମଭେଦୀ ଦୀର୍ଘଶ୍ଵାସ ଓ ଗାନ୍ଧାରୀଙ୍କର ଅସ୍ଫୁଟ କ୍ରନ୍ଦନର ଭାରାକ୍ରାନ୍ତ ନୀରବତାକୁ ଆଉରି ଘନୀଭୂତ କରିଦେଉଅଛି ।

 

ଧୃତରାଷ୍ଟ୍ର ଜନ୍ମାନ୍ଧ । ତେଣୁ କୁରୁକ୍ଷେତ୍ରର ମହାଶ୍ମଶାନରେ, ମହାନିଦ୍ରାର ଧୂଳିଶଯ୍ୟାରେ ମାନଗୋବିନ୍ଦ ଦୁର୍ଯ୍ୟୋଧନ ସମେତ ଶତପୁତ୍ର, ପୁଣି କର୍ଣ୍ଣ, ଶଲ୍ୟ, ଦ୍ରୋଣ ଓ ଭୁରିଶ୍ରବା ପ୍ରମୁଖ ସଖା ସୋଦରମାନଙ୍କୁ ଶେଷବାର ଦେଖିଆସିବା ପାଇଁ ତାଙ୍କର ବ୍ୟାକୁଳତା, ଉତ୍‌କଣ୍ଠା, ଶୋକ ଦୀର୍ଘଶ୍ଵାସ କୌରବ ପ୍ରାସାଦର ଛାୟାଚ୍ଛନ୍ନ ଭିତ୍ତିପ୍ରସ୍ତର ଦେହରେ ବାଧା ପାଇ ବାରମ୍ବାର ନୀରବ ହେଉଅଛି ।

 

ମାତ୍ର ଗାନ୍ଧାରୀ ନିଜର ଦୁଇଆଖିରୁ ଅନ୍ଧ ପଟ୍ଟିକାର ଆବରଣ ଫିଙ୍ଗିଦେଇ ମହାନିଦ୍ରାରେ ଶାୟିତ ଶତପୁତ୍ରକୁ ପ୍ରଥମେ ଓ ଶେଷବାର ଥରେ ଦେଖିବାପାଇଁ ଉତ୍‍କଣ୍ଠିତ ହୋଇପଡ଼ିଅଛନ୍ତି । କିନ୍ତୁ ଅନ୍ଧ ଧୃତରାଷ୍ଟ୍ରଙ୍କ ପାଣିଗ୍ରହଣବେଳେ ସତୀତ୍ଵର ଚରମ ନିଷ୍ଠାରେ ବ୍ରତଚାରିଣୀ ପରି ଗାନ୍ଧାରୀ ନିଜର ଦୁଇଆଖିରେ ଅନ୍ଧପଟ୍ଟିକାର ଯେଉଁ ଆବରଣ ବାନ୍ଧିଥିଲେ ତାହାର ବନ୍ଧନ ଦୁଶ୍ଛେଦ୍ୟ ଓ ଗ୍ରନ୍ଥି ଦୁର୍ଭେଦ୍ୟ । ତା’ ନ ହେଲେ ସତୀ ଧର୍ମର ସବୁ ଅହଂକାର ଭୁଲି ଆଜି ସେହି ଅନ୍ଧ ପଟ୍ଟିକାକୁ ଏକ ତୁଚ୍ଛ ପ୍ରତିବନ୍ଧକରୂପେ, ପଥର ଧୂଳିରେ ଫିଙ୍ଗି ଦେବାପାଇଁ ସେ ତିଳେହେଲେ କୁଣ୍ଠିତା ନୁହଁନ୍ତି ।

 

ଦୁର୍ଯ୍ୟୋଧନ, ଦୁଃଶାସନ, ଦୁର୍ଜୟ, ଦୁରନ୍ତ, ଦୁର୍ଗମ, ଦୁରମ, ଦୁର୍ଭର ଦୁର୍ବାଲୋକ ପ୍ରମୁଖ ଶତପୁତ୍ରର ଜନନୀ, ମାତୃତ୍ଵ-ଗରବିଣୀ ସୋମବଂଶର ପୂଜନୀୟା ଗାନ୍ଧାରୀ । କର୍ପୂର-ରେଣୁ-ସିଞ୍ଚିତ ତୁଳି-ତଳ୍ପରେ ସୁଦ୍ଧା ଯେଉଁମାନଙ୍କୁ ନିଦ୍ରା ସ୍ପର୍ଶ କରୁ ନଥିଲା, ଆଜି ସେମାନେ କୁରୁକ୍ଷେତ୍ରର ଶୋଣିତ କର୍ଦ୍ଦମରେ ମହାନିଦ୍ରାରେ ଅଚେତନ ।

 

ସେମାନଙ୍କ ଶବ ରାଶି ଉପରେ ଶ୍ଵାନ, ଶିବା ଓ ଶକୁନମାନଙ୍କର ଅଶ୍ଳୀଳ ଚିତ୍କାର ଦ୍ଵିତୀୟ ଗୌରବ ସୃଷ୍ଟି କରିଅଛି ।

 

ଗୋଟିଏ ଶକୁନ ପଲର ବିକଟ ରଡ଼ିରେ ଗାନ୍ଧାରୀ ଆର୍ତ୍ତନାଦ କରି ଉଠିଲେ ।

 

ଆଶ୍ରୟପାଇଁ ଶୂନ୍ୟରେ ଶୁଷ୍କ ଚର୍ମାଦୃତ ଦୁଇ ଶିରାଳ ବାହୁ ତୋଳି ଅନ୍ଧପଟ୍ଟିକାବୃତା ଗାନ୍ଧାରୀ ଅସହାୟ କଣ୍ଠରେ ଚିତ୍କାର କଲେ...“ବିଦୁର, ସଞ୍ଜୟ !”

 

ପରିତ୍ୟକ୍ତ କୌରବ-ପ୍ରାସାଦର ପୈଶାଚିକ ନୀରବତା ମଧ୍ୟରେ ଗାନ୍ଧାରୀଙ୍କ ଆକୁଳ ଆହ୍ଵାନ ପ୍ରତିଧ୍ୱନି ଉଠାଇ ପୁଣି ନୀରବ ହୋଇଗଲା ।

 

ନିଷ୍ଫଳ ଅହଂକାର ଓ ଅଭିମାନରେ ଦୁଇ କଂପିତ ବାହୁ ସ୍ଫୀତକରି, ଊର୍ଦ୍ଧ୍ଵକୁ ତୋଳି, ଅନ୍ଧ ଧୃତରାଷ୍ଟ୍ର ବିଦୁରଙ୍କ ସମ୍ମୁଖରେ ଆସ୍ଫାଳନ କରିଥିଲେ...“ଭୁଲିଯାଅନାହିଁ ବିଦୁର, ଆଜି ସୁଦ୍ଧା ଏହି ଦୁଇ ବାହୁରେ କୁରୁକୁଳହନ୍ତା ଭୀମ ସମେତ ପାଣ୍ଡବ ପଞ୍ଚଭ୍ରାତାଙ୍କୁ ଚୂର୍ଣ୍ଣବିଚୂର୍ଣ୍ଣ କରିଦେବାର ଶକ୍ତି ଅକ୍ଷୁଣ୍ଣ ରହିଅଛି ।”

 

ଧୃତରାଷ୍ଟ୍ର କୌରବ-ସିଂହାସନ ଉପରେ ପ୍ରଚଣ୍ଡ ଜିଙ୍ଘାସାରେ ଶସ୍ତ୍ରାହତ ହୋଇ ପଶୁପରି ଗର୍ଜନ କରି ଉଠିଲେ । ତାଙ୍କର କୁଞ୍ଚିତ ଓ ରେଖାଙ୍କିତ ମୁଖମଣ୍ଡଳର ଶିଥିଳ ମାଂସପେଶୀମାନେ ଏକ କାଠିନ୍ୟର ନିଷ୍ଠୁର ହୋଇଗଲା । ସୁପ୍ତ ଆଗ୍ନେୟଗିରିର ଅନ୍ଧକାର ବିବର ପରି, ତାଙ୍କର ଦୃଷ୍ଟିହୀନ ଅନ୍ଧଚକ୍ଷୁରେ ଅଗ୍ନ୍ୟୁଦ୍‌ଗାର ଯେପରି ଉଲ୍ଲମ୍ଫନ କରି ଉଠିଲା ।

ବିଦୁର ଶାନ୍ତ କଣ୍ଠରେ କହିଲେ...‘‘ମହାରାଜ, ଧୃତରାଷ୍ଟ୍ରମାନେ ଚିରକାଳ ଅନ୍ଧ । ସିଂହାସନର ସ୍ଵର୍ଣ୍ଣ ଦୀପ୍ତିରେ କାଳେ କାଳେ ସେମାନେ ଅନ୍ଧ ହୋଇଛନ୍ତି । ଚକ୍ଷୁକ୍ଷ୍ମତ୍ତା ଏକମାତ୍ର ଦୃଷ୍ଟି ନୁହେଁ ମହାରାଜ । ପାଣ୍ଡବ ପଞ୍ଚଭ୍ରାତାଙ୍କୁ ସମୂଳେ ବିନାଶ କରିବାପାଇଁ ଜତୁଗୃହ ଦାହର ଷଡ଼ଯନ୍ତ୍ରବେଳେ, ଭୀମସେନଙ୍କୁ ବିଷମୋଦକ ଖୁଆଇଲାବେଳେ, ବ୍ୟାସ ସରୋବରରେ ଆତ୍ମଗୋପନ କରିଥିବା ଦ୍ରୌପଦୀଙ୍କ ପଞ୍ଚପୁତ୍ରଙ୍କୁ ମୃଗୟାବିଳାସରେ ହତ୍ୟା କଲାବେଳେ, କୁରୁସଭାତଳେ କୁଳବଧୂ ଦ୍ରୌପଦୀଙ୍କୁ ବିବସନା କଲାବେଳେ, ପୁଣି ସାମାନ୍ୟ ପାଞ୍ଚଖଣ୍ଡି ଗ୍ରାମପାଇଁ ଶ୍ରୀକୃଷ୍ଣଙ୍କ ଦୌତ୍ୟର ଉତ୍ତରରେ, ‘ସୂଚ୍ୟଗ୍ର ପରିମିତ ଭୂମି ଦେବୁନାହିଁ ବୋଲି ଦୁର୍ଯ୍ୟୋଧନ ଆସ୍ଫାଳନ କଲାବେଳେ, ପୁରୋଦୃଷ୍ଟିରେ ଆପଣ ଯଦି ଏ ପରିଣତି କଳନା କରିଥାନ୍ତେ, ତାହାହେଲେ ଅନୁଶୋଚନାରେ ଆଜି ଆପଣ ଏପରି ତିଳେ ତିଳେ ଦଗ୍‌ଧୀଭୂତ ହେଉନଥାନ୍ତେ । କିନ୍ତୁ କେବଳ ଆପଣ ନୁହଁନ୍ତି, ସବୁ ଧୃତରାଷ୍ଟ୍ର ଆପଣଙ୍କ ପରି ଜନ୍ମାନ୍ଧ ।”

ଧୃତରାଷ୍ଟ୍ର କହିଲେ...“ମାତ୍ର ଭୀଷ୍ମ, କର୍ଣ୍ଣ, ଦ୍ରୋଣ ପରି ମହାବୀରମାନେ ପାଣ୍ଡବମାନଙ୍କଦ୍ଵାରା ଏପରି ପରାଜିତ ହେବେ, ତାହା ତ ମୁଁ ଆଶଙ୍କା କରି ନଥିଲି ବିଦୁର ।”

ବିଦୁର କହିଲେ...“ସେଥିପାଇଁ ତ ମୁଁ କହେ, ଧୃତରାଷ୍ଟ୍ରମାନେ ଚିରକାଳ ଅନ୍ଧ । ନିର୍ଯ୍ୟାତିତ, ନିପୀଡ଼ିତ, ଆର୍ତ୍ତ ଓ ବଞ୍ଚିତର ଦାବି, ଆପାତ ଦୃଷ୍ଟିରେ ଯେତେ ଦୁର୍ବଳ ହେଲେ ସୁଦ୍ଧା, ଅକ୍ଷୌହିଣୀ ସେନାର ରଣ ପ୍ରସ୍ତୁତି ଓ ତ୍ରିପୁର ବିଜୟୀ ଯୋଦ୍ଧାମାନଙ୍କର ଧନୁଷ୍ଟଙ୍କାର ତାହାକୁ ବିଡ଼ମ୍ବିତ କରିପାରିବନାହିଁ । କେତେ ଦର୍ପିତ ଇନ୍ଦ୍ରପ୍ରସ୍ଥ, କେତେ ମଦମତ୍ତ ହସ୍ତିନୀ, କେତେ ଅହଂକାରୀ ବାରୁଣା, ମହାକାଳରେ ଏହିପରି ବାରମ୍ବାର ଭୂଲୁଣ୍ଠିତ ହେବ । ମହାରାଜ, ମହାଭାରତରେ, ଐକ୍ୟ ଓ ଶାନ୍ତି କ୍ଷମତାର ଦାମ୍ଭିକତାରେ ରହିବନାହିଁ; ଲାଞ୍ଛିତ, ବଞ୍ଚିତ ତ ଅପମାନିତକୁ ତା’ର ଯଥାର୍ଥ ଦାବିରେ ପ୍ରତିଷ୍ଠିତ କରିବାରେ, ରହିବ ଔଦାର୍ଯ୍ୟରେ, କରୁଣାରେ, ଦାକ୍ଷିଣ୍ୟରେ ।”

ଇନ୍ଦ୍ରପ୍ରସ୍ଥର ଆକାଶରେ କାଳ ବୈଶାଖୀର ଘୂର୍ଣ୍ଣୀ ଧୃତରାଷ୍ଟ୍ରଙ୍କ କଣ୍ଠରେ ଯେପରି ଗର୍ଜନ କରି ଉଠିଲା । ବିଦୁରଙ୍କ ପ୍ରତି ପ୍ରଚଣ୍ଡ କ୍ରୋଧରେ ଚିତ୍କାର କରି, ଧୃତରାଷ୍ଟ୍ର କହିଲେ......“ତୁମେ ନା ବିଦୁର, କୌରବର ଅନ୍ନଭୋଜୀ ! କୌରବର ଔଦାର୍ଯ୍ୟରେ, କରୁଣାରେ, ଦାକ୍ଷିଣ୍ୟରେ, ତୁମେ ନା ଲାଳିତ ପାଳିତ ଓ ବର୍ଦ୍ଧିତ । ଆଜି ସେହି କୌରବମାନଙ୍କର ଚରମ ଦୁର୍ଦ୍ଦିନରେ ଏହି କ’ଣ ତୁମର ପ୍ରତିଦାନ ? କୌରବର ଅନ୍ନର ପ୍ରତିଦାନରେ ତୁମ କଣ୍ଠରେ ସମବେଦନାର କ୍ଷୀଣ ବାଣୀ ସୁଦ୍ଧାନାହିଁ-।”

 

ବିଦୁର ଅବିଚଳିତ କଣ୍ଠରେ ଦେଲେ...“କିନ୍ତୁ ସତ୍ୟ ଯେତେ କଠୋର ହେଲେ ସୁଦ୍ଧା ଦିନେ ତାହାର ସମ୍ମୁଖୀନ ହେବାପାଇଁ ପଡ଼ିବ, ମହାରାଜ !”

 

ଧୃତରାଷ୍ଟ୍ର ଚିତ୍କାର କରି ଉଠିଲେ...“କିନ୍ତୁ ସାମାନ୍ୟ ରାଜ୍ୟପାଇଁ ପାଣ୍ଡବମାନଙ୍କଦ୍ଵାରା, ସଖା-ନାଶ, ସୋଦର-ନାଶ, କୁଳ-ନାଶ ଏହି କ’ଣ ତୁମର ସତ୍ୟ ବିଦୁର ? ମୁଁ ବା କିପରି ଭୁଲିବି କହ, ବିଦୁର ! ଆଜି ସୋମବଂଶର ଦୀପଶିଖା ଗୋଟିକ ପରେ ଗୋଟିଏ ନିର୍ବାପିତ ହୋଇଗଲା । ଅନ୍ଧ ଧୃତରାଷ୍ଟ୍ରର ଅନ୍ଧ ତମିସ୍ରା ପରି, ଏହାପରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସବୁ ନିରନ୍ଧ୍ର, ସୂଚୀଭେଦ୍ୟ, ନିଷ୍ଠୁର ଅନ୍ଧକାର !”

 

ବିଦୁର ଶାନ୍ତକଣ୍ଠରେ ଉତ୍ତର ଦେଲେ... “କର୍ମଫଳର ଅଲଙ୍ଘନୀୟ ପରିଣତିରୂପେ ଏହାକୁ ଗ୍ରହଣ କରି ଶୋକ ସମ୍ବରଣ କରନ୍ତୁ ମହାରାଜା, ଶାନ୍ତିଲାଭ କରିବେ । ଆପଣ କୁରୁକୁଳର ଅଗସ୍ତିରୂପେ କୌରବ-ସମୁଦ୍ର ନିଃଶେଷ କରିଅଛନ୍ତି; ପାଣ୍ଡବମାନେ ତ ଜୀର୍ଣ୍ଣ କୂପମାତ୍ର । ଆଉ କ୍ରୋଧାନଳରେ ପ୍ରଜ୍ଜ୍ୱଳିତ ହୋଇ ସେ କୂପକୁ ନିଃଶେଷ କରନ୍ତୁନାହିଁ ।”

 

ଏହି ସମୟରେ ଅନ୍ଧ ପଟ୍ଟିକାବୃତା, ଶୋକାକୁଳା ଗାନ୍ଧାରୀ, ଉନ୍ମାଦିନୀ ପରି ସେଠାକୁ ଧାଇଁଆସି କହିଲେ...ମହାରାଜ, ଦିନେ ଆପଣଙ୍କ ପାଇଁ ମୁଁ ଆଖିରେ ସ୍ଵହସ୍ତରେ ବାନ୍ଧିଥିଲି ଏହି ଅନ୍ଧପଟ୍ଟିକା । ସେହି ବନ୍ଧନର ଦୁଶ୍ଛେଦ୍ୟଗ୍ରନ୍ଥି ଆଜି ସ୍ଵହସ୍ତରେ ଚ୍ଛିନ୍ନ କରିଦିଅନ୍ତୁ ମହାରାଜ ! ଶତପୁତ୍ରର ଜନନୀ ମୁଁ, ଜୀବିତରେ ଯେଉଁମାନଙ୍କୁ ଦେଖି ନାହିଁ, ଆଜି ଅନ୍ତତଃ ମୃତ୍ୟୁର ଶେଷ ଶଯ୍ୟାରେ ସେମାନଙ୍କୁ ଥରେ ଦେଖି ନୟନର ଜ୍ଵାଳା ଶାନ୍ତ କରେ !”

 

ଅନ୍ଧପଟ୍ଟିକାର ଗ୍ରନ୍ଥି ଛିନ୍ନ କରିବାର ନିଷ୍ଫଳ ଉଦ୍ୟମରେ ଶିରାଳ ଅଙ୍ଗୁଳିର ଶତ ନଖାଘାତରେ, ନରକରୋଟୀ ପରି ଦିଶୁଥିବା ଗାନ୍ଧାରୀଙ୍କର ଶୁଷ୍କ ଚର୍ମାବୃତ ମୁଖ ରକ୍ତାକ୍ତ ହୋଇପଡ଼ିଲା । ଲୋତକ ଓ ଶୋଣିତର ଧାରା ଗାନ୍ଧାରୀଙ୍କ ମୁଖମଣ୍ଡଳକୁ ଅତ୍ୟନ୍ତ ଭୟଙ୍କର କରିଦେଇଥିଲା ।

 

ଗାନ୍ଧାରୀ ଶୋକାପ୍ଳୁତ କଣ୍ଠରେ ପୁଣି ଚିତ୍କାର କରି ଉଠିଲେ....“ମହାରାଜ, ଆପଣଙ୍କ ପାଇଁ ଅନ୍ଧପଟ୍ଟିକାର ଆବରଣତଳେ ଚକ୍ଷୁ ଥାଇ ସୁଦ୍ଧା ଓ ମୁଁ ଚିରଜୀବନ ଅନ୍ଧ ରହିଆସିଅଛି । ଆଜି ମୋପାଇଁ ସେ ଆବରଣ ଥରେ ଉନ୍ମୋଚନ କରନ୍ତୁ ମହାରାଜ !

 

ଗାନ୍ଧାରୀରଙ୍କର ଅନୁରୋଧରେ ଧୃତରାଷ୍ଟ୍ରଙ୍କ ମୁଖମଣ୍ଡଳ ଏକ କୃଷ୍ଣ ମେଘ ଖଣ୍ଡରେ ଯେପରି ଆଚ୍ଛନ୍ନ ହୋଇପଡ଼ିଥିଲା । ଗାନ୍ଧାରୀ ଜାଣନ୍ତିନାହିଁ, ମାତ୍ର ଧୃତରାଷ୍ଟ୍ର ଜାଣନ୍ତି, ଅନ୍ଧପଟ୍ଟିକାବୃତା ଗାନ୍ଧାରୀଙ୍କର ଦୁଇ ଚକ୍ଷୁରେ ପୁଞ୍ଜିଭୂତ ହୋଇ ରହିଅଛି ବିଶ୍ୱର ଦାବାନଳ ! ସେ ଦୃଷ୍ଟି ଥରେ ଫିଟିଲେ ଧୃତରାଷ୍ଟ୍ର ସୁଦ୍ଧା ସେଥିରେ ଭସ୍ମ ହୋଇଯିବେ ।

 

ଗାନ୍ଧାରୀକୁ ସାନ୍ତ୍ୱନା ଦେଇ ବିଦୁର କହିଲେ...“ଶୋକ ସମ୍ବରଣ କରନ୍ତୁ ମହାଦେବୀ ! କିଏ କହେ ଆପଣ ପୁତ୍ରହୀନା ? ଅଗ୍ରପାଣ୍ଡବ ଯୁଧିଷ୍ଠିରଙ୍କର ଅଭୟ ଛାୟାତଳେ, ଦୁର୍ଦ୍ଧକ୍ଷ ଏବେ ସୁଦ୍ଧା ଜୀବିତ । ପୁଣି ପଞ୍ଚପାଣ୍ଡବ ତ ଆପଣଙ୍କୁ ଜନନୀ ତୁଲ୍ୟ ଭକ୍ତି କରନ୍ତି ।”

 

ଗାନ୍ଧାରୀ ଉନ୍ମାଦିନୀ ପରି ଚିତ୍କାର କରି ଉଠିଲେ “ମୁଁ ଜାଣେ ମହାରାଜ, ଆଉ ଏ ଅନ୍ଧପଟ୍ଟିକା ଉନ୍ମୋଚିତ ହେବନାହିଁ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଗାନ୍ଧାରୀର ଜୀବନ କେବଳ ଅମାବାସ୍ୟାର ନିରନ୍ଧ୍ର, ନିଷ୍ଠୁର ଅନ୍ଧକାର !”

 

ଗାନ୍ଧାରୀ ଯେପରି ବାତ୍ୟାବାହିତ ଗୋଟିଏ ଶୁଷ୍କପତ୍ର ପରି ଧୃତରାଷ୍ଟ୍ରଙ୍କ ସମ୍ମୁଖକୁ ଉଡ଼ିଆସିଥିଲେ, ସେହିପରି ସେଠାରୁ ପୁଣି ସ୍ଖଳିତ ପାଦରେ ଚାଲିଗଲେ ।

 

ରଥ ପ୍ରସ୍ତୁତ । ଯୁଧିଷ୍ଠିର ଏକାକୀ ରଥରେ ଉପବେଶନ କରିବାପାଇଁ ଉଦ୍ୟତ ହୋଇଥିଲେ; ଏହି ସମୟରେ ଶ୍ରୀକୃଷ୍ଣ ଦୁର୍ଭିକ୍ଷ ସହିତ ହଠାତ୍ ବିପରୀତ ଦିଗରୁ ଆସି ତାଙ୍କୁ ପଚାରିଲେ, ‘ହସ୍ତିନାର ସିଂହାସନରେ ଆସନ୍ନ ଅଭିଷେକର ଉତ୍ସବ ମଧ୍ୟରେ ଏକାକୀ କେଉଁଆଡ଼େ ବାହାରିଲେ ଧର୍ମରାଜ ?”

 

ଯୁଧିଷ୍ଠିର କହିଲେ... ‘‘ମାତା ଗାନ୍ଧାରୀ ମୋତେ ସ୍ମରଣ କରିଅଛନ୍ତି । ତାଙ୍କର ଦର୍ଶନପାଇଁ ବାହାରିଅଛି ।”

 

ଶ୍ରୀକୃଷ୍ଣ କହିଲେ...‘‘ବହୁକାଳ ଗାନ୍ଧାରୀଙ୍କ ସହିତ ମୋହର ମଧ୍ୟ ସାକ୍ଷାତ ହୋଇନାହିଁ । ତାହାହେଲେ ଚାଲନ୍ତୁ ଅଗ୍ରପାଣ୍ଡବ, ମୁଁ ଆପଣଙ୍କ ରଥ ଚଳାଇନେବି ।”

 

ଯୁଧିଷ୍ଠିର ଏ ପ୍ରକାର ଆକସ୍ମିକତାରେ ବିସ୍ମିତ ହୋଇ ପଚାରିଲେ, “ଏ ପୁଣି କି ନୂତନ ମାୟା, ମାୟାଧର ?”

 

ଶ୍ରୀକୃଷ୍ଣ ସାରଥିର ସ୍ଥାନରେ ବସି, ସ୍ମିତ ହସି ଯୁଧିଷ୍ଠିରରଙ୍କୁ କହିଲେ “ମହାଭାରତର ଜୟଯାତ୍ରା ପଥରେ ସେ ପାଣ୍ଡବଙ୍କ ଜୟରଥ ବାହିଥିଲା, ତା’ର ଦିଗ୍‌ଦର୍ଶନରେ କ’ଣ ଆପଣଙ୍କ ସନ୍ଦେହ ହେଉଛି, କୌନ୍ତେୟ ?”

 

ଯୁଧିଷ୍ଠିର ନୀରବ ରହିଲେ ।

 

ଶ୍ରୀକୃଷ୍ଣ ଚିରଦିନ ଏହିପରି ପ୍ରହେଳିକାମୟ !

 

X X       X

 

କୁରୁକ୍ଷେତ୍ରର ମହାଶ୍ମଶାନ ମଧ୍ୟରେ, ପ୍ରତି ଶବସ୍ତୁପ ବୁଲି, ସଞ୍ଜୟଙ୍କ ସହିତ ଗାନ୍ଧାରୀ ଶତପୁତ୍ରଙ୍କ ଶବସନ୍ଧାନ କରୁଥିଲେ । ଶିବା, ଶକୁନ ଓ ଶ୍ଵାନଦଳଙ୍କୁ ଠେଲି, ଗାନ୍ଧାରୀଙ୍କ ହସ୍ତ ଧରି, ସଞ୍ଜୟ ତାହାଙ୍କୁ ଆସନ୍ନ ସନ୍ଧ୍ୟାର ବିଷଣ୍ଣ ଗୋଧୂଳି ମଧ୍ୟରେ ପଥ କଢ଼ାଇ ନେଉଥିଲେ ।

 

ସଞ୍ଜୟ କହିଲେ–“ମହାଦେବୀ ! ଭୂତଳଶାୟୀ ହୋଇ ମହାନିଦ୍ରାରେ ଅଚେତନ ହୋଇପଡ଼ିଛନ୍ତି, ଏହି ଦେଖନ୍ତୁ ପିତାମହ ଭୀଷ୍ମ । ମୁଖମଣ୍ଡଳରେ ତାଙ୍କର ଅନନ୍ତ ପ୍ରଶାନ୍ତି ।’’

 

ଗାନ୍ଧାରୀ କହିଲେ...“ଜାଣେ ସଞ୍ଜୟ, ସ୍ଵଇଚ୍ଛାରେ ସେ ପ୍ରାଣ ସମ୍ବରଣ କରିଅଛନ୍ତି । ତା’ ନ ହେଲେ ଭୀଷ୍ମଙ୍କ ସମ୍ମୁଖରେ ପାଣ୍ଡବମାନେ ତ ତୁଚ୍ଛାଦପି ତୁଚ୍ଛ ।”

 

ସଞ୍ଜୟ କହିଲେ “ଆଉ ରଥ ଚକ୍ରତଳେ ଏଠି ନିଷ୍ପେଷିତ ହୋଇ ପଡ଼ିଛନ୍ତି, ବାହ୍ଲୀକବୀର ସୋମଦତ୍ତ, ମତ୍ତହସ୍ତୀର ଦନ୍ତାଘାତରେ ରକ୍ତାକ୍ତ ହୋଇ ପଡ଼ିଛନ୍ତି ଭୂରୀଶ୍ରବା । ମହାଦେବୀ ! ଅର୍ଜୁନର ଶରାଘାତରେ ଏଇ ଉତ୍ତାନଶାୟୀ ହୋଇ ପଡ଼ିଛନ୍ତି ମହାବୀର କର୍ଣ୍ଣ । ବୈଦୁର୍ଯ୍ୟ ଖଚିତ ତାଙ୍କ କିରୀଟରେ ଅସ୍ତସୂର୍ଯ୍ୟଙ୍କର ଶେଷ କିରଣ ରେଖା, ପୁତ୍ରର ମସ୍ତକରେ ପିତାର ଆଶୀର୍ବାଦ-ସ୍ନିଗ୍‌ଧ-ସ୍ପର୍ଶପରି ତଥାପି ଲାଗିରହିଛି । ସେହି ଦ୍ୟୁତିରେ କର୍ଣ୍ଣଙ୍କ ମୁଖମଣ୍ଡଳ ଶତଦଳର ସଦ୍ୟତାରେ ତଥାପି ଉଦ୍‌ଭାସିତ ?”

 

ଗାନ୍ଧାରୀ ଶୋକାର୍ତ୍ତ କଣ୍ଠରେ କର୍ଣ୍ଣଙ୍କ ଶବକୁ ଆଲିଙ୍ଗନ କରି କହିଲେ... “ଆସ ବାବୁ, ଜନନୀର ବାତ୍ସଲ୍ୟ-ବଞ୍ଚିତ କୌନ୍ତେୟ, ଅଗ୍ର ପାଣ୍ଡବ । ଦୁର୍ଯ୍ୟୋଧନର ମାନରକ୍ଷା ପାଇଁ ଅପରାଜେୟ ବୀର ତୁମେ, ଆଜି ରଣଭୂମିରେ ଶୋଣିତ-ପଙ୍କରେ ଲୋଟୁଅଛି, କିନ୍ତୁ ହେ ସର୍ବଦ୍ରଷ୍ଟା, ଦିବାକର, ସର୍ବଶକ୍ତିମାନ୍, ସହସ୍ରଶୀର୍ଷା ହିରଣ୍ୟଗର୍ଭ, ଅଂଶୁମାଳୀ; ଯେଉଁମାନେ କ୍ଷାତ୍ରଧର୍ମର ପ୍ରତିକୂଳାଚରଣ କରି ଅନ୍ୟାୟ ଯୁଦ୍ଧରେ କର୍ଣ୍ଣଙ୍କୁ ହତ୍ୟା କରିଅଛନ୍ତି ସେମାନଙ୍କ ପାଇଁ କ’ଣ କୌଣସି ଶାସ୍ତିନାହିଁ ? ନାହିଁ ? ନାହିଁ ?”

 

ଆଉ କିଛିଦୂର ଅଗ୍ରସର ହେବାପରେ ସଞ୍ଜୟ କହିଲେ,–“ଦେବୀ ! ଭୀମର ଗଦାଘାତରେ ଏଇ ଧରାଶାୟୀ ହୋଇଛନ୍ତି–ଭଗ୍ନଜାନୁ ଦୁଃଶାସନ ! ବିବସନା ଦ୍ରୌପଦୀର ଉଲଙ୍ଗ ଜାନୁ ପ୍ରତି ଅଶ୍ଳୀଳ କଟାକ୍ଷର ପ୍ରତିଶୋଧ ନେବାପାଇଁ, ଏହାହିଁ ଥିଲା ଗ୍ରାମର ପ୍ରତିଜ୍ଞା । ନୀଳମେଘରେ ବିଦ୍ୟୁତ୍‌ର ଚମକ ପରି, ତାଙ୍କର ପ୍ରଶସ୍ତ ବକ୍ଷରେ ମଣିମୁକ୍ତା ଖଚିତ ଗଳାହାର ତଥାପି ବିଳମ୍ବିତ ରହିଅଛି । ଚାଲନ୍ତୁ ଦେବୀ, ଜୀବନ ମୃତ୍ୟୁର ଏହା ତ ଚିରନ୍ତନ ଲୀଳା; ସମସ୍ତ କର୍ମଫଳର ଅଧୀନ !”

 

ଗାନ୍ଧାରୀ ଉଚ୍ଛ୍ଵସିତ କ୍ରନ୍ଦନର ରୁଦ୍ଧ ଆବେଗରେ କହିଲେ...‘‘ମୋର ଅନ୍ଧପଟ୍ଟିକା ଥରେ ଉନ୍ମୋଚିତ କରିଦିଅ ସଞ୍ଜୟ ! ଜୀବନରେ ଯାହାକୁ କେବେ ଦେଖିନାହିଁ, ମୃତ୍ୟୁର ଧୂଳିଶଯ୍ୟାରେ ତାକୁ ଥରେ ଦେଖି ଚିରକ୍ଷୁଧିତ ନୟନର ଜ୍ଵାଳା ପ୍ରଶମିତ କରେ ।”

 

ଗାନ୍ଧାରୀଙ୍କ ଠା’ରୁ ଅଳ୍ପଦୂରରେ ଶ୍ରୀକୃଷ୍ଣ ରଥର ଗତି ସ୍ତିମିତ କରିଦେଲେ । ଯୁଧିଷ୍ଠିର ଉଦ୍‌ବିଗ୍ନ କଣ୍ଠରେ ପଚାରିଲେ.....“ରଥର ଗତି କାହିଁକି ସ୍ତିମିତ କଲେ ନାରାୟଣ ?”

 

ଶ୍ରୀକୃଷ୍ଣ ସ୍ମିତ ହସି କହିଲେ–“ଯେଉଁମାନେ ଶୋକାର୍ତ୍ତ, ବେଦନାର୍ତ୍ତ, ଦୁଃଖୀ ସେମାନଙ୍କ ନିକଟକୁ କ୍ଷମତା ଓ ଦର୍ପର ଅଭିମାନରେ ରଥାରୁଢ଼ ହୋଇଯିବା ଶୋଭନୀୟ ନୁହେଁ, ସେଥିରେ ସେମାନଙ୍କର ଶୋକର ଗାମ୍ଭୀର୍ଯ୍ୟ ଓ ମର୍ଯ୍ୟାଦା ଲାଞ୍ଛିତ ହୁଏ । ଗାନ୍ଧାରୀ ପୁଣି ସହଜେ ତ ତୁମର ମାତୃତୁଲ୍ୟା ।”

 

ଯୁଧିଷ୍ଠିର ଅପରାଧି ପରି ରଥରୁ ଅବତରଣ କରି କହିଲେ......“ଆପଣ ଯଥାର୍ଥ କହିଛନ୍ତି ନାରାୟଣ, ଶୋକାର୍ତ୍ତ ଗାନ୍ଧାରୀଙ୍କ ନିକଟିକୁ ପାଦରେ ଯିବାହିଁ ମୋ ପକ୍ଷରେ ସମୀଚୀନ ।”

 

ଦୁର୍ଯ୍ୟୋଧନ ଶବ ନିକଟରେ ବିହ୍ଵଳିତା ଗାନ୍ଧାରୀଙ୍କ ନିକଟିକୁ ଯୁଧିଷ୍ଠିର ଅଗ୍ରସର ହେଉଥିଲେ, ଶ୍ରୀକୃଷ୍ଣ ତାହାଙ୍କର ଗୋଟିଏ ବାହୁ ଟାଣିଧରି କହିଲେ.... “ଗାନ୍ଧାରୀ ତୁମକୁ କାହିଁକି ସ୍ମରଣ କରିଅଛନ୍ତି ଜାଣିଛ ଯୁଧିଷ୍ଠିର ?”

 

ଯୁଧିଷ୍ଠିର କହିଲେ–“ନାଁ, ତା’ ଜାଣେନା ତ ।”

 

ଶ୍ରୀକୃଷ୍ଣ ସ୍ମିତ ହସି କହିଲେ...“କୁରୁ ମହାଶ୍ମଶାନର ଶବସ୍ତୁପ ମଧ୍ୟରେ ଗାନ୍ଧାରୀ ନିଜ ପୁତ୍ରମାନଙ୍କୁ ଥରେ ଦେଖିବାପାଇଁ, ତାଙ୍କର ଅନ୍ଧପଟ୍ଟିକା ଉନ୍ମୋଚନ କରିବା ଉଦ୍ଦେଶ୍ୟରେ ତୁମକୁ ସ୍ମରଣ କରିଅଛନ୍ତି ।”

 

ଯୁଧିଷ୍ଠିର କହିଲେ...ଏ ବା କି କଷ୍ଟ କାର୍ଯ୍ୟ ? ଏହି ମୁହୂର୍ତ୍ତରେ ମୁଁ ସେହି ଗ୍ରନ୍ଥ ଛିନ୍ନ କରିଦେବି ।

 

ଶ୍ରୀକୃଷ୍ଣ ସ୍ମିତ ହସି କହିଲେ...“କିନ୍ତୁ ଯୁଧିଷ୍ଠିର, ତୁମେ ବିସ୍ମିତ ହେଉଛ କିପରି, ଶତପୁତ୍ରର ଜନନୀ ଗାନ୍ଧାରୀ ଆଜି ତୁମରି ହେତୁ ପୁତ୍ରହୀନା । ଗାନ୍ଧାରୀଙ୍କ ଭାବନାରେ, ତୁଚ୍ଛ ସିଂହାସନ ପାଇଁ ତୁମର ସର୍ବଗ୍ରାସୀ ଲୋଭ ଓ ଓ-ଈର୍ଷା, ଆଦି କୁରୁକୁଳକୁ ନିଷ୍ପ୍ରଦୀପ କରିଅଛି ।”

 

ଯୁଧିଷ୍ଠିର ଅସହାୟ କଣ୍ଠରେ କହିଲେ...“ସେ ବୃତ୍ତାନ୍ତ ଗାନ୍ଧାରୀ ନ ଜାଣନ୍ତୁ ପଛେ, ଆପଣ ତ ସବୁ ଜାଣନ୍ତି ଅନ୍ତର୍ଯ୍ୟାମି ।”

 

ଶ୍ରୀକୃଷ୍ଣ କହିଲେ...“ଏବେ ତୁମେ ତୁମ ଗାନ୍ଧାରୀଙ୍କ ଅନ୍ଧପଟ୍ଟିକା ଉନ୍ମୋଚନ କରିବା ପରେ, ସେ ଯେତେବେଳେ ତୁମର ପାଦତଳେ ପ୍ରିୟ ପୁତ୍ର ଦୁଃଶାସନର ଭୂତଳଶାୟୀ ଶବ ଦେଖିବେ, ସେତେବେଳେ ଶାନ୍ତି ଓ ସାନ୍ତ୍ୱନା ପରିବର୍ତ୍ତେ, ତାଙ୍କ ପ୍ରାଣରେ ଶୋକବହ୍ନି ଶତଗୁଣରେ ପ୍ରଜ୍ଜ୍ୱଳିତ ହେବନାହିଁ କି ?”

 

ଯୁଧିଷ୍ଠିର କିଂକର୍ତ୍ତବ୍ୟବିମୂଢ଼ ପରି କହିଲେ “ତାହା ଯଥାର୍ଥ । କିନ୍ତୁ ଗାନ୍ଧାରୀ ଯେତେବେଳେ ଅନ୍ଧପଟ୍ଟିକାର ଆବରଣ ଉନ୍ମୋଚନ କରିବାପାଇଁ ମୋତେ ସ୍ମରଣ କରିଅଛନ୍ତି, ମୁଁ କ’ଣ କରିବି କହନ୍ତୁ ନାରାୟଣ ? ମୁଁ ନିରୁପାୟ !”

 

ଶ୍ରୀକୃଷ୍ଣ କହିଲେ...‘‘ଗାନ୍ଧାରୀଙ୍କ ଶତପୁତ୍ର ବିନଷ୍ଟ ହୋଇପାରିଥାନ୍ତି; ତଥାପି ଜୀବିତ ଅଛି ଦୁର୍ଦ୍ଦକ୍ଷ । କୁରୁବଂଶୀ ଶେଷ ପ୍ରଦୀପକୁ ଦେଖି, ଗାନ୍ଧାରୀଙ୍କ ଶୋକାର୍ଥ ପ୍ରାଣ ଶାନ୍ତିଲାଭ କରିବ ।”

 

ଯୁଧିଷ୍ଠିରଙ୍କ କଣ୍ଠସ୍ଵର ଶୁଣି ଉତ୍‌କଣ୍ଠିତା ଗାନ୍ଧାରୀ ପଚାରିଲେ....‘‘ସଞ୍ଜୟ, ଏତ ଯୁଧିଷ୍ଠିରଙ୍କ କଣ୍ଠସ୍ଵର ପରି ମନେହେଉଛି ।”

 

ସଞ୍ଜୟ କହିଲେ.....“ଶ୍ରୀକୃଷ୍ଣଙ୍କ ସହିତ ଅଗ୍ରପାଣ୍ଡବ ଯୁଧିଷ୍ଠିର ଆପଣଙ୍କ ପଦବନ୍ଦନା ପାଇଁ ଆସୁଛନ୍ତି ।”

 

ଉଦ୍‌ବେଳିତା ଗାନ୍ଧାରୀ ଯୁଧିଷ୍ଠିରକୁ ଆଲିଙ୍ଗନ କରିବାପାଇଁ, ଶୂନ୍ୟରେ ଦୁଇ କମ୍ପିତ ଶିରାଳବାହୁ ମେଳି କହିଲେ, ‘ଆସ ଆସ ବାବୁ, ବିଗଳିତ କରୁଣାର ପ୍ରତିରୂପ ଅଗ୍ରପାଣ୍ଡବ ଯୁଧିଷ୍ଠିର... ଆଜି ତୁମେ ଅଗ୍ର କୌରବ ମଧ୍ୟ । ମୁଁ ପାପିନୀ, ମୋର କ୍ରୁରକର୍ମର ଫଳ ଭୋଗ କରିଅଛି । ଏବେ ମୋର ଦୁଶ୍ଛେଦ୍ୟ ଅନ୍ଧପଟ୍ଟିକାର ଗ୍ରନ୍ଥି ଥରେ ଉନ୍ମୋଚନ କରିଦିଅ ପୁତ୍ର; ଯେଉଁ ଶତପୁତ୍ରଙ୍କୁ ଜନ୍ମଦେଇ ସୁଦ୍ଧା, ସ୍ଵଚକ୍ଷୁରେ କେବେ ଦେଖିନାହିଁ, ଏବେ ସେମାନଙ୍କୁ ପ୍ରଥମ ଓ ଶେଷଥର ପାଇଁ ଦେଖି, ମୋର ଅତୃପ୍ତ ନୟନର ଜ୍ଵାଳା ପ୍ରଶମିତ କରେ ।”

 

ଗାନ୍ଧାରୀଙ୍କ ବ୍ୟାକୁଳ ନିବେଦନରେ, ଯୁଧିଷ୍ଠିର ଅନ୍ଧପଟ୍ଟିକାର ଗ୍ରନ୍ଥି ଛେଦନ କରିବାପାଇଁ ଅଗ୍ରସର ହେଉଥିଲେ, ଶ୍ରୀକୃଷ୍ଣ ହଠାତ୍ ତାହାଙ୍କର ଗୋଟିଏ ବାହୁ ଧରିପକାଇ ଅସ୍ଫୁଟ କଣ୍ଠରେ ଦୁର୍ଦ୍ଦକ୍ଷକୁ କହିଲେ, “ଦୁର୍ଦ୍ଦକ୍ଷ, ଜନନୀ ଗାନ୍ଧାରୀଙ୍କ ଅନ୍ଧପଟ୍ଟିକା ଉନ୍ମୋଚିତ କର । ପୁତ୍ରହୀନା, ଶତପୁତ୍ରର ଜନନୀ ଗାନ୍ଧାରୀ, ତୁମକୁ ସଶରୀରେ ଜୀବିତ ଦେଖିଲେ, ପୁତ୍ରଶୋକ ବିସ୍ମିତା ହେବେ ।”

 

ଶ୍ରୀକୃଷ୍ଣଙ୍କ ଦୁଇ ରଂଗାଧରରେ ରହସ୍ୟ ବିଜଡ଼ିତ ହସ ।

 

ଯୁଧିଷ୍ଠିର କହିଲେ...‘‘ତାହାହିଁ କର ଦୁର୍ଦ୍ଦକ୍ଷ” ।

 

ଯୁଧିଷ୍ଠିରଙ୍କ ନିର୍ଦ୍ଦେଶରେ ତାଙ୍କର ଚିରଅନୁଗତ ଦୁର୍ଦ୍ଦକ୍ଷ ମୁହୂର୍ତ୍ତକ ମଧ୍ୟରେ ଗାନ୍ଧାରୀଙ୍କର ଅନ୍ଧପଟ୍ଟିକାର ଗ୍ରନ୍ଥି ଛିନ୍ନ କରିଦେଲା ।

 

ଗ୍ରନ୍ଥି ଉନ୍ମୋଚିତ ହେବାମାତ୍ରେ ଅନ୍ଧପଟ୍ଟିକାର କୃଷ୍ଣ ଆବରଣ ତଳୁ ଅଗ୍ନ୍ୟୁଦ୍‌ଗାରର ସର୍ବନାଶୀ ଶିଖା ଯେପରି ଉଲଂଫନ କରି ଉଠିଲା । ସେହି କରାଳ ଦୃଷ୍ଟିର ପୁଞ୍ଜୀଭୂତ ତେଜରେ, ଦୁର୍ଦ୍ଦକ୍ଷ ଦୁଃଶାସନଙ୍କ ଭୂଲୁଣ୍ଠିତ ଶବ ଉପରେ ମୁହୂର୍ତ୍ତକ ମଧ୍ୟରେ ଭସ୍ମରାଶି ପରି ଝରିପଡ଼ିଲା ।

 

ଯୁଧିଷ୍ଠିରର ଆର୍ତ୍ତନାଦ କରି ଉଠିଲେ....“ଏ ପୁଣି କି ଚକ୍ର ଚାଳନା କଲେ ଚକ୍ରୀ ? ଦୁର୍ଦ୍ଦକ୍ଷ ଯେ ମୋର ଚିରଅନୁଗତ ।”

 

ଶ୍ରୀକୃଷ୍ଣ ଅନୁଚ୍ଚ କଣ୍ଠରେ କହିଲେ...“ନୀରବ ରହ ନିର୍ବୋଧ ! ଆଜି ଗାନ୍ଧାରୀର ନୟନାନଳରେ ଦଗ୍‌ଧ ହୋଇଥିଲେ, କାଲି ତୁମେ ହସ୍ତିନାର ସିଂହାସନରେ ଅଭିଷିକ୍ତ ହୋଇଥାନ୍ତ କିପରି ? ଏହା ରାଜନୀତି...ରାଜନୀତିର ଯଜ୍ଞକୁଣ୍ଡରେ ଏହିପରି ବହୁ ବିଶ୍ଵସ୍ତ ଓ ବଶମ୍ବଦ ଦୁର୍ଦ୍ଦକ୍ଷର ଆହୁତି, ଏକ ଦୈନନ୍ଦିନ ଘଟଣା । ସେଥିରେ ତୁମପରି ଧୀମାନ ବିଚଳିତ ହେବା ଉଚିତ ନୁହେଁ, ଯୁଧିଷ୍ଠିର ।”

 

ସଞ୍ଜୟ ବଜ୍ରାହତ ପରି ଶୋକାପ୍ଳୁତ କଣ୍ଠରେ କହିଲେ...“ଏ କ’ଣ କଲେ ମହାଦେବୀ ! କୁରୁକୁଳର ଏକମାତ୍ର କ୍ଷୀଣପ୍ରଦୀପ ଶିଖା ଦୁର୍ଦ୍ଦକ୍ଷକୁ ସୁଦ୍ଧା ସ୍ଵହସ୍ତରେ ନିର୍ବାପିତ କରିଦେଲେ ।”

 

ଶ୍ରୀକୃଷ୍ଣ ସମବେଦନାର ଅଭିନୟ କରି କହିଲେ....“ଜନନୀ, କିଏ କହେ ଆପଣ ପୁତ୍ରହୀନା ? କୌରବ କିଏ, ପାଣ୍ଡବମାନେ ବା କିଏ ? ସେମାନଙ୍କୁ ଏବେ ପୁତ୍ରରୂପେ ଗ୍ରହଣ କରନ୍ତୁ ।

 

ଶ୍ରୀକୃଷ୍ଣଙ୍କ ଦୁଇ ରଂଗାଧରରେ ରହସ୍ୟ ବିଜଡ଼ିତ ହସ ।

 

ଗାନ୍ଧାରୀ ପାଦତଳେ, ଦଗ୍‍ଧ ଆମ୍ରମୁକୁଳ ପରି ଝରିପଡ଼ିଥିବା, ଦୁର୍ଦ୍ଦକ୍ଷର ଭସ୍ମରାଶି ଆଡ଼େ ଚାହିଁ, ଉନ୍ମାଦିନୀ ପରି ଅଟ୍ଟହାସ୍ୟ କରି କହିଲେ...“ବୁଝିଛି ଚକ୍ରୀ, ବୁଝିଛି ତୁମର ଚକ୍ରାନ୍ତ; କିନ୍ତୁ ସୁଦର୍ଶନ ଚକ୍ରର ଚକ୍ରାନ୍ତ ଓ ଶକ୍ତିରେ କେବଳ କୌଣସି ସିଂହାସନ ରହିନାହିଁ, କିମ୍ବା ରହିପାରିବ ନାହିଁ-। ପ୍ରତାରିତ ଓ ନିପୀଡ଼ିତ ଆତ୍ମାର ଅଭିଶାପରେ ସବୁ ଦଗ୍‌ଧ ହୋଇଯିବ, ସବୁ ଭସ୍ମ ହୋଇଯିବ । ତୁମର ମଧ୍ୟ ସେଥିରୁ ନିସ୍ତାର ନାହିଁ ଶ୍ରୀକୃଷ୍ଣ ! ସ୍ଵଜନ ଦ୍ରୋହ ମଧ୍ୟରେ ସୋମବଂଶ ପରି, ବିରାଟ ଯଦୁବଂଶ ମଧ୍ୟ ଦିନେ ନିଷ୍ପ୍ରଦୀପ ହୋଇଯିବ । ତୁମର ପ୍ରିୟପୁତ୍ର ପ୍ରଦ୍ୟୁମ୍ନ ସୁଦ୍ଧା ସେଥିରୁ ରକ୍ଷାପାଇବ ନାହିଁ ।”

 

ଉଚ୍ଛ୍ଵସିତ କ୍ରନ୍ଦନର ରୁଦ୍ଧ ଆବେଗରେ ଗାନ୍ଧାରୀ ଦୁର୍ଦ୍ଦକ୍ଷର ଭସ୍ମରାଶି ଉପରେ ଲୋଟିପଡ଼ିଲେ ।

 

ଶ୍ରୀକୃଷ୍ଣଙ୍କ ଦୁଇ ରଂଗାଧରରେ ଚିରରହସ୍ୟ ବିଜଡ଼ିତ ସ୍ମିତ ହାସ୍ୟରେଖା, ଦ୍ଵିତୀୟାର କ୍ଷୀଣ ଶଶିରେଖା ପରି ବିକ୍ଷୁବ୍‌ଧ ଅନ୍ଧାର ମଧ୍ୟରେ ଧୀରେ ଧୀରେ ମଳିନ ହୋଇ ଆସୁଥିଲା ।

 

ଅସ୍ତାଚଳରେ ଇନ୍ଦ୍ରପ୍ରସ୍ଥର ଗିରିମାଳା ନେପଥ୍ୟରେ, ସର୍ବଦ୍ରଷ୍ଟା ଦିବାକର ମଧ୍ୟ ଅସ୍ତମିତ ହେଉଥିଲେ ।

।।।।।।

 

ସାରଳା ମହାଭାରତର ‘‘ନାରୀ ପର୍ବ”ରେ ବର୍ଣ୍ଣିତ ଗୋଟିଏ ଉପାଖ୍ୟାନ ଅବଲମ୍ବନରେ ଏହି ଗଳ୍ପଟି ଲିଖିତ ହୋଇଅଛି । ଏହା ସଂସ୍କୃତ ମହାଭାରତରେ ନାହିଁ ଓ ସଂସ୍କୃତ ମହାଭାରତରୁ ସାରଳା ମହାଭାରତର ଏହା ଏକ ବିଷୟଗତ ବୈଷମ୍ୟ–ଲେଖକ ।

Image

 

ଆଗନ୍ତୁକ

(ବ୍ରହ୍ମାନନ୍ଦ ପଣ୍ଡା)

 

ଭଦ୍ରବ୍ୟକ୍ତିଙ୍କୁ ସ୍ଵାଗତ କରିବା ପରିବର୍ତ୍ତେ ପ୍ରଶ୍ନଭରା ଆଖିରେ ମୁଁ ତାଙ୍କ ମୁହଁକୁ ଚାହିଁ ରହିଲି । ଖଳାରେ, ଧାନ ବେଙ୍ଗଳା ପାଖରେ ମୁଁ ତାଙ୍କର ଉପସ୍ଥିତି କଳ୍ପନା କରିଥାନ୍ତି ବା କାହିଁକି ? ତାଙ୍କର ଆଗମନ ପଛରେ ମୋର ନିଜ ଆଡ଼ରୁ କିଛି କାରଣ ଦେଖିପାରୁ ନଥିଲି । ସେହିଁ ପ୍ରଥମେ ମୁହଁ ଖୋଲିଲେ ଇଂରେଜୀରେ, “ମୁଁ ଆପଣଙ୍କ ଗାଁରେ ସ୍ଥାୟୀ ଭାବରେ ରହିବାପାଇଁ ଆସିଚି ।”

 

ଭଦ୍ରବ୍ୟକ୍ତ ସାହେବୀ ପୋଷାକ ପରିହିତ । ଚାରି ପାଞ୍ଚ ଦିନ ରେଳରେ ଯାତ୍ରା କରିବା ପରେ ପୋଷାକଟିକୁ ସେ ପୁଣିଥରେ ଇସ୍ତ୍ରୀ କରି ସେ ପିନ୍ଧିଚନ୍ତି ମୁଁ ସ୍ପଷ୍ଟ ଜାଣିପାରୁଥିଲି । ତାଙ୍କର ଚେହେରାର ଲଘୁ ଶ୍ୟାମଳବର୍ଣ୍ଣ ରେଳଧୂଆଁ ପ୍ରଭାବରେ ଟିକିଏ ନିସ୍ତେଜ ଓ ଖଦଡ଼ା ଦିଶୁଥିଲା ଯଦିଓ, ସାବୁନ୍ ଦେଇ ଖୁବ୍ ଭଲଭାବରେ ସେ ସ୍ନାନ କରିଚନ୍ତି ବୋଲି ମୁଁ ବୁଝିପାରୁଥିଲି । ଧଳା ଧରି ଆସୁଥିବା ମୁଣ୍ଡର ପତଳା ବାଳରେ ଅଠାଳିଆ ତେଲ ଓ ପାଣି ବିନ୍ଦୁ ଚିକ୍ ଚିକ୍ କରୁଥିଲା । ଗୋଟାଏ ସୂକ୍ଷ୍ମ ଧୂଳି ଆବରଣ ତାଙ୍କ ଯୋତାର ପଲିଷକୁ ମ୍ଳାନ କରିଥିଲା, ସାପ ଦେହର କାତି ଭଳି-। ହାତରେ ଦାମିକା ସିଗାରେଟ ଟିଣ, ଗୋଟାଏ ଟାଣୁଥିଲେ ବଡ଼ ଉତ୍ତେଜିତ ଭାବରେ । ଇଏ ଆସି ଆମ ଗାଁରେ ରହିବାପାଇଁ କାହିଁକି ଆଗ୍ରହିତ ହୋଇଚନ୍ତି ମୁଁ ଅନୁମାନ କରନ୍ତି କିପରି ? ଆମର ଭାଷା ଜାଣନ୍ତିନି, ଭାବ ଜାଣନ୍ତିନି; ଚେହେରା ପୋଷାକ, ଆଚରଣରେ ଆମ ପରିବେଶ ଓ ପ୍ରକୃତିର କୌଣସି ଚିହ୍ନ ନାଇଁ । କ’ଣ ତେବେ ଏଥିର ରହସ୍ୟ ?

 

ମୋର ଚୌକିଟିରେ ତାଙ୍କୁ ବସିବାକୁ କହି ମୁଁ ଠିଆହେଇ ରହିଲି । ସୌଜନ୍ୟ ଦୃଷ୍ଟିରୁ କୌଣସି ଦ୍ଵିଧା ପ୍ରକାଶ ନକରି ସେ ବସିପଡ଼ିଲେ । କହିଲି, “ମୁଁ ଆପଣଙ୍କ ପରିଚୟ ଆହୁରି ପାଇନି-। ତଥାପି, ଆମ ଗାଁରେ ଆସି କିଏ ଘର ଦୁଆର କରି ରହିବ, ଆମ ସୁଖ ଦୁଃଖରେ ଭାଗୀ ହେବ, ଏକଥା ଶୁଣି ମୁଁ ଆନନ୍ଦିତ ନହେବି କିମିତି ?”

 

ଭଦ୍ରଲୋକ କହିଲେ, “ମୁଁ ଏ ଗାଁରେ ଗୋଟାଏ ଶିଳ୍ପ ପ୍ରତିଷ୍ଠାନ ଗଢ଼ିବି । ପ୍ରତିଦିନ ଦୁଇ ହଜାର ଲୋକ କାମ ପାଇବେ । ବର୍ଷସାରା ବିଲରେ ମାଟି ତାଡ଼ି ଯାହା ନ ମିଳନ୍ତା, ମାସକରେ ଜଣେ ମୂଲିଆକୁ ମୁଁ ତାହା ଦେଇପାରିବି । ଏଠି ଉଚ୍ଚ ଇଂରାଜୀ ବିଦ୍ୟାଳୟ ହେବ, ପାଣିପାଇଁ ପାଇପ୍ ବ୍ୟବସ୍ଥା ହେବ, ପ୍ରତି ଘରେ ଟାଇଲ ପଡ଼ିବ, ଭଲ ଡାକ୍ତରଖାନା ହେବ, ସବୁଦିଗରୁ ଲୋକେ ଉନ୍ନତ ଜୀବନଯାପନ କରିପାରିବେ ।”

 

ମୁଁ କିଛି କହିବା ପୂର୍ବରୁ ଗୋଟାଏ ଲମ୍ବା ଲଫାପା ଭିତରୁ ସେ ଏକ ନକ୍‌ସା ବାହାର କଲେ । ସେଥିରେ ଗୋଟାଏ ଜାଗାରେ ଲାଲ କାଳିରେ ଏକ କ୍ଷୁଦ୍ର ବୃତ୍ତ ଉପରେ ଆଙ୍ଗୁଠି ରଖି ମତେ ସସ୍ମିତ ମୁହଁରେ କହିଲେ, “ଏଇଥିପାଇଁ କେବଳ ମୁଁ ଆପଣଙ୍କ ସଙ୍ଗେ ଦେଖାକରିବାକୁ ଆସିଚି ।”

 

ଦେଖିଲି, ନକ୍‌ସାଟି ଆମ ଗାଁର । ସମଗ୍ର ବିଲମାଳରେ କଳକାରଖାନାର ସ୍ଥାନ ନିରୂପିତ ହେଇସାରିଚି । ଳାଲ ବୃତ୍ତଟି ମୋର ଖଳା । ଭଦ୍ରବ୍ୟକ୍ତି କହିଲେ,

 

“ଏତକ ଜାଗାପାଇଁ ମୁଁ ଆପଣଙ୍କୁ ପାଞ୍ଚ ହଜାର ଟଙ୍କା ଦେବାକୁ ପ୍ରସ୍ତୁତ ଅଛି । ଆଉ, ଆପଣ ଏ ଗାଁର ଶିକ୍ଷିତ, ସମ୍ଭ୍ରାନ୍ତ ଲୋକ । ଲୋକେ ଆପଣଙ୍କ କଥା ମାନନ୍ତି । ସେମାନଙ୍କୁ ମନେଇ ଅନ୍ୟ ଜମିସବୁ ଯଦି ମୋପାଇଁ ବିନା ବିବାଦରେ କରାଇ ଦିଅନ୍ତି, ତାହାହେଲେ ଆଉ ଦଶ ହଜାର ଟଙ୍କା ଆପଣ ନଗଦ ପାଇପାରିବେ କିମ୍ବା ମୋର କମ୍ପାନୀରେ ଅଂଶ ଭାବରେ ରଖିପାରିବେ ।”

 

ତାଙ୍କୁ ଅସଭ୍ୟ, ଉଦ୍ଧତ, ପରସ୍ଵଲୋଲୁପ କହି ତଡ଼ିବା ତ ଦୂରର କଥା, ମୁଁ ଏକପ୍ରକାର ବିମୂଢ଼, ଅସହାୟ ଅବସ୍ଥାରେ ପଡ଼ିଥିଲି । ତାଙ୍କର ଘୃଣିତ ପ୍ରସ୍ତାବଟିକୁ ମୁଁ ନିଃସଂକୋଚନରେ ପ୍ରତ୍ୟାଖ୍ୟାନ କରିପାରିଥାନ୍ତି କିନ୍ତୁ ତାଙ୍କର ଏ ଦାରୁଣ ଉପସ୍ଥିତି ମୋର ଚିନ୍ତା ଉପରେ ଏପରି ଭାବରେ ମାଡ଼ି ବସିଥିଲ ଯେ ମୁଁ ଏକପ୍ରକାର କ୍ରିୟାଶୂନ୍ୟ ହୋଇଯାଇଥିଲି । ମୋର ମୁହଁରେ କଥା ନଥିଲା, ଖାଲି ଠିଆ ହେଇଥିଲି ସେପରି ।

 

ହଠାତ୍ ଉଠିପଡ଼ି ଭଦ୍ରବ୍ୟକ୍ତି କହିଲେ,

 

“ସପ୍ତାହକ ପରେ ମୁଁ ପୁଣି ଆସିବି । ଏ ଭିତରେ ଆପଣ ଚିନ୍ତାକରି ଦେଖନ୍ତୁ । ନମସ୍ତେ-।”

 

କ୍ଷିପ୍ର ପାଦ ପକାଇ ସେ ଚାଲିଗଲେ ଦୂରର ଏକ ମୋଟର ଗାଡ଼ି ଆଡ଼କୁ । ବହୁତ ବେଳଯାଏଁ ଅପଲକ ଆଖିରେ ମୁଁ ତାଙ୍କୁ ଚାହିଁ ରହିଲି ପଛରୁ । ମୋର ମନେହେଲା, ବନ୍ୟାଭଳି ମାଡ଼ିଆସି ଏ ଲୋକଟା ଆମର ସବୁକିଛି ଯେପରି ଭସାଇ ନେଇଯାଇଚି–ଆମର ଆଶା, ବିଶ୍ଵାସ ଓ ପରମ୍ପରା । ତା’ର ଏ ଆଗମନ ଯେପରି ଏକ ନୂତନ ଯୁଗର ସଙ୍କେତ । ଗୋଟାଏ ସଭ୍ୟତା, ଗୋଟାଏ ସଭ୍ୟତା ସଂସ୍କୃତି ଶେଷ ହେବାର ପ୍ରାରମ୍ଭ । ସେ ଯେ ଅବଶ୍ୟ ଆସିବ ମୁଁ ଶଙ୍କାକୁଳ ଚିତ୍ତରେ ଅନୁଭବ ନକରି ରହିପାରିଲିନି ।

Image

 

Unknown

ବଡ଼ଲୋକି

(କିଶୋରୀ ଚରଣ ଦାସ)

 

ଅଫିସ ଛୁଟିବେଳ ।

 

ବେହେରାବାବୁ ହଠାତ୍ ରୁମ୍‌ର ଦୁଆରବନ୍ଧରେ ଛିଡ଼ାହେଲେ । ପୁଣି କାମଥିବ ଭାବି ମୁଁ ମନେ ମନେ ଟିକିଏ ବିରକ୍ତ ହେଲି । ପଚାରିଲି କ’ଣ କି ? ଆଉ କିଛି କାମ ଅଛି ?

 

ନାଇଁ ଆଜ୍ଞା–

 

ପାନବୋଳା ଓଠକୁ ବିସ୍ତାରିତ କରି ବେହେରାବାବୁ ଅଳ୍ପ ହସି କହିଲେ, “ମୁଁ ପଚାରୁଥିଲି କି–ଆପଣ ଘରେ ଥିବେ ସନ୍ଧ୍ୟାବେଳେ ?”

 

କିଛି ନ ଭାବି ମୁଁ ହଠାତ୍ ହଁ କରିଦେଲି । ତା’ପରେ ବେହେରାବାବୁ ଉବ୍ଦେଳିତ ହୋଇ କହିଲେ, ‘ମୋ ସ୍ତ୍ରୀ କହୁଥିଲା ଆପଣଙ୍କ ଘରକୁ ଯିବ ବୋଲି–ଆପଣଙ୍କ କାମଥିଲେ ଅବଶ୍ୟ’–

 

ନା ନା ଆମେ ଦିହେଁ ଘରେ ଥିବୁ । ତାଙ୍କୁ କହିବେ ଆସିବେ । ଏଥିରେ ପଚାରିବାର କ’ଣ ଅଛି ?

 

ବେହେରାବାବୁ ନମସ୍କାର କରି ପଛେଇଗଲେ । ମୁଁ ଉଦାରତାର ଭଙ୍ଗୀଟିକୁ ଆଉ ଟିକିଏ ନିଠେଇ କହିଲି ‘ନିଶ୍ଚୟ ଆସିବେ ମୁଁ ଅପେକ୍ଷା କରିଥିବି ।”

 

ମନେ ମନେ ଭାବିଲି–ଯଦି ସେ ମୋ ଚଉକିରେ ବସିଥାନ୍ତେ ଓ ମୁଁ ତାଙ୍କ ଜାଗାରେ ଥାଆନ୍ତି, ତାହାହେଲେ ଦୃଶ୍ୟଟା କ’ଣ ଅନ୍ୟ ରକମର ହୋଇଥାଆନ୍ତା ?

 

...ସନ୍ଧ୍ୟାବେଳେ ବେହେରାବାବୁ ଓ ତାଙ୍କ ସ୍ତ୍ରୀ ଆସିଲେ । ମୋର ଭଉଣୀ ଶୋଭା ତାଙ୍କ ସ୍ତ୍ରୀଙ୍କୁ ଘର ଭିତରକୁ ନେଇଗଲା । ମୁହୂର୍ତ୍ତକର ଝଲକରେ ଦେଖିଲି ଯେ ସେ ଗୋଟିଏ ଚକଚକିଆ ସିଲ୍‍କ ଶାଢ଼ୀ ପିନ୍ଧିଛନ୍ତି ଓ ଦେହ ହାତରେ ସୁନାର ଝଲମଲ । ଆଶ୍ଚର୍ଯ୍ୟ ହେଲି । ଶୁଣିଥିଲି ସେ ବଡ଼ଘରେ ବାହା ହୋଇଛନ୍ତି । କିନ୍ତୁ ତା’ ବୋଲି ଚଳନ୍ତା ପ୍ରମାଣ କାହିଁକି ?

 

ବେହେରାବାବୁ ଧୋତୀ ପଞ୍ଜାବୀ ପିନ୍ଧି ଆସିଥିଲେ । ମାର୍ଜିତ ଓ ପରିଷ୍କାର ଚା’ କପ୍‌ରେ ସରୁ ଚୁମୁକି ଦେଇ ବେଶ ଭଦ୍ରୋଚିତ କଥାବାର୍ତ୍ତା କରିବାକୁ ଚେଷ୍ଟା କରୁଥାନ୍ତି–ରାଜନୀତି, ପାଣିପାଗ ଇତ୍ୟାଦି ଇତ୍ୟାଦି । ଖୁସି ହେଲି, ଯେ ଯାହାହେଉ ବେହେରାବାବୁ ପ୍ରକୃତରେ ସାମାଜିକ ସମତା ରକ୍ଷା କରିପାରିଛନ୍ତି ଏଇ ଘରୋଇ ସାକ୍ଷାତରେ ।

 

ହାତବନ୍ଧା ଘଡ଼ିକୁ ଦେଖି ବେହେରାବାବୁ ହଠାତ୍ କହି ଉଠିଲେ–‘‘ଯିବାବେଳ ହୋଇଗଲାଣି ।”

 

ଲୋକ ଗଲା ତାଙ୍କ ସ୍ତ୍ରୀଙ୍କୁ ଡାକିଆଣିବାକୁ । କିନ୍ତୁ ଟିକିଏ ଡେରି ହେଲାରୁ ବେହେରାବାବୁ ହସି କହିଲେ–‘ମାଇପେ ପାଞ୍ଚ ମିନିଟରେ ସାଙ୍ଗ ହୋଇଯାଆନ୍ତି,–ନୁହେଁ ଆଜ୍ଞା ?”

 

ମୁଁ ବି ହସିଲି । କିନ୍ତୁ ବେଶି ହସିଲି ମନେ ମନେ,–ଟିପ୍‍ପଣୀଟିରେ କେତେଟା ମନର କଥା ଓ କେତେଟା ବଡ଼ଲୋକି ବନ୍ଧୁତାର ବାହାଦୂରୀ ?

 

ସେମାନେ ଚାଲିଗଲେ । କୃଷ୍ଣା ଓ ଶୋଭା ଦିହେଁଯାକ ହସି ହସି ଚଞ୍ଚଳ ରାତିରେ ଚାଲିଆସିଲେ ମୋ ପାଖକୁ । କ’ଣ ଯେମିତି କହିବେ ବୋଲି ତରସହୁନାହିଁ । ମୋତେ ଠିକ୍‌ କରିବାକୁ ସମୟ ଲାଗିଲା–ଏ ଦିହିଁକ ଭିତରେ କିଏ ବେଶି ପିଲାଳିଆ ।

 

କୃଷ୍ଣା କହିଉଠିଲା–‘ତୁମ ମିସେସ୍ ବେହେରା ବାସ୍ତବିକ ବଡ଼ଲୋକ ।” ଶୋଭା ହସିକରି କହିଲା,–‘ନା–ଭୁଲ କହିଲ ଭାଉଜ ବୋଉ । ସେ ବଡ଼ଲୋକ ନୁହନ୍ତି । ତାଙ୍କର ବଡ଼ଲୋକି ଅଛି ।’ “ମାନେ ?” ମୁଁ କୃଷ୍ଣାକୁ ପଚାରିଲି ।

 

‘ମାନେ ? –ମାନେ ଖୁବ୍ ସରଳ । ତୁମ ବନ୍ଧୁପତ୍ନୀ ସିଲ୍‍କ ଶାଢ଼ୀ ପିନ୍ଧନ୍ତି, କିଛି ନୂଆ କଥା ନୁହେଁ । କିନ୍ତୁ ସେ ସମସ୍ତଙ୍କୁ ଜଣାଇବାକୁ ଚାହାନ୍ତି ଯେ ଏ ସବୁଠୁ ଭଲ ସିଲ୍‌କ–ତାଙ୍କ ବାପା କେଉଁଦୂର ବିଦେଶରୁ ଯୋଗାଡ଼ କରି ଆଣିଥିଲେ ।’ ଆଉ ବାହାଘରବେଳେ ସମସ୍ତେ ତା’କୁ ଦେଖି ତାଟକା ହୋଇଯାଇଥିଲେ–’

 

ଶୋଭା ଯୋଗ ଦେଲା–‘ତା’ଛଡ଼ା ତାଙ୍କ ହାତର ମୁଦିରେ ଯେଉଁ ପଥରଟା ବସିଛି, ସେ କୁଆଡ଼େ ଖୁବ୍ ଦାମିକା, ହୀରାଠୁ ବଳି–’

 

ଦୁହେଁଯାକ ଠୋ ଠୋ ହୋଇ ହସି ଉଠିଲେ ।

 

ମୁଁ ବି ହସିଦେଲି । କାରଣ ମନେହେଲା ଯେମିତି ମୁଁ ନ ହସିଲେ ସେମାନେ ଝାଉଁଳି ଯିବେ ।

 

ଶୋଭା କହି ଚାଲିଥାଏ–‘ପୁଣି କୁଆଡ଼େ ବେହେରାବାବୁ ଏମିତି ସୁକୁମାରିଆ ସେ ସବୁଦିନେ ମାଛ ମାଂସ ନହେଲେ ହେବନାହିଁ ଓ ତାଙ୍କ ନିଜରବି ସବୁଦିନେ କିଛି ମିଠା ଦରକାର–ରସଗୋଲା ସନ୍ଦେଶ ଇତ୍ୟାଦି ।

 

“ମୋର ଖାଲି ପଚାରିବାକୁ ମନହେଉଥିଲା–ଏତେ କଥାପାଇଁ ଟଙ୍କା ଆସେ କେଉଁଠୁ-?” ଚତୁରତାର ଭଙ୍ଗୀରେ କୃଷ୍ଣା କହିଲା ।

 

ଟିକିଏ ଅଶ୍ଵସ୍ତି ବୋଧ କଲି । କିନ୍ତୁ ମିସେସ୍ ବେହେରାଙ୍କ ସମ୍ମାନ ରକ୍ଷା କରିବାକୁ ଯାଇ ଉପସ୍ଥିତ ବର୍ତ୍ତମାନକୁ ଅସୁଖୀ କରିବାର ସାହସ ନଥିଲା । ଖାଲି ପଚାରିଲି–‘‘ଆଚ୍ଛା ତାହାହେଲେ ମୋଟ ଉପରେ ତାଙ୍କ ବିଷୟରେ ଧାରଣା କ’ଣ ?”

 

ଗୋଟିଏ ଶବ୍ଦରେ ‘ଫୁଲେଇ’ । ଏତିକି କହି କୃଷ୍ଣା ମୋ ଆଡ଼କୁ ଅନାଇଲା ଅନୁମୋଦନ ପାଇଁ । ‘ତା’ ମାନେ’ ମୁଁ କହିଲି ‘ସେ ନିଜର ବଡ଼ଲୋକିଟିକୁ ଭଲଭାବରେ ଦେଖାଇ ଜାଣନ୍ତିନାହିଁ-। ତେଣୁ ଦେଖାଇ ହେଲାପରି ଜଣାଯାଏ–ନୁହେଁ ?’

 

ଯାହା ତୁମେ ଅର୍ଥ କରିପାର–କିନ୍ତୁ ମୋତେ ଯେମିତି ଲାଗିଲା କହିଲି–ଏତିକି କହି କୃଷ୍ଣା ଆଲୋଚନାରେ ପୂର୍ଣ୍ଣଛେଦ ପକାଇଦେଲା ।

 

ମୁଁ ବି ଖୁସି ହେଲି ସେ କଥାର ଗତି ବଦଳିଯାଇଛି ।

 

X X X

 

ସେଇଦିନ ରାତିରେ ପ୍ରାୟ ୯ଟା ବେଳକୁ–ନଭେଲ୍ ଖଣ୍ଡକ ପ୍ରାୟ ସାରିବାକୁ ବସିଛି, ଏଇ ସମୟରେ ଦାଣ୍ଡରେ ଗୋଟିଏ ମଟର ହାଜର ।

 

‘ସାହେବ ଘରେ ଅଛନ୍ତି’ ମିଃ ରାୟଙ୍କ କଣ୍ଠ; ବନ୍ଧୁତାର ଆକ୍ରମଣରୁ ରକ୍ଷା ପାଇବାପାଇଁ ନିଜକୁ ପ୍ରସ୍ତୁତ କରି ରଖିଲି ।

 

କିନ୍ତୁ ପାରିଲିନାହିଁ । ନିଜର ଦୁର୍ବଳତାକୁ ପ୍ରଶ୍ରୟ ଦେଲାପରି ସହଜ ସୁନ୍ଦର ଜିନିଷ ବୋଧହୁଏ ନାହିଁ ଆଉ କିଛି । ପାଞ୍ଚ ମିନିଟ୍‌ର କଥାବାର୍ତ୍ତା ପରେ ମିଃ ରାୟ ମୋତେ ରାଜି କରାଇପାରିଲେ ଯେ ତାଙ୍କ ସାଙ୍ଗରେ ମୋତେ ଗୋଟିଏ ଇଂରାଜୀ ପିକ୍‍ଚର ଦେଖିବାକୁ ଯିବାକୁ ପଡ଼ିବ । ସାଙ୍ଗରେ ଥିବେ ମିସେସ୍ ରାୟ, ତାଙ୍କ ଭଉଣୀ ଓ ଅଧ୍ୟାପିକା ମିସ୍ ପଟ୍ଟନାୟକ । ତା’ପରେ କୃଷ୍ଣାକୁ ରାଜି କରାଇବାର ଭାର ରହିଲା ମୋ ଉପରେ ।

 

କୃଷ୍ଣା ବୋଧହୁଏ ଆମର ସବୁ କଥାବାର୍ତ୍ତା ଶୁଣୁଥିଲା । କାରଣ ମୁଁ ନ ପଚାରୁଣୁ ସେ କହିଲା–‘ମିଃ ରାୟଙ୍କୁ କହିଦିଅ–ମୁଁ ଯାଇପାରିବିନାହିଁ ।’

 

‘କାହିଁକି ?’

 

‘କାହିଁକି–ଏକଥା ସେ ପଚାରିପାରନ୍ତି । ତୁମେ ପଚାରି କିଛି ଲାଭନାହିଁ । ମୋର ଇଚ୍ଛାନାହିଁ ମୋଟ ଉପରେ ।’

 

‘କିନ୍ତୁ ତୁମେ କାଲି କହୁଥିଲ ଇଂଲିଶ୍ ପିକ୍‌ଚର୍ ବହୁତଦିନୁ ଦେଖିନାହିଁ–’

 

‘ନିଜର ଇଚ୍ଛା ବଦଳାଇବାର ଅଧିକାର କ’ଣ ମୋର ନାହିଁ ?’ କୃଷ୍ଣାର ଯୁକ୍ତି ଶୁଣିବା ଧୈର୍ଯ୍ୟ ନଥିଲା । ତା’ଛଡ଼ା ସେଥିପାଇଁ ସମୟ ଓ ସ୍ଥାନ ଉପଯୋଗୀ ନଥିଲା ।

 

ତେଣୁ ପଚାରିଲି–

 

‘ପ୍ରକୃତ କାରଣଟା କ’ଣ ଜାଣିପାରେ କି ?’

 

କୃଷ୍ଣା ଦୃଢ଼ ହେବାକୁ ବୋଧହୁଏ ପ୍ରତିଜ୍ଞା କରିଥିଲା । ମୋ ଆଡ଼କୁ ଘୁଞ୍ଚିଆସି କହିଲେ ‘ଆଚ୍ଛା ତାହେଲେ ଶୁଣ । ତୁମ ସାଙ୍ଗରେ ଥିବେ ମିସେସ୍ ରାୟ ଓ ମିସ୍ ପଟ୍ଟନାୟକ । ସେମାନଙ୍କ ସାଙ୍ଗରେ ପଅରଦିନ ନାରୀ ସମିତି ମିଟିଂକୁ ଯାଇଥିଲି ଓ କିଛିଦିନ ଆଗେ ଏକ୍‍ଜିବିସନ୍‍ରେ ତାଙ୍କର ସାଙ୍ଗରେ ଦେଖା ହୋଇଥିଲା–’

 

‘ହେଉ–ସେଥିରେ କ୍ଷତି କ’ଣ ?’

 

‘କ୍ଷତି ତୁମେ ବୁଝିପାରିବନାହିଁ । ସମାଜରେ ଚଳିବାକୁ ହେଲେ ନିଜର ସମ୍ମାନ ରଖି ଚଳିବାକୁ ପଡ଼େ । ବର୍ତ୍ତମାନ ଯେଉଁ ଦୁଇ ତିନିଖଣ୍ଡ ସିଲ୍‌କ ଓ ଜର୍ଜେଟ ଶାଢ଼ୀ ପିନ୍ଧିଛି, ସେସବୁ ତାଙ୍କରି ଆଗରେ ପିନ୍ଧିଥିଲି । ବର୍ତ୍ତମାନ ଆଉ ଆଜିକାଲିକାର ଭଲ ଶାଢ଼ୀ ପାଖରେନାହିଁ । ସେସବୁ ଅଛି........ ।

 

ତା’ପରେ ସେ କହିବାକୁ ଲାଗିଲା କେଉଁ ଘରେ, କେଉଁ ଟ୍ରଙ୍କରେ ସେସବୁ ଅଛି, ଯାହାକୁ ବର୍ତ୍ତମାନ ଆଣିବା ସୁବିଧାଜନକ ହେବନାହିଁ,–ଇତ୍ୟାଦି ଇତ୍ୟାଦି ।

 

‘ଆଚ୍ଛା–ପାଖରେ ଥିବା ଭିତରୁ ଖଣ୍ଡେ ପିନ୍ଧି ଗଲେ କ୍ଷତି କ’ଣ ?

 

କୃଷ୍ଣା ବର୍ତ୍ତମାନ ବାସ୍ତବିକ୍ ବିରକ୍ତ ହେଲାପରି ଜଣାଗଲା । କହିଲା–‘ନା–କ୍ଷତି କ’ଣ ଅଛି-? ତୁମର କ’ଣ ଯାଏ ଆସେ, ବାହାରେ ତୁମ ସ୍ତ୍ରୀର ମାନ ରହିଛି କି ନାହିଁ ? ଦୁନିଆଯାକର ଲୋକ ସବୁଦିନେ ନୂଆ ନୂଆ ଫେସନର ଶାଢ଼ୀ ପିନ୍ଧି ଆସିବେ । ଆଉ ମୁଁ ଯିବି ସେଇୟାକୁ ପିନ୍ଧି, ସାଇତା ପେଡ଼ି ଲୁଗାପରି ।

 

‘ହଁ ତୁମେ କହିପାର,–ମୁଁ ବେଶଭୂଷାରେ ମନଦେଉଛି କାହିଁକି । ତା’ର ଉତ୍ତରରେ ମୁଁ କହିବି ଯେ ଏ’ଟା ମୋର ଦୋଷ ନୁହେଁ । ତୁମେ ଯେଉଁ ସମାଜରେ ବଡ଼ ଅଫିସର ବୋଲି ଖାତିର ପାଅ, ତାହାରି,–ସେ ମୋତେ ପ୍ରଶ୍ନ ମୁହୂର୍ତ୍ତରେ ମନେପକାଇଦିଏ ଯେ ମୁଁ ବଡ଼ଲୋକର ସ୍ତ୍ରୀ ।

 

ଏ ଯୁକ୍ତି ଏମିତି ଚାଲିଥାନ୍ତା କେତେବେଳ ଯାଏ । କିନ୍ତୁ ସିନେମା ବେଳ ହୋଇଯାଇଛି ବୋଲି ମୁଁ ତରତରରେ ଚାଲିଆସିଲି । ମିଃ ରାୟଙ୍କୁ କୈଫିୟତ୍ ଯାହାକିଛି ଦେବାକୁ ପଡ଼ିଲା ।

 

ବହୁତ ସମୟ ଯାଏ କୃଷ୍ଣାର ସେଇ ଶେଷ ପଦଟା ମୋ କାନରେ ବାଜୁଥାଏ । ମୁଁ ବଡ଼ଲୋକର ସ୍ତ୍ରୀ ।

 

ଦୟା ହେଲା ତା’ ଉପରେ । ମିସେସ୍ ବେହେରା ବିଚାରୀ ଦେଖାଇବାକୁ ଚାହେଁ ଯେ ସେ ବଡ଼ଲୋକ, କରୁଣ ପିଲାଳିଆ ଉତ୍ସାହ ନେଇ ସେ ଜଣାଇବାକୁ ଚାହେଁ ନିଜର ଐଶ୍ଵର୍ଯ୍ୟ । ଏଥିରେ ହୁଏତ ସେ ଆନନ୍ଦ ପାଏ । କିନ୍ତୁ କୃଷ୍ଣା ଶିକ୍ଷିତା ଓ ବଡ଼ଲୋକ କ’ଣ ସେ ଜାଣେ । ସେଇଥିପାଇଁ ସେ ଚାହେଁ ସେଇ ବଡ଼ଲୋକି ତା’ର ସ୍ଵାଭାବିକ ଅଂଶ ହୋଇ ରହୁ । ସେଥିରେ ଅଭିନୟ ନଥିବ, ଥିବ ସ୍ଵାଭାବିକ ସହଜ ଭଙ୍ଗୀ ଅଭିନୟର ଉତ୍କର୍ଷ । କିନ୍ତୁ ଏଇ ମୁଦ୍ରାଟିକୁ ଧରିରଖିବା ଟିକିଏ କଷ୍ଟକର । ତେଣୁ ଅଳ୍ପ ବହୁତ ଅସୁବିଧାରେ କୃଷ୍ଣା ଭାଙ୍ଗିପଡ଼େ, ସଚେତ ହୋଇଯାଏ ଯେ ସେ ଅଭିନୟ କରୁଛି । ସେତେବେଳେ ସେ ଦୋଷଦିଏ ସମାଜକୁ ଓ ତା’ର ସ୍ଵାମୀକୁ ଯେ ସେମାନେ ତା’ର ଏଇ ଅବସ୍ଥାପାଇଁ ଦାୟୀ ।

 

ମିସେସ୍ ବେହେରାଙ୍କ ନିର୍ବୋଧ ଉତ୍ସାହରେ ହସ ଲାଗିଥିଲା । କିନ୍ତୁ କୃଷ୍ଣାର ଏଇ ସାଧନାର କ୍ଳିଷ୍ଟତାରେ ଦୁଃଖ ଲାଗିଲା । କାହିଁକି, କାହିଁକି ସେ ଜାଣିଶୁଣି କଷ୍ଟ ଦେଉଛି ନିଜକୁ ଗୋଟାଏ ଅବାସ୍ତବ ମୋହପାଇଁ ?

 

ସେଇଦିନ ରାତି । ସିନେମା ଦେଖି ବାଲକନିର ତଳକୁ ଖସୁଛି । ମୁହଁରେ ଥାଏ ଗୋଟିଏ ଇଂରେଜୀ ସୁର୍‌ର ଆଳାପ ।

 

ପାହାଚର ତଳେ ଠିକ୍ ପହଞ୍ଚିଛି ଏଇ ସମୟରେ ଶୁଣିଲି–

 

‘କିରେ ବିନୋଦ !’

 

ଅନାଇ ଦେଖିଲି,–ବେକଯାଏ ବୋତାମ ଦିଆ କାମିଜ ପିନ୍ଧି ଛୋଟ ବାଳ ଓ ମୋଟା ଚଷମା ବିଶିଷ୍ଟ ଗୋଟାଏ ଲୋକ ମୋ ଆଡ଼କୁ ଅନାଇ ହସୁଛି ।

 

ମିନିଟିଏ ଡେରି ଲାଗିଲା ଚିହ୍ନିବାକୁ । ତା’ପରେ ମନେପଡ଼ିଲା ସେ ହେଉଛି ଜଗନ୍ନାଥ ଓରଫ ଜଗା, ମୋର ସ୍କୁଲ ବେଳର ସାଙ୍ଗ । ଦି’ବର୍ଷ ତଳେ ଦେଖା ହୋଇଥିଲା ଥରେ ।

 

ପାଖେଇ ଆସି ତା’ ହାତକୁ ଧରିପକାଇ ପଚାରିଲି–

 

‘କିରେ–ତୁ କୁଆଡ଼େ ?’

 

‘ଏଇ ଆସିଥିଲି–ପୋଷ୍ଟର୍ ଦେଖିବାକୁ’

 

‘ଛବି ଦେଖିବାକୁ ନୁହେଁ ?’ କୌତୁହଳ ସହ ପଚାରିଲି ।

 

ଉହୁଁ–ପଇସାନାହିଁ ।

 

ଶେଷ ପଦଟା ସେ କହିଲା ନିହାତି ସହଜ ଓ ସାଧାରଣ ଭାବରେ । କିନ୍ତୁ ସେଥିରେ ଥିଲା ସତ କଥାର ତୀକ୍ଷ୍ଣତା ।

 

ମୁଁ ପଚାରିଲି ‘ଏବେ କେଉଁଠି ?’

 

‘ସେଇ ଅଫିସରେ ଦି’ବର୍ଷରେ ପାଞ୍ଚଟଙ୍କା ବଢ଼ିଛି’ । ମତେ ତରତର ହେବାକୁ ପଡ଼ିଲା । ରାୟ ପ୍ରଭୃତି ମଟର ପାଖରେ ଅପେକ୍ଷା କରି ରହିଥିଲେ । ତେଣୁ ଜଗାକୁ କହିଲି–‘ଆଚ୍ଛା ମୁଁ ଯାଉଛି-। ଶୁଣ–ତୁ ସେଇ ମଙ୍ଗଳାବାଗରେ ଅଛୁନା ? ମୁଁ ଯଦି ହେବ, ଏଇ ରବିବାରକୁ ଯିବି ।

 

ସେ ଆସ୍ତେ ଆସ୍ତେ କହିଲା ଆବେଗଶୂନ୍ୟ କଣ୍ଠରେ–ହେଁ ମୁଁ ସେଇଠି ଅଛି । ତୁ କେତେବେଳେ ଆସିବୁ ?

 

ଏଇ ପାଞ୍ଚଟା ଛଅଟାବେଳେ । ଆଚ୍ଛା’–

 

ମୁହଁ ଫେରାଇ ଚାଲିଲି ଆଗକୁ ! ମୋତେ ଲାଗିଲା ଜଗା ମୋତେ ଅନେଇ ରହିଛି ପଛରୁ ।

 

ବାଟରେ ଭାବୁଥାଏ କାହିଁକି ଜଗାକୁ କଥା ଦେଲି ତା’ ଘରକୁ ଯିବି ବୋଲି । ରବିବାର ଦିନ ବରଂ କୌଣସି ଫୂର୍ତ୍ତିର ଆୟୋଜନ କରିଥିଲେ ଭଲ ହୋଇଥାନ୍ତା । ସାତ ଦିନରେ ଛୁଟି, ତାକୁ ଏମିତି ମାରା କରିଦେବା ଉଚିତ ହୋଇନାହିଁ । ତା’ପରେ ନିଜକୁ ଥାପୁଡ଼େଇ ଭାବିଲି,–ନା–ନା–ଠିକ୍ ହୋଇଛି–କାହିଁକି ଜଗା ଭାବିବ ଯେ ମୁଁ ବଡ଼ଲୋକ ହୋଇଗଲିଣି ଓ ଭୁଲିଯାଇଛି ତା’କୁ–

 

X X X ରବିବାର ସନ୍ଧ୍ୟା । ସାଦା ପଞ୍ଜାବୀ ଓ ଧୋତି ପିନ୍ଧି ମୁଁ ବାହାରିପଡ଼ିଲି ମଙ୍ଗଳାବାଗ–ଜଗା ଘରକୁ ।

 

ତା’ ଘରର ଠିକଣା ଜାଣିଥିଲେବି ପାଇବାକୁ ଟିକିଏ ଡେରି ଲାଗିଲା । ଗଳିଗୁଡ଼ାକ ସବୁ ଲାଗିଲା ଏକାଭଳିଆ ଓ ତା’ ଭିତରେ ଘରସବୁ । ବୁଲୁ ବୁଲୁ ପହଞ୍ଚିଲି ଗୋଟାଏ ଗଳିର ଶେଷ ମୁଣ୍ଡରେ । ଆଗରେ ଗୋଟାଏ ପୋଖରୀ, ଉପରେ ବିଲାତି ଦଳର ଚାଦର, ଚାରିପାଖରେ ବାଉଁଶବଣ, ସିଜୁ ବୁଦା । ଗଳିର ଗୋଟାଏପାଖରେ ପୋଖରୀ ହୁଡ଼ା ଉପରକୁ ଗୋଟିଏ ଚାଳିଆ । ଶୁଖିଲା ତାଳବାହୁଙ୍ଗା ଖେଳା ହୋଇପଡ଼ିଛି । ଟୋକେଇ ସବୁ ଘୋଡ଼ା ହୋଇ ରଖାଯାଇଛି । ବୁଝିବାକୁ ଡେରି ଲାଗିଲାନାହିଁ ଯେ ତା’ ଭିତରେ ଅଛନ୍ତି କୁକୁଡ଼ା । ଘଷି ଗୋବର ଥାକ ମରାହୋଇ ଥୁଆ ହୋଇଛି ଓ ତା’ ପାଖରେ ଗୋଟିଏ ବୁଢ଼ୀ । ବୁଢ଼ୀ ବଲ ବଲ ହୋଇ ଅନେଇ ରହିଛି ନିଜ ଆଗକୁ ଓ ମୁଣ୍ଡର ବାଳକୁ ଖେଳାଇ ଦୁଇ ହାତକୁ ଟାଣୁଛି । ମନେହେଲା ସେ ଯେମିତି ନିଜ ଉପରେ ଖୁବ୍ ଖୁସି,–ନିଜର, ବାର୍ଦ୍ଧକ୍ୟ ଓ କୁତ୍ସିତତା ଉପରେ । ମୁହଁ ଫେରାଇଆଣିଲି–ବୋଧହୁଏ ତା’ର ସ୍ଥିର ଦୃଷ୍ଟିରେ ମୁଁ ବି’ ବଦଳିଯିବି । ସେଇ ଚାଳିଆର ସାମ୍ନାରେ ଗୋଟାଏ ଘର । ମାଟି ଘର-। କେଉଁଦିନୁ ଲିପାପୋଛା ହୋଇନାହିଁ, ପିଣ୍ଡାରେ କେତୁଟା ଲଙ୍ଗଳା ପିଲା ମହାଆନନ୍ଦରେ ବୁଲୁଛନ୍ତି-।

 

କୁଆଡ଼େ ଯିବି ଭାବୁଛି କିଛି ସମୟ । ନାକରେ ବାଜୁଛି ଘଷି ଗୋବର ନର୍ଦ୍ଦମା ଓ କୁକୁଡ଼ା ଘୁଅର ମିଶାମିଶି ଗୋଟିଏ ବିଚିତ୍ର ଗନ୍ଧ । ସଞ୍ଜୁଆ ପବନ ସେଇ ଗନ୍ଧକୁ ତୀବ୍ର କରିଦେଉଛି-। ଏଇ ସମୟରେ ହଠାତ୍‌ ଆଖି ପଡ଼ିଲା ଘରର କାନ୍ଥରେ ଅଙ୍ଗାରରେ କ’ଣ ଲେଖା ହୋଇଛି ଇଂରାଜୀରେ । ତେବେ ଏଠି କ’ଣ କେହି ଇଂରାଜୀ ପଢ଼ୁଆ– ?

 

ଭାବିବାକୁ ସମୟ ପାଇଲିନାହିଁ । ଘର ଭିତରୁ ବାହାରି ଆସିଲା ଜଗା । ଲୁଗା ଖଣ୍ଡେ ପିନ୍ଧିଛି, ଅଣ୍ଟା ପାଖରେ ଗଣ୍ଠି କରି । ବାକି ଦେହଟା ଖାଲି । ବେକର ଯାହା ଗୋଟାଏ ମଇଳା ମାଳି-। ମୋତେ ଦେଖି କହି ଉଠିଲା–‘କିରେ ତୁ ଆସିଛୁ ତାହାହେଲେ । ମୁଁ ଭାବିନଥିଲି ତୁ ଆସିବୁ ବୋଲି ।’

 

‘କାହିଁକି ?’

 

ମୋ ମୁହଁକୁ କିଛି ସମୟ ଅନାଇରହି କହିଲା–‘କାରଣ–ତୁ ବୋଧହୁଏ ଆସିବାକୁ ଚାହିଁବୁ ନାହିଁ ।’

 

ସେଇ ଜଗା । ଆଖିରେ ତା’ର ନିଆଁ ଲଗା ଚାହାଣୀ । ସବୁ ଯେମିତି ଧ୍ଵଂସ କରିଦେବ,–ତୁମର ସୂକ୍ଷ୍ମ, ଭୀରୁ ଭାବନା, ତୁମର ରୁଚି, ଭଦ୍ରତା ଓ ନମ୍ରତା । ମନେପଡ଼ିଲା ସ୍କୁଲର ଗୋଟିଏ ଡିବେଟିଂ ପ୍ରତିଯୋଗୀତା କଥା । ଆମେ ସମସ୍ତେ ମୁଖସ୍ଥ କରି ଆସିଥିଲୁ କ’ଣ କହିବାକୁ ହେବ । କିନ୍ତୁ ଜଗା ନିଜ ମନରୁ ଯାହା ଆସିଲା କହିଗଲା,–ସେଥିରେ ହଜାରେ ଭୁଲ ଥିବା ସତ୍ତ୍ୱେ ଥିଲା ଯେମିତି ବିଶ୍ଵାସର ଦୃଢ଼ତା ଓ ଉତ୍ତାପ । ସେ ପ୍ରାଇଜ୍‌ ପାଇଲାନାହିଁ । କିନ୍ତୁ ପାଇଲା ସମସ୍ତଙ୍କର ବିସ୍ମୟ ଓ ପ୍ରଶଂସା । ସହଜ ସାମାଜିକ ସତ୍ୟଗୁଡ଼ିକ ସେ ଟିକିନିଖି କରି ଚିରି ଦେଖାଇଦେଲ । ସେ ସେଥିରେ ଅଛି କୃତ୍ରିମତା, ଭ୍ରମ ଓ ଶଠତା । ସେଥିରେ ଯୁକ୍ତିର ଭୁଲ ଥିଲା ଯଥେଷ୍ଟ । କିନ୍ତୁ ତା’ କହିବା ଭଙ୍ଗୀରୁ ମନେହେଉଥିଲା ଯେ ସେ ସତ ହୋଇଥିବ ।

 

ଅନେକେ ତାକୁ ଆଡ଼ପାଗଳା ବୋଲି କହନ୍ତି । କେହି କହନ୍ତି ତା’ର ଦାରିଦ୍ର୍ୟ ତାକୁ ଏପରି କରିଦେଇଛି । କେହି କହନ୍ତି ପିଲାଦିନୁ ତା’ର ବାପ ମା’ ନାହାନ୍ତି,–ସେଇଲାଗି । ସେ ଯାହାହେଉ–ତା’ର ଏଇ ଅସ୍ଵାଭାବିକ ମନୋଭାବ ମୋ ପାଖରେ ହୋଇଥାଏ ଗୋଟିଏ ମୂଲ୍ୟବାନ ଜିନିଷ । ତା’ ସାଙ୍ଗରେ ବନ୍ଧୁତା ମୁଁ ଜାଣିଶୁଣି କରିଥିଲି, ସଂଗ୍ରାହକର ଉତ୍ସୁକତା ନେଇ । ପାଖରେ ପାଇବାକୁ ଡର ଲାଗୁଥିଲା–କିନ୍ତୁ ଦୂରରେ ରଖି ନିଜର ବୋଲି କହିବାକୁ ଭଲଲାଗୁଥିଲା । ଏଇ ଦେଖ,–ସେ ମୋର ଜଣେ ସାଙ୍ଗ–ଅସାଧାରଣ, ଆଦରର ବସ୍ତୁଟିଏ ।

ଜଗା ମୋତେ ଭିତରକୁ ଡାକିଲା । ଘର ଭିତରକୁ ପଶିଲାବେଳେ ମୁଣ୍ଡ ନୁଆଁଇ ଯିବାକୁ ପଡ଼ିବ ଜାଣି ନଥିଲି । ମୁଣ୍ଡ ବାଜିଲା କବାଟର ଚଉକାଠରେ । ଆଉଁସୁଛି, ଏଇ ସମୟରେ ଜଗା ପଚାରିଲା–‘ବେଶି କାଟିନାହିଁ ତ । –ଆମର ସିନା ଅଭ୍ୟାସ ହୋଇଗଲାଣି । ତୋର ତ–’

ସାଙ୍ଗେ ସାଙ୍ଗେ ତାକୁ କହିଲି–‘ନାଇଁ–ସେଥିରେ କ’ଣ ଅଛି ? ଆମ ଗାଆଁରେ ତ ଏମିତି କବାଟ ଥାଏ । ମୁଁ କ’ଣ ଗାଆଁରେ ଚଳିନାହିଁ ? ଏହିକ୍ଷଣି ଟିକିଏ ଅସାବଧାନରେ–’

ଜଗା ଟିକିଏ ହସିଲାପରି ଜଣାଗଲା ଘର ଭିତରେ କେଉଁଠି ବସିବି ଠିକ୍‌ କରିବାକୁ ଡେରି ଲାଗିଲା । ଗୋଟିଏ ଚଉକି ଓ ଗୋଟିଏ ଖଟ ଘରର ଉପକରଣ । କାହାର କାହା ସାଙ୍ଗରେ ସମ୍ବନ୍ଧନାହିଁ ଯେମିତି । ଚଉକି ଉପରେ ଥୁଆ ହୋଇଛି ମଇଳା ଲୁଗା କେତେଖଣ୍ଡ ଓ ସେ ରହିଛି ଗୋଟାଏ କୋଣକୁ ।

ଜଗା ଶୀଘ୍ର ଚଉକିଟା ସଫାକରି ମଝିକୁ ଟାଣିଆଣିଲା ତଥାପି ସନ୍ଦେହ ହେଉଥାଏ, ଯେ ସେ ଜମି ରହିଥିବା ଧୂଳି ଏତେ ସହଜରେ ସଫା ହୋଇପାରିବନାହିଁ ।

ବସି ପଡ଼ିଲି ଚଉକିରେ । ଜଗା ଖଟ ଉପରେ ବସି ମୋତେ ଚାହିଁ ରହିଲା, –ପଚାରିଲା ‘କେମିତି ଲାଗୁଛି ଘରଟା ?’ କ’ଣ ଉତ୍ତର ଦେବି କିଛି ଭାବିପାରିଲିନାହିଁ । ଘର ଭିତରର ଅଳନ୍ଧୁ, ଧୂଳି, ଚୂନ ଛାଡ଼ି ଆସିଥିବା କାନ୍ଥ, କୋଣକୁ ଡେରା ହୋଇଥିବା ହେଁସ, ଝରକାର ଠଣା ଉପରେ ଥୁଆ ହୋଇଥିବା ଫଟା ଫୁଲପକା କାଚ ଗିଲାସ ସବୁ ଆଖିରେ ପଡ଼ିଲା । ଟିପ୍‌ପଣୀ ଦେବି କାହା ଉପରେ ? କ’ଣ ବା ଦେବି ? ସେଇଘରେ ଥିବା କେବଳ ଯୋଡ଼ିଏ ଜିନିଷକୁ ମୁଁ ପ୍ରଶଂସା କରିପାରିଥାନ୍ତି । ଗୋଟିଏ ହେଉଛି ଜଗା ନିଜେ ଓ ଅନ୍ୟଟି ହେଉଛି ବିବେକାନନ୍ଦଙ୍କର ଗୋଟିଏ ଫଟୋ, କାନ୍ଥରେ ଟଙ୍ଗା ହୋଇଛି । କିନ୍ତୁ ଦ୍ଵିତୀୟ ବି ଯେମିତି ନିଜକୁ ଲଗାଇବାକୁ ଚାହୁଁଥିଲା ସେଇ ଅନ୍ଧାର ଧୂଳି ଭିତରେ ।

ପ୍ରକାଶ୍ୟରେ କହିଲା–‘କଟକରେ ଭଡ଼ାଘର ଆଉ ଭଲ ମିଳିବ କେଉଁଠି ? ଏ’ତ ମନ୍ଦ ନୁହେଁ । ବାରଣ୍ଡା ଅଛି–ଅଗଣା ଅଛି । ମୁଁ ଯେତେବେଳେ ଟୁର୍‍ରେ ଯାଏଁ ମଫସଲକୁ, ସେତେବେଳେ ଯେଉଁ ଘରେ ରହେ ତୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବୁ । ଗୁହାଳଠାରୁବି–’

ଜଗା କିଛି କହିଲାନାହିଁ, ଟିକିଏ ହସିଲା ଖାଲି । କିଛି ସମୟ ପରେ ଜଗା ଭିତର ଘରକୁ ଯାଇ ପୁଣି ଫେରିଆସିଲା ଟିକିଏ ପରେ । କହିଲା–‘ଶ୍ରୀମତୀ ଆସିବାକୁ ଲାଜ କରୁଛନ୍ତି । ମଫସଲର ଝିଅ ଯେତେହେଲେ–’

ମୁଁ ଅପ୍ରତିଭ ହେଲି । କହିଲି, ଆମ ଘରେ ଏବେ କେଉଁ ଆଧୁନିକା ଅଛନ୍ତି ? ଅଗତ୍ୟା କେତେବେଳେ ବାହାରକୁ ଆସିବାକୁ ପଡ଼େ–ତା’ ନ ହେଲେ–

ଛୋଟିଆ ଟୋକାଟିଏ ହାତ ନଥିବା କପ୍‍ରେ ଚା’ ଆଣି ଥୋଇଦେଲା । ଖାଲି ଦେହରେ ଖଣ୍ଡେ ମଇଳା ପ୍ୟାଣ୍ଟ ପିନ୍ଧିଥାଏ । ପଚାରିଲି–‘ଏ କିଏ ?’

‘ଏ ମୋର ଭାଇ, ମାଇନର ସ୍କୁଲରେ ପଢ଼େ । କିନ୍ତୁ ପଢ଼ିବାକୁ ସମୟ ପାଏନା–କାରଣ ଅଧିକାଂଶ ସମୟ ଘରକାମ କରିବାକୁ ପଡ଼େ, ବଜାରକୁ ଯିବାକୁ ପଡ଼େ–’ ପିଲାଟିର ମୁହଁରେ ବୋଧହୁଏ ଥିଲା ଉତ୍ସୁକ ଭାବର ଦୀପ୍ତି । କହିଲି–‘ବେଶ୍‌ ବୁଦ୍ଧିଆ ଜଣାପଡ଼ୁଛି । ତୋରି ଭଳିଆ ହେବ-।’

ଜଗା ଉତ୍ତର ଦେଲା–‘ତୋର ଆଶୀର୍ବାଦ ।’ ଚା’ ନାମକ ଉଷୁମ ପାଣିକୁ ଢକ୍‌ ଢକ୍‌ କରି ପିଇଦେଲି । ଜଗା ତା’ର ଗିଲାସରେ ଥିବା ଚାଆରେ ମୁହଁ ଦେଇ କହିଲା–‘କିରେ ତୁ ପିଇଦେଲୁ ଯେ ! ଚିନି କମ୍‌ ଲାଗିଲାନାହିଁ ?’

‘କାହିଁ ନା ତ । ତା’ ଛଡ଼ା ମୁଁ ଅଳ୍ପ ଚିନି ଖାଏ–’

ତା’ପରେ କିଛି ସମୟ ଲଣ୍ଠନ ଆଲୁଅର ଜ୍ୟୋତିରେ ମୁଁ ଜଗା ସାଙ୍ଗରେ କଥାବାର୍ତ୍ତା କରିବାକୁ ଲାଗିଲା । ତା’ ମୁହଁକୁ ଦେଖିପାରିଲିନାହିଁ । ତା’ ଉପରେ ପଡ଼ିଥିଲା ଲଣ୍ଠନର ଛାଇ ।

କଥା କହୁଥିଲି ମୁଁ ଜଗା ଶୁଣୁଥିଲା । ତା’ପରେ ମୁଁ କହିଲି, ଚାକିରୀ କଥା, ଘରକରଣା କଥା, ସେ ଯେଉଁ ଅଫିସରେ ଅଛି ସେଥିରେ ଶୀଘ୍ର ପ୍ରମୋସନ ହୋଇଯାଏ । ମିଃ ଦତ୍ତ କେମିତି ସେଇ ଅଫିସର କିରାଣୀ ପଦରୁ ଉଠି ଉଠି କଲେକ୍ଟର ହୋଇଥିଲେ । କିନ୍ତୁ ମୋ ଚାକିରୀରେ ନାଁଟା ସିନା ବଡ଼–ଆଉ କିଛିନାହିଁ । ପଇସା ବେଶି ଖର୍ଚ୍ଚ ହୁଏ । ସବୁବେଳେ ଚିନ୍ତା ଦକ । ଉପର ହାକିମର ଖୋସାମତି ଇତ୍ୟାଦି । ମୁଁ କେମିତି ଚାହିଁଥିଲି ମାଷ୍ଟର ହେବାକୁ, କିନ୍ତୁ ବାପା ରାଜି ହେଲେନାହିଁ । ମୋଟ ଉପରେ ସବୁ ଚାକିରୀ ସମାନ । ସ୍ଵାଧୀନତା ନାହିଁ । କଳରେ ବନ୍ଧା, ଇତ୍ୟାଦି ଇତ୍ୟାଦି ।

କେତେବେଳଯାଏଁ ଏମିତି କହି ଚାଲିଥିଲା । ହଠାତ୍‌ ଜଗା ମୋତେ ଚେତାଇ ଦେଲା ଯେ ଆଠଟା ବାଜିଲାଣି । ମୁଁ ଉଠିପଡ଼ିଲି–କହିଲି–‘ଯାଉଛି ଜଗା ବହୁତ ବେଳ ହୋଇଗଲାଣି ।’

ସେ ଆପତ୍ତି କଲେନାହିଁ । ମୋତେ ଛାଡ଼ିବାକୁ ଆସିଲା ବାହାରକୁ । ଅନ୍ୟମନସ୍କ ହୋଇ ମୋ ସାଙ୍ଗରେ ଚାଲିବାକୁ ଲାଗିଲା–ଗଳିମୁଣ୍ଡ ପର୍ଯ୍ୟନ୍ତ ପାଛୋଟି ଦେବାକୁ ।

ବଡ଼ ରାସ୍ତା ଉପରକୁ ଆସିଲୁ । ଇଲେକ୍‌ଟ୍ରିକ୍‌ ବତୀଖୁଣ୍ଟ ତଳେ ମୁଁ ଜଗାର, ହାତ ମିଳାଇ ବିଦାୟ ନେବାକୁ ଚାହିଁଲି । ପଚାରିଲି–‘ତୁ କେବେ ଆସିବୁ ମୋ ଘରକୁ ?’

ଜଗା ମୋ ମୁହଁକୁ ଚାହିଁଲା । ହାତର ବନ୍ଧନଟା କୋହଳ ହୋଇଯାଇଥିଲା ସେ ତା’କୁ ମୁଠେଇ ଧରି କହିଲା–‘ଭାଇ ବିନୋଦ–ଯଦି କହେ ମୁଁ ଯିବିନି, ତୁ ଦୁଃଖ କରିବୁନାହିଁ ତ ?’

‘ମାନେ ?’ –ଆଶ୍ଚର୍ଯ୍ୟ ହୋଇ ପଚାରିଲି । କିଛି ସମୟ ଧୀର ଶାନ୍ତ ଗଳାରେ ଜଗା କହିଲା–‘ମାନେ ତୁ ବଡ଼ଲୋକ । କିନ୍ତୁ ମୁଁ ତୋ ପାଖକୁ ଗଲେ ତୁ ଦେଖାଇବାକୁ ଚାହିଁବୁ ଯେ ତୋର ବଡ଼ଲୋକିନାହିଁ । ତୁ ମୋ’ ପରି ଜଣେ, ପାର୍ଥକ୍ୟ ଅଳ୍ପ କିଛି । ମୁଁ ପ୍ରତି ମୁହୂର୍ତ୍ତରେ ଭାବିବି ଯେ ତୁ ମୋ’ ଲାଗି ମଞ୍ଚ ଉପରୁ ଖସି ଆସୁଛୁ ମୋ ସାଙ୍ଗରେ ହାତ ମିଳେଇବା ପାଇଁ ଓ ତୁ ସବୁବେଳେ ଭାବିବୁ ଯେ ଜଗା କିଛି ମନେକରୁନାହିଁ ତ ! ସେଇ କ୍ଷଣିକର ଅଶ୍ୱସ୍ତି ତୋତେ ଦେବି କାହିଁକି ? ତା’ଛଡ଼ା ମୋର ସେଥିରେ ସମ୍ମାନ ହେବନାହିଁ,–ହେବ ଅପମାନ ।

‘କ’ଣ କହୁଛୁ ଜଗା ? ମୁଣ୍ଡ ଖରାପ ହୋଇଗଲାଣି ତୋର ?’ ଜଗା ଶ୍ଳେଷ ମିଶା ସ୍ଵରରେ କହିଲା–‘ନାଇଁ ଭାଇ–ମୋ’ ମୁଣ୍ଡ ଠିକ୍‌ ଅଛି, କିନ୍ତୁ ଭାଷା’ ବୋଧହୁଏ ଠିକ୍‌ ନାହିଁ ।’ ସେଥିପାଇଁ ମୁଁ କ୍ଷମା ମାଗି ନେଉଛି ।

‘ଆଚ୍ଛା ହେଉ,–କ’ଣ କହିବାର ଅଛି କହ’–ମୁଁ ଟିକିଏ ବିରକ୍ତ ହୋଇ କହିଲି ।

‘ନା କହିଥାନ୍ତି ବହୁତ–କିନ୍ତୁ କହିବିନାହିଁ । କହି ଲାଭନାହିଁ । ଖାଲି ଏତିକି କହିରଖେ ଯେ ଆମକୁ ସବୁଠୁ କ’ଣ ବାଧେ ଜାଣୁ ? ଯେତେବେଳେ ତୁମେମାନେ ବିଳାସର କୋଟୀରେ ରହି ଆମ ସଙ୍ଗରେ ମିଶିବାକୁ ଚେଷ୍ଟା କର, ଆମର ଦାରିଦ୍ର୍ୟକୁ ରୋମାଣ୍ଟିକ ଛାପ ଦେବାକୁ ଚେଷ୍ଟା କର,–କୋଠାଘରେ ରହି କୁହ ଯେ ଗଛ ତଳର ଛାଇ କି ସୁନ୍ଦର ! ଆମକୁ ଘୃଣା କରନ୍ତ–ଦୂରରେ ରଖନ୍ତ–ଆମେ ଜାଣନ୍ତୁ ଯେ ତୁମେ ଓ ଆମେ ଅଲଗା । କିନ୍ତୁ ସେଥିରେ ଥାନ୍ତା ସରଳ ସତ୍ୟତା । କିନ୍ତୁ ଯେତେବେଳେ ତୁମେମାନେ ସହାନୁଭୂତିର ଦୁହା ଦେଇ ଆମର ମଇଳା, ନିକୁଛିଆ ସଂସାରକୁ ଭଲ ବୋଲି କୁହ ଓ ଦେଖାଇହୁଅ ଯେ ତୁମେ ତା’ ଭିତରୁ ଜଣେ–ସେଇ ଛଳନାଟି ସବୁଠୁ କଷ୍ଟଦିଏ-

ଏତେଗୁଡ଼ା କଥା କହିସାରି ସେ ମୋ ପିଠିରେ ଥାପୁଡ଼ାଇ କହିଲା–ଭାବିବୁନି କିଛି ବିନୋଦ-କ’ଣ ବୋଲି କ’ଣ କହିଦେଲି–ଜାଣୁ ତ ମୁଁ ଏମିତି କହିଥାଏ ଚିରଦିନ ।

 

କେତେ ଶୀଘ୍ର ତା’ଠାରୁ ବିଦାୟ ନେଇ ଆସିଲି ଜାଣେନା । କିନ୍ତୁ ବାଟଯାକ ଖାଲି ଭାବୁଥିଲି–‘ସତକଥା, ମୁଁ ବଡ଼ଲୋକ–ମୋର ବଡ଼ଲୋକି ରହିବା ଉଚିତ । ସେତିକ ଘୋଡ଼ାଇ ଉଦାରତା ଦେଖାଇ ଲାଭ କ’ଣ ? ମନେପଡ଼ିଲା କୃଷ୍ଣା ଓ ମିସେସ୍‌ ବେହେରାଙ୍କ କଥା । ଭାବିଲି–ସେମାନେ ବୋଧହୁଏ ମୋ’ଠାରୁ କମ୍‌ ନିର୍ବୋଧ ।’

Image

 

ମେଡ଼ିସିନ

(ମହାପାତ୍ର ନୀଳମଣି ସାହୁ)

 

ଘରକଥା ପଦାରେ ପକାଇବାର ନୁହ କିନ୍ତୁ ଏକଥା ମୁଁ ନିଶ୍ଚୟ ପଦାରେ ପକାଇବି । କିଓ କିଆଁ ନ ପକେଇବି ? ବାହାରେ ମୋର ଯେଉଁ ଗର୍ବ ମୁଁ ଅର୍ଜିଚି ତାକୁ ଯଦି ସମସ୍ତେ ଜାଣୁଚନ୍ତି ତେବେ ମୋ ଘର ଭିତରେ ମୁଁ ଯେଉଁ କୃତିତ୍ଵ ଓ ଗୌରବ ମୋ ବୁଦ୍ଧି ଖରଚ କରି ହାସଲ କରୁଚି ସେକଥା ତୁମ ତାଙ୍କ ପରି ପାଞ୍ଚଜଣ ହାମ୍‍ଦରଦୀଙ୍କ ଆଗରେ ଡେଙ୍ଗୁରା ପିଟି କହି ଗର୍ବ ଅନୁଭବ କରିବା ସାଥି ସାଥି, ମୋ ବୁଦ୍ଧିର ଗୁମର, ମୋ ପରି ଅଧମାମାନଙ୍କୁ ନ କହିବି ବା କାହିଁକି ?

 

ତେବେ ମୋ କଥା କ’ଣ କି ମାଇନର ସପ୍ତମ ଶ୍ରେଣୀରେ ତ ମୁଁ ବାହା ହେଲି । ସେତେବେଳେ ମୋତେ ଦ୍ଵାପର ଯୁଗର କୃଷ୍ଣଙ୍କ ପ୍ରେମକରା ବୟସମାନେ ପନ୍ଦର କି ଷୋହଳ । ଶଶୁରେ କହିଥିଲେ ସାଇକେଲ ଦେବେ, ଘଣ୍ଟା ଦେବେ । ସେଇ ଲୋଭରେ ଦୁଇ ହାତକୁ ଚାରିହାତ ହୋଇଗଲି । ପଛରେ ସିନା ଯୁଦ୍ଧ ବଜାରରେ ସାଇକେଲ ଘଣ୍ଟା ଦାମ ବଢ଼ିଯିବାରୁ ଶଶୁର ମୋର ପିଲାଳିଆ ଓଠଲଗା କଥା କହି କସୁର ମାନିନେଲେ । ଫେର ନନା ଯେତେବେଳେ ଜିଦ୍‌ ଧରନ୍ତି ସେତେବେଳେ ଶଶୁର ଏକାବେଳକେ ଫାଙ୍କି ଦେଲେ । କି ସାଇକେଲ ଘଣ୍ଟା ହୋ ! ଆଜିକାଲି ଯୁଗରେ ତ ବି. ଏ. ବାଲାଙ୍କୁ ସାଇକେଲ ମିଳୁନି; ଆଉ ତୁମ ପୁଅ ତ... (ଛି ସାଡ଼ିକୁ ଲାଜ କଥା) । ଗାଁର ଜଣେ ମଉସା ଲେଖା ମାମଲତକାର ଯେତେବେଳେ ଆମ ପକ୍ଷ ହେଇ କହିଲେ, ‘‘ଆପଣ ବହୁତ କହିଥିଲେ କିଛି ଦେଲେନି ।’’ ଗୋଟିଏ ଲମ୍ବା ହସରେ କଥାଟାକୁ ଉଡ଼େଇଦେଇ ଶଶୁର କହିଲେ, ‘‘କିଛି ଦେଇନି ! ! ଝିଅଟେ ତ ଦେଲି– ତା’ଠୁ ଅଧିକା କ’ଣ ଦିଅନ୍ତି ?’’ ସମସ୍ତେ ଚୁପ୍‌ । ନନା ମୋ ଶଶୁରଙ୍କୁ ତାଙ୍କ ଶଶୁର ପୁତ୍ରଙ୍କ ସାଥିରେ ସାମ୍ୟବାଦ ନୀତିରେ ଅଭେଦ କଳ୍ପନା କରି ରୂପକ କର୍ମଧାରୟ ସମାସ ତିଆରି କଲେ ଓ ଯେମିତି ଘରେ ଆସି ଗର୍ଜନ କଲେ ସେକଥା ମୁଁ ତମକୁ କହିବିନି ।

 

ତେବେ ଏ ତ ଗଲା ଶଶୁରଙ୍କ କଥା । ତାଙ୍କ ଝିଅଙ୍କ କଥା ଶୁଣି ତୁମେ ମୋହ ନହୋଇ ଓଲଟି ମୁହଁ ମୋଡ଼ିବ । ମାଇନର ସପ୍ତମ ଶ୍ରେଣୀଠୁ ଆଜିଯାଏ ମାନେ ମୋର । ଥର୍ଡ଼ଇଆର ଯାଏ ତାଙ୍କଠୁ ସେମିତି କିଛି ଗୋଟାଏ ସୁଆଦ ମୁଁ ପାଇଲିନି । ସେଥିପାଇଁ ଅଧିକାଂଶ ଛୁଟିରେ ମୁଁ ଘରକୁ ଯାଏନା । ତୁମେ ବୋଧହୁଏ ଭାବୁଛ ମୋ ଶ୍ରୀମତୀଟି ଅସୁନ୍ଦରୀନାହିଁ । ନାଁଟି ତାଙ୍କର Classical ଯୁଗର ହେଲେବି ମତେ ଭଲଲାଗେ । ଦେହର ରଙ୍ଗଟି ମଧ୍ୟ ମୋ ରଙ୍ଗଠାରୁ ଭଲ ଓ ତୋଫା । କିନ୍ତୁ ଗୋଟିଏ ଗୁଣ ତାଙ୍କଠି ଖରାପ । ସେ ଗୁଣଟିବି ଖରାପ ହୋଇନଥାନ୍ତା, ଯଦି ମୋର ଶଶୁର ଓରଫ ନନାଙ୍କର ଶଶୁର ପୁତ୍ର ସେଥିଲାଗି ବାଲ୍ୟକାଳରୁ ଚେଷ୍ଟା କରିଥାନ୍ତେ ।

 

ତା’ ମାନେ ଶ୍ରୀମତୀଙ୍କ ଶ୍ରୀ ନାମଟି ସରସ୍ଵତୀ ହେଲେ କ’ଣ ହେଲା; ସରସ୍ଵତୀ ସ୍ଵୟଂ ସରସ୍ୱତୀଙ୍କୁ ଚିହ୍ନିନାହାନ୍ତି । ଏଇକଥା ଲାଗି ଦିନା କେତେ ମୁଁ ଭାରି ଅସୁବିଧା ଭୋଗିଛି । ‘ଲାବଣ୍ୟବତୀ’ କାବ୍ୟରେ ସରସ୍ଵତୀଙ୍କ ରୂପଠାରୁ ଲାବଣ୍ୟବତୀର ରୂପ ଆଉରି ସୁନ୍ଦର ହେଇଥିବାର ସେ କୁଆଡ଼େ (ସରସ୍ଵତୀ ଗୋଚରରେ ବିଦ୍ୟା ଥିଲା ଯେତେ । ଦେଲେ କହି ରୂପ ଦ୍ଵନ୍ଦ୍ୱ ନ କରିବୁ ମୋତେ) ଡରି ଡରି ତାଙ୍କୁ ସବୁ ବିଦ୍ୟା କହି ଦେଇଥିଲେ । ମାତ୍ର ମୋ ସରସ୍ଵତୀଙ୍କୁ ମୁଁ ଅନେକ ସରସ୍ଵତୀ ସହିତ ତୁଳନା କରି ଦେଖିଛି–ମୋ ସରସ୍ଵତୀ ତାଙ୍କଠାରୁ ଅଧିକା ୧୫।୨୦ ନମ୍ବର ପାଇଯିବେ । ଏକଥା ମୁଁ କାଇଁକି, ମୋର ଯେ କୌଣସି ବନ୍ଧୁବି କହିବେ । ତେବେ ତାଙ୍କୁ କାହିଁକି ସରସ୍ଵତୀ ଜମା ବିଦ୍ୟା ଦେଲେନି ସେକଥା ମୁଁ ଏବେବି ଭାବୁଚି । ଅନେକ ଗ୍ରୀଷ୍ମ ଛୁଟିରେ ମୁଁ ଚେଷ୍ଟାକରି ତାଙ୍କୁ ପଢ଼େଇଚି ମାତ୍ର ସବୁ ବୃଥା । ପାଠ ନ ପଢ଼ିବାଟା ଏକେବାରେ ତାଙ୍କର ଅସ୍ଥିମଜ୍ଜାଗତ ହୋଇପଡ଼ିଥିଲା । ଅବଶ୍ୟ ପହିଲେ ସେ ପାଠପଢ଼ିବାକୁ ଇଚ୍ଛାପ୍ରକାଶ କରିଥିଲେ କିନ୍ତୁ ମୁଁ ଏଣିକି ଲକ୍ଷ୍ୟ କଲି ଯେ ସତେକି ମୋ କଥାକୁ ଦୁଇକାନ ମେଲା କରିଦେଇ ଶୁଣୁଛନ୍ତି । କିଛି ମନେରଖନ୍ତିନି ! ‘ଅ’ ଅକ୍ଷରଟାକୁ ଚାରିଦିନ ଲାଗି ଶିଖିପାରିଲେନି ଯେ ସ୍ଳେଟରେ ଘୋଷି ଘୋଷି ଚିହ୍ନ ରହିଥିବା ଅକ୍ଷରଟା ଉପରେ ଲେଖିଦେଇ ସେ ମୋତେ ଠକିବାକୁ ଚେଷ୍ଟା କଲେ । ମୁଁ ଦେଖିଲି ଆଉ ହବନି । ଦିନେ ରାଗିଯାଇ ଚଟକଣାଟାଏ ପକାଇଲି । ତା’ପରେ ? ହଁ ତା’ପରେ ଯାହା ମୁଁ ଭୋଗିଛି ମୋ ମନରୁ ଯିବନି । ସେଇଦିନଠୁ ମୁଁ ‘ଅ’ କଥା ଉଠେଇଲେ ତାଙ୍କୁ ‘ଅଇ’ ଆସେ । ପାଠପଢ଼ିବାକୁ କହିଲେ ସେ ନାନାକାମର ଛଳନା କରି ମୋ ପାଖ ପଶନ୍ତିନି । ରାତିରେ ଯଦି ପ୍ରେମାଳାପ ବନ୍ଦ କରି ପାଠାଳାପର ଅବତାରଣା କରେ, ତେବେ ସେ ମୋ ପାଖରୁ ଉଠିଯାଇ ସେ ଆର ଘରେ ବୋଉକୁ ମୋଡ଼ି ବସନ୍ତି । ଆଉ ଆସନ୍ତିନି । ସେଇଠିବି ଶୋଇପଡ଼ନ୍ତି । ଏ ଘରେ ଛଟପଟ ହୋଇ ମୋତେ ଆଉ ନିଦ ହୁଏନି । ମୁହଁ ପାଖରେ ମଶା ସବୁ ବସି ଭଣ ଭଣ ହୁଅନ୍ତି । ଛାତିର ରୁମ ଭିତରେ ଝାଳ ଲାଗି ସଲ ସଲ କରେ । କାନରେ ପିମ୍ପୁଡ଼ି ପଶେ । ଏଇପରି ସବୁ ରାତିରେ ଘଟିଲା । ଦିନେ ରାତିରେ ଉଠିଗଲି ବୋଉ ଘରକୁ । ବୋହୂ ଆସିଲାଦିନୁ ବୋଉ ମୋର କେବେ ମୋଡ଼ା ଖାଇନି କିନ୍ତୁ ଏବେ ଏବେ ମୋଡ଼ା ଖାଇ ବେଶ୍‌ ଆରାମରେ ଶୋଉଚି । ଆଉ ସେଥିପାଇଁ ଶ୍ରୀମତୀଙ୍କ ଉପରେ ସେ ଏକଦମ୍‌ ସୁପ୍ରସନ୍ନା । ପାଟିକରି ଅଲାଜୁକଭାବେ କହିଲି, ‘‘କ’ଣ ରାତିଯାକ ମୋଡ଼ା ହେଉଥିବ ? ଏ କୋଉ ଆଡ଼ର ଭକ୍ତି ମୁଁ ଜାଣିପାରୁନି–ଚଞ୍ଚଳ ମୋଡ଼ିସାରି ଆସ ।’’ ମୋ ପାଟିରେ ବୋଉର ଛାଇନିଦ ଭାଙ୍ଗିଗଲା । ତେଜିଉଠି ବୋଉ କହିଲା ‘‘ଆରେ ତୋ ପରି ବେହିଆ ତ ଏ ମଞ୍ଚ ମଣ୍ଡଳରେବି ନଥିବେ । କାଇଁକି ଏ ରାତିଅଧରେ ଆସି ପାଟିଟେ କରୁଚୁ-? କ’ଣ କିଲୋ ବୋହୂ ?’’ ମୁଁ ପାଠପଢ଼ିବିନି କି ସେ ଆର ଘରେ ଶୋଇବିନି ନାକରେ ସୁଁ ସୁଁ ହୋଇ ଶ୍ରୀମତୀ କହିଲେ ନ ପଢ଼ିବୁ ତ ଭାସିଗଲା କ’ଣ ? ପାଠ ନ ପଢ଼ି ଆମେ ଆଉ କ’ଣ ମାଇପ ହୋଇ ନଥିଲୁ ! ଥାଉ ସେତିକି । ସେଇଠି ଶୋଇପଡ଼ । ଯୋଉ ତ ପାଠପଢ଼ୁଛ ଯେ, ଆଜିଯାଏ କିଛି ତା’ର ଗୁଣଗ୍ରାମ ନାଇଁ–ଟଙ୍କାତକ କରଜ ଲଗେଇ ଥିଲେ–’’ କଡ଼ ଲେଉଟାଇ ବୋଉ ଶୋଇଲା-। ଶ୍ରୀମତୀବି ସେଇଠି ଶୋଇଲେ । ଦୀର୍ଘନିଃଶ୍ଵାସ ମାରି ଦାନ୍ତ କଡ଼ମଡ଼ କରି ମୋ ଶୋଇବା ଘରକୁ ଆସିଲି । x x ମନରେ ରାଗ ଆସୁଥାଏ । କେଡ଼େ ଜବରଦସ୍ତ ! ଇଚ୍ଛା ହେଲା ଦଉଡ଼ିଯାଇ ରାସ୍କେଲଟାର ତଣ୍ଟିଧରି ଘୋଷାରି ଆଣିବି । କିନ୍ତୁ ବୋଉ–ଡଃ । ଛାତିଟା ଖାଲି ପରାଜୟଜନିତ ରାଗ ଓ ଦୁଃଖରେ ଗୁରାଣ୍ଡୀ ହେଲା । ବାହା ପଛେ ନହେବା ଭଲ କିନ୍ତୁ ବାପା ମା’ ମୁରବୀ ପଣ କରିବେ ଆଉ ଏଣେ ଘଇତା ପଣ କିପରି ସମ୍ଭବ ହୋଇପାରିବ ? ଏପରି ଅନଧିକାର ଚର୍ଚ୍ଚା ମୋର ଅସହ୍ୟ ହେଲା । ଲଣ୍ଠନ ଲଗାଇ ଜିନିଷପତ୍ର ଠିକ୍‌ କଲି । ଭାବିଲି କାଲି ସକାଳେ କଟକ ଚାଲିଯିବି ।

 

ତା’ ଆରଦିନ ସକାଳ । ଗାଧେଇଆସି ଲୁଗା ଫେର କୁଞ୍ଚୁଛି । ଶ୍ରୀମତୀ ଆସି ଆଗରେ । ମନ୍ଦାରଫୁଲିଆ ଓଠରେ ଧୋବ ଫର ଫର ଦାନ୍ତ ଦେଖାଇ ମୋ ହାତରୁ ଲୁଗା ଛଡ଼ାଇ କୁଞ୍ଚି ବସିଲେ, ‘‘କାଲି ରାତିରେ ଭାରି ରାଗିଗଲ, ନାଇଁ ? ସୁନ୍ଦର ରୂପ ଆଗରେ ମୁଁ କ’ଣ ଆପଣବି ଦୁର୍ବଳ, ମନଟା ନରମି ଆସିଲା । ଧୀର ଭାବରେ କହିଲି ‘‘ତୁମେ ହ୍ୟୁମାନ ସାଇକୋଲଜି ଜମା ଷ୍ଟଡ଼ି କରିପାର ନାଇଁ ସର । କାଲି ରାତିରେ ଅବାଧ୍ୟ ହବା କ’ଣ ତୁମର ଉଚିତ ହେଇଚି ? ଶେଷ ଧାଡ଼ିଟା କହିବା ଆଗରୁ ସେ କ’ଣ ବୁଝିଲେ କେଜାଣି ଫଁ କିନା ଗର୍ଜି ଉଠିଲେ ‘‘ସାଇକେଲ ନ ଦେଲେ ତ ମୁଁ କ’ଣ କରିବି ? ମୁଁ କ’ଣ ମନାକଲି କାହାକୁ ସାଇକେଲ ଦେବାକୁ ନାଁ ମୋର ଗଣ୍ଠି ଛିଣ୍ଡି ଯାଇଥିଲା-? ମଲା ମୋର...‘‘ଗର୍ଜି ଗର୍ଜି ସେ ଆର ଦୁଆରକୁ ଦମ୍‌ ଦମ୍‌ ହୋଇ ଚାଲିଗଲେ । ଓଦା ଗାମୁଛା ପିନ୍ଧିଥାଏଁ–ସେଇଠି ନଥକିନା ବସିପଡ଼ିଲି । ଜୀବନଯାକ ବ୍ୟାଚେଲର ରହିବ ଏପରି କାଠ କୁଣ୍ଢେଇଟେ ବାହା ହେଇ କିଛି ଲାଭନାହିଁ । ଖାଇସାରି ସେଦିନ କଟକ ବାହୁଡ଼ିଲି ।

 

ହଷ୍ଟେଲରେ କେତେ ପିଲାଙ୍କର ପ୍ରିୟାଙ୍କ ପାଖରୁ ଚିଠି ଆସେ କେତେକ ସ୍ଵକୀୟ, ପୁଣି କେତେକବି ପରକୀୟା ହସ୍ତାଙ୍କିତ ପତ୍ର । ମୋର ତ ପରକୀୟାନାହିଁ ତା’ ଛଡ଼ା ସ୍ଵକୀୟାଙ୍କୁ କ’ଣ ଲେଖି ଆସେ ଯେ ଚିଠି ଲେଖିବେ । ମନଟା ବଡ଼ ଉଦାସ ଉଦାସ ହୁଏ–ଅନ୍ୟର ଚିଠିଗୁଡ଼ାକ ଦେଖି-

 

ମନେହୁଏ । ବାହା ନ ହେଇଥାନ୍ତି କି ? କ’ଣ କରିବି । କି ଉପାୟରେ ତାଙ୍କୁ ପାଠଟା ପଢ଼ାଇଦେଲେ ମୋର ଆଉ ଦୁଃଖ ରହନ୍ତାନି । ଆଉ ତ କିଛି ଗୁଣ ଖରାପନାହିଁ । କେବଳ ଏଇ ପାଠପଢ଼ାଟା ହୋଇଗଲେ ମୋର ଆଉ ଚିନ୍ତା କ’ଣ ! କେତେ ବହି ପଢ଼ନ୍ତେ–କେତେ ଚିଠି ଲେଖନ୍ତେ କେତେ ଆଲୋଚନା କରନ୍ତେ । କିନ୍ତୁ କାଇଁ ? ମୋଟ ଉପରେ ପାଠପଢ଼ିବାକୁ ସିନା ତାଙ୍କର ଇଚ୍ଛା ଥିଲେ ହୁଅନ୍ତା । ମୋତେ କ’ଣ ପଢ଼େଇବାକୁ କଷ୍ଟ ଲାଗୁଚି ? ମନ ଭିତରେ ଅନେକ କଥା ଭାବିଲି । ଅନେକ ଉପାୟ ଖୋଜିଲି । କିପରି ତାଙ୍କ ମନ ଭିତରେ ପଢ଼ିବାପାଇଁ ଆଗ୍ରହ ଜାତ କରାଯାଇପାରିବ ? ଭାବି ଭାବି ଗୋଟିଏ ପରୀକ୍ଷାରେ ଫେଲ୍‌ବି ହେଲି । କୋଉ ଛୁଟିରେ ଘରକୁ ଗଲିନି । ଖାଲି ଉପାୟଇ ଖୋଜି ଲାଗିଲି । କିପରି ସେ ପଢ଼ିବାପାଇଁ ଆଗ୍ରହ ଦେଖାଇବେ-? ମେଡ଼ିସିନ୍‌ ? ହଁ ମେଡ଼ିସିନ୍‌–ମୋତେଇ ଗୋଟେ ମେଡ଼ିସିନ୍‌ ଆବିଷ୍କାର କରିବାକୁ ପଡ଼ିବ । ଗ୍ରୀଷ୍ମ ଛୁଟିରେ ଘରକୁ ଗଲି । ମାତ୍ର ଭିତର ଘରୁ ଆସି ଦାଣ୍ଡପାଖ ଘରେ ମୋର ବିଛଣା ପତ୍ର ଓ ଟ୍ରଙ୍କ ପ୍ରଭୃତି ରଖି ଏକୁଟିଆ ରହିଲି । କାହାରି ସଙ୍ଗେ କଥା କହେନି । ସବୁବେଳେ ଗମ୍ଭୀର । ମୋ ପରି ନିରତ ହାସ୍ୟରତ ଲୋକ ହଠାତ୍‌ ଏପରି ଗମ୍ଭୀର ହେବା ଦେଖି କେହି କିଛି ବୁଝିପାରିଲେନି । ଅବାକ୍‌ ହେଲେ । ଏପଟ ଅଗଣାକୁ ଖାଲି ଖାଇବାପାଇଁ ଆସେ । ତା’ପରେ ପୁଣି ମୋର ସେଇ ନିର୍ଜନ ଘରକୁ ଚାଲିଯାଏ । ଶ୍ରୀମତୀ ମୋର ଏ ଆବଭାବ ଦେଖି ପହିଲେ ଅବାକ୍‌ ହୋଇଯାଇଥିଲେ । ତାଙ୍କ ସଙ୍ଗେ ଆଦୌ କଥା କହେନି । ପନ୍ଦର ଦିନ ବିତି ଗଲାଣି । ଏଣିକି ଏଣିକି ଉପରେ ପଡ଼ି ସେ ମୋ ସଙ୍ଗେ କଥା କହିବାକୁ ଆରମ୍ଭ କଲେ ମୁଁ ମୁହଁ ଆଡ଼େଇଦେଇ ସେଠୁ ଖସିଯାଇ ମୋ ଘରେ କବାଟ ଦେଇଦିଏ । ସେ ଡାକି ଡାକି ନିରାଶ ହୁଅନ୍ତି । ଚିଡ଼ିଯାଇ କବାଟରେ ଦୁମ୍‌ ଦୁମ୍‌ ପିଟନ୍ତି । ଶେଷରେ ଦମ୍‌ ଦମ୍‌ ହୋଇ ଫେରିଯାନ୍ତି । ମାତ୍ର ମୁଁ ଅଟଳ । ସେ ଘରେ ପଶିବାକୁ ମୁଁ ତାଙ୍କୁ ଦିଏନି । ମୋ ବ୍ୟବହାରରେ ସେ ଏକବାର କ୍ଷୁବ୍‌ଧ ଓ ମର୍ମାହତ ହେଲେ-। ମୁଁ ଲକ୍ଷ୍ୟ କଲି ଶ୍ରୀମତୀଙ୍କଠାରୁ କିପରି ଶ୍ରୀ ତୁଟିଯାଉଚି ଆସ୍ତେ ଆସ୍ତେ । ଦିନକୁ ଦିନ ଗମ୍ଭୀର ହୋଇ ସେ ମୋର ଗତିବିଧି ଲକ୍ଷ୍ୟ କରିବା ପରେ ଜଣାଯାଉଥାଏ ମୋତେ ।

 

ଘରକୁ ଆସିଲା ଦିନୁ ପ୍ରତିଦିନ ପ୍ରାୟ ମୋ ପାଖକୁ ଡାକରେ ଚିଠି ଆସେ । ବାସନା ଓ ଚିତ୍ରକରା ଲଫାପା ଭିତରେ ଆସୁଥିବା ଚିଠିଗୁଡ଼ାକ ମୁଁ ସୁଟ୍‍କେଶ ଭିତରେ ସାଇତି ରଖେ । ଦିନେ ସଞ୍ଜବେଳେ ଆସି ସୁଟ୍‌କେଶ ଫିଟାଇ ଦେଖିଲି ଯେ ଚିଠିଗୁଡ଼ାକ ଆବୁରାଜାବୁରା ହୋଇ ପଡ଼ିଚି । କାରଣ ବୁଝିଲେବି ନ ବୁଝିଲା ପରି ରହିଲି । ପୁଣି ଦୁଇଦିନ ପରେ ଦିନେ ଝରକାବାଟେ ଆସି ଦେଖେ ଶ୍ରୀମତୀ ମୋର ଚିଠିଗୁଡ଼ାକ କାଢ଼ି ଗୋଟି ଗୋଟି କରି ଖୋଲୁଛନ୍ତି ଆଉ ବେଳେ ବେଳେ ଲଫାପାଗୁଡ଼ାକ ଶୁଙ୍ଘି ପକାଉଛନ୍ତି । କିନ୍ତୁ କିଛି ପଢ଼ିପାରୁ ନାହାନ୍ତି । ମୁହଁ ଛିଞ୍ଚାଡ଼ି ଚିଠିଗୁଡ଼ାକ ବିରକ୍ତରେ ଲୋଚାକୁଚା କରୁଛନ୍ତି ତ କେତେବେଳେ ବା ସେଗୁଡ଼ିକ ଭାଙ୍ଗିଭୁଙ୍ଗି ଠିକ୍‌ କରି ରଖୁଛନ୍ତି ମୋତେ ହସ ମାଡ଼ିଲା ଏ ଦୃଶ୍ୟ ଦେଖି ନିଶ୍ଚଳ ହୋଇ ଲକ୍ଷ୍ୟ କଲି । ଅଣନିଶ୍ଵାସୀ ହୋଇ ସେ ଚିଠିଗୁଡ଼ାକ ଏପଟ ସେପଟ ଓଲଟେଇ ଯାଉଛନ୍ତି । କିଛିକ୍ଷଣ ପରେ କ’ଣ ଭାବି କେଜାଣି ଚିଠିଗୁଡ଼ିକୁ ସେ ଠିକ୍‌ ଭାବେ ରଖିଦେଇ ମୁହଁ ଥମ୍‌ ଥମ୍‌ କରି ସେ ଘରୁ ବାହାରିଗଲେ ।

 

ସେଇଦିନ ରାତିରେ । ଖାଇବା ପାଖେ ଭାରି ଗମ୍ଭୀର ଗଳାରେ ସେ ମୋତେ ତଲବ କଲେ, ‘ଏତେ ଚିଠି କିଏ ଦଉଚି କି ? ବଡ଼ ଉଦ୍ଧତ ଓ ଚଢ଼ା ଗଳାରେ ଜବାବ ଦେଲି, ‘‘ତୁମର ଏତେ କଥା ବୁଝିବାରେ ଦରକାର କ’ଣ ?’ ସେ ବି ନଡ଼ରି ପୁଣି ପଚାରିଲେ ‘‘କ’ଣ ଏତେ ଲେଖା ହେଇଚି ସେଥିରେ ?’ ଗୋଟାଏ ବଡ଼ କୃତ୍ରିମ ହସରେ ତାଙ୍କ କଥାକୁ ଉଡ଼େଇଦେଇ ଜବାବ ଦେଲି ‘‘ତୁମ କାମ ତୁମେ କର ସେ ଲେଖା ତୁମେ କ’ଣ ବୁଝିବ ? ଅଦାବେପାରୀର ଜାହାଜ ମୂଲ କରିବାରେ ଦରକାର କ’ଣ ? ସେ ମୁହଁଟି ଝାଉଁଳିପଡ଼ିଲା । ବଡ଼ କରୁଣ ବଡ଼ ଅସହାୟ ସେଦିନର ସେଇ ମୁହଁଟି-। କିନ୍ତୁ ଛାତି ଦମ୍ଭ କରି, ପାଣି ପିଇସାରି ସେଠୁ ମୁଁ ଉଠିଆସିଲି । ଆଉ କିଛି କହିଲିନି ।

 

ତା’ର ଆରଦିନ ସକାଳେ । ମୋର ସାନ ଭାଇ ଆସି ମୋତେ କହିଲା, ‘‘ଭାଇନା, କାଲିଠୁଁ ଭାଉଜ ଖାଇନାହାନ୍ତି । ଘରେ କବାଟ ଦେଇ କାନ୍ଦୁଚନ୍ତି–କାହା ଡାକରେ ଜବାବ ଦେଉନାହାନ୍ତି । କାହିଁକିରେ ?’’ ମୁଁ ପଚାରିଲି । ‘‘ତୁମ କଲେଜରେ ରମା ବୋଲି ଗୋଟିଏ କିଏ ଝିଅ ତମ ପାଖକୁ ଚିଠି ଲେଖିଛନ୍ତି । ତୁମକୁ କଟକ ଫେରିଯିବାକୁ ସେ ଚିଠିରେ ଲେଖା ହେଇଚି । ସେ ପୁଣି ଭାଉଜଙ୍କୁ ଭାରି ଅପମାନ କରି ସେ ଚିଠିରେ ଲେଖିଥିଲେ । ଭାଉଜ କୁଆଡ଼େ ମୂର୍ଖଟେ–ମଫସଲିଆଣୀଟେ–କିଛି ଜାଣେନି । ଏମିତି କେତେ କ’ଣ କଥା ସେଥିରେ ଲେଖା ଥିଲା । ଭାଉଜ ଶୁଣି ପ୍ରଥମେ ଭାରି ରାଗିଗଲେ । ଫେର୍ ଘରେ କବାଟ ଦେଇ କାନ୍ଦୁଛନ୍ତି ।’’

 

‘‘ତୋ ଭାଉଜ ତ ପାଠପଢ଼ିନି ସେ ଚିଠିଗୁଡ଼ାକ କେମିତି ପଡ଼ିଲା ?’’ ମୁଁ ପଚାରିଲି । ସାନ ଭାଇଟି ଡରି ଡରି ଉତ୍ତର ଦେଲା, ସେ ପଢ଼ିପାରିଲେ କି ? ମୋତେ କହିବାରୁ ମୁଁ ପଢ଼ିଲି ତା’-!’’ ମିଛରେ ଗୋଟାଏ ରାଗୀ ଗଳାରେ କହିଲି ‘‘ହୁଁ ! ଏଇ ଖଞ୍ଜ ଲଗାଇଚ ନାଇଁ ? ଆଚ୍ଛା ବଦମାସ୍‌, ମୁଁ ଦେଖୁଚି ରହ । କାନ୍ଦିଲାରୁ ସେଇଠୁ ଗଜା ବାହାରିଲା । ପଳା ମୋ ଆଗରୁ–ବଦମାସ୍‌ ଯାଉଛୁ...’’ ବିଚରା ଭାଇଟି ମୋର ଡରି ପଳାଇଯାଇ ନିଜକୁ ବଞ୍ଚାଇଲା ।

 

ଦିନେ ଦି’ପହରେ ଭୀଷଣ ଗରମ ଯୋଗୁଁ ଏ ଖଞ୍ଜାକୁ ପାଣି ପିଇବାକୁ ଆସି ଦେଖେ ତ ଶ୍ରୀମତୀ ସରସ୍ଵତୀ ‘ସହଜ ଓଡ଼ିଆ ଶିକ୍ଷା’ ବହିଟିଏ ଧରି ଗଡ଼ ଗଡ଼ କରି ବୋଲି ଯାଉଛନ୍ତି । ଆଉ ତାଙ୍କର ମାଷ୍ଟ୍ରେ ହେଇଛନ୍ତି ସ୍ଵୟଂ ମୋର କନିଷ୍ଠ ଭ୍ରାତା ଶ୍ରୀମାନ୍ ଚନ୍ଦ୍ରମଣି ମହାପାତ୍ର । ଲୁଚି ଲୁଚି ଦେଖିଲି ଏ ଦୃଶ୍ୟ । ଶ୍ରୀମତୀଙ୍କ କୋକିଳ କଣ୍ଠରେ ‘‘ନାରଣ ମାଳିପିଲା । ସେ କଳା ବିରାଡ଼ି ପାଳିଲା-। ବଣି ପୋଷିଲା । କଳା ବିରାଡ଼ି ବଣିକି ମାରିଲା ।’’ ପରି ପଦଗୁଡ଼ିକବି ମୋତେ ସିନେମା ହଲ୍‌ର ଯେ କୌଣସି ଚିତ୍ରତାରକାଙ୍କ ସଙ୍ଗୀତଠାରୁ ଖୁବ୍‌ ଆରାମଦାୟକ ବୋଧ ହେଲା । ସେଦିନର ତୃପ୍ତି ମୋର କଲମ ଲେଖିପାରିବନି ।

 

ତା’ପରେ ବନ୍ଧୁ, ଶ୍ରୀ ରାଜକିଶୋର ମହାନ୍ତିଙ୍କ ପାଖକୁ ଚିଠି ଲେଖିଦେଲି, ‘‘ଭାଇ ରାଜୁ, ଔଷଧ ଠିକ୍‌ କାଟୁ କରିଚି । ଆଉ ଗୁଡ଼ାଏ ନେଳିଆ ଲଫାପା କିଣି ଅଯଥା ପଇସା ନଷ୍ଟ କରନା ।’’

 

ସେଇ ଦିନଠୁଁ, କିନ୍ତୁ ଶ୍ରୀମତୀଙ୍କୁ ବହି ଯୋଗେଇ ଯୋଗେଇ ମୁଁ କ୍ଳାନ୍ତ ହେଲିଣି । ଚନ୍ଦ୍ରମଣିଙ୍କର ସବୁ ଉପନ୍ୟାସ କିଣା ସରିଚି । ତ୍ରିଲୋଚନଙ୍କର କୋଉ ଡିଟେକ୍‌ଟିଭ ନଭେଲ କିଣାରୁ ବାଦ୍‌ପଡ଼ୁନି । ଆଉ କୋଉ ଉପନ୍ୟାସ ସେ ବୁଝିପାରୁନାହାନ୍ତି । ଆଉ ଚିଠି !! ମୁଁ ତ ହଇରାଣ ହୋଇପଡ଼ିଲିଣି । ରୋଜ ଡାକରେ ବିଡ଼ାଏ ହସ୍ତାଙ୍କିତ ପତ୍ର ! ମୁଁ କରେ କ’ଣ !! ସାମ୍ନାରେ ପରୀକ୍ଷା-। ମାଇକିନା ଝିଅଙ୍କୁ ପୁଣି ଏତେ କଥା ଲେଖିଆସେ !! ଏ ଥରକ ଫେଲ୍‌ ହେଲେ କିନ୍ତୁ ଅବଶୋଷ ବିଶେଷ ହେବନାହିଁ ।

Image

 

ସୁବର୍ଣ୍ଣମୟୀ ଉପାଖ୍ୟାନ

(ଶ୍ରୀ ଅଖିଳମୋହନ ପଟ୍ଟନାୟକ)

 

ସେହି ସେହି ସମୟମାନଙ୍କରେ ସାମନ୍ତବାଦକୁ ଏକ ଅବକ୍ଷୟମାନ ସାମାଜିକ ବ୍ୟବସ୍ଥା ବୋଲି ଚିନ୍ତା ମଧ୍ୟ କରାଯାଉ ନଥିଲା । ତାହା ପ୍ରତିଷ୍ଠିତ ଥିଲା ଏକ ଗତାନୁଗତିକ କୃଷିଭିତ୍ତିକ, ଅପରିବର୍ତ୍ତନୀୟ ସାମାଜିକ ପରମ୍ପରା ଉପରେ । ସେହି ବ୍ୟବସ୍ଥାରେ ଯେତେବେଳେ ଶତକଡ଼ା ପଞ୍ଚାନବେ ଲୋକ ଭୂମିହୀନ ରହିବା ଅବସ୍ଥାକୁ କେହି ଆଶ୍ଚର୍ଯ୍ୟ ମଣୁ ନଥିଲେ, ସେତେବେଳେ ଗଜରାଜପୁର ମୌଜାର ଜମିଦାର ଶ୍ରୀ ଲୋକନାଥ ରାୟଙ୍କର ବିପୁଳ ସମ୍ପତ୍ତି, ବିପୁଳାୟତନ ପ୍ରାସାଦ ଓ ମାଇଲ ମାଇଲ ବ୍ୟାପୀ ଧାନବିଲର ମାଲିକାନା କାହିଁକି ବା କାହାକୁ ଆଶ୍ଚର୍ଯ୍ୟ ବୋଧ ହୋଇଥାଆନ୍ତା ?

 

ଶ୍ରୀ ଲୋକନାଥ ରାୟ ଏକ ବିରାଟ ଅବିଭକ୍ତ ହିନ୍ଦୁ ପରିବାରର ସର୍ବମୟକର୍ତ୍ତା ଏବଂ ତାଙ୍କର ହୁକୁମ୍‌ରେ ଖାଲି ଗଜରାଜପୁର କାହିଁକି, ଆଖପାଖ ପାଞ୍ଚ ଛଅ ଖଣ୍ଡି, ମଉଜାର ଲୋକମାନଙ୍କର ଜୀବନଯାତ୍ରା ନିୟନ୍ତ୍ରିତ ହେଉଥିଲା । ବେଶ୍‌ କିଛି ସଂଖ୍ୟାର ଲୋକ ରାୟ ପରିବାରର କୋଠିଆ, ମୁଲିଆ ଓ ହଳିଆରୂପେ ମୁତୟନ ଥିଲେ ମଧ୍ୟ ବହୁ ଅଧିକ ସଂଖ୍ୟକ ଲୋକ ତାଙ୍କର ଭାଗଚାଷୀ ଥିଲେ । ସେ ଅଞ୍ଚଳର କୌଣସି ନ୍ୟାୟ ନିଶାପ ବା ଯାନିଯାତ୍ରା ରାୟଙ୍କର ଆର୍ଶୀବାଦ ଭିନ୍ନ ଘଟିତ ହବା ସମ୍ଭବପର ନଥିଲା ।

 

ତେଣୁ ଲୋକନାଥ ରାୟ ତାଙ୍କର ଏକମାତ୍ର ଦୁହିତା ସୁବର୍ଣ୍ଣ କୁମାରୀ ଦେବୀଙ୍କୁ ବିବାହ ଦବାପାଇଁ ସେ ନିକଟରେ କୌଣସି ବନ୍ଧୁ ଘରର ସନ୍ଧାନ ପାଇ ନଥିଲେ, ଏହା ମଧ୍ୟ ଅତ୍ୟନ୍ତ ସ୍ଵାଭବିକ କଥା । ତାଙ୍କର ପ୍ରଥମ ସର୍ତ୍ତ ଥିଲା ଯେ ତାଙ୍କର ବନ୍ଧୁ ତାଙ୍କପରି ପ୍ରଭୃତ ବିତ୍ତଶାଳୀ ନ ହେଲେ ମଧ୍ୟ ଅନ୍ୟୂନ ସ୍ଵଚ୍ଛଳ ଅବସ୍ଥାର ଲୋକ ହୋଇଥିବା ଉଚିତ୍‌, ଯାହାଙ୍କର ବଂଶ ପରମ୍ପରା ତାଙ୍କୁ ରାୟ-ପରିବାରର ବୁନିଆଦି ସହିତ ସମସ୍କନ୍ଧ କରିପାରିବ । ପ୍ରଥମ ସର୍ତ୍ତ ପୂରଣ ହୋଇସାରିବା ପରେ ଜାମାତାର ରୂପ, ଗୁଣ ଓ ବିଦ୍ୟା ପରବର୍ତ୍ତୀ ପର୍ଯ୍ୟାୟର କଥା ! ତେଣୁ ତାଙ୍କୁ ସୁଦୂର ଅଗରପଡ଼ାର ମର୍ଦ୍ଦରାଜ ବଂଶ ସହିତ ବନ୍ଧୁ ବାନ୍ଧିବାକୁ ପଡ଼ିଥିଲା । ଜାମାତା ପ୍ରତାପ ମର୍ଦ୍ଦରାଜ ଦେଖିବାକୁ ସୁପୁରୁଷ ଥିଲେ ଓ ରେଭେନ୍‌ସା କଲେଜରେ ଆଇ. ଏ. ପର୍ଯ୍ୟନ୍ତ ପଢ଼ି ଉଚ୍ଚ ଶିକ୍ଷିତ ଥିଲେ ମଧ୍ୟ । ଏବଂ ସେମାନଙ୍କର ମୌରସୀ ସଂପତ୍ତିର ବାର୍ଷିକ ଆୟ ସେମାନଙ୍କର ଖର୍ଚ୍ଚ ତୁଳନାରେ ଯଥେଷ୍ଟ ଅଧିକ ଥିଲା । କଟକ ସହରରେ ଅଧ୍ୟୟନ କରୁଥିବାବେଳେ ପ୍ରତାପ ମର୍ଦ୍ଦରାଜ ଏକ ସ୍ଵତନ୍ତ୍ର ଗୃହ ଭଡ଼ା ନେଇ ଦାସଦାସୀମାନଙ୍କ ଗହଣରେ ରହି ଏକ ଅଭିଜାତ ଗୃହର ସନ୍ତାନର ଏପରି ପ୍ରଚୁର ପରିଚୟ ଦେଇଥିଲେ ସେ ତାଙ୍କର ଓ ତାଙ୍କ ବଂଶର ମର୍ଯ୍ୟାଦା ଓ ଖ୍ୟାତିର ପରାକାଷ୍ଠା ଓଡ଼ିଶାର ବିଭିନ୍ନ ଅଭିଜାତ ପରିବାରକୁ ଅଜଣା ନଥିଲା । ପ୍ରବଳ ପ୍ରତାପୀ ଲୋକନାଥ ରାୟଙ୍କର ଏକମାତ୍ର ଅଲିଅଳ କନ୍ୟା ସୁବର୍ଣ୍ଣ କୁମାରୀଙ୍କର ବିବାହ ପ୍ରସ୍ତାବ ଯେତେବେଳେ ମର୍ଦ୍ଦରାଜ ପରିବାରର କର୍ଣ୍ଣଗୋଚର ହେଲା, ସେ ପ୍ରସ୍ତାବକୁ ସେମାନେ ଅତ୍ୟନ୍ତ ଆନନ୍ଦ ସହକାରେ ସ୍ଵାଗତ କରିଥିଲେ, ସୁବର୍ଣ୍ଣମୟୀଙ୍କ ପାଇଁ ନୁହେଁ, ସୁବର୍ଣ୍ଣମୟୀଙ୍କର ପଛେ ପଛେ ଆସିବାର ସମ୍ଭାବନା ଥିବା ପ୍ରଭୂତ ପରିମାଣର ଯୌତୁକର ଆଶାରେ ।

 

ବିବାହ ସମୟରେ ଲୋକନାଥ ରାୟଙ୍କର ଆୟୋଜନରେ ସାମାନ୍ୟତମ ତ୍ରୁଟି ବା କାର୍ପଣ୍ୟ ପରିଲକ୍ଷିତ ହୋଇ ନଥିଲା ଏବଂ ଭୂରିଭୋଜନ ପରେ ବିବାହ ଭୋଜିରୁ ଫେରୁଥିବା ଆଖପାଖ ପାଞ୍ଚଖଣ୍ଡ ଗାଁର ଲୋକେ ଯେତେବେଳେ ଧନ୍ୟ ଧନ୍ୟ କହି ନିଜ ନିଜ ଗାଁକୁ ଫେରୁଥିଲେ ସେତେବେଳେ ସୁବର୍ଣ୍ଣମୟୀଙ୍କୁ ବିଦାୟ ଦବାପାଇଁ ଲୋକନାଥ ରାୟ ଏକାଧାରରେ ବ୍ୟସ୍ତ ଓ କୁଣ୍ଠିତ ହୋଇପଡ଼ୁଥିଲେ । ମୃତଦାର ଲୋକନାଥ ରାୟଙ୍କର ସ୍ନେହହୀନ, ଏକୁଟିଆ ଜୀବନରେ ସୁବର୍ଣ୍ଣମୟୀ ଥିଲେ ଏକ ଶୀତଳ ଫଲ୍‌ଗୁ ପ୍ରବାହ । କହିବା ଅନାବଶ୍ୟକ ଯେ, ସୁବର୍ଣ୍ଣମୟୀଙ୍କ ସହିତ ଯାଇଥିବା ପ୍ରଭୂତ ପରିମାଣର ସ୍ଵର୍ଣ୍ଣାଳଙ୍କାର ଓ ଅନ୍ୟାନ୍ୟ ଯୌତୁକ ଦ୍ରବ୍ୟ ମର୍ଦ୍ଦରାଜ ପରିବାରଙ୍କୁ ଆଶାତୀତ ଭାବରେ ଆମୋଦିତ କରିଥିଲା । ରାଜକନ୍ୟା ଓ ଅର୍ଦ୍ଧେକ ରାଜ୍ୟ ଏହାହିଁ ପ୍ରତାପ ମର୍ଦ୍ଦରାଜଙ୍କ ପରି ଯୋଗ୍ୟ ଜାମାତାଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟଥିଲା‌ ।

କିନ୍ତୁ ଏହି ନାଟକର ନାୟିକା ସୁବର୍ଣ୍ଣମୟୀଙ୍କର ଏ ସମସ୍ତ ବ୍ୟାପାରରେ ଜ୍ଞାନ ଅଳ୍ପ କିଛି ଥିଲେହେଁ ସଚେତନତା ଥିଲା ତତୋଧିକ ସ୍ଵଳ୍ପ । ତାଙ୍କ ପିତା ଲୋକନାଥ ରାୟଙ୍କର ସମ୍ପତ୍ତି ବା ଦେଇଥିବା କନ୍ୟା ସୁନା ବା ତାଙ୍କର ଭାବୀପତିଙ୍କର ଆର୍ଥିକ ଓ ପଠନ ଯୋଗ୍ୟତା ସଂପର୍କରେ ସୁବର୍ଣ୍ଣମୟୀ ସଂପୂର୍ଣ୍ଣ ଅଜ୍ଞ ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ତତ୍‌କାଳୀନ ସମାଜ ପରମ୍ପରା ଅନୁଯାୟୀ ସୁବର୍ଣ୍ଣମୟୀ, ପିତାଙ୍କ ଆଦେଶରେ ଏକ ଅଜଣା ଅନ୍ଧକୂପ ଭିତରକୁ ଲମ୍ଫ ପ୍ରଦାନ କରିଥିଲେ କିଏ ତାଙ୍କର ସ୍ଵାମୀ, ସିଏ କେବଣ ସ୍ଥାନରେ ଅବସ୍ଥାନ କରନ୍ତି, ତାହା ତାଙ୍କର ଅଗୋଚର ଥିଲା ।

ସେ କେବଳ ଶିବିକା ଭିତରେ ବସି ଗୋଟିଏ ଦାସୀ ସାହଚର୍ଯ୍ୟରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ସୁଦୀର୍ଘ ପଥ ସ୍ଥାନାନ୍ତରିତ ହେଉଥିଲେ । ତାଙ୍କ ଆଗରେ କିଏ କିଏ ଯାଉଥିଲେ ବା ତାଙ୍କ ପଛେ ପଛେ କେତୋଟି ମାଲବାହୀ ଶକଟ ଅନୁଧାବନ କରୁଥିଲେ, ସେକଥା ଜାଣିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା ! ବେଳେ ବେଳେ ଶୁଖିଲା ଠୋ’ ଠୋ’ ଧାନକ୍ଷେତ ବା କେତେବେଳେ ବଣଲଟା ଓ ପୁଣି କେତେବେଳେ ଛାୟାଘନ ଆମ୍ବତୋଟା ଭିତର ଦେଇ ତାଙ୍କର ଶିବିକା ଚାଲିଥିଲାବେଳେ ଶିବିକା ଦ୍ଵାରକୁ ସାମାନ୍ୟ ଉନ୍ମୁକ୍ତ କରି ସୁବର୍ଣ୍ଣମୟୀ ତାଙ୍କର ଅନିଶ୍ଚିତ ଭବିଷ୍ୟତ କଥା ଚିନ୍ତାକରି ଅନ୍ୟମନସ୍କ ହୋଇ ଉଠୁଥିଲେ । କେତେ ସମୟ ପରେ ଶିବିକା-ବାହକମାନେ ସାମାନ୍ୟ ବିଶ୍ରାମ ନେଇ ପୁଣି ଶିବିକା କାନ୍ଧ ଉପରକୁ ଟେକି ଏକ ନୂତନ ଉତ୍ସାହରେ ଯୌଥ କଣ୍ଠରେ ଡାକୁଥିଲେ, ‘‘ହୁମର ଭାଇରେ–ଚାଲ୍‌ ଜୋରେ, ହୁମର ଭାଇରେ ଚାଲ୍‌ ଜୋରେ’’ ଏବଂ ଶିବିକା-ବାହକମାନଙ୍କର ଏଇ ଯୌଥ ଏକତାଳୀ ଉଚ୍ଚାରଣ ଗ୍ରାମ ସୀମାନ୍ତମାନଙ୍କରେ ଅସଂଖ୍ୟ ନରନାରୀଙ୍କର କୌତୁହଳକୁ ଉଦ୍ଦୀପ୍ତ କରୁଥିଲା । ଅଗରପଡ଼ା ପହଞ୍ଚିବା ପାଇଁ ଥିଲା ଦୁଇଦିନର ରାସ୍ତା ଓ ତାହା ଶିବିକା-ନିବଦ୍ଧ ସୁବର୍ଣ୍ଣମୟୀଙ୍କ ପାଇଁ ସ୍ଵାଭାବିକଭାବେ ଅତ୍ୟନ୍ତ କ୍ଳାନ୍ତିକର ଥିଲା ।

ଗନ୍ତବ୍ୟ ସ୍ଥାଳରେ ପହଞ୍ଚିବାବେଳକୁ ନବବିବାହିତା ଦମ୍ପତିଙ୍କୁ ସ୍ଵାଗତ କରିବାପାଇଁ ସଜ୍ଜିତ ତୋରଣ, ଆଲୋକସଜ୍ଜା ଓ ବାଦ୍ୟରୋଳ ଭିତରେ ମର୍ଦ୍ଦରାଜ ପରିବାର ସେମାନଙ୍କର ସାଧ୍ୟ ଅନୁଯାୟୀ ପ୍ରଚୁର ଆୟୋଜନ କରିଥିଲେ । କିନ୍ତୁ ନବବଧୂ ସୁବର୍ଣ୍ଣମୟୀଙ୍କର ତାହା ଦେଖିବାର ଅବକାଶ ମଧ୍ୟ ନଥିଲା । ସେ ଗୋଟିଏ ନାତିପ୍ରଶସ୍ତ ପ୍ରକୋଷ୍ଠରେ ଅହରହ ପରିବାରର ଅନ୍ତଃବାସୀ ତଥା ସାଇପଡ଼ିଶାର ଅସୁମାରୀ ସ୍ତ୍ରୀ ଲୋକମାନଙ୍କଦ୍ୱାରା ବେଷ୍ଟିତା ହୋଇ ବନ୍ଦିନୀ ଥିଲେ ଓ ଥରକୁ ଥର ତାଙ୍କର ମୁହଁ, ଗୋଡ଼ହାତ ଓ ବେକରେ ଲଗେଇଥିବା ବିଭିନ୍ନ ଅଳଙ୍କାର ସବୁ ତନଖି କରାଯାଉଥିଲା । ମଝିରେ ମଝିରେ ଦିଆଯାଉଥିବା ଅସଂଖ୍ୟ ଟିପ୍‌ପଣୀ ସବୁକୁ ଏକାଠି କଲେ ତା’ର ସାରମର୍ମ ହେବ ଯେ ବାପ ଝିଅକୁ ଯାହା ଦେଇଛି, ତାହା ଖାଣ୍ଟି ଜୟପୁରୀ ସୁନା ଓ ଝିଅଟି ତାଙ୍କର ଏକମାତ୍ର ଝିଅ ନ ହେଇଥିଲେ ଏତେ ପ୍ରଚୁର ପରିମାଣର ଗହଣା ଦବା ସଚରାଚର ଦେଖିବା ଦୁର୍ଲ୍ଲଭ ।

ଏଇ ସୁବର୍ଣ୍ଣ ପ୍ରାଚୁର୍ଯ୍ୟ ଭିତରେ ସମବେତ ଅନିସନ୍ଧିତ୍ସୁମାନେ ଗୋଟିଏ କଥା ଅନୁଭବ କରୁଥିଲେ ମଧ୍ୟ ଉଚ୍ଚାରଣ କରିପାରି ନଥିଲେ, ତାହାହେଲା ସୁବର୍ଣ୍ଣମୟୀ ଥିଲେ ଈଷତ୍‌ କୃଷ୍ଣକାୟା ଓ ପ୍ରାୟ ଅସୁନ୍ଦରୀ କହିଲେ ଅତ୍ୟୁକ୍ତ ହେବନାହିଁ ।

କିନ୍ତୁ ଯଥା ସମୟରେ ମଧୁଶଯ୍ୟା ରାତ୍ରିର ସମସ୍ତ ବାହ୍ୟ ସାଜସଜ୍ଜା ସତ୍ତ୍ୱେ ଏକ କମ୍ପିତ ପ୍ରଦୀପ ଶିଖାର କ୍ଷୀଣ ଆଲୋକରେ ସୁବର୍ଣ୍ଣମୟୀଙ୍କର ମଳିନ ରୂପ ଚତୁର ପ୍ରତାପ ମର୍ଦ୍ଦରାଜଙ୍କର ଆଖିକୁ ଏଡ଼ାଇ ଯାଇପାରି ନଥିଲା । ମର୍ଦ୍ଦରାଜ ପରିବାରକୁ ବଡ଼ବୋହୂ ହେଇ ଆସିବାର ଦାୟିତ୍ଵ ନେଇ ପ୍ରତାପ ମର୍ଦ୍ଦରାଜ ସେଦିନ ରାତିରେ ସୁବର୍ଣ୍ଣମୟୀଙ୍କୁ ଏକ ସଂକ୍ଷିପ୍ତ ଉପଦେଶ ଶୁଣାଇଥିଲେ ସତ, କିନ୍ତୁ ସୁବର୍ଣ୍ଣମୟୀଙ୍କର ଅନୂଢ଼ା ଜୀବନର ଏକ ବହୁ ପ୍ରତୀକ୍ଷିତ ରାତ୍ରି ସେଦିନ ବିଡ଼ମ୍ବିତ ହୋଇଥିଲା ।

 

କିନ୍ତୁ ସୁବର୍ଣ୍ଣମୟୀଙ୍କ ଜୀବନରେ ଯେ ଏହି ଘଟଣା ନୂତନ କରି ଘଟିଲା ଏପରି ନୁହେଁ । ତାହା ଥିଲା ତତ୍‌କାଳୀନ ସାମନ୍ତବାଦ ମୂଲ୍ୟବୋଧର ଏକ ଅପରିହାର୍ଯ୍ୟ ପରିଶିଷ୍ଟ । ଅନେକ ସୁନ୍ଦରୀ ଅନିନ୍ଦ୍ୟ ସୁନ୍ଦରୀ ସୁବର୍ଣ୍ଣମୟୀମାନଙ୍କର ମଧୁଶଯ୍ୟା ରାତ୍ରି ମଧ୍ୟ ଏହିପରି ବିଡ଼ମ୍ବିତ ହେଇଛି । ତାହା ଥିଲା ସମସାମୟିକ ସ୍ଵୀକୃତ ପରମ୍ପରା ।

 

ପ୍ରତିଟି ସମ୍ଭ୍ରାନ୍ତ ବଂଶରେ ଗୋଟିଏ ଚଉପାଢ଼ୀ ବା ବାହାର ଘର ଥିଲା ଏକ ଆନୁଷ୍ଠାନିକ ଅଙ୍ଗ । ଦେଶ ବିଭେଦରେ ତାହାର ନାମାନ୍ତର ଥାଇପାରେ କିନ୍ତୁ ସର୍ବତ୍ର ତାହାର ମୂଳ ଉଦ୍ଦେଶ୍ୟ ଥିଲା ଏକ ଓ ଅଭିନ୍ନ । ପରିବାରର ପରିସରଠାରୁ ସାବଧାନ ଦୂରତ୍ଵ ଭିତରେ ଏକ ଘର ରହିଥିବା ଉଚିତ; ଯାହାର ପ୍ରୟୋଜନ ବହୁବିଧ । ଗୃହର ଅଧିଷ୍ଠାତା ଦେବତାଙ୍କର ଯାନିଯାତ୍ରା ସମୟରେ ବ୍ୟବହୃତ ବିମାନ, ପାଲିଙ୍କି ଓ ଅନ୍ୟାନ୍ୟ ଆୟ ଅଳଙ୍କାର ଗଚ୍ଛିତ ରହିବାର ପ୍ରୟୋଜନକୁ ଛାଡ଼ିଦେଲେ ମଧ୍ୟ ଜମିଦାର ତାଙ୍କର ପାର୍ଶ୍ଵଚରମାନଙ୍କୁ ଘେନି ଗ୍ରାମରେ ଗୋଷ୍ଠୀ ବିବାଦ ତଥା ବ୍ୟକ୍ତିଗତ ବିବାଦ ସବୁ ମୀମାଂସା କରିବାକୁ ମଧ୍ୟ ଏକ ଅପେକ୍ଷାକୃତ ପ୍ରଶସ୍ତ ସ୍ଥାନର ପ୍ରୟୋଜନ । ତେଣୁ ସେହିପରି ସ୍ଥାନରେ ଗୃହର ନାରୀ ଓ ଶିଶୁମାନଙ୍କର ଉପସ୍ଥିତ ଯେ ଅବାଞ୍ଚିତ ଏହା ଅବଶ୍ୟମ୍ଭାବୀ ।

 

ପ୍ରାୟ ପ୍ରତ୍ୟହ ଗ୍ରାମର କିଛି ନାଁ କିଛି ବିବଦମାନ ସମସ୍ୟା ଥାଏ । ତେଣୁ ପ୍ରତାପ ମର୍ଦ୍ଦରାଜ ସେଥିପାଇଁ ସନ୍ଧ୍ୟା ସମୟଟିକୁ ନର୍ଦ୍ଧାରିତ କରିଥାଆନ୍ତି । ଠାକୁରଙ୍କର ଆଳତୀ କାମ ବଢ଼ିଗଲେ, ଚଉପାଢ଼ୀ ଉପରେ ଆସର ଜମେ । ଯୋଡ଼ହସ୍ତ ବାଦୀ-ବିବାଦୀମାନଙ୍କର ଉକ୍ତି ଶୁଣି ରାୟ ଘୋଷଣା କଲାବେଳକୁ ରାତି ଢେର୍‌ ହୋଇଯାଇଥାଏ । ଯେଉଁଦିନ ଏଇ ଗ୍ରାମ୍ୟ ଅଦାଲତରେ ବିଚାରଣା ପାଇଁ ଯଥେଷ୍ଟ ମାମଲା ନଥାଏ ସେଦିନ ଗୋଟିଏ ପେଟ୍ରୋମାକ୍‌ସର ଉଜ୍ଜ୍ୱଳ ଆଲୋକରେ ଚାଲେ ପଶାଖେଳ–ଶେଷ ବାଜି ଜମିଦାର ଜିତିବା ପର୍ଯ୍ୟନ୍ତ–ଏକ ନଳୀଦ୍ୱାରା ଜମିଦାରଙ୍କର ମୁଖ–ବିବରଯୁକ୍ତ ଗୁଡ଼ାଖୁ ହୁକ୍‌କାର ଦିକି ଦିକି ନିଆଁ ନିର୍ବାପିତ ହେବା ପର୍ଯ୍ୟନ୍ତ ।

 

ଏ ଯାବତ୍‌ ସବୁକିଛି ପ୍ରକାଶ୍ୟ, ସବୁକିଛି ଆବଶ୍ୟକୀୟ ଓ ବୋଧହୁଏ ସବୁକିଛି କରଣୀୟ, କିନ୍ତୁ ତା’ପରେ ଯେତେବେଳେ ରାତି ସାମାନ୍ୟ ଗଭୀର ହୋଇଆସେ, ଯେତେବେଳେ ଆଲୋକର ତେଜ ମଳିନ ପଡ଼ିଆସେ, ସେଇ ସ୍ତିମିତ ଆଲୋକରେ ଅନେକ ବୋତଲ ଖୋଲିବାର ଶବ୍ଦ ଭାସି ଆସେ ଓ ଏକ ଗ୍ରାମ୍ୟ ନିଶାର୍ଦ୍ଧର ଅଖଣ୍ଡ ନୀରବତାକୁ ସହସା ବିଦୀର୍ଣ୍ଣ କରି ଶୁଣାଯାଏ କେଉଁ ନୂପୁର ବିଳାସିନୀମାନଙ୍କର କୁଣ୍ଠିତ କିଙ୍କିଣି । ସେତେବେଳକୁ ପ୍ରତୀକ୍ଷମାଣା ସୁବର୍ଣ୍ଣମୟୀମାନଙ୍କର ତନ୍ଦ୍ରାଚ୍ଛନ୍ନ ଆଖିର କଜ୍ଜଳଗାର ବିବର୍ଣ୍ଣ ହୋଇଯାଇଥାଏ ଓ ଶ୍ଳଥ କବରୀର ବକୁଳମାଳ ହେଇଥାଏ ନିଷ୍ପ୍ରଭ ।

 

ଏଇଆହିଁ ହବା ଉଚିତ । ତେଣୁ ଏଥିରେ ପ୍ରତାପ ମର୍ଦ୍ଦରାଜଙ୍କ ସମ୍ପର୍କରେ କେହି ଆଶ୍ଚର୍ଯ୍ୟ ହେବାର କିଛି ନଥିଲା; ଆଉ ସୁବର୍ଣ୍ଣମୟୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ମଧ୍ୟ କାହିଁକି କିଏ ଆଶା କରନ୍ତା ? ଲୋକନାଥ ରାୟଙ୍କ ପରିବାରରେ ଏତାଦୃଶ ଆଚରଣର ମଧ୍ୟ ଭୁରି ଭୁରି ଦୃଷ୍ଟାନ୍ତ ଦେଖିବାକୁ ମିଳେ; କିନ୍ତୁ ଅନୂଢ଼ା ସୁବର୍ଣ୍ଣମୟୀଙ୍କ ପାଇଁ ଦାସୀ ପୋଇଲୀମାନଙ୍କ ଠାରୁ ଏ ସମ୍ପର୍କୀୟ ଗୋପନ ସମ୍ବାଦ ପାଇବା ଓ ନିଜର ବିବାହିତ ଜୀବନରେ ଏହାକୁ ପ୍ରତ୍ୟକ୍ଷ କରିବା ଭିତରେ ପ୍ରଭେଦ ଥିଲା ଆକାଶ-ପାତାଳ କିନ୍ତୁ କହିବେ କାହାକୁ ? ପ୍ରକାଶ୍ୟ ଦିବାଲୋକରେ ନବବିବାହିତା ବଧୂର ସ୍ଵାମୀଙ୍କ ସହିତ ମିଳାମିଶା ବା କଥୋପକଥନ ନିଷିଦ୍ଧ, ସନ୍ଧ୍ୟା ନଇଁଆସିଲେ ଚଉପାଢ଼ୀରେ ବସି ନିଶାପ କରିବା ବା ପଶା ଖେଳିବା ଏକ ଜମିଦାରୋଚିତ କର୍ତ୍ତବ୍ୟ ଓ ରାତ୍ରିର ଆନ୍ତରିକତା–ଯାହା ନବବିବାହିତ ଦମ୍ପତ୍ତିମାନଙ୍କର ଏକାନ୍ତ ନିଜସ୍ଵ– ତାହା ବିଡ଼ମ୍ବିତ ।

 

ଏହିପରି ହୁଏତ ଦିନ ପରେ ଦିନ ଅନେକ କାଳ ଗଡ଼ି ଚାଲିଥାଆନ୍ତା, ଯଦି ଦିନେ ପ୍ରତାପ ମର୍ଦ୍ଦରାଜ କୌଣସି ଜରୁରୀ କାର୍ଯ୍ୟରେ କଲିକତା ବାହାରି ନ ଥାଆନ୍ତେ । କଲିକତା ! କାହିଁ କେତେ ବାଟ । ସେ କଥା ସୁବର୍ଣ୍ଣମୟୀଙ୍କର ଅନୁଭବକୁ ଆସୁ ନଥିଲା । ଏତିକି ସାନ୍ତ୍ୱନା ଯେ କଲିକତା ରମାନ ହବା ପୂର୍ବରୁ ପ୍ରତାପ ସୁବର୍ଣ୍ଣମୟୀଙ୍କ ପାଇଁ ଅନେକ ନୂଆ ନୂଆ ଜିନିଷ ଆଣିବେ ବୋଲି ସ୍ତୋକ ବାକ୍ୟ ଶୁଣେଇଥିଲେ ଓ ତାହା କହିବା ବାହୁଲ୍ୟ, ସୁବର୍ଣ୍ଣମୟୀଙ୍କ ପାଇଁ ଯଥେଷ୍ଟ ଆଶାର ସଞ୍ଚାର କରିଥିଲା । କିନ୍ତୁ କ’ଣ ହେଲା ପ୍ରତାପ ମର୍ଦ୍ଦରାଜଙ୍କର ? କୁଆଡ଼େ ରହିଲେ ସିଏ-? କଣ୍ଟ ଦିନ ଗଡ଼ିଯାଇ ମାସ ପରେ ମାସ ଅତିକ୍ରାନ୍ତ ହେଲେ ମଧ୍ୟ ପ୍ରତାପ ମର୍ଦ୍ଦରାଜଙ୍କର କୌଣସି ସମ୍ବାଦନାହିଁ ଚିଠି ମଧ୍ୟ ନାହିଁ ।

 

ପ୍ରତାପ ମର୍ଦ୍ଦରାଜଙ୍କର ଏପରି ଆକସ୍ମିକ ଭାବରେ ନିରୁଦ୍ଦେଶ ହବା ଅଗରପଡ଼ା ମାହାଲ ଓ ବିଶେଷ କରି ମର୍ଦ୍ଦରାଜ ପରିବାର ଉପରେ ଏକାଧାରରେ ଏକ ଚାଞ୍ଚଲ୍ୟ ଓ ଅସହାୟବୋଧ ସୃଷ୍ଟି କରିଥିଲା । ପ୍ରତାପଙ୍କର ସାନଭାଇ ହରିହର ମର୍ଦ୍ଦରାଜ ପରିବାରର ହାଲ୍‌ ଧରିଥିଲେ, ଯେ ପର୍ଯ୍ୟନ୍ତ ପ୍ରତାପ ଫେରିନାହାନ୍ତି । କାରଣ ଜମିଦାରୀର ଦୈନନ୍ଦିନ କାର୍ଯ୍ୟ ନ ତୁଲାଇଲେ ନ ଚଳେ । ଅନଭିଜ୍ଞ ହରିହର ବେଳେ ବେଳେ ସୁବର୍ଣ୍ଣମୟୀଙ୍କୁ କୌଣସି ବିଷୟ ପଚାରିଲେ ସୁବର୍ଣ୍ଣମୟୀ କେବଳ ନୀରବ ରହନ୍ତି ଓ କଦବା କ୍ଵଚିତ୍‌ କଥା କହିଲେ ସେଇ ଏକା କଥାକୁ ଦୋହରାନ୍ତି, ‘‘ମୁଁ କ’ଣ ଜାଣେ ? ମତେ ଗଲାବେଳେ ପଦେ ହେଲେ ତ କିଛି କହି ଗଲେନାହିଁ । ?’’

 

ଏହି ସମୟ ଭିତରେ ଅଗରପଡ଼ାର ଲୋକମାନେ ନୀରବ ଦର୍ଶକ ନଥିଲେ । ସେମାନେ ନାନାସମୟରେ, ନାନାକୌଶଳରେ ପ୍ରତାପ ମର୍ଦ୍ଦରାଜଙ୍କ ସମ୍ପର୍କୀୟ ଗୋପନ ସମ୍ବାଦ ସବୁ ପରିବାର ମହଲରେ ଯଥା ସମୟରେ ପରିବେଷଣ କରୁଥିଲେ । ତା’ର ସଂଗୃହୀତ ସାରାଂଶ ହେଲା ପ୍ରତାପ ମର୍ଦ୍ଦରାଜ କଲିକତାରେ ରକ୍ଷିତା ରଖି ମଦ୍ୟପାନ ଓ ଜୁଆଖେଳରେ ସମୟ ଅତିବାହିତ କରୁଛନ୍ତି । କିନ୍ତୁ କେହି କେବେ ପ୍ରଶ୍ନ କରିନାହିଁ ଯେ ଏତେ ପ୍ରଭୂତ ଅର୍ଥ ଏକ ସମୟରେ ପ୍ରତାପ ମର୍ଦ୍ଦରାଜଙ୍କର ହସ୍ତଗତ ହେଲା କିପରି ? ଏ ସମ୍ପର୍କରେ ସୁବର୍ଣ୍ଣମୟୀକୁ ପ୍ରଶ୍ନ କଲେ ସୁବର୍ଣ୍ଣମୟୀ ନୀରବ ରହନ୍ତି କେବଳ । ସୁବର୍ଣ୍ଣମୟୀଙ୍କର ଏହି ଅଖଣ୍ଡ ନୀରବତା ସତ୍ତ୍ୱେ ଓ ଜମିଦାରୀ ବା ଗୃହକର୍ମର ଦାୟିତ୍ଵ ନବାର ନିର୍ଲିପ୍ତତା ସତ୍ତ୍ୱେ, ଯାହା ତାଙ୍କୁ ମଝିରେ ମଝିରେ ସହ୍ୟ କରିବାକୁ ପଡ଼ୁଥିଲା ତାହା ଏ ଅବସ୍ଥାରେ ପ୍ରାୟ ପ୍ରତ୍ୟେକ ଗୃହବଧୂକୁ ସହିବାକୁ ପଡ଼ିଥାଏ । ତା’ ହେଲା ଯେ ସ୍ଵାମୀଙ୍କର ଏଇ ଆକସ୍ମିକ ଗୃହତ୍ୟାଗ ଓ କଲିକତାରେ ଏକ ଅସାମାଜିକ ଜୀବନଯାପନ ପାଇଁ ଏକମାତ୍ର ସୁବର୍ଣ୍ଣମୟୀ ଦାୟୀ । ଏଥିରେ ମଧ୍ୟ କେବେହେଲେ ପ୍ରତିବାଦ କରିନାହାନ୍ତି ସୁବର୍ଣ୍ଣମୟୀ । ତାଙ୍କର ଜନ୍ମଗ୍ରହଣ କରିବା, ଗୃହଯୋଗ୍ୟ ହବା, ବିବାହ କରି ସ୍ଥାନାନ୍ତର ହେବା ପରି ଏହାକୁ ମଧ୍ୟ ସେ ବିନା ପ୍ରତିବାଦରେ ଗ୍ରହଣ କରି ନେଇଥିଲେ ।

 

ପ୍ରତାପ ମର୍ଦ୍ଦରାଜ ନିଖୋଜ ହବାପରେ ସୁବର୍ଣ୍ଣମୟୀଙ୍କର ପିତା ଲୋକନାଥ ରାୟ ଥରେ ଅଗରପଡ଼ା ଆସି ସ୍ଵଳ୍ପାଭରଣା, ବିମର୍ଷ ହତଶ୍ରୀ ସୁବର୍ଣ୍ଣମୟୀଙ୍କୁ ଶଙ୍ଖୁଳି ଯିବା ପରେ ତାଙ୍କର କନ୍ୟାକୁ ଥରେ ତାଙ୍କ ଘରକୁ ନବାପାଇଁ ପ୍ରସ୍ତାବ ଉତ୍‌ଥାପନ କରିଥିଲେ । ହରିହର ମଧ୍ୟ ସେଥିରେ ସମ୍ମତି ଦେଇଥିଲେ ।

 

ଯଥା ସମୟରେ ସୁବର୍ଣ୍ଣମୟୀ ଯେଉଁ ବାଟେ ଆସିଥିଲେ ଠିକ୍‌ ସେହି ବାଟେ ପିତ୍ରାଳୟକୁ ସବାରି ଯୋଗେ ଫେରିଗଲେ । କିନ୍ତୁ ଫେରିଲାବେଳେ ଆସିବା ବେଳର ସେ ବିଷୟ ସମ୍ଭାର ତାଙ୍କର ଅନୁଗମନ କରୁ ନଥିଲା । ଶିବିକାରେ ତାଙ୍କର ବ୍ୟକ୍ତିଗତ ପିନ୍ଧାଲୁଗା ପାଇଁ ଗୋଟିଏ ପେଟିକା ଭିନ୍ନ ଅବଶିଷ୍ଟ ଥିଲା ଗୋଟିଏ ମାତ୍ର ହାତବାକ୍‌ସ– ଯେଉଁଥିରେ ତାଙ୍କର ଅଳଙ୍କାର ଗଲାବେଳେ ସାଙ୍ଗରେ ଦିଆଯାଇଥିଲା । ଫେରିଗଲାବେଳେ ସୁବର୍ଣ୍ଣମୟୀଙ୍କର ମାନସିକ ଅବସ୍ଥା ଥିଲା ଅପେକ୍ଷାକୃତ ନିରୁଦ୍‌ବିଗ୍ନ ଓ ନିର୍ଲିପ୍ତ । ସୁବର୍ଣ୍ଣମୟୀ କେବେ କୌଣସି କଥାରେ ଲିପ୍ତ ହବାର ସୁଯୋଗ ପାଇ ନଥିଲେ ଏବଂ ପ୍ରତାପ ମର୍ଦ୍ଦରାଜ ନିରୁଦ୍ଦିଷ୍ଟ ହବାପରେ ଆଉ ତାଙ୍କର ଉଦ୍‌ବିଗ୍ନ ହବାର ମଧ୍ୟ କୌଣସି ହେତୁ ନଥିଲା । ସେ ଜାଣିଥିଲେ ଯେ ତାଙ୍କର ସ୍ଵାମୀ ତାଙ୍କୁ ବର୍ଜନ କରିଛନ୍ତି ଓ ଶ୍ୱଶୁରାଳୟରେ ବା ପିତ୍ରାଳୟରେ କୁତ୍ରାପି ସେ ଖାଦ୍ୟାଭାବ ହେତୁ ପୀଡ଼ିତ ହେବେ–ଏ ଆଶଙ୍କା ତାଙ୍କର ନଥିଲା । ତେଣୁ ସେ ନିଜକୁ ସର୍ବୋତଭାବେ ଅଦୃଷ୍ଟ ହାତରେ ଅର୍ପଣ କରିଦେଇଥିଲେ ।

 

ସୁବର୍ଣ୍ଣମୟୀ; ପିତ୍ରାଳୟକୁ ଫେରିଯିବା ପରେ ରାୟ ପରିବାରର ଲୋକେ ଯେଉଁ ସୁବର୍ଣ୍ଣମୟୀଙ୍କୁ ପ୍ରତ୍ୟକ୍ଷ କଲେ ସେ ଯେପରି ଅନ୍ୟ ଏକ ସୁବର୍ଣ୍ଣମୟୀ ଯେପରି ସେ କୈଶୋରରୁ ଯୌବନକୁ ପାଦ ଦଉ ଦଉ ହଠାତ୍‌ ବାର୍ଦ୍ଧକ୍ୟ କବଳିତ ହୋଇପଡ଼ିଛନ୍ତି । କେଉଁ ଅପଦେବତାର ଅଭିଶାପରେ ସୁବର୍ଣ୍ଣମୟୀଙ୍କର ଜନ୍ମଲିପିରୁ ଯୌବନ କାଳଟାକୁ ଯେପରି ପୋଛି ଦେଇଛି । କିନ୍ତୁ ସମୟ କାହାକୁ ଅପେକ୍ଷା ନକରି ଗଡ଼ି ଚାଲିଲା । ସକାଳର ନିତ୍ୟକର୍ମ ସାରି ସୁବର୍ଣ୍ଣମୟୀ ଯେତେବେଳେ ଠାକୁର ପୂଜା କରି ବସନ୍ତି, ସେତେବେଳକୁ ଖରା ଉଠିଗଲାଣି ଦୋପୁରିଆ ଚାଳ ଛାଆଣି ଘରର ମଥାନ ଉପରକୁ । ଦ୍ଵିପ୍ରହରରେ ଆହାର ସମାପ୍ତ କରି ସେ ଯେତେବେଳେ କୋଳ ଉପରେ ଭାଗବତ ପୋଥି ଖୋଲି ଧରି ବସନ୍ତି, ସେତେବେଳକୁ ଖରା ପ୍ରାୟ ନଇଁ ଆସିଲାଣି । ତା’ପରେ ଚାହୁଁ ଚାହୁଁ ତାଳଗଛର ମଥାନରୁ ଶେଷ ଖରା ଟିକକ ଫିକ୍‌କିନା ଉଭେଇଯାଏ । ସୁବର୍ଣ୍ଣମୟୀଙ୍କ ଜୀବନର ଅବଶିଷ୍ଟ ପ୍ରତିଟି ଦିନ ଠିକ୍‌ ଅନ୍ୟ ଦିନମାନଙ୍କ ପରି, କ୍ଳାନ୍ତିକର ମନ୍ଥର ଓ ଗତାନୁଗତିକତାର ପୌନଃପୌନିକତା କେବଳ । ସମୟ ଗଡ଼ିଚାଲିଚି–ସୂର୍ଯ୍ୟ ଚନ୍ଦ୍ରଙ୍କର ପରିବାଜନରେ, ମାର୍ଜାର ଶିଶୁମାନଙ୍କର ଆଖିର ସଙ୍କୋଚନ ଓ ପ୍ରସାରଣରେ । ଏଇପରି ଭାବରେ କାଲିପରି ବା ସବୁଦିନ ପରି ପଇଁତ୍ରିଶଟିବର୍ଷ ଅତୀତ ହୋଇଯାଇଛି । ଏଇ ସମୟ ଭିତରେ ସୁବର୍ଣ୍ଣମୟୀ କେଉଁଠି ଅବସ୍ଥାନ କରିବା ଉଚିତ, ବା ଫେରିଯିବା ପାଇଁ ଶ୍ଵଶୁରାଳୟରୁ ସମ୍ବାଦ ଆସିବା ଉଚିତ କି ନାହିଁ, ସେ ବିଷୟରେ ସେ ନିଜେ ବା ଉଭୟପକ୍ଷର ମୁରବୀମାନେ, କୌଣସି ଗୁରୁତ୍ଵଆରୋପ କରିବା ଦୂରେ ଥାଉ, ଚିନ୍ତା ମଧ୍ୟ କରିନାହାନ୍ତି ।

 

କିନ୍ତୁ ଏଇ ପଇଁତ୍ରିଶବର୍ଷ ଭିତରେ ପୃଥିବୀରେ ଅନେକ କିଛି ଓଲଟପାଲଟ ହୋଇଯାଇଛି । ସାମନ୍ତବାଦ କେବଳ ପୁରୁଣା ହେଇଯାଇଚି ନୁହେଁ । ତାହା ତାହାର ପ୍ରୟୋଜନୀୟତା ହରେଇ ବସିଛି । ଜମିଦାରୀ ଉଚ୍ଛେଦ ହେଇଛି ଓ ଏହି ସଂସ୍ଥାରେ ବର୍ଦ୍ଧିତ ଲୋକନାଥ ରାୟମାନେ ଇହଲୀଳା ସମ୍ବରଣ କରିଛନ୍ତି । ଯେଉଁମାନେ ବଞ୍ଚି ରହିଛନ୍ତି, ସେମାନେ ବଞ୍ଚିଛନ୍ତି ଅତୀତର ଏକ ମୂକସାକ୍ଷୀରୂପେ କେବଳ । ଏକର ଏକର ଜମି ପଡ଼ିଆ ପଡ଼ି ରହିଛି ଓ ଦୋପୁରିଆ ଚାଳଘର ସବୁ ଛପର ଅଭାବରୁ ଭାଙ୍ଗିରୁଜି ଯାଇଛି । ତାକୁ ଆଉଥରେ ମଜଭୁତ କରି ଠିଆ କରେଇବାର ସ୍ପୃହା ବା ସାମର୍ଥ୍ୟନାହିଁ, ବରଂ ଜମିଦାର ପରିବାରମାନେ ଭାଙ୍ଗି ଯାଇଥିବା ଅଂଶଗୁଡ଼ିକରୁ ନିଜର ଆସ୍ଥାନ ସଙ୍କୁଚିତ କରିଆଣି, ଏକ ଅପେକ୍ଷାକୃତ ସଂକୀର୍ଣ୍ଣ ଅଥଚ ନିରାପଦ ସ୍ଥାନକୁ ଉଠି ଆସିଲେଣି । ଯେଉଁମାନେ ବଂଶ ପରମ୍ପରା ଅନୁଯାୟୀ ଗତପାଞ୍ଚ ପୁରୁଷ କିଛି କରି ନଥିଲେ, ସେମାନେ ଏବେ ଆଖପାଖ ସହରକୁ ଯାଇ ସ୍କୁଲ, କଲେଜରେ ପାଠପଢ଼ାପଢ଼ି କରି ନିଜ ନିଜର ଜୀବିକା ଅର୍ଜନ କଲେଣି: ଆଉ ହବନାହିଁ–ଜେ’ ପା’ ଅମଳର ସେଇ ବିଲ ଗଣ୍ଡାକ ଉପରେ ନିର୍ଭର କରି ଜୀବନ ନିର୍ବାହ କରିବା ଆଉ ସମ୍ଭବ ନୁହେଁ ।

 

ସୁବର୍ଣ୍ଣମୟୀ ସେହି ସମୟର ଲୋକ ହେଲେ ମଧ୍ୟ ତାଙ୍କର କିଛି ପରିବର୍ତ୍ତନ ହେଇନାହିଁ-। କ’ଣ ବା ପରିବର୍ତ୍ତନ ହୁଅନ୍ତା । ତାଙ୍କର ଅତୀତରୁ କିଛି ହଜେଇବାର ଆଶଙ୍କାନାହିଁ ବା ଆଜିର ଦୁନିଆରୁ କିଛି ପାଇବାର ଆଶାନାହିଁ । ଦୀର୍ଘ ପଇଁତିରିଶିବର୍ଷ ସୁବର୍ଣ୍ଣମୟୀଙ୍କ ବାଳ ଉପରେ ଆଉ କେଇଟା ଧଳା ସିଆର କାଟି ଦେଇଛି ଓ ତାଙ୍କର ଦୁଇ ଆଖି ଚାରିପଟର କୃଷ୍ଣକାୟ ବୃତ୍ତ ଦୁଇଟିକୁ ସାମାନ୍ୟ କୃଷ୍ଣତର କରି ଦେଇଛି ମାତ୍ର । ଲୋକନାଥ ରାୟଙ୍କର ଦୁଇ ପୁଅ ଗାଁରେ ରହୁନାହାଁନ୍ତି– ଜଣେ କଟକରେ ପୁଲିସ ଡିପାର୍ଟମେଣ୍ଟରେ ଓ ଅନ୍ୟ ଜଣେ ପୁରୀ କଲେକ୍ଟରୀଏଟ୍‌ରେ କ’ଣ ଚାକିରୀ କରନ୍ତି । ମଝିରେ ମଝିରେ ଗାଁକୁ ଆସନ୍ତି–ଶୁଣନ୍ତି ତଳ ସାହାଲାଟା ଗତବର୍ଷାରେ ଭୁଷୁଡ଼ି ପଡ଼ିଲା, ଶୁଣନ୍ତି ଠାକୁରାଣୀରେ ଗାଈ ବଳଦ ସବୁ ନିପାତ ହେଇଗଲେ । ସେମାନେ ନିକଟ ଭବିଷ୍ୟତରେ ଚାକିରୀରୁ ପେନ୍‌ସନ୍‌ ପାଇବେ; କିନ୍ତୁ ସମସ୍ତେ ସହରରେ ଘର କରି ରହିବାକୁ ଚେଷ୍ଟା କରୁଛନ୍ତି । ଗାଁକୁ ଫେରିଆସିବାକୁ ନାକ ଟେକୁଛନ୍ତି । ଗାଁରେ ବିଜୁଳି ଆଲୁଅନାହିଁ କି ବାଥ୍‌ରୁମ୍‌ନାହିଁ-। ସେଠି ସେମାନେ ଚଳିପାରିବେନାହିଁ, ଏପରି କି ଗାଁର ବୁଢ଼ା-ବୁଢ଼ୀମାନଙ୍କର ସହରରେ ଜନ୍ମହେଇ ଚଳୁଥିବା ନାତିନାତୁଣିମାନଙ୍କର ମୁହଁ କି ନାଁ ମଧ୍ୟ ଜାଣନ୍ତିନାହିଁ । କଦବା କ୍ଵଚିତ୍‌ ସେମାନେ ଗାଁକୁ ଆସିଲେ ବେଳେ ବେଳେ ଗାଁର ଦହି, ଦୁଧ ନ ହେଲେ ଟିକିଏ ଘରମରା ଘିଅ ଖାଇ କୁହନ୍ତି, ‘ଏ ଜିନିଷ ଆଉ କୁଆଡ଼େ ଆମ ସହରରେ ଦେଖିବାକୁ ମିଳୁଚି !’ ନ ହେଲେ ଦିନ ଦି’ଟା ରହି ଗଲାବେଳେ ଚାଉଳ, ଚୁଡ଼ା, ନଡ଼ିଆ ଚାରଣ୍ଡା ବସ୍ତାରେ ବାନ୍ଧି ଚମ୍ପଟ, ଏମାନଙ୍କର ପୋଷାକବି ଅଲଗା । ନଳୀ ପ୍ୟାଣ୍ଟ ଆଉ ଛିଟ ହାଓ୍ୱାନି |

 

ଆଗପରି ଜମିଦାର ଘରେ ଆଉ କଚିରୀ ବସେନାହିଁ । କେବେ କେମିତି ଏମାନେ ସବୁ ସାହି ଟୋକାଙ୍କ ସାଙ୍ଗେ ଏକାଠି ହେଇ ସମାଜ ସଂସ୍କାର ବିଷୟ କଥାବାର୍ତ୍ତା ହୁଅନ୍ତି । କଥାବାର୍ତ୍ତା ହୁଅନ୍ତି ନଳକୂଅ, ତାଇଚୁଙ୍ଗ୍‌ ଧାନ ଆଉ ଗୋବର ଗ୍ୟାସ ପ୍ଳାଣ୍ଟ୍‌ କଥା, କିନ୍ତୁ ଗାଁ ଲୋକମାନଙ୍କ ଭିତରୁ ଅନେକେ ଜାଣନ୍ତି ଯେ ଏମାନେ ଉସୁନା ଧାନ କୋ’ କିଆରୀରେ ଫଳେ, ଅରୁଆ ଧାନ କୋ’ କିଆରୀରେ ଫଳେ ଜାଣନ୍ତିନାହିଁ । ପଚାରିଲେ କହିବେ ‘‘କିହୋ ପରିଡ଼ା, ଆମେ କୋ’ ଗାଁରେ ରହୁଚୁ ଯେ ଜାଣିବୁ !’’ ଗଣତନ୍ତ୍ର କଥାଟା ଗାଁରେ ଜଣାଥିଲା ବ୍ରିଟିଶ୍‌ ସରକାର ଅମଳରୁ; କିନ୍ତୁ ଏବେ ଯୋ’ କଥା ବେଶି ଶୁଣିବାକୁ ମିଳୁଚି ତା’ହେଲା ସମାଜବାଦ ।

 

ଏକଥା ଖାଲି ଲୋକନାଥ ରାୟଙ୍କ ଗ୍ରାମରେ ନୁହ–ପ୍ରତାପ ମର୍ଦ୍ଦରାଜଙ୍କ ଗ୍ରାମର ଅବସ୍ଥା ମଧ୍ୟ ତଦ୍ରୁପ । ପ୍ରତାପ ମର୍ଦ୍ଦରାଜଙ୍କୁ ଗାଁ’ର ଲୋକେ ପ୍ରାୟ ଭୁଲିଗଲେଣି କହିଲେ ଚଳେ ଏବଂ କଲିକତାରେ ତାଙ୍କର ବଞ୍ଚି ରହିଥିବା କଥା ମଧ୍ୟ ଠିକ୍‌ ଠିକ୍‌ କୁହାଯାଏନା । ଠାକୁରଙ୍କ ବିମାନ ସହିତ ଚଉପାଢ଼ୀରେ ଚାଲିଥିବା ଅନ୍ୟ ସମସ୍ତ ଆନୁସଙ୍ଗୀକ କାର୍ଯ୍ୟକଳାପର ମଧ୍ୟ ଅବସାନ ଘଟିଲାଣି । କାରଣ ବହୁଦିନରୁ ସଜଡ଼ା ହେଇ ନଥିବା ଚଉପାଢ଼ୀର ଚାଳ ପୂରାପୂରି ଭୁଷୁଡ଼ି ପଡ଼ିଲାଣି; କୁଆଡ଼େ ସବୁ ଉଇ ଖାଇ ଖତରିଗଲାଣି ଠାକୁରଙ୍କ ବିମାନ–ଖାଲି ଯାହା କଙ୍କାଳଟା ପଡ଼ି ରହିଛି । ସେଦିନ ପ୍ରତାପ ମର୍ଦ୍ଦରାଜଙ୍କର ପୁତୁରା ଆଉ ପୁତୁରା ବୋହୂମାନେ ଆସିଥିଲେ ଗାଁରେ ଝାମୁଯାତ୍ରା ଦେଖିବାକୁ । ବଡ଼ ପୁତୁରା-ବୋହୂ, ପ୍ୟାଣ୍ଟ୍‌ ପିନ୍ଧି ଆଖିରେ କଳା ଚଷମା ଲଗେଇ ଦେଖୁଥିଲା ଝାମୁଆମାନେ କିମିତି ଡହ ଡହ ରଡ଼ନିଆଁ ଉପରେ ବେତ ହଲେଇ ହଲେଇ ଚାଲିଯାଉଛନ୍ତି । ତାଙ୍କୁ ଦେଖିଲେ ମନେହଉଥାଏ ସେମାନେ ଯେମିତି ସେଇ ନିଆଁର ଧାସରେ ପୋଡ଼ିଯାଉଛନ୍ତି । ସେମାନେ ଅଳ୍ପ ସମୟ ପରେ ଗାଁ’ ଛାଡ଼ି ପଳେଇଲେ, କାରଣ ଗାଁ’ରେ ଏଆର୍‌କଣ୍ଡିସନ୍‌ ମେସିନ୍‌ ଲାଗିନାହିଁ–ଗଲାବେଳେ ଠାକୁରଙ୍କ ବିମାନରୁ ଝଡ଼ି ପଡ଼ିଥିବା କୁନ୍ଦା କାଠର କଦମ ଫୁଲକୁ ସାଙ୍ଗକୁ ନେଇଗଲେ, କହିଲେ, ‘‘ଚମତ୍କାର ହେଇଛି–ଓଡ଼ିଶାର ଏ ପ୍ରାଚୀନ ଶିଳ୍ପ ଆଉ ଦେଖିବାକୁ ମିଳିବନାହିଁ । ଏଥିରେ ଚମତ୍କାର ଟେବୁଲ ଲ୍ୟାମ୍ପ ତିଆରି କରିହେବ ।’’

 

ହାୟ ! ରାଧାରମଣ ଜୀଉ ! ତମର ଛତିଶିବାଟୀ ସମ୍ପତ୍ତି କିଏ କୁଆଡ଼େ ମାରି ଖାଇଗଲେ, ଏଇନେ ତମେ ପଡ଼ିଚ ମର୍ଦ୍ଦରାଜ ରାୟଙ୍କ ଖଳା ଘର ପାଖରେ–ସକାଳେ ଖଣ୍ଡେ ମିଶିର ଭୋଗ, ଆଉ ସନ୍ଧ୍ୟାରେ ଟିକିଏ ସୁଜିଖିରୀ ଖାଇ । ତମର ଶଙ୍ଖ, ଭେରୀ, କାହାଳୀ ଘଣ୍ଟର ଆଳତୀ କୁଆଡ଼େ ଗଲା ? ଏଇନେ ସଞ୍ଜବେଳେ ବିଲେଇ ବେକବନ୍ଧା ଝୁମୁକା ଶବ୍ଦ ପରି ତମ ପାଖରେ ହାତଘଣ୍ଟିଟାକୁ ଟିକିଏ କିଏ ହଲେଇଦିଏ । କୁଆଡ଼େ ଗଲା ତମର ଛତି, ତ୍ରାସ, ଆଲଟ ? ତମର ସୁନାର ବଇଁଶୀ କିଏ ଚୋରିକରି ନେଲା ଯେ ସେ ବଇଁଶୀ ସଢ଼ୁଚି କଚିରୀ ମାଲ୍‍ଖାନା ଭିତରେ ଗତପାଞ୍ଚବର୍ଷ ହେଲା । ଶୁଣାଯାଉଛି, ଏବେ କୁଆଡ଼େ ସରକାର ନିଲାମ କରିଦେବେ ତାକୁ ଏବଂ ଶେଷରେ ତମର ବିମାନର କୁନ୍ଦା ଶିଶୁକାଠର କଦମ୍ବ କଢ଼ି କାହାର ଡ୍ରଇଂ ରୁମ୍‍ରେ ଟେବୁଲ ଲ୍ୟାମ୍ପକୁ ମୁଣ୍ଡରେ ମୁଣ୍ଡେଇ ଠିଆ ହୋଇ ରହିବ !

 

ୟେ’ ଚାଲିଛି ଗୋଟାଏ ଛକାପଞ୍ଝା ଡୁଡ଼ୁ ଖେଳ, ସାମନ୍ତବାଦ ଆଉ ସମାଜବାଦ ଭିତରେ-। କିନ୍ତୁ ବହୁବେଳୁ ସାମନ୍ତବାଦର ପାହି ଛାଡ଼ି ଗଲାଣି । ସାମନ୍ତବାଦର ସବୁ ଖେଳାଳୀମାନେ ଗୋଟିକ ପରେ ଗୋଟିଏ ମରିସାରିଲେଣି । ସାମନ୍ତବାଦ କେବଳ ଖେଳୁଚି କା’ରେ । ସମାଜବାଦର ଖେଳାଳୀମାନେ ନିର୍ବିଘ୍ନରେ, ନିଧଡ଼କ୍‌ରେ ପାହି ଡେଇଁ ପଳାତକ ସାମନ୍ତବାଦର ନିଜସ୍ଵ ଘରେ ପ୍ରବେଶ କରି ବଳାତ୍କାର ପୂର୍ବକ ନେଇ ଆସୁଛନ୍ତି, କେତେବେଳେ ବିମାନର କୁନ୍ଦା କଦମ୍ବ କଢ଼ ତ କେତେବେଳେ ପ୍ରତାପ ମର୍ଦ୍ଦରାଜଙ୍କର ପିତ୍ତଳ ହୁକ୍‌କା, ନ ହେଲେ କେତେବେଳେ ସଙ୍ଗା-ସାଇତା ତାଳପତ୍ର ପୋଥି–ଯାଦୁଘରେ ସାଇତି ରଖିବାପାଇଁ ।

 

କିନ୍ତୁ ଏ ଛକାପଞ୍ଝା ଖେଳ ଭିତରେ ସୁବର୍ଣ୍ଣମୟୀ ନାହାଁନ୍ତି । ସେ ଲୋକନାଥ ରାୟଙ୍କ ପରିବାର ଭିତରେ ତାଙ୍କର ପେଟୁଆ ଧାନ କୋଠିପରି । ନ ହେଲେ ଦାଣ୍ଡ ଦୁଆରେ କାହିଁ କୋ’କାଳୁ ପଡ଼ିଥିବା ଅକର୍ମଶିଳା ପଥର ଖଣ୍ଡକ ପରି, ନ ହେଲେ ତାଙ୍କର ଦୋପୁରିଆ ପାଞ୍ଚପୁରୁଷୀ ଆଟୁ ଘରର ମୋଟା ମୋଟା ଶାଳ କାଠର ଶେଣୀପରି ସ୍ଥାବର ହେଇଯାଇଛନ୍ତି । ଅକର୍ମା ପରି ବହୁବର୍ଷ ପଡ଼ିରହିବା ଭିତରେ କେଉଁଠି କେମିତି ଘୁଣ ଧରିଯାଇଛି ହୁଏତ; ନ ହେଲେ ସମସ୍ତ ମୌଳିକ ଗୁଣ ରହିଛି ଅପରିବର୍ତ୍ତନୀୟ । ସକାଳର ନିତ୍ୟକର୍ମ ସରିଲେ ସୁବର୍ଣ୍ଣମୟୀ ତାଙ୍କର ସେଇ ଜେ’ମା କାଳର ପୁରୁଣା ଲୁହା ହାତ-ବାକ୍‌ସ ଖଣ୍ଡକ ଦରମେଲା କରି ତା’ ଭିତରୁ କେତେବେଳେ କେମିତି ଓଟାରି ଆଣନ୍ତି କସ୍ତା ଖଣ୍ଡେ ନ ହେଲେ ଭାଗବତ ପୋଥି । ଆଉ ତାକୁଇ ଦିନସାରା ଗୁଣୁ ଗୁଣୁ ହେଇ ପୁଣି ସନ୍ଧ୍ୟା ହେଲେ ସାଇତି ଦିଅନ୍ତି ତାଙ୍କର ହାତବାକ୍‌ସ ଭିତରେ ।

 

ଏଇ ଦୀର୍ଘଦିନ ଭିତରେ ସୁବର୍ଣ୍ଣମୟୀ ରାୟ ପରିବାରରେ ଓ ମର୍ଦ୍ଦରାଜ ପରିବାରରେ ଏକ ଜୀବନ୍ତ କିମ୍ବଦନ୍ତୀରେ ପରିଣତ ହୋଇସାରିଲେଣି । ସେଇ ଯେ ପଇଁତ୍ରିଶବର୍ଷ ତଳେ ଗୋଟାଏ ଆଖି ଦେଖିଲାପରି ବାହାଘର ହେଇଥିଲା ଯେଉଁଥିରେ ଆଖପାଖ ପାଞ୍ଚ ଛ’ଖଣ୍ଡ ଗାଁର ଲୋକେ ଗୋଟାଏ ମନେ ରହିଲାପରି କାନିକା, ମାଛ ଆଉ ଖିରୀ ଭୋଜୀ ଖାଇ ଫେରିଥିଲେ, ସେଇ ଯେ ନୂଆବୋହୂଙ୍କୁ ଅଗରପଡ଼ାର ସାଇପଡ଼ିଶାର ମାଇପେ ଆସି ଦେଖିଥିଲେ ଦିହସାରା ସୁନା ଛାଇ ହେଇଯାଇଛି, ସେ’ କଥା ଆଜି ମଧ୍ୟ କେହି ପାସୋର ଯାଇନାହାନ୍ତି । ସେକାଳର ଭୋଜୀ ଖାଇଥିବା ଲୋକେ, କି ବେକ, ମୁହଁ ଦରାଣ୍ଡି ଗହଣା ପରଖିଥିବା ଲୋକେ କିଏ କୁଆଡ଼େ ଗଲେଣି; ତେବେ ମୁହଁରୁ ମୁହଁ ହେଇ ସେ ସମୟର ସୁବର୍ଣ୍ଣମୟୀଙ୍କର ଐଶ୍ଵର୍ଯ୍ୟ ଆଜିଯାଏ ଏଇ ସମାଜବାଦୀ ଯୁଗର ପିଲାଙ୍କ ସ୍ମୃତି ଭିତରେ ଜାଜ୍ଜ୍ୱଲ୍ୟମାନ ରହିଚି । କିନ୍ତୁ କୁଆଡ଼େ ଗଲା ସେଇ ସବୁ ସୁନା ଗହଣା–କୁଆଡ଼େ ଗଲା ଏ ଐଶ୍ଵର୍ଯ୍ୟ ? ଏ ବିଷୟ ନେଇ କେବେ କେମିତି କଥାବାର୍ତ୍ତା ହେଲେ, ସେଇ ଅନିବାର୍ଯ୍ୟ କଥାଟି ପ୍ରାୟ ପୁନଃ ପୁନଃ ଉଚ୍ଚାରିତ ହେଇଥାଏ, ‘‘କୁଆଡ଼େ ଆଉ ସବୁ ଯିବ ? ଘରେ ପଶି ତ ଚାରି ପାଞ୍ଚ ମାସ ଯାଇଚି କି ନାହିଁ ଘଇତାକୁ ଖାଇଲା, ସେଦିନରୁ ତ କେବେ କେହି ତାକୁ ଗହଣା ଲଗେଇବାର ଦେଖିନାହିଁ–ପୂରେଇ ଥିବ ତ ବାକ୍‌ସ ଭିତରେ ଆଉ କୁଆଡ଼େ ଯିବ ? କାହାକୁ ଦେଲା ନାଁ ନେଲା ?’’ କଥାରୁ କଥା ମେଲେ । ବୁଢ଼ା ବୁଢ଼ାମାନଙ୍କର ତରୁଣମାନଙ୍କୁ କେଉଁ ସମୟରେ କିଛି ହେଲେ କହିବାର ନଥାଏ । କାରଣ ତରୁଣମାନେ ବର୍ତ୍ତମାନ ସମୟ ବିଷୟରେ ଯାହା ଜାଣନ୍ତି ବୁଢ଼ାମାନେ ତା’ର କାଣିଚାଏ ସୁଦ୍ଧା ଜାଣନ୍ତିନାହିଁ । ତେଣୁ ସବୁ ସମୟର ବୁଢ଼ାବୁଢ଼ୀମାନଙ୍କର ସେଇ ଗୋଟିଏ ମାତ୍ର ବକ୍ତବ୍ୟ–ତାଙ୍କ ସମୟରେ ଦୁନିଆ କ’ଣ ଥିଲା ! ତେଣୁ କଥା ଗଡ଼ିଚାଲେ–କେମିତିକିଆ ସୁବର୍ଣ୍ଣମୟୀ ବାହା ହେଇ ଆସିଥିଲା କେତେ ଜାଗାରୁ ତା’ ବାହାଘରରେ ବାଣ ଫୁଟେଇବାକୁ ବାଣ ତିଆରି କରାହୋଇ ଆସିଥିଲା–କେତେ ଦିନରେ କେତେଖଣ୍ଡ ଶଗଡ଼ ନେଇ ବରଯାତ୍ରୀମାନେ କନ୍ୟାକୁ ନେଇ ଘରେ ପହଞ୍ଚିଲେ ଓ ସେ ସମୟରେ ସୁବର୍ଣ୍ଣମୟୀ କେତେ ଗହଣା ପିନ୍ଧୁଥିଲା–ଯାହାକୁ ଦେଖି ଅପରପକ୍ଷର ଲୋକଙ୍କର ଆଖିଗୁଡ଼ାକ କୁଆଡ଼େ ତାଳୁରେ ଖୋସି ହେଇଯାଇଥିଲା ।

 

ଶତକଡ଼ା ଚାରିଭାଗ ସତ୍ୟ ସହିତ ଛୟାନବେ ଭାଗ କଳ୍ପନା ମିଶି ଆଉ ଯାହାହଉ ନ ହଉ ବୁଢ଼ାବୁଢ଼ୀଙ୍କ ସାଙ୍ଗରେ ଗଜରାଜପୁର ଓ ଅଗରପଡ଼ାର ଅପେକ୍ଷାକୃତ କମ୍‌ ବୟସ୍କ ଲୋକମାନଙ୍କର ସନ୍ଧ୍ୟାଟା ଜମେ ବେଶ୍‌ । ପିଲାମାନେ ଆଁ କରି ଗପ ଶୁଣି ଯାଉଥାଆନ୍ତି ଏବଂ ସେମାନଙ୍କର ନିଜସ୍ଵ କଳ୍ପନା ଡେଣା ମେଲେ । ଏଁ ! ଏତେ ସୁନା ପୁଣି ଗୋଟାଏ ବାହାଘରରେ ? କିଏ କହେ ଗୋଟାଏ ଡାକୋଟା ବିମାନ କିଣିହବ ଆଜିକାଲି–ଆଉ କିଏ କହେ ଦୁଇଥର ରାଉଣ୍ଡ୍‌ ଦି’ ୱାରଲ୍‌ଡ଼ ଟ୍ରିପ କରିହବ । ଆଉ କିଏ କହେ, ଆରେ ବୁଢ଼ୀ କି କହ– ସବୁ ଯିବଟି–ଆଜିକାଲି ଯୋ ଗୋଲ୍‌ଡ଼ କଣ୍ଟ୍ରୋଲ୍‌ ଅଡ଼ର୍‌ ଦେଲାଣି–ମିଛେ ମିଛେ ସରକାର କାହିଁକି ସୁନାତକ ନେବେ । ସୁବର୍ଣ୍ଣମୟୀଙ୍କର ନାତି ବୟସର ପିଲା କହନ୍ତି, ‘‘ଶଳା ! ଗୋଟାଏ ମାରାଥନ୍‌ ରେସ୍‌ ନେଇଛି–ସ୍ଵାମୀ, ପୁତୁରା ସମସ୍ତଙ୍କୁ ଖାଇ ଆମକୁ ଖାଇଲେ ବୁଢ଼ୀ ମନ ଶାନ୍ତି–ଶଳା, କିଛି କାଢ଼ି ଦେଲେ ମୁଁ ପାରାଦ୍ଵୀପରେ ଗୋଟାଏ ଟ୍ରଲର ଏଇ ସିଜିନ୍‌ରେ ପକେଇ ଦିଅନ୍ତି । ପ୍ରନ୍‌ଟୁ’ ଡ଼େ ସେଲ୍‌ସ ଆଉଟ୍‌ ସାଇଡ଼୍‍ ଆଟ୍ ଦି ରେଟ୍‌ ଅଫ୍‌ ହଣ୍ଡ୍ରେଡ଼ ଏଇଟି ରୁପିଜ୍‌ ଏ କିଲୋ ।’’ ହଣ୍ଡ୍ରେଡ଼ ଏଇଟି ରୁପିଜ୍’ କଥାଟା ଉଚ୍ଚାରଣ କଲାବେଳେ ଟୋକାଟାର ଆଖିସବୁ ଖୁବ୍‌ ଗୋଲ ଗୋଲ ଓ ବଡ଼ ହୋଇଯାଇଥାଏ ।

 

କିନ୍ତୁ ଏ ସମସ୍ତ କଳ୍ପନାଜଳ୍ପନା ନିଜର ଆତ୍ମୀୟସ୍ଵଜନମାନଙ୍କଦ୍ଵାରା ସୁବର୍ଣ୍ଣମୟୀଙ୍କର ପରିହାସ ଜନିତ ହେଲେ ମଧ୍ୟ ଆଶୁ-ମୃତ୍ୟୁ କାମନା ସବୁ ଚାଲିଥାଏ ତାଙ୍କର ଅଗୋଚରରେ । କିନ୍ତୁ ଗୋଟିଏ କଥା ଧୀରେ ଧୀରେ ସୁବର୍ଣ୍ଣମୟୀଙ୍କ ଆଗରେ ସ୍ପଷ୍ଟ ହୋଇ ଆସୁଥାଏ–ତା’ ହେଲା ସେ ଗଜରାଜପୁର ରାୟପରିବାରର ଯେତେ ଲୋକ ଅବଶିଷ୍ଟ ଘରେ ରହୁଛନ୍ତି, ସେମାନଙ୍କର ଦୈନନ୍ଦିନ ଗ୍ରାସାଚ୍ଛାଦନ ଧୀରେ ଧୀରେ ଯେପରି କଷ୍ଟସାଧ୍ୟ ହେଇ ଉଠିଲାଣି । ଆଜିକାଲି କିଏ ବା ଗାଁରେ ରହେ । ସ୍ଥାୟୀ ଅଧିବାସୀ କହିଲେ ବିଧବା ନଣନ୍ଦ ମନୋରମା ଓ ବିଧବା ଯା’ ତିଳୋତ୍ତମାଙ୍କୁହିଁ ବୁଝାଏ । ତିଳୋତ୍ତମାଙ୍କର ତିନିପୁଅ ପ୍ରାୟ ସହରରେ ରୁହନ୍ତି, ମଝିରେ ମଝିରେ ବଡ଼ପୁଅ ଆଦିତ୍ୟ ଗାଁକୁ ଆସି ଭଲମନ୍ଦ ବୁଝାବୁଝି କରିଦେଇ ଯାଆନ୍ତି । ସେମାନଙ୍କର ପିଲାମାନେ ମଧ୍ୟ ସହରରେ, କେବଳ ଗାଁରେ ଥାଏ ତିଳୋତ୍ତମାଙ୍କର ନାତୁଣୀ ଅପର୍ଣ୍ଣା । ଅପର୍ଣ୍ଣା ବାର ତେରବର୍ଷର ଝିଅ । ସିଏ ଗାଁର ମାଇନର ସ୍କୁଲରେ ପାଠପଢ଼ନ୍ତି । ଏମାନଙ୍କ ଛଡ଼ା ଗୋଟିଏ ମାତ୍ର କୋଠିଆ । ହଳେ ହଡ଼ା ବଳଦ ଖାଲି ପତିଆରକୁ ଦାଣ୍ଡରେ ବନ୍ଧା ହେଇ ରହିଥାଆନ୍ତି । ଆଦିତ୍ୟ ମଝିରେ ଯାହା ଆସନ୍ତି ସେଥିରେ ପ୍ରକୃତରେ ବୁଝାବୁଝି କରିବାର କିଛି ନଥାଏ । କେବଳ ସୂଚେଇ ଦେଇଯାଆନ୍ତି ଯେ ସବୁ ହଳିଆ କୋଠିଆମାନେ ନିଜକୁ ଭାଗଚାଷୀ କହି ଶହେ କି ଦୁଇଶହ ମକଦ୍ଦମା କଲେଣି ଓ ସେଇ ମକଦ୍ଦମାରେ ଯାହା ଖର୍ଚ୍ଚ ତାକୁ ବାଦ୍‌ ଦେଲେ ମଧ୍ୟ ଦଉଡ଼ି ଦଉଡ଼ି ତାଙ୍କର ଗୋଡ଼ ଚାନ୍ଦି ଫିଟିଗଲାଣି-। କେବେ କେବେ କୁହନ୍ତି, ସେ ଆଉ ଏତେ ଗାଁକୁ ଆସିପାରିବେନାହିଁ ବରଂ ତାଙ୍କ ମା’ ତିଳୋତ୍ତମାଙ୍କୁ ସେ ସାଙ୍ଗରେ ସହରକୁ ନେଇଯିବେ ।

 

ସୁବର୍ଣ୍ଣମୟୀ ସବୁ ଶୁଣନ୍ତି ଓ ସବୁଦିନ ପରି ନୀରବ ରୁହନ୍ତି । ଏକେତ ଏସବୁ ସମସ୍ୟା ସମାଧାନ କରିବା ତାଙ୍କର ସାମର୍ଥ୍ୟ ବାହାରେ, ଦ୍ଵିତୀୟତଃ ସେ ତ ଏଠିକି କେବଳ ତାଙ୍କ ମୃତ ପିତା ଲୋକନାଥ ରାୟଙ୍କର ନିର୍ଦ୍ଦେଶରେ ସ୍ଥାନାନ୍ତରିତ ହେଇଛନ୍ତି । କିନ୍ତୁ ତାଙ୍କର ଏହି ଅସୟତା ବା’ ଆପାତଃ ନିଶ୍ଚେଷ୍ଟତା ରାୟ ପରିବାରର ଅନ୍ତେବାସୀମାନଙ୍କଦ୍ଵାରା ଅର୍ଥାନ୍ତର କରାଯାଇଥାଏ ତାଙ୍କର ଅବର୍ତ୍ତମାନରେ । ସୁବର୍ଣ୍ଣମୟୀଙ୍କର ଅବର୍ତ୍ତମାନରେ କୁହାଯାଏ, ‘‘ଗୋଟାଏ ମୁଖଲଜ୍ଜାନାହିଁ, ଗୋଟିଏ ଝିଅ ବୋଲି ସୁନାରେ ଛାଅଣି କରି ବାପା ବାହା କରିଥିଲେ, ବାପଘରେ ସଧବା ଥାଉ ଥାଉ ରହିଲାଣି ପଇଁତ୍ରିଶିବର୍ଷ, ହେଲେ ଗୋଟାଏ କାଣିକଉଡି କାଢ଼ିବନାହିଁ ।’’ କେତେବେଳେ କେମିତି ନାତୁଣୀ ଅପର୍ଣ୍ଣା ଆସି ଗେହ୍ଲେଇ ହେଇ କହେ, ‘‘ବଡ଼ ଜେଜେମା, ତମର ସେ ବାକ୍‌ସଟା ଭିତରେ କ’ଣ ଅଛି ?’’ ସୁବର୍ଣ୍ଣମୟୀ ଟିକିଏ ସ୍ମୃତି ହସି ଅପର୍ଣ୍ଣାକୁ ଅନାନ୍ତି ଆଉ କୁହନ୍ତି, ‘‘ତା’ ଭିତରେ ମୋ’ ଆୟୁଷ ଅଛି ଲୋ, ଆୟୁଷ ଅଛି–ମୁଁ ନ ମରି ଯାହା ବଞ୍ଚି ରହିଛି ।’’

 

ଅପର୍ଣ୍ଣା ଆସି କଥାଟାକୁ ଯେ ପୂରାପୂରି ନିଜର କୌତୁହଳ ହେତୁ ପଚାରିଥିଲା ଏପରି ନୁହ । ଛୋଟ ପିଲାଟିର କୌତୁହଳଟାକୁ ପରୋକ୍ଷରେ ଜାଗ୍ରତ କରେଇଦେଇଥିଲେ ତିଳୋତ୍ତମା । ତେଣୁ ସୁବର୍ଣ୍ଣମୟୀଙ୍କର ଏହି ପ୍ରହେଳିକାମୟ ଉତ୍ତର ଯେ ତିଳୋତ୍ତମାଙ୍କର କାନରେ ପଡ଼ିବ, ଏଥିରେ ଆଶ୍ଚର୍ଯ୍ୟ ହବାର ମଧ୍ୟ କିଛିନାହିଁ । ଏଇ ଉତ୍ତର ତୁଣ୍ଡରୁ ଦି’ତୁଣ୍ଡ ହେଇ ବାରମ୍ବାର ତର୍ଜମା କରାଯାଇଛି ଏବଂ ତର୍ଜମାର କମ୍ପାସ୍‌ ପ୍ରତିଥର ଯେଉଁଆଡ଼କୁ ମୁହାଁଇଛି, ତାହା ହେଲା ଅପର୍ଯ୍ୟାପ୍ତ ଗୁପ୍ତଧନ । କିନ୍ତୁ ଏକଥା ତ ଆଉ ତୁଣ୍ଡ ଖୋଲି ପଚରା ଯାଏନା । ସମୟ ଓ ସୁଯୋଗ ଉଣ୍ଡି ତିଳୋତ୍ତମା, ଏପରିକି ବିଧବା ପିଇସୀ ମନୋରମା ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି–କହିଛନ୍ତି, ‘‘ତମେ କାହିଁକି ମିଛଟାରେ ଉଠ୍‌ବସ୍‌ ହଉଚ ମ ! ମତେ କୁଞ୍ଚିକାଠିଟା ଦିଅ, ମୁଁ

 

ଭାଗବତ ବହିଖଣ୍ଡକ ନେଇ ଆସୁଚି ।’’ –ନାଁ ସୁବର୍ଣ୍ଣମୟୀ ବାରଣ୍ଡାର କାଠି ଖଣ୍ଡକୁ ଧରି କୁନ୍ଥେଇ ଉଠି ଠିଆ ହେଇଛନ୍ତି ଆଉ ତାଙ୍କ ବଖରା ଆଡ଼କୁ ଗଲାବେଳେ କୁହନ୍ତି, ‘‘ଜୀବ ଥେଲା ପର୍ଯ୍ୟନ୍ତ କରୁଥିବି–ଜୀବ ଗଲେ ଗଲା ।’’ ଏ ଉକ୍ତି ମଧ୍ୟ ତିଳୋତ୍ତମା ଓ ମନୋରମାଙ୍କ ପାଇଁ ପ୍ରହେଳିକାମୟ ହୋଇ ରହିଯାଏ । ଶେଷ ପର୍ଯ୍ୟନ୍ତ ସୁବର୍ଣ୍ଣମୟୀ ଗାଧୋଇ ଗଲାବେଳେ କି ପୋଖରୀ ପାଣି ଗଲାବେଳେ ନଣନ୍ଦ ଭାଉଜ ଦି’ଜଣଯାକ କାନ୍ଥ ଖୁରୀ, ଶେଯତଳ ପର୍ଯ୍ୟନ୍ତ ଅଣନିଶ୍ଵାସୀ ହେଇ ଖୋଜି ଦେଇଛନ୍ତି, କିନ୍ତୁ ସବୁ ଫେଲ୍‌ । ଦେଖିଲାବେଳକୁ ସୁବର୍ଣ୍ଣମୟୀ ଓଦାଲୁଗା ବେଢ଼େଇ ହେଇ କୂଅ ମୂଳରୁ ଗୋଟିଏ ଗୋଟିଏ ପାଦ ଗଣି ଗଣି ଫେରୁଛନ୍ତି । ତାଙ୍କର ଡାହାଣ ହାତରେ ମଜାମଜି ହେଇ ଚକ୍‌ ଚକ୍‌ କରୁଥିବା ପିତ୍ତଳ ଲୋଟାରେ ପାଣି ଆଉ ବାଆଁ ହାତରେ ସେଇ ଅନିବାର୍ଯ୍ୟ କୁଞ୍ଚିକାଠି । ସେମାନେ ଶେଷକୁ ଏହି ଗୁପ୍ତଚର କାମରେ ଅପର୍ଣ୍ଣାକୁ ବାରମ୍ବାର ମୁତୟନ କରିଛନ୍ତି; କିନ୍ତୁ କହିବା ବାହୁଲ୍ୟ ଅପର୍ଣ୍ଣା ମଧ୍ୟ ଫେଲ୍‌ ମାରିଚି । ସୁବର୍ଣ୍ଣମୟୀଙ୍କ ଭାଗରେ ପଡ଼ିଛି ତାଙ୍କ ବାପ ରହୁଥିବା ବଖରା ଓ ସେ ଶୋଇଲାବେଳେ କି ଶୀତ କି ଗ୍ରୀଷ୍ମ ସବୁବେଳେ କବାଟ କିଳି ଶୋଇଥାଆନ୍ତି ।

 

ଏହି ସମୟରେ ଏକ ଅପୂର୍ବ ସୁଯୋଗ ଉପସ୍ଥିତ ହେଲା । ସୁବର୍ଣ୍ଣମୟୀ ହଠାତ୍‌ ଗୁରୁତର ଶ୍ଵାସ ରୋଗରେ ଆକ୍ରାନ୍ତ ହେଲେ ଓ ବେଳେ ବେଳେ ଧଇଁ ପେଲି ପେଲି ଅନେକ ସମୟ ଧରି ଅଚେତା ହୋଇ ରହିଲେ । ସେହି ଅସହାୟ ଅବସ୍ଥାରେ ମଧ୍ୟ ଅପର୍ଣ୍ଣା କର୍ତ୍ତୃକ ଚେଷ୍ଟା ଅବ୍ୟାହତ ରଖାଯାଇଛି । କିନ୍ତୁ ଦେଖାଯାଇଛି ଯେ ଅଚେତ ଥିବା ସମୟତକ କୁଞ୍ଚିକାଠି ଉପରେ ଯେଉଁ ବଜ୍ରମୁଷ୍ଟିର ଜାବ ପଡ଼ିଥାଏ । ତାକୁ ଖୋଲିବା, ଅପର୍ଣ୍ଣା କାହିଁକି, ବୟସ୍କ ଲୋକମାନଙ୍କ ପକ୍ଷରେ ମଧ୍ୟ ସମ୍ଭବ ନୁହେଁ ।

 

ସ୍ଥାନୀୟ କବିରାଜ ପ୍ରଭୃତିଙ୍କର ଆୟୁର୍ବେଦୀ ଔଷଧ କିଛି କାଟୁ କରୁନାହିଁ । ଏବେ ବୋଧହୁଏ ସହରର କୌଣସି ବଡ଼ ଡାକ୍ତରଖାନାକୁ ତାଙ୍କୁ ନିଆହବା ଉଚିତ୍‌, ଏକଥା ଭଲଭାବରେ ସମସ୍ତେ ଉପଲବ୍‍ଧ କରୁଥିଲେ ମଧ୍ୟ କିଏ ମୁଣ୍ଡ ପକେଇବ ? ଖର୍ଚ୍ଚ କିଏ ବହନ କରିବ ? ମୃତ ବୀରବର ରାୟଙ୍କର ତିନିଜଣଯାକ ପୁଅ ଆଦିତ୍ୟ, ସତ୍ୟ ଆଉ ମହିମା ସମସ୍ତେ ସହରରେ ରହୁଥିଲେ ମଧ୍ୟ କେହି ଭରସି କରି କଥାଟାକୁ ଉତ୍‌ଥାପନ କରୁନାହାନ୍ତି, ଅଥଚ ସୁବର୍ଣ୍ଣମୟୀଙ୍କର ସ୍ଵାସ୍ଥ୍ୟର ଦୃଢ଼ ଅବନତି ଘଟୁଛି ।

 

ଠିକ୍‌ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରାୟ ପରିବାରର ସମସ୍ତ ସମସ୍ୟାର ସମାଧାନ କରିଦେଇ ବିଧି ପ୍ରେରିତ ପରି ୰ଲୋକନାଥ ରାୟଙ୍କର ଦୁଆର ମୁହଁରେ ଉପସ୍ଥିତ ହେଲେ ଗୋବର୍ଦ୍ଧନ ମର୍ଦ୍ଦରାଜ । ଗୋବର୍ଦ୍ଧନ ତିଳୋତ୍ତମାଙ୍କୁ ଯଥାବିଧି ପ୍ରଣାମ କରି ତାଙ୍କର ପରିଚୟ ଦେଲେ । ଗୋବର୍ଦ୍ଧନ ହେଉଛନ୍ତି ପ୍ରତାପ ମର୍ଦ୍ଦରାଜଙ୍କର ସାନଭାଇ ହରିହର ମର୍ଦ୍ଦରାଜଙ୍କର ଦ୍ଵିତୀୟ ପୁତ୍ର, ଯିଏ ପିତାଙ୍କ ମୃତ୍ୟୁ ଅନ୍ତେ ଭୂ-ସମ୍ପତ୍ତିର ଯାହା କିଛି ଅବଶିଷ୍ଟ ଅଛି, ତା’ର ଦେଖାଶୁଣା କରନ୍ତି ଅଗରପଡ଼ା ଗାଁରେ ରହି । ଗୋବର୍ଦ୍ଧନ ଯଥେଷ୍ଟ ସମୀହ କରି କଥାଟାକୁ ଆରମ୍ଭ କଲେ, କହିଲେ, ‘ଆମେ ଖବର ପାଇଲୁ ବଡ଼ମା’ଙ୍କର ଦିହ କୁଆଡ଼େ ଖୁବ୍‌ ଖରାପ । ଏତେବର୍ଷ ଧରି ଆମେମାନେ ତାଙ୍କର କିଛି କରିପାରିଲୁନାହିଁ । ମଉସା ସେଇ ଯେ ନେଇ ଆସିଥିଲେ, ଆଉ ଦିନେ ସେ ଅଗରପଡ଼ା ଦେଖିଲେନାହିଁ–ହେଲେ ଖବର ପାଇ ମତେ ମାଆ, ପି’ସୀ ଆଉ ରମେଶ ଭାଇନା ପଠେଇଛନ୍ତି । ଆପଣମାନେ ଯଦି ଅନୁମତି ଦିଅନ୍ତେ, ତାହାହେଲେ ଆମେ ବଡ଼ମା’ଙ୍କୁ ଗାଁକୁ ନେଇଯାଇ ଶେଷ ଜୀବନରେ ତାଙ୍କର ସେବା କରିବାର ସୁଯୋଗ ଅନ୍ତତଃ ପାଆନ୍ତୁ ।’’ ଯୋଗକୁ ସେଦିନ ଶନିବାର, ଆଉ ଆଦିତ୍ୟ ମଧ୍ୟ ଆସି ପହଞ୍ଚିଥାଆନ୍ତି ଘରେ । ଆଦିତ୍ୟ ଯେମିତି ସରଗର ଚାନ୍ଦ ପାଇଲେ, କହିଲେ, ‘‘ବୁଝିଲେ ଗୋବର୍ଦ୍ଧନବାବୁ, ଜିନିଷ ହେଲା ଆପଣଙ୍କର ଆପଣ ଆଜି ଆସନ୍ତୁ କି କୋଡ଼ିଏବର୍ଷ ଆଗରୁ ଆସନ୍ତୁ, ଆପଣଙ୍କର ଯେବେ ଇଚ୍ଛା ଆପଣଙ୍କର ଜିନିଷ ଆପଣ ନେବେ ।’’

 

ଗୋବର୍ଦ୍ଧନବାବୁ ଆଶ୍ୱସ୍ତ ହେଲେ ଓ ସୁବର୍ଣ୍ଣମୟୀ ଦେବୀଙ୍କୁ ପୁନଃ ସ୍ଥାନାନ୍ତରିତ କରିବାର ଆୟୋଜନ ଆରମ୍ଭ ହେଲା । ଅବଶ୍ୟ ମନ ଧରିବାକୁ ସୁବର୍ଣ୍ଣମୟୀଙ୍କର କାନରେ କଥାଟା ପକାଯାଇଥିଲା । ସୁବର୍ଣ୍ଣମୟୀ ଧଇଁ ପେଲି ପେଲି କହିଥିଲେ, ‘‘ଆରେ, କାହିଁକି ବୁଢ଼ୀଟାକୁ ବିଲେଇ ପିଲା ପରି ଏପଟସେପଟ କରୁଚ, ଆଉ କ’ଣ ମୁଁ ବଞ୍ଚିବି ?’’ ଯାତ୍ରା କରିବାର ଆୟୋଜନ ଭିତରେ ସୁବର୍ଣ୍ଣମୟୀଙ୍କର ଏଇ କ୍ଷୀଣ ପ୍ରତିବାଦ ପାଣିଫୋଟକା ପରି କୁଆଡ଼େ ମିଳେଇ ଯାଇଥିଲା-। ଅଗରପଡ଼ାରେ ପହଞ୍ଚିଲାବେଳକୁ ସୁବର୍ଣ୍ଣମୟୀଙ୍କ ପିଣ୍ଡରେ ଯେ ତଥାପି ପ୍ରାଣ ଥିଲା, ତା’ର କାରଣ ଏଥରକ ସେ ସ୍ଥାନାନ୍ତରିତ ହୋଇଥିଲେ ରେଳଗାଡ଼ି ଯୋଗେ ଯାହା ମାତ୍ର ତିନିଘଣ୍ଟାର ବାଟ-। ହାତରେ କୁଞ୍ଚିକାଠି ଧରି ରେଳରୁ ଓହ୍ଲେଇ ଶଗଡ଼ରେ ବସିଲାବେଳକୁ ସୁବର୍ଣ୍ଣମୟୀ କହିଲେ, ‘ଗୋବର୍ଦ୍ଧନ, ବଡ଼ କଥାଟାଏ କଲ ମଲାବେଳକୁ ବୁଢ଼ୀକୁ ରେଳଗାଡ଼ିରେ ଚଢ଼େଇ ଦେଲ ହେଲେ ।’

 

ଘରେ ପହଞ୍ଚିଲାବେଳକୁ ସୁବର୍ଣ୍ଣମୟୀଙ୍କୁ ପାଛୋଟି ନବାପାଇଁ ଘର ଦାଣ୍ଡଦୁଆରେ ନଣନ୍ଦ ଚିତ୍ରାଙ୍ଗଦା ଦେବୀ ଓ ଯା’ ପ୍ରତିଭା କୁମାରୀଙ୍କ ବ୍ୟତୀତ ଆଉ କେହି ନଥିଲେ । ଆଉ କିଏ ବା ଥାଆନ୍ତା । ଦିଅର ଆଉ ନଣନ୍ଦଙ୍କ ପିଲାମାନେ, ନାତିମାନେ ସବୁତ ସହରରେ ପାଠପଢ଼ୁଛନ୍ତି, ଚାକିରୀ କରୁଛନ୍ତି । ଇତିମଧ୍ୟରେ ସୁବର୍ଣ୍ଣମୟୀ ଅଗରପଡ଼ା ଘରର ମାନଚିତ୍ର ମଧ୍ୟ ବିସ୍ତୃତ ହେଇଥିଲେ, ତାଙ୍କର ଦୁଇ ବାହା ଧରି ଚିତ୍ରାଙ୍ଗଦା ଓ ପ୍ରତିଭାକୁମାରୀ ତାଙ୍କୁ ଘର ଭିତରକୁ ନବାବେଳେ ସେଇ ଦୂର ଅତୀତରେ କୋ’ ଘର କ’ଣ ଥିଲା, କୋ’ ଘର ଭାଙ୍ଗିଗଲାଣି, କୋ’ ଘରେ ସୁବର୍ଣ୍ଣମୟୀଙ୍କ ଶାଶୁ ବସି ପରିବା କାଟୁଥିଲେ ଇତ୍ୟାଦିର ଗୋଟିଏ ଧାରା ବିବରଣୀ ଦେଇଯାଉଥାଆନ୍ତି । ଶେଷ ପର୍ଯ୍ୟନ୍ତ ପ୍ରତାପ ମର୍ଦ୍ଦରାଜ ରହୁଥିବା ଘରଟି ତାଙ୍କ ରହିବାପାଇଁ ନିର୍ଦ୍ଦିଷ୍ଟ କରାଯାଇଥିଲା । ଖଟ ଉପରେ ସୁବର୍ଣ୍ଣମୟୀଙ୍କ ବେକତଳେ ପ୍ରଭୂତ ପରିମାଣର ତକିଆ ଦେଇ ଶୁଆଇଦେବା ପରେ ସୁବର୍ଣ୍ଣମୟୀ ପ୍ରଥମଥର ପାଇଁ ତୁଣ୍ଡ ଖୋଲି କହିଲେ, ‘‘ଗୋବର୍ଦ୍ଧନ, ମୋ ହାତ ବାକ୍‌ସଟା ଗାଡ଼ିରୁ ଓହ୍ଲେଇଲ କି ନାହିଁ–ସିଏ ମୋ ଜୀବନ ।’’ ଗୋବର୍ଦ୍ଧନ ତୁରନ୍ତ ଜବାବ୍‌ ଦେଲେ, ‘‘ହଁ ବଡ଼ମା’, ମୁଁ ନିଜେ ପରା ଧରି ଧରି ତମ ପଛେ ପଛେ ଚାଲିଛି ।’’

 

ରାୟ ପରିବାର ପରି ମର୍ଦ୍ଦରାଜ ପରିବାରର ଅବସ୍ଥା ମଧ୍ୟ ତଦ୍ରୁପ । କିନ୍ତୁ ଏଇ ଦୂରବସ୍ଥା ଭିତରେ ସୁବର୍ଣ୍ଣମୟୀଙ୍କୁ ଆଣିବା ପଛରେ ଯେ ସୁବର୍ଣ୍ଣମୟୀଙ୍କର ଗଚ୍ଛିତ ଅର୍ଥକୁ ଆତ୍ମସାତ୍‌ କରିବାର ଗୋପନ ଉଦ୍ଦେଶ୍ୟ ନଥିଲା, ଏପରି ନୁହେଁ । ତା’ଛଡ଼ା ଏଇ ଗଚ୍ଛିତ ଅର୍ଥକୁ ମର୍ଦ୍ଦରାଜ ପରିବାର ମନେକରୁଥିଲେ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ହିସାବରେ : ଆମ ଘରର ବୋହୂ, ହକ୍‌ ବାହା ହେଇ ଆସିଚି, କେହି କିଛି ମାଗିଯାଚି ଯାଇ ନଥିଲା । ଯୁକ୍ତିଟା ପ୍ରକାଶ୍ୟରେ ନ ହେଲେ ମଧ୍ୟ ନେପଥ୍ୟରେ ଥିଲା ଏହିପରି । ଏହା ଭିନ୍ନ ମଧ୍ୟ ମର୍ଦ୍ଦରାଜ ପରିବାର ସପକ୍ଷରେ ଅନ୍ୟ ଏକ ବଳିଷ୍ଠ ଯୁକ୍ତି ଥିଲା । ତା’ ହେଲା ଏହି ଯେ ହରିହର ମର୍ଦ୍ଦରାଜଙ୍କର ନିଜ ନାତି ଶ୍ରୀଯୁକ୍ତ ସୁରଜିତ୍‌ ମଉଜ୍‌ (ଯାହା ସୁରଜିତ୍‌ଙ୍କର ମର୍ଦ୍ଦରାଜ ସାଜ୍ଞାର ସ୍ଵକୃତ ନବୀକରଣ) ଡାକ୍ତରୀ ପାଶ୍‌ କରି ବର୍ତ୍ତମାନ ଏକ ଉଚ୍ଚ ସରକାରୀ ଚାକିରୀରେ କଟକରେ ମହଜୁତ୍‌ । ତେଣୁ ତାଙ୍କ ହେତୁ ବା ତାଙ୍କ ଜରିଆରେ ଅନ୍ୟମାନଙ୍କଦ୍ଵାରା ସର୍ବ ଉତ୍କୃଷ୍ଟ ଡାକ୍ତରୀ ସାହାଯ୍ୟ ସୁବର୍ଣ୍ଣମୟୀଙ୍କୁ ମିଳିବା କେବଳ ସମ୍ଭବ ନୁହ, ଏକ ପ୍ରକାର ନିଶ୍ଚିତ ।

 

ସତକୁ ସତ ସୁବର୍ଣ୍ଣମୟୀ ଆସିବା ପରେ ପରେ ସୁରଜିତ୍‌ ଥରେ ଡାକରା ପାଇ ଗାଁକୁ ଆସିଥିଲେ ଓ ଷ୍ଟେଥୋ ଯୋଗେ ସୁବର୍ଣ୍ଣମୟୀଙ୍କୁ ଢେର୍‌ ସମୟ ଯାଏ ପରୀକ୍ଷା କରିସାରି ଘୋଷଣା କରିଥିଲେ ଯେ ସୁବର୍ଣ୍ଣମୟୀ ଭୋଗୁଥିବା ରୋଗର ନାଁ ହେଲା ବ୍ରୋଙ୍କିଆଲ୍‌ ଆଜ୍‌ମା ଏବଂ ଏହା ନିରାମୟ ହେବାପାଇଁ ଆଜିପର୍ଯ୍ୟନ୍ତ ଡାକ୍ତରୀ ଶାସ୍ତ୍ରରେ କୌଣସି ଔଷଧ ଉଦ୍ଭାବନ ହେଇନାହିଁ । ଫେରିଗଲାବେଳେ ମଧ୍ୟ ପରିବେଷ୍ଟିତ ଆତ୍ମୀୟସ୍ୱଜନମାନଙ୍କୁ ଶେଷ ବାଣୀ ଶୁଣାଇ ଯାଇଥିଲେ ଯେ ଅଧୈର୍ଯ୍ୟ ହବାର କିଛି କାରଣନାହିଁ । କାରଣ ବ୍ରୋଙ୍କିଆଲ୍‌ ଆଜ୍‌ମାରେ ଭୋଗୁଥିବା ଲୋକମାନେ ସାଧାରଣତଃ ଦୀର୍ଘଜୀବୀ ହୋଇଥାଆନ୍ତି ।

 

ଆଁ ! ଦୀର୍ଘଜୀବୀ ! ମାନେ କେତେ ଦୀର୍ଘ ? ମନକୁ ମନ ଭାବୁଥିଲେ ଗୋବର୍ଦ୍ଧନ । କିନ୍ତୁ ରୋଗର ଉପଶମ ପାଇଁ ସୁରଜିତ୍‌ ମଉଜ୍‌ ଯେଉଁ ଦୀର୍ଘ ପ୍ରେସ୍‌କ୍ରିପସନ୍‌ ଦେଇଯାଇଥିଲେ ସେ ଔଷଧ ଆଣିବାକୁ ଯାଇ ଗୋବର୍ଦ୍ଧନଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଥିଲା ପ୍ରାୟ ଅଠାବନ ଟଙ୍କା । ସୁବର୍ଣ୍ଣମୟୀଙ୍କ ଘୋର ଅନିଚ୍ଛା ସତ୍ତ୍ୱେ ତାଙ୍କୁ ସମୟ ଓ ଅନୁପାନ ଅନୁଯାୟୀ ଗଳାଧଃକରଣ କରିବାକୁ ପଡ଼ିଲା ସବୁଯାକ ଔଷଧ ।

 

ପୁଣି ସମୟ ଗଡ଼ି ଚାଲିଲା, ରେଲ୍‌ ଚକର ଘୂର୍ଣ୍ଣନରେ, ଏରୋପ୍ଲେନ୍‌ମାନଙ୍କର ପ୍ରପେଳରର ଗତିରେ ଓ ବେତାର କେନ୍ଦ୍ରର କାନ୍ଥଘଣ୍ଟାର ଶବ୍ଦରେ । କିନ୍ତୁ ସୁବର୍ଣ୍ଣମୟୀ ରହିଗଲେ ଗୋଟାଏ ଅବସ୍ଥାରେ ଯାହାକୁ କୁହାଯାଏ ସ୍ଥିତାବସ୍ଥା । ତାଙ୍କର ସ୍ଵାସ୍ଥ୍ୟର ନାଁ ହେଉଛି ଉନ୍ନତି ବା ଅବନ୍ନତି । ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ ଅବ୍ୟାହତ ରଖିଛନ୍ତି ସୁବର୍ଣ୍ଣମୟୀ–ଖାଲି ବେଳେ ବେଳେ ଆସୁଚି ସେଇ ପୁରୁଣା ଶ୍ଵାସରୋଗର ଆକ୍ରମଣ । ଔଷଧ ଖାଇଲେ ଉପଶମ ନ ହଉଚି, ତା’ ନୁହ, କିନ୍ତୁ ପୂରାପୂରି ଭଲ ହବାର କୌଣସି ସୂଚନାନାହିଁ ।

 

ପ୍ରଥମେ ପ୍ରଥମେ ସୁବର୍ଣ୍ଣମୟୀଙ୍କ ପ୍ରତି ମର୍ଦ୍ଦରାଜ ପରିବାରର ଯେଉଁ ଉଦ୍‌ବେଗ ଥିଲାପରି ମନେହେଉଥିଲା ତାହା କମିଯାଇଛି ଅନେକ ପରିମାଣରେ । କିଏ ବା କେତେ ଜଗି ବସିଥିବ । ଡାକ୍ତର ତ କହିଗଲେ ଏ ରୋଗ ଭଲ ହୁଏନାହିଁ । କାନ୍ଥରେ ଟଙ୍ଗା ହେଇଥିବା ବାରୋମିଟର୍‌ ବାୟୁ ମଣ୍ଡଳର ଉତ୍ତାପ ରେକର୍ଡ଼ କଲାପରି ସୁବର୍ଣ୍ଣମୟୀଙ୍କର ଶ୍ଵାସର ଗ୍ରାଫ୍‌ କେତେବେଳେ ଊର୍ଦ୍ଧ୍ଵମୁଖୀ ତ କେତେବେଳେ ନିମ୍ନମୁଖୀ, ପୁଣି କେତେବେଳେ ଏକ ସମାନ୍ତରାଳ ରେଖା । ତା’ ଉପରେ କାହାର ଅକ୍ତିଆର ଅଛି ?

 

କିନ୍ତୁ ପ୍ରାୟ ଛଅମାସ କାଳ ଅତିବାହିତ ହୋଇଯାଇଥିଲେ ମଧ୍ୟ ସୁବର୍ଣ୍ଣମୟୀଙ୍କର ଔଷଧ କିଣା ଓ ଡାଏଟ୍‌ର ସାମାନ୍ୟ ବ୍ୟତିକ୍ରମନାହିଁ ଓ ଇତିମଧ୍ୟରେ ଗୋବର୍ଦ୍ଧନଙ୍କ ହାତରୁ ବେଶ୍‌ କିଛି କଞ୍ଚା ପଇସା ଖସିଯାଇଛି । ଗୋବର୍ଦ୍ଧନ ଅନନ୍ୟୋପାୟ ହେଇ ଖର୍ଚ୍ଚ କରି ଚାଲିଛନ୍ତି ଯଦି ତାଙ୍କର ସବୁବେଳେ ମନେହେଉଛି ଯେ ବୋଧହୁଏ ଗଜରାଜପୁରର ଜଣେ ରୋଗିଣୀଙ୍କୁ କିଣିଛନ୍ତି ଅନେକ ଅର୍ଥ ବ୍ୟୟ କରି । କିନ୍ତୁ ଠିକ୍‌ ସେତିକିବେଳେ ଗଜରାଜପୁରର ତିଳୋତ୍ତମା ଓ ମନୋରମା ଭାବୁଥିଲେ ସେମାନେ ବୋଧହୁଏ ସୁବର୍ଣ୍ଣମୟୀଙ୍କୁ ଛାଡ଼ିଦେଲେ ଅନେକ ଶସ୍ତାରେ ।

 

ଠିକ୍‌ ରାୟ ପରିବାର ପରି ମର୍ଦ୍ଦରାଜ ପରିବାର ମଧ୍ୟ ଅନେକ ଚେଷ୍ଟା କରିଛନ୍ତି ସୁବର୍ଣ୍ଣମୟୀଙ୍କର ହାତବାକ୍‌ସ ଭିତରକୁ ଉଙ୍କି ମାରିବାପାଇଁ । କିନ୍ତୁ ତାହା ସମ୍ଭବ ହେଇନାହିଁ, କାରଣ ସୁବର୍ଣ୍ଣମୟୀ, ସୁବର୍ଣ୍ଣମୟୀ । ସେ ଗଜରାଜପୁର ହେଉ ବା ଅଗରପଡ଼ା ହେଉ ତାଙ୍କର ମୌଳିକ ଚରିତ୍ରର ପରିବର୍ତ୍ତନର କୌଣସି ଆଶାନାହିଁ; ବିଶେଷ କରି ଏ ବୟସରେ । ସେ ବାରମ୍ବାର ହାତବାକ୍‌ସ ଭିତରୁ ମଠାଲୁଗା, ନ ହେଲେ ଭାଗବତ ବହି କାଢ଼ି ଆଣିବାପାଇଁ ଚିତ୍ରାଙ୍ଗଦା ଓ ପ୍ରତିଭାମୟୀଙ୍କର ଅତର୍କିତ ଚେଷ୍ଟାକୁ ପ୍ରତିହତ କରିଛନ୍ତି ।

 

ଅମାପ ଖର୍ଚ୍ଚ ସତ୍ତ୍ୱେ ମର୍ଦ୍ଦରାଜ ପରିବାର ବିତସ୍ପୃହ ହୋଇପଡ଼ିଥିଲେ ମଧ୍ୟ ଆଶା ହରେଇ ବସି ନାହାନ୍ତି । କିନ୍ତୁ ବେଳେ ବେଳେ ସେମାନଙ୍କର ସନ୍ଦେହ ହବାର ଏକମାତ୍ର କାରଣ ହେଲା–କାହିଁକି ରାୟ ବଅଁଶ ଏତେ ସୁବିଧାରେ ସୁବର୍ଣ୍ଣମୟୀଙ୍କୁ ଛାଡ଼ିଦେଲେ । ତାହାହେଲେ କ’ଣ ସବୁ ଫାଙ୍କା କିଛିନାହିଁ ! ଯଦି ସେଇଆହିଁ ହୁଏ, ତାହାହେଲେ ହାତରୁ କୁଞ୍ଚିକାଠି ଛାଡ଼ିବାପାଇଁ ସୁବର୍ଣ୍ଣମୟୀ ଏତେ କୁଣ୍ଠିତ କାହିଁକି ? ପୁଣିଥରେ ସାମୂହିକ ଆଶା ଜାଗରୁକ ହୁଏ । ଶ୍ଵାସରୋଗୀମାନେ ହେଇପାରନ୍ତି ଦୀର୍ଘଜୀବୀ, ଅମର ତ ନୁହନ୍ତି ।

କଥାଟା ଏକାବେଳକେ ସତ । ଶ୍ଵାସରୋଗୀମାନେ ଦୀର୍ଘଜୀବୀ, କିନ୍ତୁ ଅମର ତ ନୁହଁନ୍ତି-। ସତକୁ ସତ ଦିନେ ସୁବର୍ଣ୍ଣମୟୀ ବିଛଣା ଧରିଲେ । ତୁହାକୁ ତୁହା ଧଇଁ ଉଠିଲା । କେତେବେଳେ ସୁବର୍ଣ୍ଣମୟୀ ଧଇଁରେ ଅତିଷ୍ଠ ହେଇ ବସି ରହିଲେ ତ କେତେବେଳେ ମୁହଁମାଡ଼ି ଅଚେତ ହେଇ ପଡ଼ି ରହିଲେ, କିନ୍ତୁ ବିଛଣା ଛାଡ଼ି ତଳକୁ ଓହ୍ଲେଇବାକୁ ଆଉ ଶକ୍ତି ସଞ୍ଚୟ କରିପାରିଲେନାହିଁ । ଦୀର୍ଘ ଦୁଇଦିନ ଧରି ବିଛଣାରେ ତାଙ୍କୁ ପ୍ରାକୃତିକ କ୍ରିୟା କର୍ମ କରିବାପାଇଁ ବେଡ଼୍‍ପ୍ୟାନ୍‌ ଇତ୍ୟାଦି ଯୋଗାଇ ଦିଆଗଲା । ଅନଭ୍ୟସ୍ତ ସୁବର୍ଣ୍ଣମୟୀ ବିଛଣା ଉପରେ ଏ ସମସ୍ତ କୃତ୍ରିମ ବ୍ୟବସ୍ଥା ବ୍ୟବହାର କରିବା ହେତୁ ନିଜର ଅଦୃଷ୍ଟିକୁ ପ୍ରଭୂତ ପରିମାଣରେ ଅଭିଶାପ ଦେଲେ-। କିନ୍ତୁ ତଥାପି ସୁବର୍ଣ୍ଣମୟୀ କୃଷ୍ଣପକ୍ଷ ଚତୁର୍ଥୀ ଦିବା ଛଅ ଘଟିକା ସମୟରେ ଇହଲୀଳା ସମ୍ବରଣ କଲେ ଓ ଆଶ୍ଚର୍ଯ୍ୟ କଥା ଯେ, ସେତେବେଳକୁ ମଧ୍ୟ ତାଙ୍କର ଡାହାଣ ହାତର ବଦ୍ଧ ମୁଷ୍ଟି ଭିତରେ ତଥାପି ଆବଦ୍ଧ ଥିଲା ସେହି ବଡ଼ ଆକାଂକ୍ଷିତ କୁଞ୍ଚିକାଠି ।

ସୁବର୍ଣ୍ଣମୟୀ ତଥାପି ସଧବା ଥିଲେ ଓ ପ୍ରତିଦିନ ନିୟମିତ ଭାବରେ ସ୍ନାନାଦି ସାରି କପାଳ ଉପରେ ଏକ ବିରାଟ ସିନ୍ଦୂର ଟୋପା ଧାରଣ କରୁଥିଲେ । କାରଣ ପ୍ରତାପ ମର୍ଦ୍ଦରାଜ ଜୀବିତ କି ମୃତ ଏକଥା କୌଣସି ଦିନ ସାବ୍ୟସ୍ତ କି ସମାହତ ହେଇ ନଥିଲା । ତେଣୁ ସୁବର୍ଣ୍ଣମୟୀଙ୍କର ମୃତ ଦେହକୁ ଶ୍ମଶାନ ଉଦ୍ଦେଶ୍ୟରେ ନେଲାବେଳେ ଅହିଅ ଡେଙ୍ଗୁରା ବାଜିଥିଲା ଓ ପ୍ରଭୂତ ପରିମାଣରେ ଖଇକଉଡ଼ି ରାସ୍ତାରେ ବିଞ୍ଚା ହେଇଥିଲା । ଶ୍ମଶାନକୁ ନବା ସମୟରେ ମଧ୍ୟ ସୁବର୍ଣ୍ଣମୟୀଙ୍କର ମୃତ ଦେହରେ ଡାହାଣ ପାପୁଲିଟି ଭିତରେ ଯାହା ଝୁଲି ରହିଥିଲା, ତାହା ହେଲା ସେହି ଅତିପ୍ରିୟ କୁଞ୍ଚିକାଠି । ତାହା ମାଲଭାଇଙ୍କର ସାମୂହିକ ଚେଷ୍ଟାରେ ମୁଷ୍ଟି ମୁକ୍ତ କରାଯାଇଥିଲା-

ମାଲଭାଇମାନେ ଅତ୍ୟନ୍ତ ନିର୍ମମ । ସେମାନେ ଯଦି ଶବାଧାରରେ ଶୋଇ ରହିଥିବା ବ୍ୟକ୍ତିର ଜୀବିତାବସ୍ଥାରେ ଥିବା ଭାବାବେଗ ପାଇଁ ଚିନ୍ତିତ ହେଇପଡ଼ନ୍ତେ, ତାହାହେଲେ ସେମାନେ ମାଲଭାଇ ହେଇଥାଆନ୍ତେ କାହିଁକି ? ଆଗରୁ ଚାବିଟିକୁ ମୁଷ୍ଟି ମୁକ୍ତ କରାଯାଇଥିଲା ଓ ଗୋଟିଏ ଗୁଆକାତି ସଂଯୁକ୍ତ କରି ସୂବର୍ଣ୍ଣମୟୀ ପିନ୍ଧିଥିବା ମଣିବନ୍ଧର ଦୁଇପଟ ସୁନା କାଚକୁ କାଟିଦିଆଗଲା । ନାକର ନୋଥ ଟିକକପାଇଁ ଗୁଆକାତି ଅନାବଶ୍ୟକ, ତେଣୁ କିଏ ଜଣେ ଗୋଟାଏ ଝାଙ୍କରେ ତାକୁ ନାସାନ୍ଧ୍ର ମୁକ୍ତ କଲା, ରକ୍ତର ସାମାନ୍ୟତମ ଅପବ୍ୟୟ ମଧ୍ୟ ହେଇନାହିଁ । ତା’ପରେ ଯଥା ସମୟରେ ଦାହକ୍ରିୟା ସମାପ୍ତ ହେଲା ।

ଯଥା ସମୟରେ ଓ ଯଥାରୀତି ସୁବର୍ଣ୍ଣମୟୀଙ୍କର ଦଶାହ ଓ ଏକଦଶାହ ପାଳିତ ହେଇଥିଲା ଓ ସେଥିରେ ଗ୍ରାମର ଅଧିକାଂଶ ଲୋକଙ୍କୁ ଆପ୍ୟାୟିତ କରାଗଲା । ସେଥିରେ ମର୍ଦ୍ଦରାଜ ପରିବାର ତାଙ୍କର ସାମାଜିକ ପ୍ରତିଷ୍ଠା ଦୃଷ୍ଟିରୁ କୌଣସି କାର୍ପଣ୍ୟ କରି ନଥିଲେ ।

ଏକଦଶାହ ପରେ ଆସିଥିଲା ସେହି ବହୁ ଆକାଂକ୍ଷିତ ମୁହୂର୍ତ୍ତ । ସେହି ମୁହୂର୍ତ୍ତପାଇଁ ଗୋବର୍ଦ୍ଧନ ବହୁ ସାବଧାନତା ଅବଲମ୍ବନ କରିଥିଲେ । ଏ ସମସ୍ତ ସମୟ ଚାବିକାଠିକୁ ନିଜର ଅକ୍ତିଆରରେ ରଖିବା ଛଡ଼ା ମଧ୍ୟ ସେ ତାଙ୍କର ଭାଇମାନଙ୍କୁ (ରମେଶ ଓ କୃତ୍ତିବାସ) ଆଗରୁ ଖବର ଦେଇଥିଲେ, ଯେପରି କେହି ପରେ ତାଙ୍କୁ ଦୋଷ ଦବାର ସୁଯୋଗ ନପାଏ । ସେଦିନ ରାତି ପ୍ରାୟ ଦଶଟା । ମର୍ଦ୍ଦରାଜ ପରିବାରର ବାହାର କବାଟ ଉତ୍ତମରୂପେ କିଳାଯାଇ କୌଣସି ଆଗନ୍ତୁକର ଆକସ୍ମିକ ଉପସ୍ଥିତିକୁ ସୂଚାରୁରୂପେ ନିଷିଦ୍ଧ କରାଯାଇଛି । ଘର ଭିତରେ ଗୋଟିଏ ଲଣ୍ଠନର ମଳିନ ଆଲୋକକୁ ଘେରି ବସିଛନ୍ତି ଗୋବର୍ଦ୍ଧନ, ରମେଶ ଓ କୃତ୍ତିବାସ-। ଚିତ୍ରାଙ୍ଗଦା ଓ ପ୍ରତିଭା କୁମାରୀ ଦୁଆର ମୁହଁରେ ଠିଆ ହେଇଛନ୍ତି ଏକ ଦ୍ଵୈତ କର୍ତ୍ତବ୍ୟର ନିର୍ଦ୍ଦେଶରେ । ସେମାନେ ଅତର୍କିତ ଭାବରେ ଘର ଭିତରକୁ ପଶି ଆସୁଥିବା ଚେଷ୍ଟିତ କୌଣସି ଆଗନ୍ତୁକ, ଶିଶୁ ବା କିଶୋରକୁ ବାରଣ କରିବା ସଙ୍ଗେ ସଙ୍ଗେ ବାକ୍‌ସର ପ୍ରତ୍ନତାତ୍ତ୍ଵିକ ପୁନରୁଦ୍ଧାର କାର୍ଯ୍ୟ ଦେଖିବାରୁ ମଧ୍ୟ ବଞ୍ଚିତ ହେବେନାହିଁ ।

ବାକ୍‌ସ ଖୋଲିଗଲା । ଯାହାସବୁ ପ୍ରାଥମିକ ଆବିଷ୍କାର ତାହା ଊଣାଅଧିକେ ଜଣାଥିଲା-। ତିନିଖଣ୍ଡ ଭାଗବତ ପୋଥି–ଖଣ୍ଡେ ମଠାଲୁଗା–ତା’ ତଳକୁ ଗୋଟିଏ କୋଥଳି ଯେଉଁଥିରେ ଅତ୍ୟନ୍ତ ସନ୍ତର୍ପଣରେ ତୁଳସୀମାଳୀ, ରୁଦ୍ରାକ୍ଷମାଳା ଓ କିଛି ନିର୍ମାଲ୍ୟ ଗଚ୍ଛିତ ଅଛି । ତା’ ତଳକୁ ବଡ଼ଦାଣ୍ଡରୁ କିଣା ଖଣ୍ଡେ ଜଗନ୍ନାଥ-ବଳଭଦ୍ର-ସୁଭଦ୍ରାଙ୍କର ଟିଣ ବନ୍ଧେଇ ଫଟ । ତା’ ତଳେ ଦୁଇଖଣ୍ଡ ନୂଆ ଗାମୁଛା । ତା’ ତଳେ କିଛି ରୂପା ଟଙ୍କା–ଭିକ୍ଟୋରିଆ ମୁଣ୍ଡ ଥାଇ । ବୋଧହୁଏ ସତରଟା କି ଅଠରଟା-। ତା’ ତଳେ–ତା’ ତଳେ ? ଆଉ କିଛିନାହିଁ ? ଗୋବର୍ଦ୍ଧନଙ୍କର ଆଙ୍ଗୁଠିର ନଖଗୁଡ଼ାକ ଲୁହାଟ୍ରଙ୍କ ତଳେ ରାମ୍ପୁଡ଼ି ହେଇଯାଇ କିପରି ଗୋଟାଏ ଧାତବ ଶବ୍ଦ ସୃଷ୍ଟି କଲା ।

ଟ୍ରଙ୍କ୍‍ର ଢାଙ୍କୁଣୀ ଦିହରେ କେଇଟା ଖୋପରେ କିଛି କାଗଜ ଗେଞ୍ଜା ହେଇଥିଲା । ସେଗୁଡ଼ାକ ମଧ୍ୟ ତନଖି କରାଗଲା । ଖଣ୍ଡେ କାଗଜ ହେଲା ସୁବର୍ଣ୍ଣମୟୀଙ୍କ ବିବାହ ଉପଲକ୍ଷେ କେଉଁ ଅନାମିକା କବିଙ୍କ ଲିଖିତ ଖଣ୍ଡେ ବାହାଘର ଗୀତ । ଅନ୍ୟଟି ହେଲା ପ୍ରତାପ ମର୍ଦ୍ଦରାଜଙ୍କ ଯୁବକବେଳର ହଳଦିଆ ପଡ଼ି ଆସିଥିବା ଖଣ୍ଡେ ଫଟ । ଆଉ ଖଣ୍ଡେ କାଗଜ ଯାହା ଆଜିକି ବୟାଳିଶିବର୍ଷ ତଳର–ପ୍ରତାପ ମର୍ଦ୍ଦରାଜଙ୍କ ହାତଲେଖା ଖଣ୍ଡେ ଚିଠି ।

ପ୍ରିୟତମା ସୁବର୍ଣ୍ଣମୟୀ,

 

ମୁଁ ତମର ଯୋଗ୍ୟ ସ୍ଵାମୀ ନୁହେଁ । ମୁଁ ଆଜି ଯାଉଛି ଏକ ଅଜଣାର ସନ୍ଧାନରେ । ଯଦି କେବେ ପ୍ରଚୁର ଅର୍ଥ ନେଇ ଫେରିପାରିବି ଫେରିବି, ନ ହେଲେ ତମେ ତମର ମୁଣ୍ଡର ସିନ୍ଦୂର ପୋଛିଦେବ । ତମର ସ୍ଵୀକୃତି ନଥିଲେ, ତମ ପ୍ରଭୂତ ଅଳଙ୍କାର ସବୁ ନବାବେଳେ ମୋର ମନେହୋଇଥାଆନ୍ତା ମୁଁ ଜଣେ ଦସ୍ୟୁ; କିନ୍ତୁ ତମେ ମୋତେ ସେଥିରୁ ଆଜି ମୁକ୍ତି ଦେଇଛ । ତମକୁ ଅଜସ୍ର ଧନ୍ୟବାଦ । ମୋର ଗଭୀର ଚୁମ୍ବନ ଗ୍ରହଣ କରିବ । ମୋ ରାଣ, ଏ ଚିଠି କାହାକୁ ଦେଖାଇବନାହିଁ-।

 

ବିଦାୟ । ଇତି ।

ତୁମର ହତଭାଗ୍ୟ ସ୍ଵାମୀ

ପ୍ରତାପ ମର୍ଦ୍ଦରାଜ

 

ଏହା ଯେ ପ୍ରତାପ ମର୍ଦ୍ଦରାଜଙ୍କର ନିଜର ହସ୍ତଲିପି ଓ ସ୍ଵାକ୍ଷର, ଏଥିରେ ସମବେତ ପର୍ଯ୍ୟବେକ୍ଷଣକାରୀମାନଙ୍କର କାହାର ତିଳେମାତ୍ର ସନ୍ଦେହ ନଥିଲା ।

Image

 

ନୂଆ ପୁରୁଣା

(ବସନ୍ତ କୁମାରୀ ପଟ୍ଟନାୟକ)

 

ଡାକ୍ତରୀ ସ୍କୁଲରୁ ବାହାରିଲାବେଳେ ନିଧିବାବୁ ଗୋଟିଏ ଲମ୍ବା ନିଃଶ୍ଵାସ ଛାଡ଼ିଥିଲେ–ଓଃ, ଏତେ ଦିନକେ ଏ ଯମ ଗଲା । ଅତି କଷ୍ଟରେ ପ୍ରତି ଶ୍ରେଣୀରେ ଥରେ ଦି’ଥର କରି ଝୁଣ୍ଟି, ସେଇ ଶ୍ରେଣୀଟିକୁ ସେ କୌଣସିମତେ ପାରି ହେଉଥିଲେ । କିନ୍ତୁ ଶେଷ ବର୍ଷଟା ତାଙ୍କୁ ନାକରେ ପାଣି ତେଣ୍ଡେଇ ଛାଡ଼ିଦେଲା । ଛୋଟ ପଣତ ପରି ଗୋଟାଏ ଆଡ଼ ଜଗିଲେ ଆଉ ଗୋଟାଏ ଆଡ଼ ମେଲା ହେଇଯାଏ କ’ଣ କରିବେ ?

 

ଭାରି ହଇରାଣ ହୋଇଛନ୍ତି । ସାମାନ୍ୟ ଟିକେ ଡାକ୍ତର ହେବାପାଇଁ ସେ ଏତେ ବାଧା ପାଇ ଶେଷରେ ନିରାଶ ହେଇପଡ଼ିଥିଲେ । ଏତେ ବାଟ ଆସି ଟିକକରେ ବିଗୁଡ଼ୁଛି । ସବୁ ହେଇ ଖାଲି ଟିକକପାଇଁ କୋଉଥର ମୁହଁ ପରୀକ୍ଷାରେ, କୋଉଥର ବା ଲେଖା ପରୀକ୍ଷାରେ ସେ ଠୋକର ଖାଉଛନ୍ତି । ଯେତେ ସିନ୍ଦୂର କଲି ଲଗେଇଲେ, ଯେତେ ମାନସିକ କଲେ–କୋଉଥରେ କିଛି ଫଳ ହେଲାନାହିଁ । ତାଙ୍କର ସାତ ପଛରେ ଆସିଥିବା ପିଲାମାନେ ଡେଇଁ ଡେଇଁ ଡାକ୍ତର ହେଇ ବାହାରି ଯାଉଛନ୍ତି, ଆଉ ତାଙ୍କର ସେତିକି ହେଲାନାହିଁ ।

 

ତାଙ୍କ ମନରେ କିନ୍ତୁ ଦୃଢ଼ ବିଶ୍ଵାସ ଥିଲା ଯେ ସେ ଜଣେ ଭଲ ଡାକ୍ତର । ରୋଗୀଙ୍କ ସାଙ୍ଗରେ ଖୁବ୍‌ ମିଶିପାରନ୍ତି । ଏତେ ନଟକୁଟିଆ ଚିକିତ୍ସା ନକରି ଟିକିଏ ଟିକିଏ ଔଷଧରେ ରୋଗୀଙ୍କି ବେଶି କଥା କୁହାଇ ଭଲ କରିଦେଇପାରନ୍ତି । ଯେତେକ ଗାଉଁଲୀ ରୋଗୀ ଆସନ୍ତି ସମସ୍ତଙ୍କୁ ସେ ‘ବାପ’ ‘ଧନ’ କରି ବୁଝେଇ, ଶୁଝେଇ ବଡ଼ ବେମାରିକୁ ଛୋଟିଆ କରି ଦେଖେଇ, ପଥି ପାଞ୍ଚଣ କୋହଳ କରି ସେମାନଙ୍କୁ ଭଲ କରିଦେଇଛନ୍ତି ବୋଲି ତାଙ୍କର ବିଶ୍ଵାସ । ସେ ଡାକ୍ତର ହେଲେ ରୋଗୀମାନେ ଡାକ୍ତରୀ ଚିକିତ୍ସାକୁ ଆଉ ଗାଳି ଦେବେନାହିଁ ।

 

ଭଗବାନ ଦୟା କଲେ । ଶେଷକୁ ସେ ଡାକ୍ତର ହେଇ ବାହାରିଲେ । ବଡ଼ ଲୋକର ପିଲା । ତାଙ୍କର ଜମିବାଡ଼ିକୁ ଚାହିଁଲେ ଆଖି ପାଏନାହିଁ । ଜମି ତାଙ୍କର ଯେତେ ବେଶି, ବୁଦ୍ଧି ସେତିକି କମ । ଆଉ ପାନ ଖା’ନ୍ତି ଯେତିକି ବେଶି, ଶୁଅନ୍ତିବି ସେତିକି ।

 

ଡାକ୍ତର ହେଲାପରେ ପ୍ରଥମେ ସେ ଠିକଣା କରିପାରିଲେନାହିଁ କ’ଣ କରିବେ–ଚାକିରୀ ନା ସ୍ଵାଧୀନ ବ୍ୟବସାୟ ? ବହୁତ ପରାମର୍ଶ ହେଲା । ଗୋଲାମି ଭଲ କି ଖରାପ–ଏଇ ବିଷୟରେ ସେ ତାଙ୍କର ଗୁମାସ୍ତାଠୁ ଆରମ୍ଭ କରି ମେସ୍‌ର ଚାକର ପୁଝାରୀ, ବନ୍ଧୁବାନ୍ଧବ ସମସ୍ତଙ୍କର ପରାମର୍ଶ ନେଲେ । ଚାକିରୀରେ ଅଛି କ’ଣ ? ବୁଦ୍ଧି ତ ଖଟେଇପାରିବନାହିଁ । ପୁଣି ପରର ମନ ନ ନେଲେ ନ ଚଳେ । ନିଜର ଇଚ୍ଛା ଅନୁସାରେ ଔଷଧବି ଦେଇପାରିବନାହିଁ । ରୋଗୀମାନେ ତାଙ୍କୁ ନ ପଚାରି ତାଙ୍କର ଦରମାକୁ ଚାହିଁ ଖାଲି ଚିକିତ୍ସାର ବଳ କଣ୍ଟିବେ, ଆଉ ବଡ଼ ଚାକିରୀ କରୁଥିବା ଡାକ୍ତରଙ୍କୁ ବେଶି ପସନ୍ଦ କରିବେ ଛିଃ, ଏ ଗୋଲାମୀକୁ ଧିକ୍‌ ।

 

ଛାତି ଦେଖିବା ଯନ୍ତ୍ରଟା ବେକରେ ଝୁଲେଇ ନିଧିବାବୁ ସ୍ଥିର କଲେ ଯେ ତାଙ୍କର ସ୍ଵାଧୀନ ବ୍ୟବସାୟ କରିବା ଉଚିତ । ଟଙ୍କା ଯେତେବେଳେ ଅଛି, ସ୍ଵାଧୀନ ବ୍ୟବସାୟ ସେ ନ କଲେ ଆଉ କିଏ କରିବ ?

 

ପଢ଼ିଲାବେଳେ ଦେଖିଥିଲେ ଡାକ୍ତରୀ ଚିକିତ୍ସାର ମୂଳ ହେଲା ଅଣୁବୀକ୍ଷଣ ଯନ୍ତ୍ରରେ ମଳ, ମୂତ୍ର ଓ ରକ୍ତ ପରୀକ୍ଷା କରିବା । ସେଥିରୁ ରୋଗର କାରଣ ଜଣାପଡ଼େ ଓ ପରୀକ୍ଷା କରିବାକୁ ପଇସା ମିଳେ । ଚିକିତ୍ସାଟା ଲୋକଙ୍କ ମନରେ ବିଶ୍ଵାସ ମଧ୍ୟ ଆଣେ । ସେମାନେ ଭାବନ୍ତି ଯେ ଡାକ୍ତର ବହୁତ କଲା ।

 

ତେଣୁ ପାଞ୍ଚମାଣ ଜମି ସେ ବିକିଦେଇ ଗୋଟିଏ ପୁରୁଣା ଅଣୁବୀକ୍ଷଣ ଯନ୍ତ୍ର କଲିକତାରୁ କିଣି ଆଣିଲେ । ଆଣିଲାବେଳେ ଭାବିଥିଲେ ଶିକାରୀ ହାତରେ ବନ୍ଧୁକ ରହିଲା...ଏଥର ଶିକାର ଯିବ କୁଆଡ଼େ ? ଏଇ ଗୋଟିଏ ହତିଆରରେ ସେ ଯେ ରୋଗୀଙ୍କୁ ଖାଲି ଖୁସି କରିବେ ସେତିକି ନୁହ, ଅନ୍ୟ ଡାକ୍ତରଙ୍କ ସାଙ୍ଗରେ ଟକ୍‌କର ଦେବେ ମଧ୍ୟ । ଦୂର ମଫସଲର ଗାଉଁଲୀ ଲୋକେ ଜାଣିବେ–ଏତେ ଦିନକେ ଡାକ୍ତର ପରି ଡାକ୍ତରଟିଏ ଆସିଛି ।

 

ନୂଆ ହେଇଥିବାରୁ ମନରେ ଉତ୍ସାହ ଥିଲା ଅସରନ୍ତି । ଖୋଜି ଖୋଜି ଆଖପାଖରେ ଡାକ୍ତର ନଥିବା ଗୋଟିଏ ଜାଗା ସେ ବାଛିନେଲେ । ଅଳ୍ପ ଦୂରରେ ସମୁଦ୍ରର ଅପନ୍ତରା ମାଛ ବେପାରବି ଭଲ ହୁଏନାହିଁ, ଲୁଣମରା କାମବି ହୁଏନାହିଁ । ଡଙ୍ଗା ହୁଲି ସେଠି କୂଳରେ ଲାଗେନାହିଁ । ଖାଲି ଲୁଣି ପାଣି ଜୁଆରରେ ମାଡ଼ିଯାଇ ମଶାଙ୍କର ବଂଶ ବଢ଼େଇବାରେ ଲାଗିଥାଏ ।

 

ମଶାଙ୍କ ଦୟାରୁ ସେଠି ମାଲେରିଆ, ପିଳେହି ପ୍ରଭୃତି ବେମାରି ଘର କରି ରହିଥାନ୍ତି । ଯେତେ ଉପାସ କଲେ ସେ ଜର ଛାଡ଼େନାହିଁ, ଯେତେ ଖୋଜିଲେବି ଚିକିତ୍ସା ମିଳେନାହିଁ । ତୁଳସୀପତ୍ର ଗୋଲମରିଚଠାରୁ ଆରମ୍ଭ କରି ଯେତେ ଚେର ମୂଳ ଚିକିତ୍ସାରେ ଲାଗେ । ଯେତେ ଲାଗିଲେବି ଖଇଫୁଟା ତାତି କାହାର ଓହ୍ଲେଇ ଯାଏ ତ, କାହାର ବଢ଼ିବାରେ ଲାଗେ ।

 

ସମସ୍ତେ ଉପରକୁ ଚାହିଁ ରହନ୍ତି–ଆଖିରେ ଆତୁର ଚାହାଣୀ । ଭଗବାନ କେବେ ସେମାନଙ୍କର ଡାକ ଶୁଣିବେ ? ନଳିଗୋଡ଼, ଥନ୍ତଲପେଟ ଆଉ କଳା ମୁଣ୍ଡର ସମୁଦ୍ର ଲହଡ଼ି ପରି ଚାରିଆଡ଼େ ଭାଙ୍ଗିପଡ଼େ । ସବୁ ଅଛି –ଖାଲି ଗୋଟିଏ ଡାକ୍ତର ନାହିଁ ।

 

ନିଧିବାବୁ ଆସିଲାବେଳେ ଗାଁରେ ତିନିଦିନ ଧରି ସଂକୀର୍ତ୍ତନ ହୋଇଥିଲା । ସେହି ଅଞ୍ଚଳର ଲୋକେ ଖୁବ୍‌ କମ୍‌ ଡାକ୍ତର ଦେଖିଥିଲେ । ସେଥିପାଇଁ ବହୁତ ଲୋକଙ୍କ ପାଖରେ ନିଧିବାବୁବି ଗୋଟିଏ ଦେଖିବାର ଜିନିଷ ହେଇଗଲେ । ଲୋକମାନଙ୍କ ଭିତରେ ତାଙ୍କର ଅଣୁବୀକ୍ଷଣ ଯନ୍ତ୍ରର ଯଥେଷ୍ଟ ପ୍ରଚାର ମଧ୍ୟ ହେଲା ।

 

ନିଜେ ଡାକ୍ତରବାବୁ ବହୁତ ଘରୋଇ କଥାଭାଷା କରନ୍ତି । ସେ କେଇଜଣ ଲୋକଙ୍କୁ ଡାକିଆଣି ସେଇ ଯନ୍ତ୍ରକୁ ଦେଖେଇଲେ–ସବୁ ଏଥିରେ ଜଣାପଡ଼ିଯିବ ପେଟରେ କ’ଣ ଅଛି, ରକ୍ତରେ କ’ଣ ଅଛି, ଝାଡ଼ା ପରିସ୍ରା, ଛେପ ଖଙ୍କାର–ଏମିତି କି ମନରେ କ’ଣ ଅଛି, ତା’ବି ବୁଝାପଡ଼ିଯିବ...ଦିଶୁନଥିବା ରୋଗ ଦିଶିଯିବ, ଦିଶୁଥିବା ଜିନିଷ କେଜାଣି କେଡ଼େବଡ଼ ହେଇଯିବ, ତା’ର ଠିକଣା ନାହିଁ ।

 

ଗୋଟିଏ ଛୋଟ ସିନ୍ଦୁକରେ ଅଣୁବୀକ୍ଷଣ ଯନ୍ତ୍ରଟି ରଖା ହୋଇଥାଏ । ପଇସା ଦେଲେ ଉପରକୁ ବାହାରିବ । କିଛି ପାଖଆଖର ଜିନିଷ ନୁହେଁ କଲିକତା ସହରରୁ ଆସିଛି । ସେଇ ଗାଁର କଲିକତି-ଫେରନ୍ତା ମୂଲିଆମାନେବି କହିପାରନ୍ତିନାହିଁ ସେ ଯନ୍ତ୍ର କଥା । ଭାରି ଦାମିକା ଆଉ ଦରକାରୀ ଜିନିଷଟିଏ ନିଧିବାବୁଙ୍କର ଆଖି ଓ ରୋଗୀର କପାଳ ଏକାଠି ଯୋଡ଼ାହେଇଛି ସେଇ ଯନ୍ତ୍ରରେ ।

 

ଯନ୍ତ୍ରର ସୌଭାଗ୍ୟରୁ ହେଉ କି ନିଧିବାବୁଙ୍କ କହିବା ଗୁଣରୁ ହେଉ ଭାରି ଚଞ୍ଚଳ ତାଙ୍କର ନାଁ ଚାରିଆଡ଼େ ଖେଳେଇ ହେଇପଡ଼ିଲା । ଦୂର ଦୂରାନ୍ତ ଗାଁରୁ ଭଲ ଥାଉ କି ନଥାଉ ଲୋକେ ସେଇ ଯନ୍ତ୍ରକୁ ଦେଖିବାକୁ ଆସିଲେ । ଟୋପାଏ ପାଣି ଥୋଇଦେଇ ଡାକ୍ତରବାବୁ କଳ ମୋଡ଼ି ଦେଖାନ୍ତି, ସେଥିରେ କେମିତି କେତେ ରକମର ପୋକ ସାଲୁବାଲୁ ହେଉଛନ୍ତି । ପୂଜ, ରକ୍ତ, ମଳ, ମୂତ୍ର ରଖିଲେ ସେମିତି ଦିଶିଯିବ, ସବୁ ବୁଝାପଡ଼ିବ ଆଉ ରୋଗ ଭଲ ନ ହେଇ ଯିବ କୁଆଡ଼େ ?

 

ଟରିଂ ସିନେମା ଦେଖିଲା ପରି ପୁରୁଷ ସ୍ତ୍ରୀ ଦଳ ଦଳ ହେଇ ଆସନ୍ତି । ଆସିଲେ ଯନ୍ତ୍ର ଦେଖିବାକୁ ଚାରି ପଇସା, ପାଣି ଦେଖିବାକୁ ଚାରି ଅଣା, ଝାଡ଼ା ପରିସ୍ରା ଦେଖିବାକୁ ଦି’ଟଙ୍କା ଓ ପୂଜରକ୍ତ ଦେଖିବାକୁ ଦଶଟଙ୍କା । ଲାଭ ହେଲା, କିନ୍ତୁ ପୂଜରକ୍ତ ଦେଖିବାକୁ କେହି ରାଜି ହେଲେନାହିଁ-। କାରଣ ଡାକ୍ତରବାବୁ ଗୋଟାଏ ଡାମ୍ଫଣ କାଢ଼ି କହନ୍ତି–ଦିଅ, ୟାରି ଅଗରେ ପୂଜରକ୍ତ ନବାକୁ ହବ-

 

ରକ୍ତ ଦେବେ ! କେତେ କଷ୍ଟରେ ବିଧାତା ଟୋପେ ରକ୍ତ ଦେଇଛି ଦେଖା ପଛକେ ନ ହେଲାନାହିଁ । ଆଉ ପୂଜ କାହିଁ ? ଖୁବ୍‌ ବେଶି ହେଲେ ଯାଦୁ, ନସା, ବଥ, କାଛୁ କି ଖଣ୍ଡିଆ ଘା’ରୁ ପୂଜ ବାହାରିବ । ନିଜ ପୂଜକୁ ଏତେ ଟଙ୍କା ଦେଇ ଦେଖିବାକୁ କାହାରି ମନ ଡାକେନାହିଁ । ଝାଡ଼ାବି ସେମିତି ଅସୁବିଧା–ସକାଳେ ପୋଖରୀପାଣି ଯାଇଥିଲେ । ପୁଣି ସଞ୍ଜକୁ ଅବା ହେଲେ ହବ । ଦିନ ଚାରିଘଡ଼ିରେ ସେ ଚିଜ କାହୁଁ ଆସିବ ? ଖାଲି ମୂତ ମିଳିଲେ ମିଳନ୍ତା । କେଡ଼େ ଲାଜ କଥା–ମୂତ ଛୁଇଁଲେ ଛୁଆଁ । ତାକୁ କେମିତି ପରୀକ୍ଷା କରିବ ?

 

ଡାକ୍ତରବାବୁଙ୍କ କଥାରେ କେହି ମଙ୍ଗନ୍ତିନାହିଁ । ସେମାନେ କହନ୍ତି–ବାବୁ ଦେଖ, ଦେହ ଦୁଃଖ ହେଲେ ସିନା ସେ କାମ ହବ, ଆଉ ଭଲ ମଣିଷଗୁଡ଼ାଙ୍କୁ ତମେ କେମିତି ଏକଥା କହୁଚ ? ସେଥିପାଇଁ ସେମାନେ ଖାଲି ପାଣିକୁ ଥରକୁ ଥର ଦେଖନ୍ତି, ଆଉ ଚାରି ଚାରିଅଣା ଡାକ୍ତରବାବୁଙ୍କୁ ଦେଇଯାନ୍ତି ।

 

ଲୋକଙ୍କ ପାଖରେ ଏତେ ପଇସା କାହିଁ ? ତା’ ଉପରେ ପୁଣି ନଗଦ ପଇସା ଦେବାକୁ ହେବ । ସେମାନଙ୍କର ଦେହ ସହେନାହିଁ । ସେଥିପାଇଁ ମାଣ୍ଡିଆ କୁଞ୍ଚେ, ପାଣି କଖାରୁ କି ଲାଉଟାଏ, କଲରା ଛପୁଞ୍ଜା କି ଶାଗ ବାଇଗଣ ପୁଳାଏ, ନ ହେଲେ ଠେକିଏ ଦୁଧ ଧରି ସେମାନେ ଆସନ୍ତି ପାଣି ଦେଖିବାକୁ ।

 

ଡାକ୍ତରବାବୁ ସେଥିପାଇଁ ମନରେ କୌଣସି ଦୁଃଖ କରନ୍ତିନାହିଁ ? ଧନ ନ ମିଳିଲେବି ଦରବ ମିଳୁଛି–ଖାଲି ହାତ ତ ନୁହେଁ । ଡାକ୍ତରବାବୁ ନିଜେ ସିନ୍ଦୁକରେ ମେଞ୍ଚାଏ ସିନ୍ଦୂର ବୋଳିଦେଲେ–ପୂଜା ଚାଲିଲା ! ଏହିପରି ଭାବରେ ରୋଗୀ ଚିକିତ୍ସା ହେବା ଆଗରୁ ସେଇ ସିନ୍ଦୂକ ପୂଜା ଆରମ୍ଭ ହେଲା ।

 

ଏଣିକି ଚିକିତ୍ସା ଆରମ୍ଭ ହେବ । ତାଙ୍କର ଚତୁର ଚାକର ଟୋକାକୁ କମ୍ପାଉଣ୍ଡର କରିଦେଲେ । ସେ ବି’ କିଛି ତ ଜାଣେନାହିଁ । ସେଥିପାଇଁ ରୋଗୀଙ୍କର ମନ ନେବାକୁ ବହୁତ ଗପେ ଆଉ ଡାକ୍ତରଙ୍କୁ ‘ଆଜ୍ଞା’ ‘ଆଜ୍ଞା’ କରୁଥାଏ ।

 

ଦିନ ଗଡ଼ିଲା । ଧୀରେ ଧୀରେ ଡାକ୍ତରଙ୍କ ଘର ସବୁ ଜିନିଷରେ ପୂରି ଉଠିଲା । ରୋଗୀ ସଂଖ୍ୟା ବଢ଼ିଲେ ଓ ଡାକ୍ତରବାବୁଙ୍କ ବିଶ୍ରାମ କମିଲା ।

 

X X X

 

ପନ୍ଦରବର୍ଷ ପରେ–

 

ଦିନେ ଡାକ୍ତରବାବୁ ମୁହଁ ସଞ୍ଜବେଳେ ତାଙ୍କର କିରାସିନି ପଟାର ଚୌକିରେ ବସି ପୁରୁଣା ଦିନଗୁଡ଼ାକ ମନେପକାଉଥିଲେ ।

 

ଚଇତି ମାସ । ପାଖ ନିମ୍ବ ଗଛରୁ ନିମ୍ବକୋଳିର ମହୁକା ଗନ୍ଧ ଝିର ଝିର ପବନରେ ଭାସି ଆସୁଥାଏ । ଏଇ ନିମ୍ବକୋଳି ପରି ସେ ନୁହେଁ ମଧୁର ନୁହେଁ ତିକ୍ତ ହୋଇଯାଇଛନ୍ତି ସେଇ ଅସ୍ପଷ୍ଟ ଆଲୁଅରେ ନିମ୍ବଗଛକୁ ଚାହିଁ ସେ ଭାବୁଥିଲେ–ଏ ସାଲ ଭଲ ବସନ୍ତ ହେଲାନାହିଁ... ।

 

ଜୀବନଟା ଜଟିଳିଆ ଧରିଲାଣି । ଜୀବିକାବି ସେମିତି ହୋଇଛି । ଗାଁ ଲୋକେ ଚତୁର ହେଲେଣି । ଦୁନିଆ କେଡ଼େ ଶୀଘ୍ର ବଦଳି ଯାଉଛି । ଆଗେ ଲୋକେ କେଡ଼େ ସରଳ ଥିଲେ । ତାଙ୍କୁ ଦେଖି କୋଟିନିଧି ପାଇଲା ପରି ମନେକରୁଥିଲେ । ଆଉ ସେଦିନନାହିଁ । ଏବେ ସେମାନେ ବଡ଼ ସହରକୁ ଯାଇ ଫେରିଆସି ତାଙ୍କୁ ପଚାରନ୍ତି–ସେ ବଡ଼ ଡାକ୍ତର ନା ସାନ, ତାଙ୍କ ହାତ ଭଲ କି ଖରାପ ଇତ୍ୟାଦି କେତେ କଥା । ଆଉ କେହି ତାଙ୍କର ଯନ୍ତ୍ରକୁ ପଚାରେନାହିଁ ।

 

ଯେଉଁ ଚାକରଟିକୁ କମ୍ପାଉଣ୍ଡର କରିଥିଲେ ସେ ବି ସେମିତି ଅଛି । କାମ ଜାଣିଗଲାଣି । ଘା’ ଧୋଇବାକୁ କହିଲେ ମାଛ ଖୁମ୍ପିଲା ପରି ହୁଏ, ପଟି ବାନ୍ଧିବାକୁ କହିଲେ ଫାଶୀ ଦେଲାପରି ଭିଡ଼େ, ଔଷଧ ଦେବାକୁ କହିଲେ ବହୁତ ଚିଡ଼ି ଉଠେ–ପଇସା କାହିଁ ଯେ ଏତେ ଜଞ୍ଜାଳ, ଏତେ ନଟପଟ ?

 

ଡାକ୍ତରବାବୁଙ୍କ ପରିବାର ବଢ଼ିଛି ଆଉ ରୋଜଗାର କମିଛି । ତିନିକୋଶ ଠେଇଁ ଜିଲ୍ଲାବୋର୍ଡ଼ ଡାକ୍ତରଖାନା ଖୋଲିଛି । ଗଜାଟୋକା ଆସି ସେଠି ନିଜକୁ ଅଶ୍ୱିନୀ କୁମାର ବୋଲି ପରିଚୟ ଦିଅନ୍ତି । ରୋଗୀମାନେ ତେଣେ ଧାଆନ୍ତି–ନିଧିବାବୁଙ୍କ ପାଖରେ କେହି ପଶନ୍ତିନାହିଁ ।

 

ସେଥିପାଇଁ ଡାକ୍ତରବାବୁ ନୂଆ ଫନ୍ଦି କାଢ଼ିଲେ । ଡାକ୍ତରବାବୁଙ୍କ ଫନ୍ଦି ନୁହେଁ ଯେ କମ୍ପାଉଣ୍ଡର ଏ କୌଶଳଟି କାଢ଼ିଥିଲା । ରୋଗୀର ଚିକିତ୍ସାପାଇଁ ସିନା ଲୋକେ ଜିଲ୍ଲାବୋର୍ଡ଼ ଡାକ୍ତରଖାନାକୁ ମୁହାଁଉଛନ୍ତି, କିନ୍ତୁ ଭଲ ମଣିଷକୁ ସେ ଡାକ୍ତରଖାନା ନଉନାହିଁ ତ ? ଲୋକଗୁଡ଼ାକ ଖାଇବାକୁ ନପାଇ ଦୁର୍ବଳିଆ ହୋଇପଡ଼ିଛନ୍ତି–ଏଇଟା କ’ଣ ଗୋଟାଏ ରୋଗ ନୁହେଁ ?

 

ଏ ରୋଗର ଚିକିତ୍ସା କଲେ ରୋଗୀର ଅଭାବ ହେବେନାହିଁ । ସତକୁ ସତ ସେଇଆ ହେଲା । କମ୍ପାଉଣ୍ଡର ତା’ର ଚାକର ବୁଦ୍ଧି ଦେଖେଇ ଗାଁକୁ ଗାଁ ଖେଦିଗଲା । ଡାକ୍ତରବାବୁଙ୍କ ସିନ୍ଦୁକ ସପନ ଦେଖେଇଛି ଯେ ସେବର୍ଷ ବହୁତ ଲୋକ ବେମାରିରେ ପଡ଼ିବେ । ବେମାରିଆ ହେବେ ବୋଲି ଦୁର୍ବଳିଆ ହେଇଗଲେଣି–ପିଚା ପଶିଯାଉଛି, ପେଟ ବାହାରିପଡ଼ୁଛି–ଏଥର ତାଙ୍କର ପାଳି ପଡ଼ିବ ।

 

ବାପ ଚାହିଁଲା ପୁଅ ଆଡ଼କୁ, ଭାଇ ଭାଇକୁ, ମା’ ଝିଅକୁ, ସ୍ଵାମୀ ସ୍ତ୍ରୀକୁ–ସତେ ତ...ପେଟ ବାହାରି ପଡ଼ୁଛି...କମ୍ପାଉଣ୍ଡରବାବୁ ଠିକ୍‌ କହିଥିଲେ । କେତେ ଲୋକବି ସପନ ଦେଖିଲେ–କାହାକୁ ବାସୁଳେଇ, କାହାକୁ ଜାଗୁଳେଇ, ବଡ଼ବଡ଼ୁଆ, ବୃନ୍ଦାବତୀ ଆସି ଛାଇନିଦବେଳେ କହିଦେଇ ଗଲେ– ହୁସିଆର୍‌, ହୁସିଆର୍‌ ।

 

ଜିଲ୍ଲାବୋର୍ଡ଼ ଡାକ୍ତରଙ୍କୁ ଆଉ ପଚାରେ କିଏ ? ନିଧିବାବୁଙ୍କୁ ଧରିଲେ ନ ଚଳେ । ସିନ୍ଦୁକ ସପନେଇଛି ଯେତେବେଳେ ଔଷଧ ତ କହି ଦେଇଥିବ ? ନିଧିବାବୁ ସିନା ପୁରୁଣା ଲୋକ ବୋଲି ଠାକୁରାଣୀ ତାଙ୍କୁ କହିଦେଲେ ।

 

ତହିଁ ଆରଦିନ ଠାରୁ ଲୋକେ ଧାଡ଼ି ଛୁଟିଲେ, କଥା କ’ଣ ନା ପେଟ ବାହାରି ପଡ଼ୁଛି, ପିଚା ପଶିଯାଉଛି–ସେମାନଙ୍କର ଚିକିତ୍ସା ଦରକାର । ଡାକ୍ତରବାରୁ ସମସ୍ତଙ୍କୁ ଗୋଟିଏ କଥା ପଚାରିଲେ–ଦୁଧ ପିଉଛ ?

 

ଏକା ଉତ୍ତର–ଗୋରସ୍‌ କ’ଣ କିଏ ପିଏ ? ପିଲା ସିନା ପିଅନ୍ତି କାହା ଭାଗ୍ୟରେ ଜୁଟୁଛି କେତେବେଳେ ? ତେବେ ସମସ୍ତଙ୍କ ଘରେ ଦୁହାଁଳ ଗାଈ ଅଛି । ଡାକ୍ତରବାବୁ ଗମ୍ଭୀର ହୋଇ କହିଲେ–କିଛି ଚିନ୍ତାନାହିଁ । ସେଇ ଦୁଧ ସିଝେଇ ସପ୍ତାହରେ ଗୋଟିଏ ଲେଖାଏଁ ଇନ୍‌ଜେକ୍‌ସନ୍‌ ଦେଇଦେଲେ ଚାରିଥରରେ ରଙ୍ଗ ବଦଳଯିବ ।

 

ସେଇଠୁ ଆଉ କିଛି ଅସୁବିଧାନାହିଁ । ସେରେ, ତିନିପା, ଅଧସେର–ଯେ ଯାହା ପାଇଲା ଠେକିରେ ଆଣି ପହେଞ୍ଚଇଲା । ଡାକ୍ତରବାବୁ ସେ ସବୁଯାକ ଏକାଠି କରି ସିଝେଇ ସରତକ କାଢ଼ି ନିଅନ୍ତି । ବାକି ଦୁଧକୁ କମ୍ପାଉଣ୍ଡର, ମେହେନ୍ତର, ବେହେରା–ଏ ସମସ୍ତଙ୍କୁ ଦେଇକରି ସୁଦ୍ଧା ନିଜ ଭାଗକୁ ପାଞ୍ଚ ଛଅ ସେର ବଳେ । ମାଗଣା ଦୁଧ ଖାଇ ଡାକ୍ତରଖାନାର ଥିବାର ଚାକର ବେହେରାମାନେ ଦୁଧର ମହିମା ପ୍ରଚାରରେ ଲାଗନ୍ତି, ଆଉ ଡାକ୍ତରବାବୁ ଚାମୁଚେ ଚାମୁଚେ ଦୁଧ ଇନ୍‌ଜେକ୍‌ସନ୍‌ ଦେଇ ରୋଗୀଠୁଁ ଗୋଟିଏ ଗୋଟିଏ ଟଙ୍କା ଆଦାୟ କରନ୍ତି ।

 

ଲାଭବି ହେଲା, କାମ ଜୋରସୋରରେ ଚାଲିଲା । ଛୁଟିବେଳେ ନିଧିବାବୁଙ୍କ ଡାକ୍ତରଖାନାରେ ଆଲୋଚନା ହୁଏ–ଜିଲ୍ଲାବୋର୍ଡ଼ ଡାକ୍ତରଟା କେଡ଼େ ବୋକାଟାଏ–ଚିକିତ୍ସା କରୁଛି ସତ, କିନ୍ତୁ ତା’ର ବୁଦ୍ଧିନାହିଁ । ଇନ୍‌ଜେକ୍‌ସନ୍‌ ଦେଇ ଲୋକ ଖୁସି ହେଇ ଫେରିଯାନ୍ତି । ଆଉ କାହାର ଦେହଖରାପ ହେବନାହିଁ । ଠାକୁରାଣୀ ତାଙ୍କୁ ବଞ୍ଚେଇଦେଲେ । ଜିଲ୍ଲାବୋର୍ଡ଼ ଡାକ୍ତର କାନକୁ ସବୁ କଥା ଗଲା । ତାଙ୍କରି ପାଖରୁ କେତେଜଣ ଲୋକ ଜାଣିଗଲେ ଯେ ଦୁଧ ଇନ୍‌ଜେକ୍‌ସନ୍‌ କେଇଟା ରୋଗପାଇଁ ଠିକ୍‌ ହେଲେ କ’ଣ ହେବ,ଏତେ ଦୁଧ ଲାଗିବନାହିଁ ।

 

ତେଣିକି ଗୋଟିଏ ନୂଆ କଥା ଘଟିଲା । କମ୍‌ କମ୍‌ ଦୁଧ ଆସିଲା । ଲୋକେ ଅଧପାଏ, ଛଟାଙ୍କିଏ ଦୁଧ ଆଣି ପହଞ୍ଚିଲେ । ଡାକ୍ତରବାବୁ କିଛି ନ କିଛି ନ କହି ଖାଲି ମୁହଁ ଶୁଖେଇ କହନ୍ତି–ଆରେ ବାବୁ ତମର ତ ଅବିଶ୍ଵାସ ଆସିଲାଣି, ମୁଁ କ’ଣ କରିବି ? ମୁଁ ତ ବହି ପାଠରୁ ଚିକିତ୍ସା କରୁନାହିଁ....ଦୈବୀ ହୁକୁମରେ କରୁଥିଲି....ତମେ ଭକ୍ତି ମନରେ ସ୍ୱଚ୍ଛ ମନରେ ଆଣିଲେ ସିନା ହବ ।

 

ତେବେବି ଔଷଧ କାଟୁ କରେନାହିଁ । ଡାକ୍ତରବାବୁଙ୍କ କଥାରେ ସମସ୍ତଙ୍କର ଭକ୍ତି ଆସେନାହିଁ । ଆଗଭଳି ଡେକ୍‌ଚିରେ ଦୁଧ ଆଉଟା ହୁଏ, କିନ୍ତୁ ରୋଗୀମାନେ ରୋଷେଇଘର ଚାରିପଟେ ଚକ୍‌କର କାଟନ୍ତି–କେତେ ଦୁଧ ଇନ୍‌ଜେକ୍‌ସନ୍‌ ଦିଆହେଇ କେତେ ବଳୁଛି ଦେଖିବାକୁ-।

 

ଆଉ ଲାଭ କ’ଣ ହେବ ? ଯାହା ହେଲେ ଦିନକୁ ସେରେ...ପାଞ୍ଚ ପା’ ଯାହା ପଡ଼ିଲା । ସେଇଠୁ ବେହେରା ଗୋଟିଏ ବୁଦ୍ଧି ପାଞ୍ଚିଲା । କହିଲା–ବାବୁ ଏଇ ଗାଁଲୋକେ ବଡ଼ ବଦମାସ୍‌ । ତାଙ୍କୁ ଲାଣ୍ଡି ନ କଲେ ହେବନାହିଁ । ଦେଖନ୍ତୁ ଆପଣ ତାକୁ ବଳୁଆ କରିବାକୁ ଲାଗିଛନ୍ତି, ଆଉ ସେମାନେ ଚୋର ଜଗିଲା ପରି ହେଉଛନ୍ତି ।

 

ତେଣିକି ଡାକ୍ତରଖାନାକୁ ଯେ ଆସେ ଡାକ୍ତରବାବୁ–ଗୋଟିଏ ଚିକିତ୍ସା ବରାଦ କରନ୍ତି ଯେ ସବୁର ମୂଳ ହେଲା ମୁଣ୍ଡ–ମୁଣ୍ଡ ଠିକ୍‌ ଥିଲେ ରୋଗ ଆପଣା ଛାଏଁ ଚାଲିଯିବ । ଯେଉଁ ପ୍ରକାରର ରୋଗ ହେଉନା କାହିଁକି, ମୁଣ୍ଡ ଗରମ ହେବାରୁ ସେ ରୋଗ ବଢ଼ୁଛି ଆଉ ମୁଣ୍ଡ ଠିକ୍‌ କରିବାକୁ ହେଲେ ବାଳତକ ଖିଅର କରିବା ଦରକାର । ତେଣିକି ଯେ ଆସିଲା ତା’ର ମୁଣ୍ଡ ଲଣ୍ଡା କରିବା ହୁକୁମ ହେଉ ନ ହେଉଣୁ, କମ୍ପାଉଣ୍ଡର ବେହେରା ମିଶି ତାକୁ ଖିଅର କରନ୍ତି । ସେ ବୁଦ୍ଧ–ଭିକ୍ଷୁଙ୍କ ପରି ହେଇ ଡାକ୍ତରଖାନାରୁ ବାହାରେ ।

 

ଗାଁରେ ଲଣ୍ଡାମୁଣ୍ଡିଆଙ୍କ ସଂଖ୍ୟା ବଢ଼ିଲା । ଥରେ ଗୋଟିଏ କନେଷ୍ଟବଲ ମୁଣ୍ଡରେ ଚାଳ ବାଜିଗଲା । ସେ ଡାକ୍ତରଖାନାକୁ ଔଷଧପାଇଁ ନ ଆସୁଣୁ ତାକୁ ଧରି ନିଜେ ଡାକ୍ତରବାବୁ ଲଣ୍ଡା କଲେ–ସରକାରୀ ଲୋକ–ବେହେରା ଚିକିତ୍ସା କରିବା ଠିକ୍‌ ହେବନାହିଁ ।

 

କନେଷ୍ଟବଳ ତ । ସେ କ’ଣ ସହଜରେ ରାଜି ହେଇଥାନ୍ତା ? ଔଷଧ ଦେବେ ବୋଲି ମେଞ୍ଚାଏ ଜାଗା ଖିଅର କରିଦେଲେ । କନେଷ୍ଟବଳ ବଡ଼ ବିବ୍ରତ ହୋଇପଡ଼ିଲା–ଆରେ ! ଆଚ୍ଛା ମାକଣ୍ଡେଶ୍ଵର ବାରିକ ହାବୁଡ଼ରେ ମୁଁ ପଡ଼ିଲି । .....ମୋ ମୁଣ୍ଡ କିଛି ହେଇ ନଥିଲା–ଛୁଟି ନେବାପାଇଁ ଟିକିଏ ଚିକିତ୍ସା କରିବାକୁ ଆସି କି ହଇରାଣ ନ ହେଲି !!

 

ସେ ନିଧିବାବୁଙ୍କ ଉପରେ ଭାରି ତେରିମେରି କଲା । ନିଧିବାବୁବି ନଛୋଡ଼ବନ୍ଧା । ସେ ତାଙ୍କର ବକ୍ତୃତା ଆରମ୍ଭ କଲେ–ମୁଣ୍ଡ ଘୂରେଇ ଯିବ । ରକ୍ତ ଲାଗି ବାଳ ଜଟା ହେଇଯିବ । ସାମାନ୍ୟରେ ଖିଅର ନକଲେ ନଚଳେ । ତେବେ କନେଷ୍ଟବଳ ରାଗିବାରୁ ସେ ସଜାଡ଼ି ଦେବାକୁ ତାଳୁଟା ଅଧା ଗୋଲେଇ କରି ଖିଅର କରିଦେଲେ । ଦର୍ପଣରେ ଦେଖି କନେଷ୍ଟବଳ ଡାକ୍ତରଙ୍କୁ ମାରିବାକୁ ତିଆର । ଡାକ୍ତରବାବୁଙ୍କ ଆଡ଼େ ଡାକ୍ତରଖାନାର ସବୁ କର୍ମଚାରୀ ଏକଜୁଟ ହେଇ ଠିଆ ହେଇଛନ୍ତି ।

 

–ହଉ, ଯାହା ହେଲା, । ୟାକୁ କ’ଣ ଠିକ୍‌ କର । ହତାସ ହେଇ କନେଷ୍ଟବଳଟି କହିଲା ।

 

–ଏଇଆ ତ ? ମୋ କଥା ଶୁଣ । ମୁଁ ହେଉଛି ଡାକ୍ତର । ତମେ ମୁଣ୍ଡ ପୂରା ଲଣ୍ଡା କରିଦିଅ, ଦେଖିବ ତୁମର ଅନେକ ବେମାରି ଭଲ ହେଇଯିବ ।

 

–ଚୋପା ହବ । ହଉ ଲଣ୍ଡାକର । ଆଧା ତ ନେଲଣି, ଆଉ ଅଧକ ନିଅ ।

 

ଶେଷକୁ ସେଇଆ ହେଲା । ଲଣ୍ଡା କରି ଡାକ୍ତରବାବୁ ନାଲି ଔଷଧ ମେଞ୍ଚେ ମାରିଦେଇ ପୂରା ମୁଣ୍ଡକୁ ବ୍ୟାଣ୍ଡେଜ କରିଦେଲେ । କନେଷ୍ଟବଳ ଦେଖିଲା–ଆଉ ବାଟ କିଛିନାହିଁ । ଠେକା ଭିଡ଼ିଲା ପରି ପଟି ବାନ୍ଧି ବାହାରିଲାବେଳେ ଗାଁଯାକ ହୁଲସ୍ତୁଲ ପଡ଼ିଗଲା ଯେ କନେଷ୍ଟବଳବାବୁଙ୍କୁ ବାଉଁଶରେ ପିଟିସାରା କରି ଦେଇଛନ୍ତି ।

 

ଏଇ ଖବର ଜିଲ୍ଲାବୋର୍ଡ଼ ଡାକ୍ତରଖାନାରେ ପହଞ୍ଚିଲା । ପୁଲିସ ସାହେବବି ଜାଣିଲେ । ଆଉ ଗୋଟିଏ ସିପାହୀ ଆସି ମଧୁବାବୁଙ୍କୁ କୈଫିୟତ ମାଗିଲା–ଦେଖ ଡାକ୍ତର, ତମେ ଜେଲଖାନା ଯିବ ।

 

–କାହିଁକି ?

 

–ତମେ ସେ କନେଷ୍ଟବଳକୁ କାହିଁକି ଲଣ୍ଡା କଲ ?

 

–ତା’ ମୁଣ୍ଡ ପୂଜେଇଥିଲେ ତମେ ଦାୟୀ ହେଇଥାନ୍ତ ।

 

–ଗୋଟାକଯାକ କାହିଁକି ଲଣ୍ଡା କଲ ?

 

–ତା’ର ଦେହ ଖରାପ ଥିଲା । ମୁଣ୍ଡ ଲଣ୍ଡା ହେଲେ, ଦେହ ଭଲହୁଏ ବୋଲି ମୁଁ ଜାଣେ ।

 

–ଆମ ସାହାବ କହିଛନ୍ତି ଯେ ଆଉଥରେ ଯଦି କୋଉ ପୁଲିସକୁ ତମେ ଲଣ୍ଡାକର, ତେବେ ତୁମକୁ ଚାଲାଣ କରାହେବ । ଖବରଦାର.....ଯଦି କେହି ପୁଲିସ ଏଠିକି ଆସେ ତମେ ତା’ର ଚିକିତ୍ସା କରିପାରିବନାହିଁ ।

 

–ହଉ, ହେଲା । ମୁଁ କହେ ପରା ପୁଲିସକୁ ଛୁଇଁବନାହିଁ । ମୁଁ ପଇତା ଛୁଇଁ କହୁଛି, ଆଉ କୋଉ ପୁଲିସକୁ ଏଠି ପୂରେଇବିନାହିଁ ।

 

ଡାକ୍ତରବାବୁ ବଡ଼ ଅଡ଼ୁଆରେ ପଡ଼ିଲେ । ଯେତେ ନୂଆ ନୂଆ ଔଷଧ ସବୁଥିରେ ଗୋଳମାଳ ହେଉଛି । ଇନ୍‌ଜେକ୍‌ସନ୍‌ ଦେବାକୁ ଟଙ୍କାଏ । ଖିଅର କରିବାବି ଟଙ୍କାଏ । ଲାଭ ସିନା ହେଉଥିଲା; ତେବେ ଏଇ ପୁଲିସଟାକୁ ଛାଡ଼ି ଦେଇଥିଲେ ହୋଇଥାନ୍ତା ।

 

ନିଧିବାବୁ କେଇଦିନ ଆଉ ଚିକିତ୍ସା କଲେନାହିଁ । ପୁଲିସ ଧମକରେ ଚୁପ୍‌ ହେଇ ବସି ରହିଲେ । ରୋଗୀ ଆସିଲେ କହନ୍ତି–ଥାଉ ବାବା, ତମେ ମର ଏଇଟା ପୁଲିସଙ୍କ ଇଚ୍ଛା । ଗରମଗୁଡ଼ାକ ଉପରକୁ ଉଠିଲେ ମୁଣ୍ଡବାଳ ଦାବି ଦଉଛି । ବାଳ କାଟିଲେ ପୁଲିସ ରାଗୁଛି । ଯହୁଁ ଯହୁଁ ଗରମ ବଢ଼ୁଛି, ମୁଣ୍ଡବାଳ ସେମିତି ତେଜରେ ପଲବି ଉଠୁଛି....ମୁଁ ଏବେ କରିବି କ’ଣ ?

 

ଲୋକେ ଚିଡ଼ନ୍ତି ପୁଲିସ ଉପରେ–ପିତା ଔଷଧ ନ ଖାଇ ଛୁଞ୍ଚିରେ ଇନ୍‌ଜେକ୍‌ସନ୍‌ ନ ଦେଇ ଏଡ଼େ ସହଜରେ ଯେଉଁ ଚିକିତ୍ସା ଡାକ୍ତରବାବୁ ଆରମ୍ଭ କରିଥିଲେ, ସେଥିରେ ପୁଲିସ କାଳ ହେଲାଣି । ପୁଲିସ ଜିଲ୍ଲାବୋର୍ଡ଼ ଡାକ୍ତର ପଟିଆ ହେଇ କାମ କରୁଛି ।

 

ନିଧିବାବୁଙ୍କ ଡାକ୍ତରଖାନା ଦୁଆର ମୁହଁରେ ରୋଗୀମାନେ ମୁହଁରେ ହାତ ଦେଇ ବସନ୍ତି, କିନ୍ତୁ ନିଧିବାବୁ ଆଉ ତାଙ୍କୁ ଚିକିତ୍ସା ନ କରି ସମସ୍ତଙ୍କୁ ଜିଲ୍ଲାବୋର୍ଡ଼କୁ ପଠାନ୍ତି–ଯାଅ ଭଲହେଲେ ଖୁସି । ନ ହେଲେ ତମ କପାଳ......ମୁଁ କ’ଣ କରିବି ?......ମତେ ପୁଲିସ ଜେଲଖାନା ଦବ....ମୁଁ କୋଉ ଥିବି ଯେ ଚିକିତ୍ସା କରିବି ?

 

କିନ୍ତୁ ଜିଲ୍ଲାବୋର୍ଡ଼ ଡାକ୍ତରଖାନା ରୋଗୀମାନଙ୍କୁ ମୋଟେ ପସନ୍ଦ ହୁଏନାହିଁ । ସେମାନେ ସେଠି ବସି ସେ ଡାକ୍ତରବାବୁଙ୍କୁ ନିଧିବାବୁଙ୍କର ପ୍ରଶଂସା ଶୁଣାନ୍ତି । କିନ୍ତୁ ନିଧିବାବୁଙ୍କର ଅଣୁବିକ୍ଷଣ ଯନ୍ତ୍ର କାମ ଦେଖାଏ । ସେଇଥିରେ ସେ କୌଣସି ପ୍ରକାର ଚଳିଯାନ୍ତି ।

 

ସେ ଯନ୍ତ୍ରକୁ ଠିକ୍‌ ଭାବରେ ବସେଇ ନ ପାରିଲେ ଅନେକ ପ୍ରକାର ଛାଇ ପଡ଼େ । ଡାକ୍ତରବାବୁ ଯନ୍ତ୍ର ପାଖରେ ଗୋଟିଏ ବହି ଖୋଲି ରଖିଥାନ୍ତି, ଆଉ ପ୍ରତି ମିନିଟରେ ଚିତ୍କାର ଛାଡ଼ନ୍ତି–ହେଇ କମ୍ପାଉଣ୍ଡର, ଦେଖିଲ ଏ ଦେଖିଲ, ଛବି ବହି ସାଙ୍ଗରେ ମିଳୁଛି ନା ?

 

ରୋଗୀ ମନରେ ବିଶ୍ଵାସ ଆଣିବାକୁ, ଆଉ ରୋଗୀ ଦେହରେ କି ପ୍ରକାର କୀଟାଣୁସବୁ ଅଛନ୍ତି ଜଣାଇବାକୁ, ତାଙ୍କୁବି ଯନ୍ତ୍ର ଭିତରେ ଦେଖାନ୍ତି । ସେ ଦେଖୁ ନ ଦେଖୁ ପାଟିକରି କହୁଥାନ୍ତି–ହେଇ ଦେଖ ଦେଖ.......ଏ ବହି ଚିତ୍ରର ଲାଞ୍ଜ ପରି ଏ ପୋକର ଲାଞ୍ଜ ଅଛି । ସେ କେମିତି ଝଅଟ ଝଅଟ ଟାଣି ନେଉଛି ତା’ର ଲାଞ୍ଜକୁ.....ଡେରିକଲେ ଆଉ ଦେଖିପାରିବନାହିଁ ।

 

ପରିସ୍ରା ବେଶି ପରୀକ୍ଷା ହୁଏ । ରୋଗୀମାନେ ଗୋଟିଏ ଗୋଟିଏ ଆଟିକାରେ ଝାଡ଼ା ପରିସ୍ରା ଏକାଠି କରି ଆଣନ୍ତି । ଆଟିକା ଛୁଇଁବା ଫିସ ଟଙ୍କାଏ । ତେଣୁ ତାଙ୍କୁ ଖୁସି କରିବାକୁ ସେ ପାଟି କରନ୍ତି–ହେଇ ଦେଖ, କେମିତି ମୋତିବିନ୍ଦୁ ପରିସ୍ରାରେ ପହଞ୍ଚିଲାଣି–କାହାକୁ ଅବା କହନ୍ତି–କିରେ, କ’ଣ ତୋ ପରିସ୍ରାରେ ଆକାଶର ତାରକା ବାହାରିଲାଣି ? ରାତିରେ ବହୁତ ବେଳ ତୁ ପଦାରେ ବୁଲୁନା ?

 

–ଆଜ୍ଞା, ଯାତରା ଦେଖିଯାଇଥିଲି ।

 

ହଁ, ହେଇଥିବ । ତାରାଙ୍କର ଆଲୁଅ ଭାରି ଟାଣ । ସେଇ ମୁଣ୍ଡ ଭିତର ଦେଇ ଦେହରେ ପଶୁଛି । ଏଣେ ମୁଣ୍ଡର ଗରମ ଭିତରୁ ବାହାରକୁ ଯାଇପାରୁନାହିଁ । ବେଶି ବେଳ ଦେହ ଭିତରେ ରହିଗଲେ ବିପଦ । ଡାକ୍ତରଖାନା ଦୁଆର ମୁହଁରେ ଆଶଙ୍କା ଫୁଟି ଉଠେ ।

 

ଡାକ୍ତରବାବୁଙ୍କର କଥାଗୁଡ଼ାକ ମନରେ ରହିଯାଏ । ନାକଫୋଡ଼ିଆ ଝାଡ଼ାରେ କୀଟାଣୁ ସାଲୁବାଲୁ ହେଉଥିଲେ......ସେ ପୁଣି ଭିତରେ ଭିତରେ ଅଣ୍ଡା ଦେଲେଣି–ଆଉ କ’ଣ ସେ ବଞ୍ଚିବ ?

 

ସବୁ ବେମାରିପାଇଁ ଗୋଟିଏ ଚିକିତ୍ସା–ମୁଣ୍ଡବାଳ ଲଣ୍ଡା କର, ଆଉ ଦୁଧ ଇନ୍‌ଜେକ୍‌ସନ୍‌ ନିଅ I

 

ବଡ଼ ରୋଗୀ ଆସିଲେ ଡାକ୍ତରଖାନା ଦୁଆର ବନ୍ଦ l ନିଧିବାବୁ ତାକୁ କଅଁଳ କଥା କହି ପଠେଇ ଦିଅନ୍ତି ଜିଲ୍ଲାବୋର୍ଡ଼ ଡାକ୍ତରଖାନାକୁ । ତାଙ୍କର ଇଚ୍ଛା ସେ ଭଲ ନ ହେଉ, ଆଉ ସେଇ ନିନ୍ଦା ଡାକ୍ତର ପାଉ । କିନ୍ତୁ କାହାରି ଯଦି ବଥ କି କାଛୁ ହେଇଥାଏ, ସେ ଡାକ୍ତରଖାନାରେ ଖଟିଆ ପାଏ । ଯଦି ସେ ଲୋକ କଥା ନ ଶୁଣେ ତେବେ ଡାକ୍ତରବାବୁ ନିଜେ ଚଉକି ଛାଡ଼ି ହତା ଫାଟକ ଯାଏ ଯାଇ ତାକୁ ଫେରାଇ ଆଣିବାକୁ ଚେଷ୍ଟା କରନ୍ତି । ପାଖ ବରଗଛ ଆଢ଼ୁଆଳକୁ ନ ଯିବାଯାଏ ସେ ଧୈର୍ଯ୍ୟ ରଖନ୍ତି–ସେଇଠୁ ଡାକ୍ତରଖାନାର ସବୁ ଚାକର ପୁଝାରୀ ତା’ ପଛେ ପଛେ ଧାଆନ୍ତି ତାକୁ ଫେରାଇ ଆଣିବାକୁ । ସେ ରୋଗୀକୁ ନ ଆଣିବା ଯାଏ କାହାରି ମନରେ ଶାନ୍ତି ନଥାଏ ।

 

ରୋଗୀ ସଂଖ୍ୟା ବଢ଼ାଇବାକୁ ସେ କେତେ ନୂଆ ଫନ୍ଦି ବାହାର କରନ୍ତି । କାହାକୁ ସାର୍ଟିଫିକେଟ୍‌ ଦେବାକୁ ହେଲେ ସେ ଡାକ୍ତରଖାନାରେ ରହିବାକୁ ବାଧ୍ୟ । ଦିନେ ଦି’ଦିନ ଚିକିତ୍ସା ହେବ । ଦିନକୁ ରହିବା ଖର୍ଚ୍ଚ ଚଉଦ ସୁ’କା ! ଟଙ୍କା ନଗଦ ଦେଇ ନପାରିଲେ ଚାଉଳ, ଡାଲି, ପରିବା, ଦୁଧ, ମାଛ ଯାହା ଦେଇପାର । ଏମିତି କି କେହି ନୂଆଲୋକ ଯଦି ରହିବାକୁ ଘର ନ ପାଇଲା ତେବେ ସେ ଡାକ୍ତରଖାନାରେ ରୋଗୀ ହୋଇ ରହିବାକୁ ବାଧ୍ୟ ।

 

ନୂଆ ଡାକ୍ତରଖାନା କଲାବେଳେ ଯୋଡ଼ିଏ ବଖରାରେ ଛଅଟି ଖଟିଆ ପକାଇଥିଲେ । ସେଇ ଛଅଟି ଖଟିଆ ପୂରା କରିବାକୁ ଡାକ୍ତରବାବୁ ସବୁବେଳେ ତିଆର । ଗାଉଁଲୀ ରୋଗୀଗୁଡ଼ାକ ଖଟିଆରେ ରହିବାକୁ ରାଜି ହୁଅନ୍ତି ନାହିଁ । କିଏ ପାଟି କରେ–ଇଏ କ’ଣ ? ଘର ଭିତରେ ପୁଣି ଗୋଟାଏ ଘର । ତଳେ ଗୋଡ଼ ଲାଗୁନାହିଁ, ଉପରେ କନା ବନ୍ଧା ହେଉଛି, ସେ ଅଣ-ନିଶ୍ଵାସୀ ହେଇଯାଏ ।

ସବୁବେଳେ ଗୋଳମାଳ ଲାଗିଥାଏ–ରୋଗୀ ଆଣିବା ରୋଗୀ ରଖିବା–ସବୁଥିରେ ଯୁକ୍ତି, ତର୍କ, ଆଲୋଚନା ଚାଲିଥାଏ ।

ଦିନେ ସକାଳେ ଖବର ହେଲା, ଆଉ ଜଣେ ନୂଆ ଡାକ୍ତର ଘରୋଇ ଚିକିତ୍ସା କରିବାକୁ ସେଠି ପହଞ୍ଚିଲାଣି ।

ନିଧିବାବୁ କହିଲେ–ଆରେ କମ୍ପାଉଣ୍ଡର କ’ଣ ଦେଖୁଛୁ ? କଂସ ଆସିଲାଣି, ଏଠି କ’ଣ ବା ରୋଗୀ ଯେ ଦି’ଟା ଡାକ୍ତର ପୋଷିହେବେ ?

–କ’ଣ କରିବା ? ସେ ଲୋକଟା ଯେତେବେଳେ ଗଣ୍ଠିଲି ପତ୍ରବାନ୍ଧି ଆସିଛି, ସେ କ’ଣ ସହଜରେ ଫେରିବ ?

–ହେଇତ ଗୋଟାଏ କ’ଣ ଆସୁଛି ଏଣେ ! ଦେଖ, ତା’ର ଛଇକୁ ଦେଖ....ପ୍ୟାଣ୍ଟ କୋଟ ପିନ୍ଧିଛି, ଚଷମା ଲଗେଇଛି ।

–ଓଲୁଟାଏ । ଏଇଟା ହେଲା ଗାଁ । ଏତେ ପୋଷାକପତ୍ର କ’ଣ ଭଲ ? ଖାଲି ଦେହରେ ତ ଆମର ଝାଳ ବୋହୁଛି ।

–ହଁ ନୂଆ ଡାକ୍ତର କିନା, ସେଇଥିପାଇଁ ବେଶପଟା ପକେଇ ଆସିଛି, ଆସୁ ।

ଖାଲି ଦେହ, ଥନ୍ତଲପେଟ, ଦି’ ଗାଲରେ ପାନ । ଡାକ୍ତରବାବୁ ଚୌକିରେ ଦମ୍ଭିଲା ହୋଇ ବସିଲେ । ନୂଆ ଡାକ୍ତରଟି ଆସି ପଚାରିଲା–ନିଧିବାବୁ କାହାନ୍ତି ?

ନିଧିବାବୁ ଆଗ ବେଞ୍ଚ ଖାଲି କରିବାକୁ ଇସାରା କଲେ । କମ୍ପାଉଣ୍ଡର ଠିଆ ହୋଇଗଲା-। ସେଇଠୁ କହିଲେ–ହଁ ମୁଁ । ଶୁଣୁଛି ଆପଣ ଏଠି ଡାକ୍ତରୀ କରିବାକୁ ଆସିଛନ୍ତି ।

–ଆସିଛି ଯେ ଏଠି ବ୍ୟବସାୟ କେମିତି ?

–ବ୍ୟବସାୟ ? କ’ଣ କହିବି ସେକଥା । ପୁଲିସି ସବୁବେଳେ ମୋ ପିଛା ଧରିଛି । ସେ ଚୋର ଧରିଲାପରି ମୋ ପଛେ ପଛେ ରହି ରୋଗୀଙ୍କୁ ପଠଉଛି ଜିଲ୍ଲାବୋର୍ଡ଼ ଡାକ୍ତରଖାନାକୁ ସେଥିପାଇଁ ମୁଁ ଆଉ ଚିକିତ୍ସା ନକରି ଦୈବୀ ଔଷଧ ଆଉ ଦୈବୀ ଚିକିତ୍ସା ଦେଇ ଶାଗ ଭାତ ପାଉଛି-। ତମେ ଆସିଲ ଭଲ ହେଲା । ବାଣ୍ଟି କରି ଖାଇବା ।

–କ’ଣ ! ଆପଣଙ୍କର ଭାରି ସୁନାମ ଶୁଣିଲି......ଗୋଟାଏ ଦି’ଟା ଚୌକି ରଖୁନାହାନ୍ତି ।

–ଚୌକି ଟେବୁଲରେ ସୁନାମ ହୁଏନାହିଁ...ମୁଁ ତ ବସେ ଏ ଚୌକିରେ, ଆଉ ଏଇ ବେଞ୍ଚଖଣ୍ଡକ ଭଦ୍ରଲୋକ କମ୍ପାଉଣ୍ଡର ସମସ୍ତଙ୍କ ପାଇଁ....ୟାରି ଉପରେ ରୋଗୀକୁ ଶୁଆଇ ଇଞ୍ଜେକ୍‌ସନ୍‌ ଦିଏ.....ଏତିକିକୁ ତ ବ୍ୟବସାୟ ନଅଣ୍ଟ, ଆଉ ଚୌକି କ’ଣ ହବ ?

–ନୂଆ ଡାକ୍ତରଟି ହସିଲା ।

–ଆଚ୍ଛା, ତମେ କ’ଣ ଏକୁଟିଆ ଆସିଛ ? ପିଲାପିଲି ଆଣିଲନାହିଁ ?

–ବାହା ହୋଇନାହିଁ ।

–ହେଲା ତେବେ । ଆମେ ପଢ଼ୁ ପଢ଼ୁ ବାହା ହୋଇଥିଲୁ । ଏଠିକି ନିଅଙ୍ଗି ହୋଇ ଆସିଲେ ଗାଁ ବାଲାଏ ଚିଡ଼ିବେ...ଏଠି ସମସ୍ତେ ଘରୁଆ...ଆଉ ତମପରି ଏକୁଟିଆ ବାଆଁରା ହେଲେ......ବାବା ତମର ଏଠି କିଛି ହବନାହିଁ ।

–ସତେ ?

–ତେବେ ରକ୍ଷା ହୋଇଛି ବାହା ହୋଇନା.....ବାହା ହୋଇଥିଲେ ତମ ପିଲାଗୁଡ଼ାକ ଭୋକ ଉପାସରେ ମରିଯାଇଥାନ୍ତେ ଏଠି ତ ଟଙ୍କା ମିଳିବନାହିଁ–ମିଳିବ ମୁଗ, ବିରି, କୋଳଥ, ଦୁଧ, କଞ୍ଚା କଦଳୀ, ଆଖୁ, ଛେନା...

–ଆଉ ? ଟଙ୍କା ?

–ଟଙ୍କା ! ମୁଁ ତ କେବେ ଟଙ୍କା ଖୋଜିନାହିଁ । ଅନେକ ଉପାୟ କରି ବେଳେ ବେଳେ ଟଙ୍କା ପାଏ, କିନ୍ତୁ ସେତିକ ପାଇବାକୁ ଡାକ୍ତରୀ ତ ନୁହେଁ କେଜାଣି କେତେ ନା ବୁଦ୍ଧି ଖଟାଇବାକୁ ପଡ଼େ । ତମେ କ’ଣ ପାରିବ ?

–ଦେଖିବା । ଆଚ୍ଛା ଏଠି ରହିବା ଯାଗା କୋଉଠି ଅଛି, କହିଲେ ?

–ଏଠି ରହିବାର ଗୋଟିଏ ଜାଗା, ସେ ହଉଛି ଏଇ ନିଧିବାବୁଙ୍କ ଡାକ୍ତରଖାନା; କିନ୍ତୁ ଏଠି ରୋଗୀ ନ ହେଲେ ଖଟିଆ ମିଳେନାହିଁ । ଦିନକୁ ଖର୍ଚ୍ଚ ଚଉଦ ସୁକା–ଔଷଧ, ପଥି ଚିକିତ୍ସା, ଘରଭଡ଼ା–ସବୁ ମିଶେଇ ।

–ମତେ କ’ଣ ରୋଗୀ କରିବେ ?

–ଛି–ତେବେ ମୁଁ ଯଦି ତୁମକୁ ଏଇଠି ରଖେ ତେବେ ନିଜ ଦାନାରେ ମୁଁ ଧୂଳି ଦେବି ଆମେ ଡାକ୍ତର ସତ, କିନ୍ତୁ ବଞ୍ଚିବାପାଇଁ ପିଲାପିଲିଙ୍କ ମୁହଁରେ ଆହାର ଦେବାପାଇଁ ହେଲେ ମୁଁ ତମକୁ ଏଠି କେମିତି ରଖେଇବି ?

ନୂଆ ଡାକ୍ତରଟି ନିଧିବାବୁଙ୍କ ମୁହଁକୁ ଚାହିଁଲା । ସେଠି ଡାକ୍ତରର ଚିହ୍ନବର୍ଣ୍ଣନାହିଁ । ତା’ ବଦଳରେ ଗୋଟିଏ ନୂଆ ଲୋକ ଠିଆହୋଇଛି । ସେ ଦେଖିପାରିଲା ନିଧିବାବୁଙ୍କର ସେଇ ପୂରିଲା ମୁହଁ ଭିତରୁ ଆଉ ଗୋଟିଏ ଦୁର୍ବଳ, ବିକଳାଙ୍ଗ ମଣିଷ ଭୟଭୀତ ଚାହାଣୀରେ ତା’ରି ଆଡ଼କୁ ଚାହିଁରହିଛି ।

Image

 

Unknown

ଅଶୁଭ ପୁତ୍ରର କାହାଣୀ

(ଅଚ୍ୟୁତାନନ୍ଦ ପତି)

 

ସେଦିନ ସେ ଛୋଟ ପେଚା ଛୁଆଟି ପହିଲୁ କରି ଆଖି ଖୋଲିଲା । ଗଛର ଅନ୍ଧାରିଆ ଖୋଲ ଭିତରେ ସେ ଆଖି ଫିଟାଇ ପ୍ରଥମେ ଦେଖିଲା ଅନ୍ଧାର, ଚାରିଆଡ଼େ ଖାଲି ନିଘଞ୍ଚ ଅନ୍ଧାର । ମାଆ ତା’ର ତା’ ଉପରେ ଡେଣା ଘୋଡ଼ାଇ ବସିଥିଲା । ତଳେ କୁଟା କାଠିର ଟାଆଁସିଆ ଶେଯ ଉପରେ କଅଁଳ ହାତଗୋଡ଼ ଦି’ଖଣ୍ଡ ତା’ର ଥୋଇଥାଇ କେତେ କଥା ସପନ ଦେଖିଯାଉଥିଲା । ଗଛର ଉପର ଡାଳରେ କାଆ କାଆ ହୋଇ କ’ଣ ଗୁଡ଼ାଏ ଖୁବ୍‌ ଜୋର୍‌ରେ ପାଟି କମ୍ପେଇଲେ । ତା’ ମାଆର ଡେଣା କାହିଁକି ଚହଲି ଉଠିଲା । ସେ ପକ୍ଷୀଗୁଡ଼ାକୁ ଟିକିଏ ଭଲକରି ଚହଲାଇ ଦେଇ ତାକୁ ପେଟଆଡ଼କୁ ଜାକି ଆଣିଲା । ତାକୁ ଟିକିଏ ଆରାମ ଲାଗିଲା ସେ ଚୁଁ ହେଇ ହସି ପକାଇଲା । ମାଆ ତା’ କୁନି ଥଣ୍ଟରେ ଥଣ୍ଟ ଘଷି ତାକୁ ତୁନି ହେଇ ରହିବାକୁ ଚୁପ ଚୁପ କହିଲା । ମାଆ ଇମିତି କାହିଁକି କହୁଛି, ସେ ବୁଝିପାରିଲାନି । ମାଆ ଯେତେବେଳେ କହୁଛି ଖାଲି ଚୁପ୍‌ ହେଇଗଲା । ମାଆର ନରମ ପର ଭିତରେ ଉଷୁମ ଟାଣି ଟାଣି ତା’ ଦେହରୁ ଚମଡ଼ାର ଭାଙ୍ଗସବୁ ଫିଟି ଫିଟି ଯାଉଥିଲା । ତାକୁ ଭାରି ହାଲୁକା ଲାଗୁଥିଲା । ସେ ଭାବୁଥିଲା, ସେ ଠିଆ ହୋଇପଡ଼ିବ । କାଠି କୁଟାର ବିଛଣା ଭିତରେ ସେ ତା’ର ଗୋଡ଼ ଟିକିଏ ସଳଖାଇ ଦେଲା । ମାଆବି ତା’ ଉପରୁ କାହିଁକି ଟିକିଏ ଘୁଞ୍ଚି ବସିଲା । ତା’ ଟିକି ଟିକି ଗୋଡ଼ ଉପରେ ଥଣ୍ଟ ଢୁକେଇ ଢୁକେଇ ମାଆ ତା’ର ଗୋଡ଼କୁ ସିଧା କରିଦେଲା । ସେ ଉପରକୁ ଟିକିଏ ଚାହିଁଲା । ଅନ୍ଧାର କାହିଁକି କମ ଜଣାଗଲା । ସେ ଆଖି ବୁଜି ପକାଇଲା । ଟିକିଏ ମାଆ ଆଡ଼କୁ ଚାହିଁ ପୁଣି ଉପରକୁ ଚାହିଁଲା । ମା’ ତା’ର ଯେମିତି ତା’ ମନର କଥା ବୁଝିପାରିଲା । ତା’ କୁନି ଚେପା ନାକରେ ନିଜର ନାକକୁ ଲଦି ହସି ହସି କହିଲା–‘‘ଧନ ମୋର କେଡ଼େ ହୁସିଆର ହୋଇଗଲାଣି ହେଉ, ଟିକିଏ ଆଉ ଥୟ ଧର । ତୋ ଡେଣାରେ ଭଲକରି ପର ବାହାରିଯାଉ । ମୁଁ ତତେ ଉଡ଼ିବା ଶିଖାଇଦେବି । ଡେଣା ଭାଙ୍ଗିବାର ବାଗବରଗ ସବୁ ବତେଇଦେବି । ତୁ ସରଗରେ ବୁଲି ବୁଲି ନୂଆ ନୂଆ ଜିନିଷ ଦେଖିବୁ । ତୁ ଏଠି ସିନା ଅନ୍ଧାରରେ ପଡ଼ିଛୁ । ଦୁନିଆକୁ ବାହାରିଗଲେ ସେଠି ଆଉ ସବୁବେଳେ ଅନ୍ଧାରରେ ନଥିବ । ସରଗରେ ତୋଫା ତୋଫା ଗୋଲ ଜହ୍ନର ଆଲୁଅ ବୋହି ପଡ଼ୁଥିବ । କୁନି କୁନି ତାରାସବୁ ଆଖି ମିଟିମିଟି କରି ତତେ ଗେହ୍ଲା କରିବେ । ମୁଁ ତୋତେ ଭଲ ଭଲ ଦରବ ତୋ ସାଙ୍ଗରେ ଘୂରି ଘୂରି ଚିହ୍ନେଇଦେବି । ତୁ ଖାଲି ବଡ଼ ହୋଇଯା । ତୋ ଦିହରେ ଟିକିଏ ତାକତ ଆସୁ ।’’ ମାଆ ତା’ର ଖୋଲ କଡ଼ରୁ ଖଣ୍ଡେ ପାକଲା ପିଜୁଳି ଆଣି ତା’ ଥଣ୍ଟ ଭିତରେ ଗୁଞ୍ଜିଦେଲା । ସେ ଆସ୍ତେ ଆସ୍ତେ ଥଣ୍ଟ ଚଳାଇ ଢୋକିନେଲା । ଆଃ କି ମିଠା ! ସେ ଭାବିନେଲା, ସେ ଦୁନିଆ ଦେଖିନେବ । ଦୁନିଆଟା ଭାରି ମିଠା ।

 

ଗଛତଳେ କ’ଣ ଗୁଡ଼ାଏ ଗୋଟାକ ପରେ ଗୋଟାଏ ହୁକେ ହୋ ହୋଇ ଦୌଡ଼ାଦୌଡ଼ି କଲେ । ମାଆ ପେଟତଳେ ଶୋଇ ଶୋଇ ତାକୁବି ଟିକିଏ ନିଦ ଆସି ଯାଉଥିଲା । ସେ ସପନ ଦେଖିଯାଉଥିଲା । ଖାଲି ଦୁନିଆର ସପନ । ଚାରିଆଡ଼େ ଖାଲି ମିଠା ପିଜୁଳି ଖଣ୍ଡ ଖଣ୍ଡ ହୋଇ ବିଛେଇ ହୋଇପଡ଼ିଛି । ସରଗରୁ ଗୋଲ ଜହ୍ନ ତଳକୁ ଓହ୍ଲେଇ ଆସୁଛି । ବିଲକୁଲ ଅନ୍ଧାରନାହିଁ । ହସରେ ତା’ ଥଣ୍ଟ ଖୋଲିଗଲା । ଗଛତଳୁ ପାଟି ଶୁଣି ସେ ଉଠିପଡ଼ିଲା । ଚାରିଆଡ଼େ ଖାଲି କିଟିକିଟି ଅନ୍ଧାର । ତା’ ମନଟା ଖଟା ହୋଇଗଲା । ସାଙ୍ଗେ ସାଙ୍ଗେ ଆଲୁଅର ସପନ ଦେଖି ଉଠିଛି-। ମାଆ ତା’ର ଖୋଲା ମୁହଁରେ ବସି ଡେଣା ଖୋଲି ଝାଡ଼ି ହେଉଥିଲା । ସେ ଡାକ ଛାଡ଼ିଲା–‘‘ମାଆ, ମୁଁ ଆଜି ଦୁନିଆ ଦେଖିବି । ଜହ୍ନ ସାଥିରେ ଖେଳିବାକୁ ମୁଁ ଆଜି ନିଶ୍ଚେ ବାହାରିଯିବି ।’’ ମାଆ ତା’ର ଭିତରକୁ ପଶିଆସି ତାକୁ ପେଟଆଡ଼କୁ ଟାଣିନେଲା । ସେ ମାଆର ପେଟତଳୁ ଖସରିଗଲା । ତାକୁ ଅନ୍ଧାର ମୋଟେ ଭଲଲାଗୁ ନଥିଲା । ମାଆ ହସି ହସି କହିଲା ଦୁନିଆକୁ ତୁ ଆସିଛୁ । ତୋ ଦୁନିଆକୁ ତତେ ଯିବାକୁ କିଏ ମନା କରୁଛି । ଦୁନିଆକୁ ବଡ଼ ହୋଇ, ଖୁବ୍‌ ବଳୁଆ ହୋଇ ନଗଲେ ଦୁନିଆ ତତେ ଠକାଇଦେବ । ଟିକିଏ ଥୟ ଧର । ଆଉ କେତେଟା ଦିନ । ମୁଁ ବଳେ ବଳେ ତତେ ନେଇଯିବି । ତୁ ଏଇଠି ଶୋଇଥା । ମୁଁ ଯାଉଛି, ତୋ ଲାଗି ନୂଆ ନୂଆ ଜିନିଷ ଆଣିବି । ତୁ ଜମା ପାଟି କରିବୁନି ।’’ ମାଆ ତା’ର ଥଣ୍ଟରେ ଟିକିଏ ୟାକୁ ଖୁମ୍ପି ଦେଇ ଗେହ୍ଲାକରି ବସାରୁ ବାହାରିପଡ଼ିଲା । ବସା ଦୁଆରେ ଟିକିଏ ଅଟକିଯାଇଁ ତାକୁ ପୁଣି ଚାହିଁଲା । ମାଆ ଚାଲିଗଲା । ସେ ଆଖି ବୁଜିଲା । ଆଖି ବୁଜି ବୁଜି ଦେଖିଲା ଦୁନିଆ ଉପରେ ଆଲୁଅ ବିଛେଇ ହୋଇପଡ଼ିଛି । ଆଲୁଅର ଦୁନିଆ ତାକୁ ପିଜୁଳି ଦେଖେଇ ଯିବାପାଇଁ ଇସାରା ଦେଉଛି । ତା’ ଆଖି ଲାଗି ଲାଗି ଆସୁଥିଲା । ସେ ଦେଖୁଥିଲା ଡେଣାରେ ତା’ର ତା’ ମାଆଠୁବି ବେଶି ପର ବାହାରିପଡ଼ିଛି । ସେ ଜହ୍ନ ଦେହରେ ପକ୍ଷୀ ଘଷି ଘଷି ହସି ହସି ଉଡ଼ି ଉଡ଼ି ଯାଉଛି ।

 

ତା’ ଗୋଡ଼ ଏଣିକି ଶକ୍ତ ହେଇଗଲାଣି । ସେ ଠିଆ ହୋଇପାରୁଛି ଡେଣାରେ ତା’ର ପରସବୁ ଆସ୍ତେ ଆସ୍ତେ ଅଙ୍କୁରି ଆସୁଛି । ଦୁନିଆ କଥା ଭାବି ଭାବି ମନ ତା’ର ବାଇଆ ହେଇପଡ଼ିଲାଣି । ତା’ ଦୁନିଆର ଖିଆଲରେ ଜହ୍ନ ଆଲୁଅ, ପାକଲା ପିଜୁଳି ଖାଲି ଖେଳିହେଇଯାଉଛି । ଏଣିକି ସେ ସବୁବେଳେ ଖାଲି ବିଟଳ ହେଉଛି । ମାଆ ସାଙ୍ଗରେ ଲଗାଉଛି । ସେ ବଡ଼ ହେଲାଣି, ସେ ଦୁନିଆ ଦେଖିଯିବ ।

 

ମାଆ ସେଦିନ ତା’ ଅଝଟ ପଣିଆ ଦେଖି ପହିଲୁ କରି ତାକୁ ଖୋଲ ମୁହଁକୁ ଆଣିଲା । ସରଗର ଚାନ୍ଦକୁ ଥଣ୍ଟ ବଢ଼େଇ ଚିହ୍ନେଇଦେଲା । ଆଖି ତା’ର ଝଲସି ଉଠିଲା । ଆଃ କି ସୁନ୍ଦର ! ସେ କେଡ଼େ ଅନ୍ଧାରିଆ ଜାଗାରେ ପଡ଼ି ରହିଥିଲା I ମାଆ ଡେଣା ସାଙ୍ଗରେ ଡେଣା ମେଲାଇ ଟିକିଏ ଟିକିଏ ଖଣ୍ଡି ଉଡ଼ା ଦେଲା । ସେ ଏଡ଼ାଳରୁ ସେ ଡାଳକୁ ଗଲା । ପକ୍ଷୀ ତା’ର ଘୋଳେଇ ହୋଇପଡ଼ିଲା । ଗଛର ସବା ଉପର ଡାଳକୁ ଗୋଟାଏ ଦମରେ ଉଠିଗଲା । ସେ ଜହ୍ନଆଡ଼େ ଚାହିଁକି ସେଠି ବସି ରହିଲା । ଡେଣାରୁ ତା’ର ପରାଶ ଆପେ ଆପେ କମି ଆସୁଥିଲା । ଜହ୍ନ ଦେହରୁ ଝିପିଝିପି ହେଇ ଆଲୁଅ ବିଞ୍ଚି ହେଇପଡ଼ୁଛି । ସେ ଭାବିଲା ଥଣ୍ଟ ମେଲା କରି ସେଥିରୁ ମେଞ୍ଚାଏ ପିଇଯିବ । ମାଆ ଆସି ଏତିକିବେଳକୁ ତା’ ପାଖରେ ପହଞ୍ଚିଲା । ତାକୁ ବୁଝେଇ ସୁଝେଇ ଖୋଲ ଭିତରକୁ ନେଇଗଲା ।

 

ଥରେ ଦିନବେଳେ ମାଆ ତା’ର ଟିକିଏ ଘୁମେଇ ପଡ଼ିଥିଲା । ସେ ଆସ୍ତେ ଆସ୍ତେ ଖୋଲ ପାର ହେଇ ଚାଲି ଆସିଲା । ଇସ୍‌, ବାହାରେ କେତେ ଆଲୁଅ । ସେଦିନଠୁଁ ଆଜିର ଜହ୍ନଟା ଖୁବ୍‌ ବଡ଼ ହେଇ ଦାଉ ଦାଉ ହେଇ ଜଳୁଛି । ସେ ଚାହିଁଲା, ଆଖି ତା’ର ପୋଡ଼ି ଉଠିଲା । ବାପରେ ବାପ କେତେ ଆଲୁଅ । ଉପର ଡାଳରୁ ବଣିଛୁଆ ଦୁଇଟା ବାହାରି ଆସି ଏ ଡାଳରୁ ସେ ଡାଳକୁ କୁଦି କୁଦି ଯାଉଛନ୍ତି । ମାଆ ସାଙ୍ଗରେ ତାଳ ପକାର ଗୀତ ବୋଲୁଥାନ୍ତି । ୟା ମନ ଭାରି ଖରାପ ହେଇଗଲା-। ତା’ ମାଆଟା ବଣିମାଆ ଭଳି ସେତେ ଭଲ ନୁହେଁ । ତାକୁତ କାହିଁ ଇମିତିକା ବଡ଼ ଜହ୍ନ ତଳେ ଗୀତ ବୋଲେଇ ଶିଖେଇନି । ସେ ଗୀତ ବୋଲି ବୋଲି ବଣିଛୁଆ ପାଖକୁ ଗଲା । ବଣିଛୁଆ ଦି’ଟା ଡରିଗଲେ । ସେମାନେ ପାଟିକରି ଉଠିଲେ । ତାଙ୍କ ମାଆ ଆସି ୟାକୁ ଖୁମ୍ପି ପକାଇଲା । ପାଟି ଶୁଣି କୁଆଟେ କା’ କା’ ଡାକ ଛାଡ଼ି ଛୁଟି ଆସିଲା । ପେଚା ମାଆର ନିଦ ଭାଙ୍ଗିଗଲା । ସେ ବାହାରକୁ ଧାଇଁ ଆସି ଆପଣା ଖୋଲ ଭିତରକୁ ୟାକୁ ଟାଣି ନେଇଗଲା । ମାଆ ଉପରେ ପେଚାଛୁଆ ବେଜାଏ ରାଗିଗଲା । ତା’ ମାଆ ସବୁ ଭଣ୍ଡୁରକରିଦେଲା, ରାଗରେ ସେ ମାଆକୁ ଦିଚାରି କାମୁଡ଼ାବି ଦେଲା । ଖୋଲ ପାରହେଇ ପଳାଇବାକୁ ବସିଲା । ମାଆ ତାକୁ ବୋଧ-ଦେଇ ବୁଝାଉଁ ବୁଝାଉଁ କାନ୍ଦି କରି କହିଲା–‘‘ତୁନି ହୋ’ରେ ପୁଅ, ପାଟି କିଳିଦେ । ସେ ଜହ୍ନ ନୁହେଁରେ ବାପ, ସେ ହେଉଛି ସୂର୍ଯ୍ୟ । ଆମ ଦୁନିଆରେ ସୂର୍ଯ୍ୟ ନାହିଁ । ଆମେ ଅନ୍ଧାରର ଜୀବ । ଜହ୍ନବି ସବୁଦିନରେ ଆସିବନି । ଆମ ଭାଗରେ ଅନ୍ଧାର ପଡ଼ିଛି । ଆମେ ଅନ୍ଧାରରେ ରହିବା । ନ ହେଲେ ଆମେ ମରିବାରେ ବାପ ।’’

 

ସେ ମାଆର କଥାରେ ରାଗିଗଲା । କାହିଁକି ସେ ସୂର୍ଯ୍ୟର ଦୁନିଆକୁ ଯିବନି ? କାହିଁକି ସେ ଆଲୋକର ରାଜ୍ୟରେ ନ ବୁଲିବ ? କିଏ ସେ ଇମିତି ତାଙ୍କୁ ହଇରାଣ କରିବାକୁ ନିୟମ କରିଛି-? ସେ ତମ ତମ ହେଇ ଆଗେଇ ଯାଉଥିଲା । ମାଆ ତାକୁ ପେଟତଳକୁ ଟାଣି ଆଣିଲା । ମାଆ ପେଟରୁ କେତେଟା ପର ସେ ରାଗରେ ଥଣ୍ଟମାରି ଉପାଡ଼ି ପକାଇଲା । ମାଆ ଖାଲି କାନ୍ଦିଲା-। ମାଆ କାନ୍ଦୁଛି, ସେ ଫେରିଆସିଲା । ବସା ସେ ପାଖରେ କୁଆଗୁଡ଼ାକ ପାଟି କମ୍ପାଉଥାନ୍ତି-। କାହିଁକି ସେ ପୋଡ଼ାମୁହିଁ ସୂର୍ଯ୍ୟକଥା କହି ପୁଅର ମୁଣ୍ଡକୁ ବିଗାଡ଼ି ଦେଲା ବୋଲି ପେଚାମା’ ହାଇପି ସାଇପି ହେଉଥିଲା । ‘‘ଆମେ ଅନ୍ଧାରର ବାସିନ୍ଦା । ଆମେ ଅଶୁଭର ସମ୍ପ୍ରଦାୟ । ଆମେ ଦୁନିଆର ଅଭିଶାପ-। ଆମେ ଆଲୁଅ ଖୋଜିଲେ ମରିବା । ଆଲୁଅର ରାଜୁତିରେ ଆମକୁ ଶିକାର କରିବାପାଇଁ ଆଲୁଅ ପୁଅମାନେ ଟାକିକି ବସିଛନ୍ତି ।’’ ମାଆ ତା’ର କହୁଁ କହୁଁ ଖାଲି କାନ୍ଦିଲା-। ମାଆକୁ ବୋଧ ଦେଉଁ ଦେଉଁ ସେ କହିଲା–‘‘ମାଆ ତୁ ଟିକିଏ ଥୟ ଧର । ମୁଁ ବଡ଼ ହୁଏ । ଆଲୁଅ ରାଜ୍ୟକୁ ମୁଁ ତତେ ଅଲବତ୍‌ ନେଇଯିବି । ମୁଁ ସବୁ ଶତ୍ରୁକୁ ମା’ ନିପାତ କରିଦେବି ।’’

 

ସେଦିନ ମାଆ ପୁଅ ଦି’ଜଣ ଆମ୍ବଡ଼ାଳରେ ବସିଥାନ୍ତି । ଆକାଶରେ ଜହ୍ନ ନଥାଏ । ପେଚାଛୁଆକୁ କିଛି ଭଲଲାଗୁ ନଥାଏ । ହଠାତ୍‌ ପାଖ ଘରର ଫାଙ୍କ ଦେଇ ଆଲୁଅ ଦିଶିଲା । ପେଚାଛୁଆର ମନ ଉଲସି ଉଠିଲା । ସେ ପାଟି ଖୋଲି ଗୀତ ପଦେ ଧଇଲା । ଘର ଭିତରୁ କଡ଼ା କଡ଼ା କଥାରେ କିଏ ଗାଳି ଦେଲା–‘‘ଉଠୁଛୁ ନା ପୋଡ଼ାମୁହାଁ ସେଇଠୁ । ପିଠା ଖଡ଼ିକା ପଚେଇ ଦାଗି ଦେବି ଯେ ବୁଝିବୁ । ଦୂର୍‌ ଦୂର୍‌, ତତେ ଝାଡ଼ାବାନ୍ତି ଖାଉ ।’’ ପେଚାମାଆ ଛୁଆ ମୁହଁରେ ଥଣ୍ଟ ଲଗାଇ ଆଉ ପାଟି ନ କରିବାକୁ କହିଲା । ପେଚାଛୁଆ ରାଗିଗଲା । ବାଃ, ଆଲୁଅକୁ ଘର ଭିତରେ ଆପଣା ସମ୍ପତ୍ତି ଭଳି କାରବାର କରିବେ । ଆଲୁଅକୁ ଦେଖି ଆମେ ଟିକିଏ ଖୁସି ହେଲେ ଗାଳି ଶୁଣିବୁ ? ନା, ତା’ ହେବନି । ସେ ଝରକା ଭିତରେ ପଶି ଆଲୁଅକୁ ଛଡ଼ାଇ ଆଣିବାକୁ ବାହାରିଲା । ମାଆ କାନ୍ଦି ବୋବେଇ ତାକୁ ସେଦିନ ଫେରାଇ ଆଣିଲା ।

ସଞ୍ଜପରେ ଘରୁ ବାହାରିବା ଆଗରୁ ସେ ତା’ର ଡେଣା ଦୁଇଟାକୁ ଭଲକରି ଦେଖି ନେଲା । ତା’ର ସବୁ ପର ଉଠି ଯାଇଛି । ଗୋଡ଼କୁ ସିଧା କରି ଦୁଇ ଚାରିଥର ନାଚିଗଲା । ବେଶ୍‌ ଶକ୍ତ ଅଛି । ଥଣ୍ଟକୁ ଗଛ ଖୋଲ ଦେହରେ ବାଡ଼େଇ ଦେଲା । ଖୁବ୍‌ ଟାଣ ହୋଇଗଲାଣି । ସେ ଉଡ଼ି ଚାଲିଗଲା । ରାତିର ଅନ୍ଧାର ଭିତରେ ଗୋଟାଏ ଖୋଲରେ ବସି ରହିଲା । ସେ ଆଉ ଘରକୁ ଫେରିବନି । ସେ ସୂର୍ଯ୍ୟର ଦେଶରେ ବୁଲିବ । ସେ ଆଲୁଅକୁ ଦଖଲ କରିବ । ସେ ଶତ୍ରୁର ମୁହାଁମୁହିଁ ହେଇ ମୁକାବିଲା କରିବ ।

ରାତି ପହିଆସିଲା । ଦିଗ୍‌ବଳୟର ତଳଆଡ଼ୁ ନାଲଖରାର ପିଚକାରୀ ଉପରକୁ ଉଠିଲା-। ସୂର୍ଯ୍ୟ ରାଜ୍ୟରେ ଆଲୋକର ଏହି ପ୍ରଥମ ପ୍ରବେଶକୁ ସେ କେବେ ଦେଖି ନଥିଲା । ସେ ଆଖି ଖୋଲି ଆଲୁଅର ଏ କଳସବୁଡ଼ା ଉତ୍ସବକୁ ନିଜକୁ ଭୁଲି ଦେଖିବାକୁ ଲାଗିଲା । ଶହ ଶହ ଚଢ଼େଇ ଗୀତ ସାଙ୍ଗରେ ଡେଣାର ଭାଙ୍ଗ ପକାଇ ଉଡ଼ିଗଲେ । ତା’ରି ଶହ ଶହ ଜାତିଭାଇ ଆଲୁଅରେ ବୁଲି ବୁଲି ଜୀବନର ସ୍ଵାଦୁ ଚାଖିବେ, ଆଉ ସେ ଡରିମରି ଅନ୍ଧାର ଭିତରେ ସଢ଼ି ସଢ଼ି ମରିବ ? ନା, ତା’ ମନ ଦମ୍ଭରେ ପୂରିଉଠିଲା । ସୂର୍ଯ୍ୟ ଆସ୍ତେ ଆସ୍ତେ ଉପରକୁ ଉପରକୁ ଉଠୁଥିଲା-। ଦିନର ଆଲୁଅ ବେଶି ବେଶି ଜଳି ଉଠୁଥିଲା । ଏତେବଡ଼, ଏତେ ସୁନ୍ଦର ଆଲୁଅର ପୃଥିବୀରେ ତା’ପାଇଁ ଟିକିଏ ଜାଗାନାହିଁ ? ନା, ସେ ଆଜି ମନପୂରା ମଉଜ କରିବ । ସେ ଆଜି କ’ଣ ଦୁନିଆକୁ ଜଣାଇଦେବ, ସେ ମଧ୍ୟ ଆଲୋକର ପୁଅ । ତା’ର ମଧ୍ୟ ଏ ରାଜ୍ୟରେ ଦାବି ଅଛି ।

ସେ ମନଇଚ୍ଛା ଚାରିଆଡ଼େ ବୁଲିବାକୁ ଲାଗିଲା । ଆଖି ମେଲାଇ ଦୁନିଆର ହରେକ ଦରବ ଟିକିନିଖି କରି ଦେଖିଲା ।

ହଠାତ୍‌ ପଛଆଡ଼ୁ କିଏ ତାକୁ ଆକ୍ରମଣ କଲା । ସେ ବୁଲିପଡ଼ିଲା । ମାଆ ସେଦିନ ତାକୁ ତା’ର ଶତ୍ରୁ ବୋଲି ଚିହ୍ନେଇ ଦେଇଥିଲା । ଏଇମାନେ ତାଙ୍କଠୁଁ ଆଲୁଅକୁ ଛଡ଼ାଇ ନେଇଛନ୍ତି । ସେ ମଧ୍ୟ ଥଣ୍ଟକୁ ସଜାଡ଼ି ନେଇ କୁଆଟା ଉପରେ ଚଢ଼ାଉ ଆରମ୍ଭ କରିଦେଲା । କୁଆଟା ପ୍ରତିରୋଧ କରୁଁ କରୁଁ ତା’ ଜାତି ଭାଇଙ୍କୁ ଡାକ ଛାଡ଼ିଲା । ଦଳ ଦଳ କୁଆ କା’ କା’ର ରେରେକାର ଦେଇ ମାଡ଼ିଆସିଲେ । ଏଡ଼େବଡ଼ ମଜଭୁତ୍‌ ଦଳ ଆଗରେ ସେ ରହିପାରିବନି ବୋଲି ବୁଝିପାରିଲା । ଆଗରେ ଦିଶୁଥିବା କୋଠାଘର ଆଡ଼କୁ ଖୁବ୍‌ ଜୋରରେ ଡେଣା ହଲାଇ ଛୁଟିଗଲା । କାନ୍ଥର ଗୋଟାଏ ଛୋଟ ଗଲାବାଟ ଦେଇ ସେ ଗଳିଗଲା । ଘରର ଭିତର ପାଖ ପର୍ଯ୍ୟନ୍ତ ସେ ପଶିଗଲା । ବାହାରେ ଏଣେ କୁଆଗୁଡ଼ାକ ଭେଳା ଭେଳା ହେଉଥାନ୍ତି । ସେ ଟିକିଏ ନିଶ୍ଚିନ୍ତରେ ସେଠି ବସିଲା । ଟିକିଏ ସୁବିଧା ମିଳୁ, ଶତ୍ରୁର ଦଳ ଭାଙ୍ଗିଯାଉ, ସେ ବି ତା’ର ପ୍ରତିଶୋଧ ନେଇ ଜାଣେ । ସେ ଆଜି ଆଲୁଅ ରାଜ୍ୟରୁ ତା’ର ପାଉଣାକୁ ଆଦାୟ କରିବ । ସେ ଅନ୍ଧାରର ଅଭିଶାପ ନୁହେଁ । ସେ ଆଲୁଅର ସନ୍ତାନ । ସେ ଆଜି ଆଲୁଅକୁ ମନେମନେ ନିଶ୍ଚିୟ ଉପଭୋଗ କରିବ ।

କୋଠାଘର ଭିତରେ ପଲଙ୍କର ମୋଟା ଗଦି ଉପରେ ଧନବୀର ଧୀରୁମଲ୍ଲ ଶୋଇଛନ୍ତି-। ତୁହା ତୁହା ହେଇ ଜରର କମ୍ପ ତାଙ୍କ ଉପରକୁ ମାଡ଼ିଆସୁଛି । ଧୀରୁମଲ୍ଲ ବ୍ୟସ୍ତ ହୋଇ ପଡ଼ୁଛନ୍ତି । ଜରର ବିନ୍ଧା ଛିଟିକା ଭିତରେ ପିଟିଛାଟିହୋଇ ସେ ମଝିରେ ମଝିରେ ଚିତ୍କାର ଛାଡ଼ୁଛନ୍ତି । ‘‘ଦେଖ, ସୋରିଷ ତେଲରେ ଯେମିତି ଅଶୀଭାଗ ଅଗରା ମିଶେ । ହଁ, ମଦନା ବାରିକ ଉପରେ ଆଉ ଯେପରି ପାଞ୍ଚ ନମ୍ବର କେଶ ଦାୟର ହେବ । ଶଳାର ଭଉଣୀ ଚନ୍ଦ୍ରମା ଭାରି ସତୀ ଦେଖେଇ ହେଉଛି । ମୁଁ ଟିକିଏ ଶରଧାରେ ହାତ ପକେଇଦେଲି ବୋଲି ଶାଳୀ ମାଇକିନା ମୋତେ ମାରିବାକୁ ଉଠୁଥିଲା । ଶୁଭୁଛି, କୋଡ଼ିଏ ଜଣଯାଏଁ ଗୁଣ୍ଡା ପଠାଇ ପ୍ରିୟ ମିଶ୍ର ବିଲରୁ ପାକଲା ଧାନ କାଟି ଆଣ-। ପଇସାକୁ ପରବାୟ ରଖନି । ପାଠ ଦି’ ଅକ୍ଷର ପଢ଼ିଛି ବୋଲି ଶଳା ମତେ ନମସ୍କାର କରିବନି । ଏଠି ଆସି ଶୁଣ, ଶହେ ଭରି ଚୋରା ଅଫିମ ଦେବ ବୋଲି ସେ କଲିକତିଆ ବଙ୍ଗାଳୀ କହିଯାଇଛି-। ତାକୁ ଟିକିଏ ଆଖି ରଖିଥିବ ।’’

ଏଇମାନେ ଆଲୋକ ରାଜ୍ୟର ନାମଯାଦା ଲୋକ । ଏଙ୍କପାଇଁ ସୂର୍ଯ୍ୟ ତାଙ୍କର ସବୁଦିନେ ଆଲୋକ ଦିଅନ୍ତି । ପେଚାଛୁଆ ଆଖି ଖୋଲି ଭଲ କରି ଚାହିଁଲା I ହଠାତ୍‌ ଧୀରୁମଲ୍ଲଙ୍କ ବିଛଣା ପାଖରୁ ଜଣେ ଆଲୋକ ରାଜ୍ୟର ସଚ୍ଚୋଟ ସଚ୍ଚାକର୍ମୀଙ୍କ ଆଖି ପେଚାଛୁଆ ଉପରେ ପଡ଼ିଲା ।

‘‘ଅଶୁଭ, ଅଶୁଭ, ମହାବିତ୍‌ପାତ ଯୋଗ । ଘରେ ଉଲୁକ ବସିଲା । ମାଲିକ ବେମାର ପଡ଼ିଛନ୍ତି ।’’ କର୍ମୀ ବ୍ୟସ୍ତ ହୋଇପଡ଼ି ପାଟି କମ୍ପାଇଲେ । ଗୋଟାଏ ଲମ୍ବା ବାଉଁଶ ଆଣି ବିଚରା ପେଚାଛୁଆକୁ ଖେଞ୍ଚି ଖେଞ୍ଚି ତଡ଼ି ଦିଆଗଲା । ଦୁଇଟିଯାକ ଡେଣା ତା’ର ଜଖମ ହୋଇଗଲା । ସେ କଷ୍ଟେମଷ୍ଟେ ଡେଣାଟେକି କୋଠା ଉପରେ ବସିଲା । ଗଛ ଉପରୁ କେତେଟା କୁଆ ଆସି ଚଢ଼ାଉ ଆରମ୍ଭ କରିଦେଲେ । କୁଆଙ୍କ ପାଟି ଶୁଣି ଜଣେ ଚାକର କୋଠା ଉପରକୁ ଯାଇ ବାଡ଼ିରେ ପେଚା ଛୁଆଟି ଉପରେ ପାହାର ଲଗେଇଲା । ଛୁଆଟା ତଳକୁ ଗଡ଼ିପଡ଼ିଲା । ପେଚାଟା ବସିଛି ବୋଲି କୋଠା ଉପରେ ମେଞ୍ଚାଏ କୁଟା ଜାଳି ହଳଦୀ ପାଣିରେ ନିଭାଇ ଦିଆଗଲା । ଯାହାହେଉ ଅରିଷ୍ଟି କଟିଗଲା ।

 

କୁଆପଲ ଅଶକ୍ତ ପେଚାଛୁଆ ଉପରେ ଆକ୍ରମଣ ଚଳେଇଦେଲେ । ପେଚାଛୁଆଟିର ଡେଣା ମୂଳରୁ ଥୋଳା ଥୋଳା ରକ୍ତ ଥୋପି ପଡ଼ୁଥିଲା । ସେ ଥରେ ଉପରକୁ ଚାହିଁଲା । ସୂର୍ଯ୍ୟ ଖୁବ୍‌ ଉପରେ ଯଥେଷ୍ଟ ଆଲୁଅ ଦେଉଛନ୍ତି । ଖୁବ୍‌ କଷ୍ଟରେ ଉଠିପଡ଼ି ସେ ତା’ ବସାଆଡ଼କୁ ମୁହାଁଇଲା । ଖୋଲଯାଏଁ ଉଠି ପାରିଲାନି । ଗଛମୂଳେ ପଡ଼ିଗଲା । ମାଆ ତା’ର ପୁଅ ଆସିନି ବୋଲି କାଲୁବାଲୁ ହୋଇ ଚାହିଁ ବସିଥାଏ କ’ଣ କରିବ ? ଦିନଟାରେ ଛୁଆଟା କେଉଁଠି ଆଶ୍ରା ନେବ ? ମାଆର ମନଟା ଏଣୁତେଣୁ ଭାବି ଭାବି ଗୋଳେଇ ଘାଣ୍ଟି ହେଉଥାଏ । ପୁଅର ପାଟି ଶୁଣି ସେ ଗଛମୂଳକୁ ଧାଇଁ ଆସିଲା ! ପୁଅକୁ ରକ୍ତ ଯୁଡ଼ୁବୁଡ଼ ଦେଖି ପାଟିରୁ ତା’ର କଥା ବାହାରିଲାନି । ପେଚା ଛୁଆଟି ଥରେ ଉପରକୁ ଚାହିଁଲା । ଗଛ ଉପରେ ବଣି ଛୁଆ ସବୁ ଡେଇଁ ଡେଇଁ ଗୀତ ବୋଲୁଥିଲେ । ସୂର୍ଯ୍ୟ ଆକାଶ ଦିହରୁ ଆଲୁଅ ପୃଥିବୀ ଉପରକୁ ଖସାଇ ପକାଉଥିଲେ ।

 

ପେଚାଛୁଆ ମାଆକୁ କତିକି ଡାକି ମାଆ ଗୋଡ଼ରେ ମୁଣ୍ଡ ଗଡ଼େଇ ଗଡ଼େଇ କହିଲା ‘‘ମାଆ ତୁ କାନ୍ଦନା । ମୋର ଆଉ ଭାଇ ହେଲେ ତାଙ୍କୁ କହିବୁ, ତାଙ୍କ ଭାଇ ଆଲୋକ ରାଜ୍ୟ ଜୟ କରିବାକୁ ଯାଇଁ ବୀରପରି ମରିଛି ।’’

 

ପେଚାଛୁଆଟି ସବୁଦିନ ପାଇଁ ଆଖି ବୁଜିଦେଲା ।

 

ସୂର୍ଯ୍ୟ ତାଙ୍କ ଦୁନିଆ ଉପରେ ବେଶି ବେଶି ଆଲୁଅ କୁଢ଼େଇ ଦେଉଥିଲେ ।

Image

 

ଦୁର୍ବାର

(ଶାନ୍ତନୁ କୁମାର ଆଶ୍ଚର୍ଯ୍ୟ)

 

ନାଃ, ତାକୁ ମାରିବାକୁଇ ହେବ । ଖୁବ୍ ଅଥୟ କଲାଣି । ଖୁବ୍‌ ଦୁଃଖ ଦେଲାଣି । ଖୁବ୍‌ ପରୀକ୍ଷା କଲାଣି ଧୈର୍ଯ୍ୟର । ଏଥର ତାକୁ ମାରି ପକାଇବାକୁ ହେବ ।

 

ମୁଁ ଟେବୁଲ ପାଖକୁ ଧାଇଁଗଲି । ଗୋଛାଏ କାଗଜ ଭିଡ଼ିଆଣି ଲେଖିବାକୁ ଆରମ୍ଭ କଲି-

 

To H. E. The Governor.....

 

ସେଇଠି ମୁଁ ଟିକିଏ ଥଙ୍ଗେଇ ଗଲି । ମୋର ଆଙ୍ଗୁଳିଗୁଡ଼ିକ ମୋର କାନ୍ଧ ପଛରେ ଝୁଲୁଥିବା ତୂଣୀରଟି ଭିତରୁ ବ୍ରହ୍ମାସ୍ପଟିକୁ ଅଣ୍ଡାଳି ଆଣୁ ଆଣୁ ଟିକିଏ ବିକ୍ଷିପ୍ତ ହୋଇଗଲେ । ମୁଁ ଟିକିଏ ଚିନ୍ତାରେ ପଡ଼ିଲି । ହଠାତ୍‌ ବ୍ରହ୍ମାସ୍ତ୍ର ! କିଏ ଟିକିଏ ମୁରୁକେଇ ହସିଲା ମୋ ପଛପଟେ । ବିରକ୍ତ ହେଲି ଏଥି ମଧ୍ୟରେ ବ୍ରହ୍ମାସ୍ତ୍ରର ବ୍ରାହ୍ମ ମୁହୂର୍ତ୍ତଟି ଛୁଟିଗଲା । ମୁଁ ମୋର ପର୍ବୋକ୍ତ ଧାଡ଼ିଟିକୁ କାଟିଦେଲି; କିନ୍ତୁ ମୁଁ ତ ପ୍ରତିଜ୍ଞାରହିତ ହୋଇ ନ ପାରେ । ତା’ପରେ ମୁଁ ପୁଣି ମନ୍ତ୍ର ଉଚ୍ଚାରଣ କରି ତୂଣୀରରେ ଅସ୍ତ୍ରର ଠାବ କଲି–

 

ତା’ପରେ ଗୋଟିଏ ମୁହୂର୍ତ୍ତର କଥା ମୁଁ ସ୍ପଷ୍ଟ ଦେଖିପାରିଲି–ସେଇ ମୁହୂର୍ତ୍ତ ଶେଷ ନ ହେଉଣୁ କି ପ୍ରଳୟ ଘଟିଯିବ । କିପରି ଘଡ଼ ଘଡ଼ ରଡ଼ି କରି ମେଦିନୀ କମ୍ପାଇ ମୋର ମନ୍ତ୍ରିତ ଶର ସୃଷ୍ଟି କରିବ ଏକ ଖଣ୍ଡପ୍ରଳୟ ଏବଂ ଆଖି ପିଛଡ଼ାକ ମଧ୍ୟରେ କିପରି ସେ ଗ୍ରାସ କରିବ ଏଇ ମେଦିନୀରୁ ଏକଖଣ୍ଡ–ହୁଏତ ମୋର ପାଦତଳୁ ମଧ୍ୟ । ଶରବ୍ୟ ଓ ତା’ ଲଗାୟତ ଆଉ କେତେ କାହାର ଶରବ୍ୟଙ୍କୁ ଟଳାଇ ନିର୍ମଳ କରି ଚାଲିଯିବ ସେ । ହୁଏତ ପ୍ରଳୟର ଫଳ ଭୋଗ କରିବାପାଇଁ ମୁଁ ନିଜେବି ନ ଥାଇପାରେ । ଗୋଟିଏ ଲକ୍ଷ୍ୟ ହାସଲ କରିବାପାଇଁ ଏକ ଲକ୍ଷ ଲୋକଙ୍କୁ ଧ୍ଵଂସ କରିବା ବୀରୋଚିତ କାର୍ଯ୍ୟ ନୁହେଁ କିମ୍ବା ବୁଦ୍ଧିମାନ କାର୍ଯ୍ୟ ନୁହେଁ । ଗୋଟିଏ ବିଶଲ୍ୟକରଣୀ ପାଇଁ ସାରା ଗନ୍ଧମାର୍ଦ୍ଦନଟାକୁ ଟେକି ଆଣିବା ସମୟୋଚିତ ହୋଇପାରେ, କିନ୍ତୁ ବୈଜ୍ଞାନିକ ଚିନ୍ତାର ପରିପ୍ରେକ୍ଷୀ ଏ ନୁହେଁ ।

 

ତା’ପରେ ଆସିଲା ସେଇ ଅବଶ୍ୟତ୍ମାବୀ ମୁହୂର୍ତ୍ତଟି–କଟାକଟି ପୁଣି ଲେଖାଲେଖି ।

 

To The Chief Minister–ମ୍ଳାନରେ ଆସିଲା ବିଭାଗୀୟ ମନ୍ତ୍ରୀ । ସେ ଗଲେ । ଆସିଲେ ଧାଡ଼ି ଧାଡ଼ି, ପାହାଚ ପାହାଚ, ଥାକ ଥାକ ହୋଇ ବିଭାଗୀୟ ଉଚ୍ଚ ହାକିମଗଣ । ଏମିତି ହଜାରେ କଟାକଟି ଯୋଡ଼ାଯୋଡ଼ି ଭିତରେ ମୁଁ କେବଳ ତଳକୁଇ ଗଡ଼ିବାକୁ ଲାଗିଲି ସତେ କି ସେ ଗଡ଼ିବାର ଅନ୍ତ ନଥିଲା । ପୁଣି ଦେଖିବାକୁ ଗଲେବି ଥିଲାବି । କାରଣ ଗଡ଼ି ଗଡ଼ିଯାଇ ମୁଁ ଯେଉଁଠି ଅଟକିଲି, ସେଠି ଯାହାକୁ ମୁଁ ଆବିଷ୍କାର କଲି, ସେ ଆଉ କେହି ନୁହେଁ–ସେ ହେଉଚି ସ୍ଵୟଂ ‘ମୁଁ’ । ତା’ ତଳକୁ ଆଉ ଗଡ଼ିବାକୁ ରାହାନାହିଁ ।

 

ସେଇଠି ପହଞ୍ଚିସାରି ଯେତେବେଳେ ମୁଁ ମତେ ଆବିଷ୍କାର କରେ, ଦେଖିବାକୁ ଆଶ୍ଚର୍ଯ୍ୟ ହେଲି ଯେ କେମିତି ଗୋଟାଏ ରାଗରେ ମୁଁ ଥରୁଛି । ଏ ରାଗକୁ ନିଅଣ୍ଟରାଗ ବା Inert Anger ଛଡ଼ା ଆଉ କିଛି ଆଖ୍ୟା ମୁଁ ଦେଇପାରିଲିନାହିଁ । ମୋର ସେଇ ଅବସ୍ଥାକୁ ମୁଁ ଯେତିକି ଯେତିକି ଆବିଷ୍କାର କଲି, ସେତିକି ଆହୁରି ରାଗରେ ମୁଁ ଥରିବାକୁ ଲାଗିଲି ଖାଲି । କାରଣ ଥରିବା ଛଡ଼ା ଆଉ ମୋର କିଛି କରିବାର ନଥିଲା । ମୋର ସବୁକିଛି ନିଷ୍କ୍ରିୟ ପାଲଟି ଯାଇଥିଲା । ମୋର ଧନ, ମୋର ତୂଣୀର, ମୋର ବାହୁ, ମୋର ରଥ, ଆଉ ସର୍ବୋପରି ମୋର ରଥଚାଳକ (ବିବେକ) ସବୁ କିଛି ଅଥଚ ଠିକ୍‌ ଥିଲେ; କିନ୍ତୁ ମୁଁ ନିଷ୍କ୍ରିୟ, ନିଃସହାୟୁ ଆଉ ଅବଶ । ଆଉ ଅବଶତା, ଏ କ୍ରାନ୍ତିର କ୍ରାନ୍ତି ନାହିଁ ସତେବା ।

 

ମୁଁ ଯେ କେତେବେଳେ ସେଇଭଳି ନିର୍ବେଦ ହୋଇ ବସି ରହିଛି । ସେତେବେଳକୁ ମୋର ରାଗ ଯଥେଷ୍ଟ କମି ଯାଇଥିଲା । ମୋ ଆଖିକୁ ଝକମକ କରି ଦେଉଥିବା, ଆଉ ମାରି ପକାଇବାର ନିଶା ଟିକିଏ ଛାଡ଼ି ଛାଡ଼ି ଯାଇଥିଲା । ସେଇ ଅପେକ୍ଷାକୃତ ସଫା ଆଉ ସ୍ଥିର ମୁହୂର୍ତ୍ତରେ ମୁଁ ମୋର ଚାରିଆଡ଼କୁ ଚାହିଁଲି । ଦେଖିଲି ମୋର ଚାରିପାଖଯାକ ଖାଲି ଗଦା ହୋଇଛି କାଗଜ–କଟାକଟି ଆଉ ଚିରୁକୁଟି କାଗଜ । ତୂଣୀରରୁ ଶର ଖୋଜୁ ଖୋଜୁ ଶର ମୁନର ଆଘାତରେ ମୋର ଆଙ୍ଗୁଳି ରକ୍ତାକ୍ତ ହେବା ଛଡ଼ା ଆଉକିଛି ଅଗ୍ରଗତି ହେଇନାହିଁ । ମୁଁ ଆଶ୍ଚର୍ଯ୍ୟ ହେଲି । ନିଜକୁ ନିଜେ ହସିଲି । ନିଜକୁ ନିଜେ ଆଶ୍ଵାସନା ଦେଲି, ଆଉ ଦୂରକୁ ଚାହିଁବାକୁ ଚେଷ୍ଟା କଲି । ମୋର ଆଖି ଧୀରେ ଧୀରେ ଦୂରକୁ ଦୂରକୁ–ଦିଗ୍‌ବଳୟ ଆଡ଼କୁ ବ୍ୟାପିବାକୁ ଆରମ୍ଭ କଲା; କିନ୍ତୁ ମୋର ଆଖିର ଏହି ଦିଗ୍‌ବଳୟ ଗତିର ସୁଯୋଗ ନେବାକୁ ସେ ଅର୍ଥାତ୍‌ ମୋର ଶରବ୍ୟ ପଛଘୁଞ୍ଚା ଆଦୌ ଦେଲାନାହିଁ । ମୁଁ ଚମକି ପଡ଼ିଲି, ଆଉ ଦେଖିଲି–ମୋ ଶରବ୍ୟ ଉଭେଇଗଲା ଛୋଟ ବୁଦାମୂଳେ, ଗୋଟିଏ ଛୋଟ ଗାତରେ । କେବଳ ଉଭେଇଗଲାନାହିଁ ସେ–ଉଭେଇଯିବା ପୂର୍ବରୁ ମୁଣ୍ଡଟେକି ଟିକିଏ ସେ ମୋ ଆଡ଼କୁ ଚାହିଁଲା, ଆଉ ତା’ର ସେହି ନିରୀହ ଦୃଶ୍ୟ; କିନ୍ତୁ ଗଭୀର ହିଂସାତ୍ମକ ଦାନ୍ତଗୁଡ଼ିକୁ ଖୋଲିକରି ଖୁବ୍‌ ନିର୍ଦ୍ଦେଷଭାବେ; କିନ୍ତୁ ଟିକିଏ ଖତେଇହବା ଭଳି ହସଟିଏ ନ ହସି ସେ ସତେ କି ତା’ର ଆଶ୍ରୟ ସ୍ଥଳ ସେଇ ଛୋଟ ଗାତଟି ଭିତରେ ପଶିଯାଇ ଆତ୍ମରକ୍ଷା କରିବାକୁ ମନ କଲାନି ।

 

ସେ ଦୃଷ୍ଟିଗୋଚର ହେଉଥିବାଯାକେ ମୁଁ ଏକପ୍ରକାର ଧୈର୍ଯ୍ୟ ରକ୍ଷା କରିପାରିଥିଲି । କାରଣ ମୁଁ ଜାଣିଥିଲି, ତା’ର ଜୀବନ ନାଟିକା ମୋ ହାତରେ ତଥାପି ଥିଲା, କିନ୍ତୁ ସେ ଅନ୍ତର୍ଦ୍ଧାନ ହୋଇଯିବା ପରେ ମୁଁ ଆହୁରି ଅସହାୟ ବୋଧ କଲି । ନିଷ୍କ୍ରିୟ କ୍ରୋଧ ଆହୁରି ଭୟଙ୍କରଭାବେ ଘାରିଲା ମୋତେ । ପୁଣି ମୁଣ୍ଡଟେକି ଉଠିଲା । ମୋର ଭିତରର ପ୍ରବୃତ୍ତି–ମାରିବା ପ୍ରବୃତ୍ତି ଏବଂ ମୁଁ ଜାଣିଥିଲି ସେ ମୁହୂର୍ତ୍ତରେ ମାରିବା ବ୍ୟତୀତ ଆଉ କିଛି କର୍ତ୍ତବ୍ୟ ନଥିଲା ମୋର । ମୋର ରଥଚାଳକ ପୁଣି ମତେ ଉପଦେଶ ଦେଲା ।

 

ମାର ! ମାରିପକା ! ମାରିବା ବ୍ୟତୀତ ଆଉ କିଛି କର୍ତ୍ତବ୍ୟନାହିଁ ତୋର ଏଇ ମୁହୂର୍ତ୍ତରେ-

 

ମୁଁ ପୁଣି ଚିତ୍କାର କଲି–ତାକୁ ମାର ! ତାକୁ ନିପାତ୍‌ କର ! ତାକୁ ନିପାତ୍‌ କରିବାକୁ ପଡ଼ିବ । ଧ୍ଵଂସ କରିବାକୁ ପଡ଼ିବ ତାକୁ । ସେ ମୋର ଅଶେଷ କ୍ଷତି କଲାଣି । କେବଳ ମୋର କାହିଁକି ? ମୋ ଜାତିର, ମୋ ଦେଶର ଅଶେଷ କ୍ଷତି କଲାଣି ସେ । ଅସଂଖ୍ୟ ଫାଇଲ୍‌ ‌କାଟି ନଷ୍ଟ କଲାଣି ସେ । ଅସଂଖ୍ୟ ଚଉକିର ତଳାଖାଇ ଫମ୍ପା କରିଦେଲାଣି ସେ । ଅସଂଖ୍ୟ ଟେବୁଲର ଗୋଡ଼ କାଟି ଲେଙ୍ଗେଡ଼ା କରିଦେଲାଣି ସେ । ଅସଂଖ୍ୟ ଆଲମାରୀ କଣାକରି କନ୍‌ଫିଡ଼େନ୍‌ସିଆଲ୍‌ କାଗଜପତ୍ର ନଷ୍ଟ କଲାଣି ସେ । ଖାଲି ନଷ୍ଟ ତ କରେନା ସେ; ସ୍ଥାନଚ୍ୟୁତ କରି, ଏଠାକାର ଜିନିଷ ସେଠି ଆଉ ସେଠାକାର କାଗଜ ଏଠି, ଏ ମୁଣ୍ଡର ଜଟା ସେ ମୁଣ୍ଡରେ ଆଉ ସେ ମୁଣ୍ଡର ଜଟା ଏ ମୁଣ୍ଡରେ ଥୋଇ ପ୍ରଳୟ ସାଧିପାରେ ସେ ? ନାଇଁ, ନାଇଁ ତାକୁ ମାରି ତା’ର ବଂଶ ନିପାତ୍‌ କରିବାକୁହିଁ ହବ ।

 

ମୋ ଭିତରେ ପୁଣି ନିଆଁ ଜଳିଉଠିଲା ଦପ୍‌ କରି । ପୁଣି ବିଡ଼ାଏ କାଗଜ ଓଟାରିଆଣି ମୁଁ ଲେଖିବାକୁ ଲାଗିଲି–ପୁଣି ସେଇ ମୂଳରୁ–

 

To H. E. The Governor–

 

ମୁଁ ପୁଣି ତୂଣୀର ଅଣ୍ଡାଳି ବସିଲି । ଗୋଟି ଗୋଟି ହୋଇ ସବୁ ଶରର ମନ୍ତ୍ର ମୋ ଜିଭ ଅଗକୁ ଆପଣାଛାଏଁ ଚାଲି ଆସୁଥିଲେ । ମୋର କାନରେ ସବୁକଥା ପଡ଼ିଥିଲା ଗୋଟି ଗୋଟି ହେଇ–ତା’ ବିରୁଦ୍ଧରେ ହଜାରେ ଅଭିଯୋଗ–

 

ବଡ଼ ପୁଅର ନୂଆ ପେଣ୍ଟର କଣା କରିଚି ସେ ।

 

ମଝିଆଁ ପୁଅର ରବର ପେଣ୍ଡୁକୁ କଣା କରିପକେଇ ତହିଁରୁ ହାଉଆ ନିକାଲିଚି ସେ ।

 

ସାନ ଝିଅର ‘କୋଧା ଭାଲୁର’ ପେଟ ଫୁଟେଇ ତା’ ପେଟରୁ ନଡ଼ାତକ କାଢ଼ିପକେଇଚି-

 

ମୋ ସ୍ତ୍ରୀଙ୍କ ନକଲି ସିଲ୍‌କ କେଶ କେରାକୁ କାଟିନେଇ ସେ ତା’ ଛୁଆଙ୍କପାଇଁ ଶେଯ କରିବା ଉଦ୍ଦେଶ୍ୟରେ ସେତକକୁ ଗାତରେ ପୂରେଇଛି ସେ ।

 

ସେଗୁଡ଼ାକ ଯେତିକି ମନେପଡ଼ୁଥିଲା, ମୋର ଧୈର୍ଯ୍ୟର ବନ୍ଧ ସେତିକି ସେତିକି ଭାଙ୍ଗିପଡ଼ିଥିଲା । ମୁଁ ଫର୍ଦ୍ଦେ ଫର୍ଦ୍ଦେ କରି କେତେ ଯେ ରାମ୍ପି ପକେଇଥିଲି ତା’ର ଠିକଣା ନଥିଲା । ଗୋଟାଏ ନିଶ୍ଵାସରେ ମୁଁ ଲେଖି ଚାଲିଥିଲି, ସେଇ ଦୀର୍ଘ ଦରଖାସ୍ତଟି ! ଶହ ଶହ ଭାବପ୍ରବଣ ଉତ୍ତେଜନାମୟ ଗରମାଗରମ ଶବ୍ଦ ସଂଯୋଜିତ ଦରଖାସ୍ତ ! ମୁଁ ଜାଣିଥିଲି ଏଥର ଆଉ ତା’ର ନିସ୍ତାର ନଥିଲା । ସେ ବ୍ରହ୍ମାସ୍ତ୍ରଇ ଚାହେଁ । ତାକୁ ସେଇ ଅସ୍ତ୍ରରେଇ ନିପାତ କରାଯିବ ! ହେଉ ପଛେ ପ୍ରଳୟ !

 

ଆଉ ଟିକକେ ମୁଁ ତାକୁ ଶେଷ କରିଥାନ୍ତି, ଆଉ ସଇକରି ପେଶି ଦେଇଥାନ୍ତି, ସେଇ ମହାଭୟଙ୍କର ଅସ୍ତ୍ରଟିକୁ ! କିନ୍ତୁ ସେତିକିବେଳେ ହଠାତ୍‌ ଗୋଟିଏ ସୂକ୍ଷ୍ମ ଶବ୍ଦ ମୋର କର୍ଣ୍ଣଗୋଚର ହେଲା । ଶବ୍ଦଟି ଯେତେ ସୂକ୍ଷ୍ମ ହେଲେବି ସେ ମୋ କାନ ପରଦାକୁ ଅଥୟ ନକରି ରହିପାରିଲାନାହିଁ-

 

ଚମକିପଡ଼ି ମୁଁ ଠିଆହେଇ ପଡ଼ିଲି । ହଠାତ୍‌ ମୁଁ ଦେଖିଲି–ମୋ ବ୍ରହ୍ମାସ୍ତ୍ର ଫ୍ରହ୍ମାସ୍ତ୍ରକୁ ଖାତିର ନକରି ସେ ଡିଆଁଟାଏ ମାଇଲା । ଠିକ୍‌ ମୋ ଚଉକିତଳୁ । ଏତେବେଳଯାକେ ଯାହାକୁ ମୁଁ ଲକ୍ଷ୍ୟକରି ଚିରମନ୍ତ୍ରଣ କରୁଥିଲି, ସେ ଯେ ମୋରି ଚଉକିର ଗଦି ଭିତରେ ପଶି ଟୁକୁ ଟୁକୁ କରି ମୋର ‘ଡନଲପ୍‌ ପିଲୋ’ର ଆସନକୁ କାଟୁଥିଲା ।

 

ମତେ ଠିଆହେଇ, ତା’ର ସମ୍ମୁଖୀନ ହେବାର ଦେଖି ସେ ଗୋଟାଏ ମୁହୂର୍ତ୍ତପାଇଁ ଟିକିଏ ହଡ଼ବଡ଼େଇ ଗଲାଭଳି ଦେଖେଇ ହେଲା; କିନ୍ତୁ ସେଇ ଗୋଟାଏ ମୁହୂର୍ତ୍ତରେ ସବୁକିଛି ବଦଳିଗଲା । ତା’ପରେ ମୁଁ ଦେଖିଲି ମୁଁ ଖାଲି ଧନୁଶର ଧରି ଗୋଡ଼େଇଚି ତା’ର ପଛେ ପଛେ ଆଉ ସେ ତା’ର ବ୍ୟୂହ ପରେ ବ୍ୟୂହ ରଚନା କରି ନିଜକୁ ରକ୍ଷା କରୁଚି ! କେବଳ ଆତ୍ମରକ୍ଷା ସେ କରୁନାହିଁ, କ୍ରମାଗତ ଆକ୍ରମଣ ମଧ୍ୟ ସେ ଚଳେଇଥାଏ ମୋ ଉପରେ, ତା’ର ‘ଗରିଲା ଘାଟୀ’ମାନଙ୍କ ମଧ୍ୟରୁ ।

 

ପ୍ରଥମେ ସେ ଗଳେଇ ପକେଇଲା । ଗୋଟାଏ ମୂଲ୍ୟବାନ ଟି’ପଟ୍ ମୋ ଟେବୁଲ ଉପରୁ । ତା’ପରେ ଏକା ଡିଆଁକେ ସେ ପଶିଗଲା ମୋର ବିହିକେଶ୍ ଭିତରେ । ମୁଁ ରାଗରେ ବହିପତ୍ର ଖେଳେଇ ପକେଇଲି । ଦି’ ଚାରିଟା, ଅଠା ଯୋଡ଼େଇ, ପକେଟ ବୁକ୍‌ ଖସ୍‌ଖାସ୍‌ ଖସିପଡ଼ିଲେ ତଳକୁ ଦେଖୁ ଦେଖୁ ପଙ୍ଖା ପବନରେ ସେମାନଙ୍କର ପତ୍ରସବୁ ଘରସାରା ଉଡ଼ି ବୁଲିଲେ । ବ୍ୟସ୍ତ ହେଇ ସେମାନଙ୍କୁ ମୁଁ ଏକତ୍ର କରୁଥିବାର ସୁଯୋଗ ନେଇ ସେ ଡିଆଁଟାଏ ମାଇଲା ଓ କାନ୍ଥ କଣରେ ଗୋଟିଏ ଟୁଲ ଉପରେ ଯନ୍ତ୍ରରେ ରଖାଯାଇଥିବା ମୋର ପ୍ରିୟ ଗୋଟିଏ ମୃଣ୍ମୟ ବୁଦ୍ଧ ମୂର୍ତ୍ତିକୁ ତଳକୁ ଗଳେଇ ପକେଇଲା । ମୋରି ଆଖିଆଗରେ ସେ ଏଡ଼େ ସୁନ୍ଦର ବୁଦ୍ଧଟିକୁ ଦି’ଗଡ଼ କରି ଥୋଇଦେଲା । ସେତେବେଳକୁ ମୋ ପିତ୍ତ ମୋ ତାଳୁରେ କୋଉଠି ପହଞ୍ଚିଥିଲା ମୁଁ ଜାଣେନା । ମୁଁ ଅନ୍ଧ ହେଇ ତା’ ପିଛା ଧାଇଁଥିଲି ଓ ସେ ଗୋଟିକ ପରେ ଗୋଟିଏ ମୋ ଡ୍ରାଇଂରୁମ୍‌ର ସମସ୍ତ ଭଙ୍ଗପ୍ରବଣ ଜିନିଷ ଆଡ଼କୁ କୁଦା ମାରିବାକୁ ଲାଗିଲା । ଅବଶେଷରେ ସେ ଡିଆଁଟାଏ ମାଇଲା ଓ ଆଖି ପିଛୁଡ଼ାକ ମଧ୍ୟରେ ସେ ଯାଇ ପଶିଗଲା ମୋ ଡ୍ରଇଂରୁମର ଏକାନ୍ତ କୋଣରେ ଆଦରରେ ସାଇତା ହେଇଥିବା ସେ ବହୁ ସ୍ମୃତି ବିଜଡ଼ିତ ମୋର ଆଦରର ମାର୍ବଲ ନିର୍ମିତ ତାଜମହଲ ମୂର୍ତ୍ତିର ପଛପଟେ ।

 

ମୋ ଆଖି ଖୋସି ହେଇପଡ଼ିଲା । ମୋର ବିବେକର ଶତ ତାଡ଼ନା ସତ୍ତ୍ୱେ ମୁଁ ମୋର ଧନୁଶର ଉଠାଇ ପାରିଲିନାହିଁ ତା’ ଉପରକୁ । ମୁଁ ନିଷ୍କ୍ରିୟ ହୋଇ ଠିଆ ହେଇଗଲି ।

 

ତା’ପରେ ମୁଁ ଯେତେବେଳେ ଆଖି ଖୋଲେ, ମୁଁ ଦେଖେ ତାକୁ, ଟିକିଏ ଆଗରୁ ଯିଏ ମତେ ଡରି, ମୋ ଶର ସଂଯୋଜନାରେ ଭୀତ ହୋଇ ଓ ମୋର ଦିଗ୍‌ବଳୟ ଦୃଷ୍ଟିର ଫାଇଦା ଉଠେଇ, ବୁଦାମୂଳେ ଛପି ଯାଇଥିଲା, ସେ ବର୍ତ୍ତମାନ ବିଦ୍ରୁପ ଚକ୍ଷୁରେ ଅନେଇ ରହିଛି ମୋତେ, ମୋର ବହୁମୂଲ୍ୟ ତାଜମହଲ ପଛପଟୁ ।

 

ମୋର ଧନୁ ଆଉ ଶର ଆଗରୁ ନଇଁପଡ଼ିଥିଲେ । ସେଇ ମୁହୂର୍ତ୍ତରେ ମୋ ମୁଣ୍ଡଟିବି ନଇଁପଡ଼ିଲା । ମୁଁ ତାକୁ ପୂଜା କଲି । ମୁଁ ତା’ର ଗୁଣ କୀର୍ତ୍ତନ କଲି । ଶ୍ଳୋକ ଉଦ୍ଧାର କଲି ଆଉ ଶାସ୍ତ୍ର ଓ ସଂସ୍କାର ଉପରେ ସମସ୍ତ ଅବିଶ୍ଵାସ ସତ୍ତ୍ୱେ ମୁଁ ତାକୁ ପୂଜା କଲି । ଏତେ କଷ୍ଟ କରି ତା’ ସଙ୍ଗେ ଏଇ ଖଣ୍ଡଯୁଦ୍ଧ କଲି; କିନ୍ତୁ ଲାଭ କ’ଣ ହେଲା ? ମୁଁ ଯୁଦ୍ଧ ଶେଷ କରିପାରିଲିନାହିଁ । ସେ ତା’ର ଅବସ୍ଥାନ ବଜାୟ ରଖିଲା । ମୁଁ ଉପାସନା କଲି–

 

‘‘ଧନ୍ୟ ତୁମେ ଗଣେଶବାହନ ! ତୁମର ପ୍ରଭୁ ବୁଦ୍ଧି ଆଉ ଜ୍ଞାନ ବଳରେ ପୃଥିବୀ ଜୟ କରନ୍ତି, ଆଉ ତୁମେ ମଧ୍ୟ ପୃଥିବୀ ଜୟ କରିଛ । ଧନ୍ୟ ଧୂର୍ତ୍ତ । ଜ୍ଞାନର ବାହନଇ ତୁମେ ଏକା’’ ।

 

ଠିକ୍‌ ସେତିକିବେଳେ, ମୁଁ ଯେତେବେଳେ ମୁଣ୍ଡ ନଡ଼କେଇ ସେଠି ଠିଆ ହୋଇଥିଲି, ସେତେବେଳେ ହଠାତ୍‌ ବାହାରେ ଗୋଟାଏ କ’ଣ ଭୀଷଣ ଗୋଳମାଳ ଶୁଣି ମୁଁ ଝରକା ପାଖକୁ ଧାଇଁଗଲି । ଦେଖିଲି ଗୁଡ଼ାଏ ଟୋକା ଧାଡ଼ିବାନ୍ଧି ରାସ୍ତା କଡ଼ରେ ଚାଲିଛନ୍ତି ଆଉ ରଡ଼ି ଛାଡ଼ୁଛନ୍ତି । ବଡ଼ ବିପର୍ଯ୍ୟସ୍ତ ସେ ଚିତ୍କାର; ତଥାପି ତା’ ଭିତରୁ କିଛି ଗୋଟିଏ ଜିନିଷ ସେ କାନକୁ ଆକର୍ଷଣ କଲା-। କାନ ଡେରି ଶୁଣିଲି–ସେମାନେ ଚିତ୍କାର କରୁଛନ୍ତି–

 

‘‘ଇନ୍‌କିଲାପ୍‌–ଜିନ୍ଦାବାଦ୍‌’’

 

ତା’ପରେ କିଏ ଗୋଟାଏ ସେଇ ଇନ୍‌କିଲାବ୍‌ର ଉପକ୍ରମଣିକା ଭିତରୁ ରଡ଼ି ଦେଲା–ପ୍ରଥମେ କଥାଟା ଖୁବ୍ ଅବାନ୍ତର ଆଉ ଖାପ୍‌ଛଡ଼ା ଶୁଭିଲା ମତେ ହସ ଲାଗିଲା । ପିଲାଙ୍କର ଡାକ ମତେବି ଥୋଡ଼ାଏ ଉତ୍ସାହ ଦେଲା !

 

ସେମାନେ କୁହାଟ ମାରୁଥିଲେ–

 

ଲାଞ୍ଚୁଆଙ୍କୁ–ଯୋତା ମାର !

 

ମିଛୁଆଙ୍କୁ–ଇଲେକ୍‌ଟ୍ରିକ୍‌ ଚଉକିରେ ବସାଅ ।

 

ଚୁଗୁଲିଆଙ୍କୁ–ପିନ୍‌ରେ ଖେଞ୍ଚ ।

 

ଖଚୁଆ, କାନକୁହାଙ୍କୁ–ଟେକା ମାର ।

 

ଧପ୍‌ପାବାଜଙ୍କୁ–ସଙ୍ଗୀନ୍‌ ମୁନରେ କୁତ୍‌କୁତ୍‌ କର ।

 

ଅଳସୁଆଙ୍କୁ–ବିଛୁଆତିରେ ସଲ ସଲ କର ।

 

ଦେଶଦ୍ରୋହୀଙ୍କୁ–ଯାହା କରିବାର କର ।

 

ଦାଣ୍ଡରେ ସେତେବେଳେ କ’ଣ ଘଟୁଥିଲା ମୁଁ କିଛି ଅନ୍ଦାଜ କରିପାରୁ ନଥିଲି । ପ୍ରସେସନ୍‌ ଚାଲିଥିଲା; କିନ୍ତୁ ଘଟଣା କ’ଣ ମୁଁ କିଛି ବୁଝିପାରୁ ନଥିଲି । ହଠାତ୍‌ ମୋର ସବୁ ଦର୍ଶକପଣିଆ ଭାଙ୍ଗିଗଲା । ସେଇ ପ୍ରସେସନ୍‌ ଭିତରେ କଲେଜ ପଢ଼ୁଆ ପୁଅଟାକୁ ଦେଖି ପକେଇ ମୋ ଛାତିରେ ଛନକା ପଶିଗଲା, ହଠାତ୍‌ ଗୋଟାଏ ଆଦିମ ରକ୍ଷଣଶୀଳ ପ୍ରବୃତ୍ତି ମୁଣ୍ଡ ଟେକି ଉଠିଲା ମୋ ଭିତରେ-

 

‘‘ଧୀର ! ଧୀର !’’ ମୁଁ ଡାକ ଛାଡ଼ିଲି ତା’ ନାଁ ଧରି ।

 

ମୋ ଛାତି ଦାଉଁ ଦାଉଁ । ଟୋକାଟାର ଭବିଷ୍ୟତ ଢଳ ଢଳ ହେଲା ମୋ ଆଖିରେ । କାଳେ ଗାରଟାଏ କିଏ ପକେଇ ଦେବ ସେଇ ଚକ୍‌ ଚକ୍‌ ହେଇ ଦାଉ ଦାଉ ଜଳୁଥିବା ଭବିଷ୍ୟତର ରେକର୍ଡ଼ ଉପରେ । ମୁଁ ପୁଣି ପାଟି କରି ଉଠିଲି–

 

‘‘ହେ ଧୀର ! ଧୀର ।”

 

କିନ୍ତୁ ମୋର ସବୁ ଡାକ ବୃଥା ହେଲା । ଧୀର ମୋ ଡାକ ଶୁଣିଲାନାହିଁ । ପ୍ରସେସନ୍‌ ଚାଲିଗଲା । ମୁଁ ବୁଝିଲି ଯୁଗ କେମିତି ଆଗେଇଲା ଆଉ ପାଦେ । ମୁଁ ଆଉ ମୋ ପୁଅ । କେତେ ଭିନ୍ନ ! ଆମେ ଉଞ୍ଚାଉଥିଲୁ; କିନ୍ତୁ ମାରିପାରୁ ନଥିଲୁ ହଜାରେ ମାରିବାର ଇଚ୍ଛା ସତ୍ତ୍ୱେ ଆହାବି କରିପାରୁ ନଥିଲୁ ଆମେ । କିନ୍ତୁ ଆଜି ଧୀର, ମୋ ପୁଅ, ଏ କ’ଣ ହେଲା ? କାହାକୁ ଡେଇଁ ଏ ଧାଇଁଚି ଏମିତି ପାଗଳଙ୍କ ଭଳି ବିଚ୍‌ ରାସ୍ତାରେ ? ତା’ ହାତ ଉଠିବ ?

 

ମୁଁ ଗୁମ୍‌ ମାରି ବସି ପଡ଼ିଲି । ସନ୍ଧ୍ୟାବେଳକୁ ଟୋକାଟା ଫେରିଆସିଲା । ତା’ ଆଖିରେ ଜିଘାଂସା ତଥାପି ଅତୃପ୍ତ । ମୁଁ ନ ପଚାରିବା ପୂର୍ବରୁ, ହସି ହସି ବୀର ଦର୍ପରେ ସେ କହିଲା–

‘‘ଆଜି ଆମେ ସିଧା ଗଲୁ ମନ୍ତ୍ରୀଙ୍କ କୋଠିକୁ ।”

‘‘ମନ୍ତ୍ରୀଙ୍କ କୋଠିକୁ ?”

‘‘ହଁ, ସିଧା ମନ୍ତ୍ରୀଙ୍କ କୋଠିକୁ ! ଆଉ ମନ୍ତ୍ରୀ ଯଦି ନ ଶୁଣନ୍ତି, ତାହେଲେ ତା’ ଉପରକୁବି ଯିବାକୁ ତିଆରିଅଛୁ ଆମେ–ଆମର ଯୁବକସଂଘ ।”

‘‘କିନ୍ତୁ କାହିଁକି ? ମୁଁ ଆଶ୍ଚର୍ଯ୍ୟ ହେଇ ତା’ ମୁହଁକୁ ଅନେଇଲି ଆଉ କହିଲି, ଏତେ ଶୀଘ୍ର ବ୍ରହ୍ମାସ୍ତ୍ର କାହିଁକି ଆଉ କାହାପେଇଁରେ ବାପା ?” ମୁଁ ଥାଥା ମାମା ହେଇଗଲି ।

‘‘କାହାପେଇଁ ?” ଟୋକାଟା କଟମଟ କରି ମତେ ଅନେଇଲା–ସତେକି ସେ ମୋରି ଭିତରେ ଦେଖୁଥିଲା ପ୍ରକୃତ ଦୋଷୀକୁ । ତା’ପରେ ସେ ଚୁମ୍ବକରେ କହିଦେଲା ‘‘କାହିଁକି ? କାହିଁ, ସେଇ କିରାଣୀ ପେଇଁକି–ଯିଏ ଆମ ପିଲାଙ୍କଠୁ ଆଡ଼ମିସନ୍‌ବେଳେ ଦଶଟଙ୍କା କିଳାପୋତେଇ ନିଏ–ଆମ ଦରଖାସ୍ତକୁ ସବୁ ଏକଡ଼ସେକଡ଼ କରେ–ଆମ ଡ୍ରାମା ଆଉ ଖେଳଫଣ୍ଡ୍‌ ଟଙ୍କାକୁ‌ ପାଟିରେ ପକେଇ ଦେଇ ଆମରି ଆଖିଆଗରେ ଜିଭ ବୁଲେଇ ବୁଲେଇ ଆମକୁ ଖତେଇ ହୁଏ... ।”

‘‘ଏତିକି ଟିକିଏ କଥାପେଇଁ ତୁମେ ମନ୍ତ୍ରୀଙ୍କ ପାଖକୁ ଚାଲିଗଲ ? କିନ୍ତୁ, ତୁମେ କ’ଣ ତୁମ ଶରବ୍ୟକୁ ସାଧନ କରିପାରିଲ ? ଏତେବଡ଼ ବାଣ ବୃଥା ନଷ୍ଟ ହେଲାନି ତ ?’’ ମୁଁ ସକାଳର ଭାଙ୍ଗିଯାଇଥିବା ବୁଦ୍ଧ ମୂର୍ତ୍ତିର ମୁଣ୍ଡଟାକୁ ଗଣ୍ଡି ସହିତ ଏକାଠି ଯୋଡ଼ିବାର ବୃଥା ପ୍ରୟାସ କରୁଥିଲି ।

ଟୋକାଟାର ନଜର ସେ ବୁଦ୍ଧମୂର୍ତ୍ତି ଆଡ଼କୁ ନଥିଲା । ସେ କ’ଣ ଗୁଡ଼ାଏ ପ୍ରଳାପ କଲା । ମୁଁ ଭାବିଲି ବୋଧହୁଏ ମୋର ସେହି ମୁଣ୍ଡହୀନ ବୁଦ୍ଧମୂର୍ତ୍ତିଟା ତାକୁ କାବୁ କରିଦେଲା ବୋଲି; କିନ୍ତୁ ମୋର ଧାରଣା ବୃଥା । ସେ ଥିଲା ଆଉ ଏକ ଯୁଗର କଥା । ଆମ ଯୁଗ ସେତେବେଳକୁ ଯାଇଥିଲା ଭାରି ବହୁତ ତଳକୁ ।

 

ହଠାତ୍‌ ମୋ ହାତରେ ସେ ମୂର୍ତ୍ତିଟାକୁ ଦେଖିପକାଇ ସେ ଏତେଦୂର ବିସ୍ମିତ ହେଲା ଯେ ତା’ର ପ୍ରଳାପ ସବୁ ଏକାଥରକେ ବନ୍ଦ ହୋଇଗଲା । ପ୍ରିୟ ବୁଦ୍ଧ ମୂର୍ତ୍ତିଟାକୁ ଏପରି ଅବସ୍ଥାରେ ଦେଖିପକାଇ ସେ ଗୋଟାଏ ମୁହୂର୍ତ୍ତପାଇଁ ମୂକ ହୋଇଗଲା । ମୁଁ ଭାବିଥିଲି–ଏ ଯୁଗର ଶକ୍ତି ବୋଧହୁଏ ଏତିକି, ଯେତିକି ଆମର ଥିଲା ।

 

କିନ୍ତୁ, ହଠାତ୍‌ ତା’ର ଆଖି ଦପ୍‌ ଦପ୍‌ ଜଳି ଉଠିଲା ।

 

‘‘ୟାକୁ, ଏମିତି କଲା କିଏ ବାପା ?’’ ରୁଷ୍ଟଭାବେ ସେ ଚାହିଁଲା ମତେ ।

 

‘‘ମୂଷା’’–ମୁଁ ଉତ୍ତର ଦେଲି–ଚୁମ୍ବକରେ ।

 

‘‘ମୂଷା’’ ସେ କଟମଟ କରି ମତେ ଚାହିଁଲା ।

 

‘‘ହଁ, ଗୋଟିଏ ଚୁଟିଆ ମୂଷା’’ ମୁଁ ତା’ ମୁହଁକୁ ନ ଚାହିଁ ଉତ୍ତର ଦେଲି ଓ ମନେ ମନେ ମୋର ସକାଳର ନିଷ୍କ୍ରିୟ ଉତ୍ତେଜନା ସହିତ ତା’ର ସେହି ତମ ତମ ମୁହଁକୁ ମିଶେଇ ଦେଖୁ ଦେଖୁ ହସୁଥିଲି ।

 

ମୁଁ ଭାବିଥିଲି ସେ ବୋଧହୁଏ ଚୁପ୍‌ ରହିଯିବ, କିନ୍ତୁ ନା । ମୋର ଆଖି ଖୋସି ହୋଇପଡ଼ିଲା–ଯେତେବେଳେ ସେ ଟୋକା ବିଜୁଳି ଭଳି ଚମକି ଗଲା ଡ୍ରଇଂ ରୁମ୍‌ ଆଡ଼କୁ ।

 

‘‘ଆଚ୍ଛା ! ମୁଁ ଦେଖୁଛି–ସେ ପାଜୀକି–’’

 

ୟାର ଫଳାଫଳ କ’ଣ ହବ ଆମେ ଠିକ୍‌ ଜାଣିଥିଲୁ । ଖାଲି ଜିନିଷ ଭାଙ୍ଗିବାଇ ସାର ହେବ ଜାଣି ମୁଁ ଆଉ ତା’ ମା’ ଦିହିଁକା ଦିହେଁ ହାଁ ହାଁ କରି ତାକୁ ସେଥିରୁ ନିବର୍ତ୍ତାଇବାକୁ ଦଉଡ଼ିଲୁ ତା’ ପଛେ, ପଛେ; କିନ୍ତୁ ଆମର ସବୁ ହାଁ ହାଁ ବୃଥା ।

 

ପ୍ରଥମେ ସେ ଧାଇଁ ଯାଇ କପ୍‌ବୋର୍ଡ଼ ଭିତରର ସବୁ ବହିଗୁଡ଼ାକୁ ଅଳେଖେଇ ପକାଇଲା । ଦି’ଚାରିଟା ବନ୍ଧେଇ ବହି ତଳେପଡ଼ି ତାଙ୍କ ମଲାଟର କଣସରୁ ବଙ୍କା ହୋଇଗଲା ।

 

ଫକ୍‌ କର ସେଇ ବହି ସନ୍ଧିରୁ ଡିଆଁଟାଏ ମାରିଲା ସେ ମୂଷା । ଡିଆଁଟାଏ ମାରି ସେ ଯାଇ ପଶିଲା ଗୋଟାଏ ଟେବୁଲ ଲ୍ୟାମ୍ପ୍‌ ପଛକଡ଼େ । ହାଁ ହାଁ କରୁ କରୁ ସେ ବାୟା ଟୋକାଟା ମୂଷାକୁ ହୁରୁଡ଼େଇ ଦେଲା ସେଠୁ । ମୂଷାଟା ସେଠୁ ବାହାରିଯାଇ ପଶିଲା ମୋ ପେନ୍‌ଷ୍ଟାଣ୍ଡ ପଛପଟେ, କିନ୍ତୁ ଗଲାବେଳେ ଟେବଲ୍‌ ଲ୍ୟାମ୍ପ୍‍ଟାକୁ ଓଲଟେଇ ନ ଦେଇ ସେ ଗଲାନାହିଁ । ଚାହୁଁ ଚାହୁଁ ଲ୍ୟାମ୍ପ୍‍ଟା ତଳେ ପଡ଼ି ଚେପା ହେଇଗଲା । ଆଉ ତା’ର ଇଲେକ୍‌ଟ୍ରିକ୍‌ ବଲ୍‌ ଠୋ କରି ଫାଟି ଚୂନା ହେଇଗଲା; କିନ୍ତୁ ଟୋକାଟା ନଛୋଡ଼ବନ୍ଧା । ସେ ମୂଷାକୁ ପୁଣି ଚଢ଼ାଉ କଲା । ମୂଷା ସେଠୁ ବାହାରି ପଶିଗଲା ଷ୍ଟାଣ୍ଡରେ ରହିଥିବା ଗୋଟାଏ ଗାନ୍ଧି ଫଟୋର ପଛଆଡ଼େ । ସେଠି ମଧ୍ୟ ତାକୁ ଆଶ୍ରୟ ମିଳିଲାନାହିଁ । ଫଟୋଟି ଓଲଟି ପଡ଼ି, ତଳେ ପଡ଼ି ତା’ର କାଚ ଛିନ୍‌ଛତ୍ର ହେଇଗଲା । ସେଠୁ ଡେଇଁ ସେ ପଶିଗଲା ଠିକ୍‌ ସେଇ ଜେଗାରେ, ଯୋଉ ଜେଗାରେ ରହି ସେ ମତେ ସକାଳେ ଉଙ୍କି ମାରୁଥିଲା । ମାର୍ବଲର ତାଜମହଲର ମୂର୍ତ୍ତିଟା ଟଳମଳ ହେଇଗଲା ।

 

ମୁଁ ରାଗରେ ଅସ୍ଥିର ହୋଇ ରଡି ଛାଡ଼ିଲି–

 

‘‘ହେ ! ହେ ! ତୁ ଏ କ’ଣ କରୁଛୁ ଧୀର ! କ’ଣ ଗୋଟାଏ ମୂଷାପେଇଁ ତୁ ମୋର ସର୍ବନାଶ କରିଦେବୁ ?’’

 

କିନ୍ତୁ ମୋର କଥା କିଛି ତା’ କାନରେ ପଶିଲାନାହିଁ । ସତେକି ସେ ପାଗଳ ହେଇଯାଇଥିଲା । ଗୋଟିଏ ମୂଷାପେଇଁ ଜୀବନ ପଣ ସେ କରିଥିଲା ।

 

ମାର୍ବଲର ତାଜମହଲ ତଳେ ପଡ଼ି ଛିନ୍‌ଛତ୍ର ହୋଇଗଲା । ମୂଷାଟା ଆଉ କେଉଁଠି ଥାନ ନ ପାଇ ମୋ ଆଡ଼କୁ ଛୁଟି ଆସିଲା, କିନ୍ତୁ ମୋ ପାଖକୁ ଆସୁ ଆସୁ ସେ ଚଟ୍‌ କରି ବୁଲିଗଲା ଓ ଆଖି ପିଛଡ଼ାକ ମଧ୍ୟରେ ସେ ଯାଇ ଧୀରର ମାଆର ଗୋଡ଼ତଳେ ଲୋଟିଥିବା ଶାଢ଼ୀ ଭିତରେ ଆଶ୍ରୟ ନେଲା ।

 

ଧୀରର ଦ୍ଵିତୀୟ ମାଡ଼ରେ ମୂଷାଟା ଛଟ୍‌କରି ଓଲଟି ପଡ଼ିଲା, କିନ୍ତୁ ତା’ର ପ୍ରଥମ ମାଡ଼ ବସିଥିଲା ତା’ ମାଆର ଗୋଡ଼ରେ । କାହାର ଗୋଡ଼ ତଳେ କିବା କାହାର ପଣତ ତଳେ ସତେକି ଏ ଯୁଗର ମୂଷାର ଆଶ୍ରା ନଥିଲା ।

 

ଧୀର ଧଇଁସଇଁ ହେଇ ବସି ପଡ଼ିଲା । ଟିକିଏ ଦୂରରେ ତା’ର ଶତ୍ରୁ (ଓ ମୋର ଶତ୍ରୁ ମଧ୍ୟ) ରକ୍ତାକ୍ତ ହେଇ ତଳେ ଲୋଟୁଥିଲା । ଘରର ଚତୁର୍ଦ୍ଦଗ ଭଙ୍ଗା କାଚ, ମାର୍ବଲ ଆଉ ବହିର ପୃଷ୍ଠାରେ ଭରପୂର ହେଇଥିଲା । ଧୀର କିନ୍ତୁ ଏକ ଆଖିରେ ଚାହିଁଥିଲା ହେଇ ମଲା ମୂଷାଟାକୁ ।

Image

 

ବିଷକନ୍ୟାର କାହାଣୀ

(ମନୋଜ ଦାସ)

 

ଯେତେବେଳେ ସମଗ୍ର ଦିନ ଆକାଶ ପରିକ୍ରମା କରି ପୁଳାଏ ପୁଳାଏ ଜମାଟ ଅନ୍ଧକାର ଭଳି ଅସଂଖ୍ୟ କାଉ ଅତିକାୟ ଅଶ୍ଵତ୍‌ଥ ଗଛଟାରେ କବରୀ ଭିତରେ ନିସ୍ତବ୍‍ଧ ହୋଇ ବସି ରହିଛନ୍ତି,

 

ଯେତେବେଳେ ଦିନସାରାର ଗର୍ଜନ ଓ ଧାଁ ଦଉଡ଼ ଶେଷକରି ପ୍ରାଗୈତିହାସିକ ଜନ୍ତୁର କେତୋଟି ଅସହାୟ ଫସିଲ ଭଳି ବମ୍‌ଗୁଡ଼ିକ ରାସ୍ତାକଡ଼ରେ ଅଚେତ ହୋଇ ପଡ଼ିରହନ୍ତି, ଯେତେବେଳେ ସହରଠୁଁ କିଞ୍ଚିତ ଛୋଟ ଓ ବଜାରଠୁଁ ବଡ଼ ଏଇ ସ୍ଥାନର ଅଧିକାଂଶ ଦୋକାନପତ୍ର ଭିତରୁ ଆଲୋକ ସବୁ ଲିଭିଯାଏ, ଆଉ ଗାଉଁଲି ଜହ୍ନଟାକୁ ଡରାଇବା ପାଇଁ ଆକାଶ ଦିହରେ ଫଡ଼୍‍ ଫଡ଼୍ କରି ବୁଲନ୍ତି କେତେଗଣ୍ଡା ବାଦୁଡ଼ି, ସେତିକିବେଳେ, ଷ୍ଟେସନ ବଜାରର ବଡ଼ ରାସ୍ତା ଉପରେ କିଛିଦୂର ଆଗେଇ ଯାଇ, ଆହୁରି କିଛି ଆଗେଇ ଯାଇ “ବିଶୁଦ୍ଧ ହିନ୍ଦୁ ହୋଟେଲ’ର କେତେ ହାତ ଦୂରକୁ ଅଧାଟିଣ-ଅଧାଚାଳ ଛାଉଣିର ଯେଉଁ ନିଛାଟିଆ ଦୁଇମୁହାଁ ଘର, ତା’ ଆଗରେ କେବେ ଯଦି ଦଣ୍ଡେ ଠିଆ ହୋଇଛନ୍ତି, ଦେଖିବେ, ମଧ୍ୟେ ମଧ୍ୟେ ପଶ୍ମିମପଟ ଝରକା ଖୋଲିଯାଏ । ପିଚକାରୀ ମାରିଲା ପରି ରାସ୍ତା ଉପରଯାଏ କଚାଡ଼ି ପଡ଼େ ଆଲୁଅ । ରେଲିଂ ଦେଇ ଘରଭିତରେ କେତୋଟି ଛାଇମୂର୍ତ୍ତି ଟହଲୁଥିବାର ଦେଖାଯାଏ ।

 

ଦିନସାରା ନିୟମ ବନ୍ଧା ରୁଟିନ ଧନ୍ଦା ଶେଷକଲା ପରେ ରାତିର ଏଇ ନିଷିଦ୍ଧ ପ୍ରହରରେ ହଠାତ୍‌ ସେମାନଙ୍କର ମଗଜ ଭିତରେ ପର ଗଜେଇ ଉଠିଥାଏ । ପକ୍ଷୀରାଜ ଅଶ୍ଵ ବୋଲି ନିଜକୁ ମନେକରି କେହି କେହି ତା’ ଭିତରୁ ଉଡ଼ିବି ଯାନ୍ତି–ମହାଶୂନ୍ୟରେ ନକ୍ଷତ୍ର ନିହାରିକାର କୋଳ ଛୁଇଁ ଛୁଇଁ ।

 

“ଆରେ, ଉଡ଼ିଗଲି ଲୋ, ଉଡ଼ିଗଲି । ଧର ଧର, ମୋତେ ଟାଣି ରଖ ଭାଇ !”

 

“ହାଁ, ହାଁ, ଟୋକାଟା ଉଡ଼ିଗଲା, ଉଡ଼ିଗଲା !” ଯଜ୍ଞେଶ୍ଵରୀ ବସ୍‌ର ଉଡ଼ନ୍ତା ଡ୍ରାଇଭର ଉପରକୁ ଲଥ୍‌ ଲଥ୍‌ ହୋଇ କେତେଜଣ ଡେଇଁପଡ଼ନ୍ତି ।

 

“ମରିଗଲି, ମରିଗଲି, ମଲି, ମଲି । ଛାଡ଼ ଏଥର ।” ଉଡ଼ନ୍ତା ଡ୍ରାଇଭରର ଆର୍ତ୍ତନାଦ ଉପରେ ଟିପ୍‌ପଣୀ ଦିଏ ଦଉଡ଼ିଆ ଖଟଉପରୁ ବପୁମାନ ମୋହରିର ନିଶିକାନ୍ତ–“ଆହୁରି ଜୋରେ ଚିପିଧର । ଶଳା ଭାବିଚି ଉଡ଼ି ଉଡ଼ି ଯାଇ ସ୍ଵର୍ଗରେ–ତା’ ନାମ କ’ଣ, ଉର୍ବଶୀ ସାଙ୍ଗରେ ମଜା ମାରିବ-।”

 

ସୁତରାଂ ଡ୍ରାଇଭରର ଗଳା, ଛାତି, ପେଟ ଉପରେ ଯଥାସାଧ୍ୟ ଜୋର ଦେଇ ଚାପିବସନ୍ତି ଶୁଭେଚ୍ଛୁ କେତେ ଜଣ–ଯେ ଯାଏ ସେ ଗଳ ଗଳ କରି ଗୁଡ଼ାଏ ବାନ୍ତି କରି ନ ପକାଇଛି ।

 

ନିଶିକାନ୍ତ କହେ–“ଉର୍ବଶୀ ? ଆଗର ଏକା ହୀରା ଉର୍ବଶୀ, ମେନକା ଭଳି ମହେଶକୁ ଦାସୀ କରି ରଖିଲା ଭଳି ସୁନ୍ଦରୀ ସୁକୁମାରୀ ।”

 

‘ହାଃ, ହାଃ, ଯାତ୍ରାଦଳର ମହାରାଜ ଭଳି ଅଟ୍ଟହାସ୍ୟ ସହକାରେ ନିଶିକାନ୍ତ ହୀରାର କାନ୍ଧଧରି ତା’ ଉପରକୁ ଆଉଜାଇ ଆଣେ । ବିଶୁଦ୍ଧ ହିନ୍ଦୁ ହୋଟେଲର ପଛପଟ ଦରଜାବାଟେ ଲଣ୍ଡା ପୂଜାରୀ ଆନୁକୂଲ୍ୟରେ ଛୋଟ କୁଜାଟି ପୁଣିଥରେ ପୂରା ହୋଇଯାଏ । ହିସାବ ରଖି ସମସ୍ତଙ୍କୁ ବାଣ୍ଟିଦିଏ ହୀରା ।

 

କିଏ କହେ–ମୃତସଂଜୀବନୀ । କିଏ କହେ ଅମୃତ । କିଏ ତା’ର ଅଜ୍ଞାନ ଶତ୍ରୁକୁ ମନେପକାଇ କହେ–“ଇଏ ଅମୁକର ରକ୍ତ” । ହଠାତ୍‌ କଣ୍ଡକ୍ଟର ରଘୁନାଥ ଗୋଟିଏ ଗୀତ ଆରମ୍ଭ କରିଦିଏ । କେତେ ଜଣ ତାଳି ଦିଅନ୍ତି । ଜଣେ ଅଧେ ତା’ ପାଟିରେ କିଛି ଗୋଟାଏ ଗୁଞ୍ଜିଦେଇ ଗୀତ ବନ୍ଦ କରିଦେବାକୁବି ଚେଷ୍ଟା କରନ୍ତି । ରଘୁନାଥ ଆପାତତଃ ଗୀତ ବନ୍ଦ କରି ଅଳ୍ପ ଆରମ୍ଭ କରେ–‘‘କାଲି ରାତିରେ ମୋର ଗୋଟାଏ ପ୍ରକାଣ୍ଡ ବ୍ରହ୍ମରାକ୍ଷାସ ସାଙ୍ଗରେ ସାକ୍ଷାତ ହୋଇଥିଲା ରେଲ ଲାଇନ୍‌ ପୋଲ ତଳେ ।”

 

ସମସ୍ତେ କହନ୍ତି–“ତା’ପରେ ?”

 

‘ତା’ପରେ ? ଜୁଳୁଜୁଳୁ କରି ରଘୁନାଥ ଚାହିଁରହି ଦେହ ହାତ ଥରାଇ ହାଇ ମାରେ । ତା’ର ନିଶା ଛାଡ଼ି ଆସୁଛି । ଦେହ ଶୀତେଇ ଶୀତେଇ ରୁମମୂଳ ଟାଙ୍କୁରି ଉଠେ ।

 

“ତା’ପରେ କ’ଣ ହେଲା ?”

 

“ଆଁ ! ହଁ, ତା’ପରେ ରାବଣର ଦଶଟା ମୁଣ୍ଡରୁ ଆଉ ଦଶ କୋଡ଼ିଏଟି ଉଡ଼ିଗଲା ।”

 

“ଦୂର୍‌ ଦୂର୍‌ ଗଧ । ମିଥ୍ୟାବାଦୀ ମାତାଲ କାହାଁକା ! କହି ଢଳି ଢଳି କନଷ୍ଟବଲ ଜଣକ ରୋଷେଇ ଘର ଭିତରକୁ ଟାଣି ନେଇଯାଏ ହୀରାର ବାହୁ ଧରି । ହଠାତ୍‌ ପାଟିଗୋଳ ବନ୍ଦ ହୋଇଯାଏ, ଆଉ ସଭିଏଁ ସେଇଆଡ଼େ ଚାହିଁ ରହନ୍ତି । ସଭିଙ୍କ ଆତ୍ମା ଚକା ଚକା ହୋଇଯାଏ । ଚମକ ଭଙ୍ଗାଇ ରଘୁନାଥ ହସିଉଠେ–ହୋ ହୋ ହୋ ହୋ । ତା’ପରେ ସଭିଏଁ ୟା ତା’ ମୁହଁକୁ ଚାହିଁ ଚାହିଁ ଚିତ୍କାର କରନ୍ତି–ହି ହି ହି ହା ହା ହା ।

 

ଘର ପଛପଟ ମୈଦାନ ସେପାରି ମଶାଣିପଦାରୁ ଶୁଭେ ହୁଃ କେ ହୋ–

 

ଅଶ୍ଵତ୍‌ଥ ଡାଳରେ ଫଟ୍‌ ଫଟ୍‌ କରି କେତୋଟି ପକ୍ଷୀ ବ୍ୟାହତନିଦ୍ରାର ସୂଚନା ଦିଅନ୍ତି ।

 

ରାତ୍ରିର ଆୟୁ କ୍ରମେ ହ୍ରାସ ହୋଇ ଆସେ । ନିଛାଟିଆ ଅଞ୍ଚଳର ଦୁଇ ମୁହାଁ ଘରଟା ପୁଣି ଶୂନ୍‌ଶାନ୍ ହୋଇ ଆସେ ।

 

ସୂର୍ଯ୍ୟ ଉଠେ । ପୁଣି ସମସ୍ତେ ଉଠନ୍ତି । ଏକା ରୋଷେଇଘର ଭିତରେ ମୁହଁମାଡ଼ି ଶୋଇ ରହେ ହୀରା । ଘୁଙ୍ଗୁଡ଼ି ମାରେ । ପୁଣି କଡ଼ ଲେଉଟାଇ ପଡ଼ିରହେ । ଗତରାତିର ଉଚ୍ଛ୍ଵସିତ ସୋହାଗର ପ୍ରବାହକୁ ପ୍ରକାଶିତ କରେ ।

 

ମୁହଁରୁ ଗରଳ ଧାର ବାହାରି ଶୁଖି ଚିଡ଼ ଚିଡ଼ କରେ । ସେ ହୁଏତ ଉଠି ବସେ । କିନ୍ତୁ ଢୁଳାଏ । ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଗଲେ ରେଳଲାଇନ ପୋଲ ତଳର ଘାଟ ଉପରେ ଅନେକେ ବସି ଗାଧୁଆପାଧୁଆ କରନ୍ତି । ହୀରା କିନ୍ତୁ ସେତେବେଳେ ଓଳିପଟେ ବସି ହକ୍‌କାମାରେ । ବାନ୍ତି ସରଳ ହୁଏନାହିଁ । ବାଁ ହାତରେ ଛାତି ଚାପିଧରି ଡାହାଣ ହାତରେ ବିଷିଆଙ୍ଗୁଠି ପାଟିରେ ଭର୍ତ୍ତିକରି ସେ ବାନ୍ତି କରେ । ବହୁତ ସମୟ ଗଡ଼ିଯାଏ ।

 

ଶେଷରେ ‘ବିଶୁଦ୍ଧ ହିନ୍ଦୁ ହୋଟେଲ’ ପଛପଟେ ଲଣ୍ଡା ପୂଜାରୀ ଇସାରା ଦେଲେ ସେ ଯାଇ ଭାତଖାଇ ଆସେ । ଫେରିଆସି ଅଫିମ ଖାଇଲା ଭଳି ଗୁମ୍‌ ହୋଇ କିଛି ସମୟ ବସେ । ତା’ପରେ ଘର ପରିଷ୍କାର ପରିଚ୍ଛନ୍ନ କରିବାକୁ ଲାଗିଯାଏ । ସୂର୍ଯ୍ୟ ଯେତେବେଳେ ଦୂର ରେଳଲାଇନ ମଥାନ ଉପରେ ଖସିପଡ଼େ, ଘାଟ ଉପରକୁ ଯାଇ ହୀରା ବିଦାୟୀ ସୂର୍ଯ୍ୟକୁ ପ୍ରଣାମ କରି ଜଳଭିତରକୁ ପଶେ । ବର୍ତ୍ତମାନ ତା’ର ସ୍ନାନ ସମୟ । ଦୈନନ୍ଦିନ କାର୍ଯ୍ୟସୂଚୀ ଆରମ୍ଭର ଅବ୍ୟବହିତ ପୂର୍ବେ ଗିଲାସଟିଏ ଭର୍ତ୍ତିକରି ଚାହା ତିଆରି କରି ଖାଏ । ତା’ପରେ ପ୍ରସାଧାନରେ ଅତୀତ ହୁଏ ଘଣ୍ଟାଟିଏ ।

ତଥାପି ଆହୁରି ଡେରି ତିନି ଘଣ୍ଟା । ରାତି ଅନ୍ତତଃ ସାଢ଼େ ନଅଟା ପୂର୍ବରୁ ଏଇ ନିଶିପଦ୍ମାର ଅନ୍ୱେଷଣରେ କୌଣସି ମଧୁପର ଆଗମନ ହୁଏନାହିଁ । ଦୁଆର କବାଟ ଭିତର ପଟରୁ ବନ୍ଦକରି ଓଳିଆଡ଼େ ଯାଇ ବସିରହେ ଖୁଣ୍ଟକୁ ଆଉଜି । ବିସ୍ତୃତ ମୈଦାନର ସୁଦୂର ସୀମାରେ କେଉଁ ଗାଁର ଅସ୍ପଷ୍ଟ ମଖମଲି ନରମ-ଛବି ।

ହୀରାର ଅତୀତ ଅସ୍ପଷ୍ଟ ! କିନ୍ତୁ ଇମିତି ନରମ, ଇମିତି ମଖମଲି ମଧ୍ୟ–

ଦୂର ବେଣାବନ ନିଘଞ୍ଚ ବୁଦାସବୁ ତଳୁ ଅନ୍ଧାର ବହଳ ହୋଇଆସେ । ଆକାଶରେ କେତେବେଳେ ଗୋଟିଏ ଗୋଟିଏ ନକ୍ଷତ୍ର ଫୁଟିଉଠନ୍ତି । ସମସ୍ତ ନକ୍ଷତ୍ରର ବିନ୍ଦୁ–ସମାହାରରେ କେତୋଟି ଛବି ଆଙ୍କି ହୋଇଯାଏ ହୀରାର ଆଖିରେ । ମଙ୍ଗଳ ଦାସ–ଯାହା ସାଙ୍ଗରେ ସେ ପ୍ରଥମେ ପଳାଇଆସିଥିଲା ଏଠାକୁ । କେତେବର୍ଷ ବିତିଗଲାଣି । ମଙ୍ଗଳ ଦାସର ବିଶୁଦ୍ଧ ହିନ୍ଦୁ ହୋଟେଲ ବର୍ତ୍ତମାନ ଅନ୍ୟର ଅକ୍ତିଆର ଭିତରେ । ମଶାଣିପଦାର ଧୂସର କଳା ମାଟି ଭିତରେ ଗୁମୁରି ଗୁମୁରି କେବେ କେବେ ଖଣ୍ଡିଆଭୂତ ପବନରେ ସୁ ସୁ ହୋଇ ମଙ୍ଗଳ ଦାସର ଶୀତଳ ଜୁଈର ଶେଷ ଧୂଳିରେଣୁ ଉଡ଼ିଆସେ ହୀରାର ଘର ଭିତରକୁ । ଛନକା ପଶେ । କୁଳୁଳି କୁହୁଳି ମନ ଭିତରେ ଗୋଟାଏ ଆତଙ୍କ ଅଟକ ରହେ, ଅଗଣା ଭିତରର ସାପ ଭଳି ।

ଛାଇ ଭଳି ଗୋଟାଏ ମୂର୍ତ୍ତି ଆସି ଦୋହଲୁଛି ଅଗଣାରେ । “କିଏ ସେ” ? ଅତିକାୟ ମଣିଷଟା ଆହୁରି ପାଖେଇ ଆସିଲା । ହୀରା ଚିହ୍ନିଲା l ଇଏ କୁଲି କାମ କରେ । ରୁକ୍ଷ ସ୍ଵରରେ ହୀରା ପଚାରିଲା “କ’ଣ ?” ଟିକିଏ ହସିବାର ଉଦ୍ୟମ କରି ଲୋକଟା କହିଲା, ‘‘ଆମେ ଦୁଇଜଣ ଆଜି ଟିକିଏ ଆସନ୍ତୁ ।’’

ହୀରା ଚିହିଁକି ଉଠିଲା–‘‘ଚୁପ୍‌ ! ପଳା ଏଠୁ କହୁଚି’’ ।

‘‘ରାଗୁଛୁ କାହିଁକି ? ଆମେବି ସମାନ ମୂଲ ଦେବୁ । ଟିକିଏ ମଉଜ କରିବା କଥା ନା ଆଉ ! ବିଚାର କର ।’’ ବିକଟ ଲୋକଟା ଆହୁରି ନିକଟକୁ ଘୁଞ୍ଚି ଆସିଲା–‘‘ଆମେ ବରଂ ବେଶିକିଛି ରାତିବେଳକୁ ଆସିବୁ; ବାବୁମାନେ ଯିବାପରେ ।’’

ହୀରା ଉଠିପଡ଼ି ପାଟି କଲା–‘‘ଲଣ୍ଡା”

ଲଣ୍ଡା ପୁଝାରୀ ଦଉଡ଼ିଆସି ତା’ର ଖନି ପାଟିରେ ହୁରି କଲା ‘‘ଭାଁଗ୍‌ ଭାଁଗ୍‌ ଶଳା ଭାଁଗ୍‌ ।’’ ଲୋକଟା ଗୁମ୍‌ ମାରି ମିନିଟିଏ ଛିଡ଼ାହେଲା । ତା’ପରେ ଅଇଁଠା ମଜଲିସରୁ ବିତାଡ଼ିତ କୁକୁର ଭଳି ବସ୍ତିଆଡ଼େ ମିଳାଇଗଲା । ଲଣ୍ଡା ବସିଲା ହୀରା ପାଖରେ । ‘‘ଲଣ୍ଡା, ମୋ ପିଠିଟାରେ ଟିକିଏ ତେଲ ଲଗାଇଦେଲୁ ।” ‘ହୁଁ ହୁଁ’ କରି ଲଣ୍ଡା କୃତଜ୍ଞ ଭଙ୍ଗୀରେ ତା’ର ପିଠି ଘଷେ । ହଠାତ୍‌ କେଉଁ ମୁହୂର୍ତ୍ତରେ ସେ ତା’ର ହାଡ଼ୁଆ ମୁହଁ ନେଇ ହୀରାର କାନ୍ଧରେ ଗୁଞ୍ଜିଦିଏ ।

ହୀରା ଗର୍ଜି ଉଠେ ‘‘ଏଇ ଫାଜିଲ୍‌ ଟୋକା ।”

ଆଶ୍ଚର୍ଯ୍ୟ ! ସକ୍‌ ସକ୍‌ କରି କାନ୍ଦିବାକୁ ଆରମ୍ଭ କରିଦିଏ ଲଣ୍ଡା । “ତୁ ମୋତେ ବକୁଚୁ ହୀରା ?”

ମଙ୍ଗଳ ଦାସ ସହ ଏକଦା ଯେଉଁମାନେ ଆସିଥିଲେ, ତାଙ୍କ ଭିତରୁ ହୀରାର ଶେଷ ସ୍ମୃତି ହୋଇ ରହିଛି ପାଖ ହୋଟେଲରେ ବିନା ବେତନର ପୁଝାରୀ ଲଣ୍ଡା । “ବାୟାଟା, କାନ୍ଦନା ଲଣ୍ଡା । ତୁ ଭାରି ଭଲ ଟୋକା ।”

ଏଇ ଲଣ୍ଡାର ପରିଚୟ–ଗୋଟାଏ ବାମନ ପୁରୁଷର ମଜ୍‌ବୁତ୍‌ ଗଠନ ଉପରେ ସ୍ତ୍ରୀ-ସୁଲଭ-ଆଚାର-ବ୍ୟବହାର, ଲାଜଲଜ୍ଜା, କେଶବିନ୍ୟାସ ଓ ସଯତ୍ନ ସିନ୍ଦୂର ଟୋପାର ସମାହାର ।

ବାହାରପଟୁ କବାଟର ଜଞ୍ଜିର ଦୋହଲେ । ହୀରା ଠିଆ ହୋଇ ଦେହ ହାତ ସିଧାକରି ଲମ୍ବା ହାଇମାରେ ।

ପ୍ରଗାଢ଼ ରାତି ସହ ଉଦ୍‌ବେଳିତ ହୁଏ ହୀରାର ଆଶ୍ରୟ । ତହିଁ ଭିତରେ ସମାଗତ ଚିନ୍ତାଚୈତନ୍ୟବନ୍ତ କିରାଣୀ ଏବଂ ଟାଙ୍ଗରା ମୁଣ୍ଡ ମୋହରିର ମହୋଦୟଗଣ, କନେଷ୍ଟବଲ–ହଜୁରମାନେ ଏବଂ ଡ୍ରାଇଭର କଣ୍ଡକ୍ଟର ବାବୁ–ସଭିଏଁ ପୁଣି ମହାଶୂନ୍ୟରେ ଉଡ଼ନ୍ତା ଥାଳିଆ ବନି ଚକ୍‌କର ଦିଅନ୍ତି ।

 

ରାତି ପରେ ରାତି–

 

ସହସ୍ର ରଜନୀର ପ୍ରମୋଦ ଲହରୀରେ ଅବଗାହନ କରିଚାଲେ ହୀରା, ସେଇସବୁ ଉତ୍ତୁଙ୍ଗ ଲହରୀର ସଲିଲତଳେ କମ୍‌ ହାଙ୍ଗରଦ୍ଵାରା ସେ କ୍ଷତବିକ୍ଷତ ହୋଇନାହିଁ । ବିରାଟ ତିମିଜନ୍ତୁ ତାକୁ ଗ୍ରାସ ନକରି ବାଟଭାଙ୍ଗି ଚାଲିଯାଏ । ଏକାନ୍ତ କ୍ଷୁଦ୍ର ଜଳଜୀବ ସରୁ ହୀରାର ଅଙ୍ଗଦ୍ୟୁତିକୁ ଭୟ କରନ୍ତି । ପାଖ ପଶିପାରନ୍ତିନାହିଁ । ହୀରା ତେଣୁ ହାଙ୍ଗରର ଶିକାର ।

 

ଥରେ ଥରେ ଅସହ୍ୟ ଯନ୍ତ୍ରଣାରେ ଦିହତଳର କବଜା ବିଦ୍ରୋହ କରି ଉଠେ । ହୁଏତ ସେତେବେଳକୁ ରାତ୍ରିର ଶେଷ ପ୍ରହର । ନିଃଶେଷିତ ବତୀର ଶେଷ ଅଂଶ ଭଳି ପଡ଼ିରହି ଦଉଡ଼ିଆ ଖଟ ଉପରେ କୁନ୍ଥେଇ କୁନ୍ଥେଇ ସେ ଭାଙ୍ଗିମୋଡ଼ି ହୁଏ । ଝରକା ଦେଇ ଲଣ୍ଡାକୁ ପାଟି କରି ଡାକେ-। ହୀରା ଆସି ହୀରାର ମେରୁଦଣ୍ଡ ଘଷିଦିଏ, ଆଉ କେତେବେଳେ ସୁକ୍‌ ସୁକ୍‌ କରି ହୀରାର ପଣତ ଆଖିରେ ଦେଇ କାନ୍ଦିପକାଏ ।

 

ହୀରା କେବଳ ଅନୁଭବ କରେ ଏଇ ସ୍ପନ୍ଦନ । ବାୟୁମଣ୍ଡଳର ଅଦୃଶ୍ୟ କୀଟାଣୁ ସବୁଭଳି ସେ ଅନୁଭୂତିର ଅସ୍ତିତ୍ଵ ଅଛି, ଅଥଚ ପ୍ରକାଶନାହିଁ; ଆଉ ଅର୍ଥ ବଡ଼ ଧୂଆଁ ଭଳି ।

 

ମଝିରେ ମଝିରେ ହୀରାର ସଦନ ଅକସ୍ମାତ୍‌ କେତେଦିନ ବନ୍ଦ ରହେ । ଅକାରଣରେ କବାଟରେ ଢୋ ଢୋ ଶବ୍ଦକରି ନିସ୍ଫଳ ନାଗରମାନେ ଲେଉଟିଯାଆନ୍ତି । ଚାରିକଡ଼ ବନ୍ଦ ରୋଷେଇଘର ଭିତରେ ହୀରା ଚୁପ୍‌ଚାପ୍‌ କ’ଣ ସବୁ ମାଲିସ କରେ ଦିହରେ ।

 

ହୀରା ସମଝି ପାରୁଛି–ଦେହ ଭିତରର କବ୍‌ଜା ସବୁ ଢିଲା ହୋଇ ଆସିଲାଣି ଏଥର । କିନ୍ତୁ ପୂରାପୂରି ଢିଲା ହେବା ପୂର୍ବରୁହିଁ ଅକସ୍ମାତ୍‌ ପ୍ରମୋଦ ଲହରୀର ଲୀଳାଭୂଇଁରେ ଦିନେ ମୁଣ୍ଡଟେକି ଉଠିଲା ବିସ୍ତୁତ ଏଇ ବାଲୁଚର ।

 

ନୂଆ ସ୍ଥାପିତ କଲୋନୀର ଶେଷ ସୀମାନ୍ତରେ ଯେଉଁ କେତୋଟି ଗୋଟିକିଆ ଘର, ତାହାରି ଅନ୍ତରାଳରୁ ଏକଦା ରାତିର ଗମ୍ଭୀର ପ୍ରହରରେ ହୀରା ଆବିଷ୍କାର କଲା ଝୁଣୁ ଝୁଣୁ ମଧୁର ଶବ୍ଦ, ଆଉ ତା’ର ପରିଚିତ କଣ୍ଠ ସ୍ଵରରେ କଳରୋଳ । ଲଣ୍ଡାକୁ ପଠାଇ ଅସୁସନ୍ଧାନ ନେଇ ବୁଝିଲା ସେ କେଉଁ ଦୂରଦୂରାନ୍ତରୁ ହତ–ମୃଣାଳ କେତୋଟି ନିଶି–ପଦ୍ମ ଭାସିଆସି ଉପନିବେଶ ଗଢ଼ି ତୋଳିଛନ୍ତି ତା’ର ଏକୁଟିଆ ଚରାଭୂଇଁ ଭିତରେ । ହୀରା ସବୁ ଶୁଣେ ବସି ଢୁଳାଏ ।

 

ନିଶାର୍ଦ୍ଧରେବି ଆଉ ତା’ ଦୁଆରେ ପ୍ରାୟ ଖଡ଼୍‍ ଖଡ଼୍ ଶବ୍ଦ ହୁଏନା ।

 

ତଥାପି ହୀରା ଆଗଭଳି ଆଉ ଗରାଖମାନଙ୍କ ପାଇଁ ଏତେ ବ୍ୟଗ୍ର ନୁହେଁ । ଭାତ ମୁଠେ ମୁଠେ ମାଗଣାରେ ହୋଟେଲରୁ ମିଳୁଛି । ରଘୁନାଥ ବା ନିଶିକାନ୍ତ ଭଳି ପଇସାରେ ନ ଦେଇ ହୋଟେଲବାଲା ତା’ ଦେୟ ପଇସାରେ ଦିଏ । କିନ୍ତୁ ଇମିତି ଏକ ଦିନରେ ଅଶ୍ରୁସଜଳ ଲଣ୍ଡା ଖବର ଦେଲା, ହୋଟେଲବାଲା ଜଣେ ରିଫ୍ୟୁଜି ଝିଅ ଆଣି ରଖିଲାଣି । ସତକୁ ସତ, ଦିନେ ମାଲିକ ମନା କରିଦେଲା ଲଣ୍ଡାକୁ–ହୀରାକୁ ଡାକି ଆଉ ଦୈନିକ ଭାତ ଖୁଆଇବା ଦରକାରନାହିଁ ।

 

ଦରକାରନାହିଁ, ହୀରାକୁ ଆଉ ଦରକାରନାହିଁ ସେଇ ଛୋଟ ସହରଟିରେ ! ଲୁଚାଇ ଖାଇବାକୁ ଦେଇଥିବା ଯୋଗୁଁ ଲଣ୍ଡା ମାଡ଼ ଖାଇଲା । ଯଦିଓ ଚକ୍‌ଚାକ୍‌, ତଥାପି ହୀରାର ଦେହ ଅଧାମଲା । ହାସ୍ୟ ଆଉ ଲାସ୍ୟର ସମାହାରରେ ପ୍ରାଣବନ୍ତ ନୂତନ ଉପନିବେଶ ଆଡ଼କୁ ମୁହାଁଇ ଯେତେବେଳେ ଜଣେ ଜଣେ ଗୁଣୁ ଗୁଣୁ ଗୀତ ଗାଇଚାଲନ୍ତି, ଆଉ କେବେ କେବେ ଦୁଇ ପ୍ରହର ରାତିରେ ତବଲା ଆଉ ହାରୋମନିୟମର ଆବାଜବି ଭାସିଆସେ, ଲଣ୍ଠନଟା ନିଷ୍ପ୍ରଭ କରିଦେଇ ହୀରା ଝରକାବାଟେ ଶୂନ୍ୟକୁ ଚାହେଁ–ତାହାରି ଭଳି ଅଧା ମଲା ଜହ୍ନ ଘୁଷୁରି ଘୁଷୁରି ତଳକୁ ଗଡ଼ୁଥାଏ-

 

ହୀରାବି ତେବେ କ’ଣ ଏଣିକି ଗୀତ ଗାଇବ ? ସେଇ ଅଦୂର ଉପନିବେଶର କୌଣସି ଏକ ଆଲୋକିତ ବାତାୟନର ଝିଲ୍‌ମିଲ୍‌ ପର୍ଦ୍ଦା ଉପରେ ଦୃଷ୍ଟି ରଖି ହୀରା ଭାବିହୁଏ ।

 

ହଁ, ଗୀତ ତାକୁ ସୁହାଗ କରି ଏକଦା ଶିଖାଇଥିଲା ମଙ୍ଗଳ ଦାସ ।

 

ଅନ୍ଧକାର ଗଛଟା ଉପରେ ଚଢ଼େଇଟିଏ ଛଟପଟ୍‌ ହୁଏ । ମଙ୍ଗଳ ଦାସର ଭୂତ ? ନା, ଗୀତ ଆଉ ହୀରା ଗାଇପାରିବନି । ମନେନାହିଁ ।

 

ଏକଦା ବଜାର ଭିତରେ ବହୁ ଆଖିର ଲୋଭନୀୟ ଉଜ୍ଜ୍ୱଳ ହୀରା–ଅଦ୍‌ଭୂତ କଥା, ଦେଢ଼ ଦିନ ହେଲା ମୁଠିଏ ଖାଇବାକୁ ପାଇନାହିଁ । ଦୈବାତ୍‌ ସେଦିନ ସନ୍ଧ୍ୟାରେ ରଘୁନାଥ ଆସି ଧୀରେ ଧୀରେ କବାଟ ଇଷତ୍‌ ଖୋଲି ଭିତରେ ଦିଶିଲା । ଅଭିମାନ ନୁହେଁ, କେଇ ଅଣା ପଇସା ଆଶାରେ ହୀରା ସଳଖି ବସିଲା, “ରାସ୍ତା କାଦୁଅ ଯୋଗୁଁ ମଟର ଚଳାଚଳ ବନ୍ଦ । ବେକାର୍‌ ହେଇ ଯେଉଁ ଅସୁବିଧା ! ତା’ ଉପରେ ପୁଣି ରିଫ୍ୟୁଜି ଦଳ ଭିତରୁ କେତେଟା ଟୋକାଙ୍କୁ ଶସ୍ତାରେ ମିଳୁଛି । କ’ଣ ଯେ ମାଲିକ କରିବ, କେଜାଣି ?” ହୀରା କିଛି କହିବା ପୂର୍ବରୁ ରଘୁନାଥ କୌଶଳ କରି କହିଲ–“ହଁ, ମୋତେ ଟଙ୍କାଟିଏ ଦେଇଥା ହୀରା, ମୁଁ କାଲି ଦିନଟା ଛାଡ଼ି–”

 

ଶୂନ୍ୟ ଆଖିରେ ଚାହିଁଥିଲା ହୀରା । ହଠାତ୍‌ ତକିଆଟା ଟାଣିଆଣି ଆଖି ବୁଜି ଶୋଇପଡ଼ିଲା । ରଘୁନାଥ କହି କହି ଫେରିଲା–“ସବୁ ଶଳେ ସୁଖରେ ବନ୍ଧୁ” ।

 

ଅଳଙ୍କାର ବିକ୍ରି ହେଲା । ଜଣାପଡ଼ିଲା, ବିଭିନ୍ନ ସମୟରେ ବହୁ ରସିକଙ୍କଦ୍ଵାରା ପ୍ରଦତ୍ତ ଏଇସବୁ ଉପହାରରୁ ଅଧିକାଂଶ ଫାଙ୍କି । ନକଲି ।

 

ହୀରାର ଚହଟ ମଧ୍ୟ ଯେ ନକଲି, ସେକଥାବି ଯଥାଶୀଘ୍ର ଜଣାପଡ଼ିଲା ।

 

ହୀରା ଏତିକି ଜ୍ଞାନ ଅର୍ଜିଥିଲା ଯେ, ମଟର ଚଳାଇବା ପାଇଁ ଲାଇସେନସ୍‌ ନାମକ ଗୋଟିଏ ମୂଲ୍ୟବାନ କାଗଜର ପ୍ରୟୋଜନ । ସେଦିନ ଅନନୁଭୂତପୂର୍ବ ବିସ୍ମୟ ସହକାରେ ଶୁଣିଲା ଯେ, ତା’ର ଦେହଟିକୁ ବଜାରରେ ଚାଲୁ ରଖିବାପାଇଁ ମଧ୍ୟ ଲାଇସେନସ୍‌ ପ୍ରୟୋଜନ । ହୀରାର ନକଲି ଧରା ପଡ଼ିଗଲା । ପ୍ରବଳ ଚେଷ୍ଟା ସତ୍ତ୍ୱେ ତା’ର ଅବସନ୍ନ ଆଖିରେ ହୀରା ଭବିଷ୍ୟତର ଇଶାରା ଫୁଟାଇ ପାରିଲାନାହିଁ । ଡାକ୍ତରଙ୍କ ମତକୁ ରୋକି ଦେଇପାରିଲାନାହିଁ ।

 

ଲଣ୍ଡା କାନ୍ଦ କାନ୍ଦ ହୁଏ । ପୁଣି ଅଦ୍ଭୁତ ହସ ହସେ । ସହସ୍ର ରଜନୀର ପ୍ରମୋଦ–ନାୟିକା ହୀରାକୁ ଏଣିକି ସଚ୍ଚରିତ୍ର ଲଳନା ହେବାକୁ ପଡ଼ିବ । ବିଷକନ୍ୟା ସିଏ ।

 

ଝୁପ୍‌ଝୁପ୍‌ ବର୍ଷାରେ ଘରର ଛାତ ଭେଦି ପାଣି ପଡ଼ିଲା । ହୀରା ଅନୁଭବ କଲା, ତା’ ପିଣ୍ଡାରେ କିଏ ଅଶ୍ରୟ ନେଇଛି । କବାଟ ଖୋଲି ଚିହ୍ନିଲା, ସେଇ କୁଲି ।

 

“ନା, ମୁଁ ବର୍ଷା ଛାଡ଼ିଲେ ଚାଲିଯିବି ।” କୁଲି ଆଗରୁ କହି ରଖିଲା । “କାହିଁକି, ଭିତରକୁ ଆସୁନା !” ହୀରା କହିଲା । ନିର୍ବିକାର ଭାବରେ କୁଲିଟି ପଚାରିଲା, “କିନ୍ତୁ ରେଟ୍‌ କେତେ ?”

 

ହୀରା । ହସି ହସି ଆଖିରେ ଗୋଟାଏ ଇଶାରା କବିତାର ଚେଷ୍ଟା କଲା । କିନ୍ତୁ ସେତେବେଳେ ଆକାଶରେ ବିଜୁଳି ନାଚୁଥିଲା । ତା’ ଆଖିର ବିଜୁଳି ଅନ୍ଧାରରେ ରହିଗଲା । ଆଗନ୍ତୁକ କହିଲା–“ଚାରିଟା ପଇସା ଦେବି ଏଇକ୍ଷଣି ହାତେ ହାତେ, ରାଜି ।” ଅସହାୟ ହୀରାର ଗୋଡ଼ତଳେ ମାଟି ଦୋହଲେ । ଲୋକଟା ଓଦା ସର ସର ଦିହରେ ଆଗେଇ ଆସୁଛି । ତା’ର ଆଖି ଦୁଇଟା ନିଆଁ ହୋଇ ଜଳୁଛି; ଯିମିତି ଝାମ୍ପି ପଡ଼ିବ । ହୀରା ହଠାତ୍‌ ଘର ଭିତରେ ପଶିଯାଇ କବାଟ ବନ୍ଦ କରିଦେଲା । କବାଟ ଏ ପାଖରୁ ପଦାଘାତ ପଡ଼ିଲା ।

 

“ଆବେ ଖୋଲ ! ନ ହେଲା ଦି’ପଇସା ଅଧିକ ଦେବି ।”

 

କ୍ରୁଧ ହେବାଭଳି କବାଟ ଉପରେ କିଛି ସମୟ ଆମ୍ପୁଡ଼ି ଦାମ୍ପୁଡ଼ି ଲୋକଟା ଫେରିଗଲା ।

 

ହୀରାର ଶେଷ ପ୍ରଚେଷ୍ଟାର ସାକ୍ଷୀ ଥିଲେ ଅନେକେ । ଛୋଟ ଗୋଟିଏ ପାନ ଦୋକାନ–ଶେଷ ସମ୍ବଳ ବିକି ସେ ପ୍ରତିଷ୍ଠା କରିଥିଲେ । ଜଣେ ଭଦ୍ରଲୋକ ଆଗେଇ ଆସିଥିଲେ । “ଚାରି ପଇସାର ପାନ ।” କିନ୍ତୁ ତା’ପରେ ପୁଣି ସେ କହିଲେ, “ହାତସାରା ସେଗୁଡ଼ା କ’ଣ ? ଘାଆ-?”

 

“କିଛିନାହିଁ ଆଜ୍ଞା, ଚୂନ ଲାଗି–”

 

“ନାହିଁ ବାବୁ–ବିଷ ରୋଗ । ବେଶ୍ୟାଟା ହଜୁର–”

 

ଜଣେ ଦୁଇଜଣ ହି ହି କରି ହସିଲେ । ଦୋକାନ ଉଠିଗଲା ଯଥାଶୀଘ୍ର । ବିଷକନ୍ୟାର ପରବର୍ତ୍ତୀ କାହାଣୀ ସଂକ୍ଷିପ୍ତ ।

 

ଏଣିକି ନିଷ୍ପନ୍ଦ ରାତ୍ରିର ଆକାଶରେ ଯେତେବେଳେ ବାଦୁଡ଼ିସବୁ ଜହ୍ନକୁ ଭୟ ଦେଖାଇ ଫଡ଼୍‍ ଫଡ଼୍‍ ଉଡ଼ନ୍ତି, ଆପଣ ଯଦି ଯାଇ ସେଇ ଝରକାକୁ ଲକ୍ଷ୍ୟ କରିବେ, ପିଚକାରି ମାରି ଆଲୋକର ଫୁତ୍‌କାର ଆଉ ବିଛୁଡ଼ି ପଡ଼ିବନି । ପଛପଟ ମୈଦାନ ଭିତରେ ଯେଉଁଠି ମଙ୍ଗଳ ଦାସର ଖଣ୍ଡିଆଭୂତ ବୈଶାଖୀ ବତାସରେ ଏକ ଗୋଡ଼ିଆ ନାଚେ, ସେଇ ଦିଗର ଝରକା ଖୋଲାରଖି ଶୋଇପଡ଼ିଥିଲା ହୀରା ।

 

ଦୁଇଦିନ ପରେବି ତା’ର ନିଦ ଭାଙ୍ଗିଲାନି । ସହସ୍ର ଶଯ୍ୟାର କାୟିନ ଶୋଇପଡ଼ିଛି । ଶୋଇରହୁ ।

 

ହଠାତ୍‌ ମଝିରେ ମଝିରେ ସେଇ ଅନ୍ଧାର କୋଠରୀ ଭିତରେ ସୁକ୍‌ ସୁକ୍‌ କାନ୍ଦଣା ଶୁଭେ-। ସେ ହୀରାର ଭୂତ ନୁହେଁ । ବିଶୁଦ୍ଧ ହିନ୍ଦୁ ହୋଟେଲର ଅବୈତନିକ ଲଣ୍ଡା ପୁଝାରୀ ।

Image

 

ଅମୁହାଁ ଦେଉଳ

(ବୀଣାପାଣି ମହାନ୍ତି)

 

ଇରା ! ଇରାବତୀ !

 

ନଦୀପରି ପ୍ରଖର ଗତିରେ ପ୍ରବାହିତ ହେବାକୁ ଇଚ୍ଛାଥିଲେବି ଗତି ସର୍ବଦା ସଙ୍କୁଚିତ ହେବାକୁ ତା’ର ବାଧ୍ୟ । କିଏସେ କେଉଁଠି ଯେମିତି ଅଦୃଶ୍ୟରେ ଗୋଟିଏ ଶକ୍ତି ଅହରହ ତାକୁ ଭିଡ଼ି ଧରୁଛି–କହୁଛି ଆଗକୁ ଯାଆନା, ଯା’ନା ଇରାବତୀ ! ଦୁଇକୂଳରେ ଆକାଶଚୁମ୍ବୀ ଅଳକାପୁରୀ ମଥା ଟେକିଛି ଶସ୍ୟ ଶ୍ୟାମଳୀ ଧରଣୀ ବୁକୁରେ ! ନିର୍ଭୟରେ କିଏ କେତେ ଜନ–ପ୍ରାଣୀ ବିଚରଣ କରନ୍ତି.....ମଣିଷ ପଶୁ ଏକାଠି ଖେଳି ବୁଲି ସ୍ଵପ୍ନ ଦେଖନ୍ତି....ସେମାନେ ଯେ ଅତି ଅସାବଧାନୀ….ଭାସିଯିବେ, ହଜିଯିବେ, ଜଳିଯିବେ–ଗତି ତେଣୁ ଥାଉ ହେଇ ସଙ୍କୁଚିତ, ଥାଉ ଅମୁକ୍ତ, ହେଉ ଅବରୁଦ୍ଧ–

 

ଇରାର ଆଖିରେ ସତେ ଏତେ ଲୁହ ! ଏପରି ଅମାନିଆ ଆଖିବି ତା’ର ସବୁ କଥାରେ ଟକ୍‌ ଟକ୍‌ କରେ–ସବୁ କଥାରେ ବୋଲ ନମାନି ବେଳା ଅବେଳାରେ କରୁଣ ହୁଏ ।

 

କିନ୍ତୁ କାହିଁକି ? ଦେବାର ନା ପାଇବାର ସାନ୍ତ୍ଵନାବୋଧରେ ? ସତେ କିଏ କ’ଣ କାହାକୁ କିଛି ଦିଏନା କିଛି ପାଇଥାଏ । ପାଗଳି : ମନର ବିକୃତି ଯୁଗ ଯୁଗର ସଂସ୍କାରର ପୀଡ଼ନ ।

 

ଇରାବତୀ ନିଜ ଗାଲରେ ନିଜେ ସରୁ କରି ଚାପୁଡ଼ାଏ ମାରିଲା । ସାରା ଜୀବନ ଧରି ମଣିଷ ବଞ୍ଚି ରହେ ଏକ, ଏକ ଖେୟାଲକୁ ଆଶ୍ରୟ କରି । ଗୋଟିକ ପରେ ଗୋଟିଏ ଆସି ଡାଳ ଶାଖା, ପତ୍ର, ପୁଷ୍ପରେ ବିକଶିତ କରି ରଖିଥାଏ ଜୀବନକୁ । ଏ କ୍ରମ ଚାଲିଥାଏ ଘୋଷାରୀତିରେ–ପୁଣି ସମୟ ଆସେ, ଯେତେବେଳେ ପତ୍ରଝଡ଼ା ଦେଇ ବହୁ ଉଦ୍‌ବିଗ୍ନ ମୁହୂର୍ତ୍ତ ଅତିକ୍ରାନ୍ତ ହେଲେବି ପତ୍ର ଆଉ ପଲ୍ଲବିତ ହୁଏନାହିଁ ।

 

ସେ ସମୟ କି ଆସିଗଲା ? ନାହିଁ, ନାହିଁ ନାହିଁ–ସେ ସମୟ ସେ ଉପସ୍ଥିତ ହେବାକୁ ଦେବନାହିଁ । ସେତ ସର୍ବଦା ତା’ର ଶୟନେ ସପନେ ଜାଗରଣେ ମୃଦୁ କରାଘାତ କରି ବୁଲୁଛି–ସୂଚେଇ ଦେଉଛି କେଉଁ ଆଦିମ ଯୁଗରୁ ପ୍ରହରୀ ଭଳି ସେ ଜାଗ୍ରତ, ଉନ୍ମିଦ୍ର । ସାମାନ୍ୟ ଇଂଗିତ ପାଇଲେ ସେ ତାକୁ କୋଳକରି ନେବ । ତା’ର ଚତୁର୍ଦ୍ଦିଗରେ ଉନ୍ମତ୍ତ ବତାସ ଅସହ୍ୟ ବାତାବରଣକୁ ନିମିଷକରେ ଅଗସ୍ତି ପରି ଚଳୁ କରିଦେବ । ତା’ପରେ ? କିଛି ଅଛି ? ଶୂନ୍ୟ–ମହାଶୂନ୍ୟ–ପୁଣି ଘୂର୍ଣ୍ଣନ–ଆବର୍ତ୍ତନ–ସୃଷ୍ଟି ଆଉ ବିଲୟ ।

 

କାନ୍ଥ ଘଣ୍ଟାରେ ଟଂ କରି ବାଜିଲା । ସମୟ ସାଢ଼େ ପାଞ୍ଚ । ସେ ଅଛି, ପ୍ରତିଟି ମୁହୂର୍ତ୍ତରେ ତା’ର ଅସ୍ତିତ୍ଵ ଜାହିର । ତାକୁ ଯେପରି ଇରାବତୀ ଡେଇଁ ଯାଇପାରୁନି–ହାତ ଗୋଡ଼ ବାନ୍ଧିଦେଇ ସେ ତାକୁ କେଉଁଠି ଆକ୍ରାନ୍ତ କରିଦେଇପାରୁନାହିଁ । କାହିଁ ? କାହିଁକି–ଓଃ ?

 

କେଉଁଠି କିଏ କାନ୍ଦୁଛି କି ଆଉ ? ଝର୍କା ପାଖକୁ ଉଠିଯାଇ ଦିଗନ୍ତ ବିସ୍ତାରୀ ଆକାଶ ଓ ପୃଥିବୀକୁ ନିରୀକ୍ଷଣ କଲା ଇରାବତୀ । କିଛି ଦେଖାଯାଉନାହିଁ–ଖାଲି ଏକ ଅସ୍ପଷ୍ଟ କରୁଣ ସ୍ଵର । କେଉଁଠି କେଜାଣି.... ?

 

ଟ୍ରାସ୍‌ । ଧମକ । ନିଜର ଧମକ ନିଜକୁ : କିଛି ନ ହେଲେ ଶେଷ ଅସ୍ତ୍ର ଅଶ୍ରୁ । ଟ୍ରାସ୍‌ ! ବାଜେ–ନିହାତି ମିନିଂଲେସ୍‌ ।

 

ସ୍କୁଟରଟା ଘର୍‌ ଘର୍‌ କରି ଘର ସାମ୍ନାରେ ଅଟକି ଯିବାର ଶବ୍ଦ ହେଲା । ଚନ୍ଦ୍ରକାନ୍ତ ଫେରିଲେ ଅଫିସରୁ । ତା’ ପଛକୁ ପଛ ଫେରିବେ ପୁଅ ତପନ ଓ ସପନ । କେବେ କେମିତି ସାଙ୍ଗରେ ଆସନ୍ତି ସେମାନଙ୍କର ପଢ଼ା ସାଥି କି ଖେଳସାଥି । ସବୁରି ଲୋଡ଼ା ଦିନ ଶେଷରେ ଅବସର–ଶାନ୍ତ ଶୀତଳ ପରିବେଶ ଘରଟିଏ । ନାତିଶୀତୋଷ୍ଣ ବାୟୁମଣ୍ଡଳ । ପ୍ରେରଣା; ଉତ୍ସାହ, ଆଶା, ଉଦ୍ଦୀପନା–ନଦୀଯିବ ଅତିକ୍ରମ କରି ପର୍ବତ, ବନ୍ଧୁର ବକ୍ଷ । ଏହାତ ଚିରାଚରିତ ଜୀବନର ଜୀବିକା ।

 

ଇରାବତୀ ଝର୍କାଟା ବନ୍ଦ କରିଦେଇ ତକିଆ ଉପରେ ମୁହଁ ମାଡ଼ି ଶୋଇବାର ଛଳନା କଲେ । କାହାରି ପ୍ରତି ଅଭିଯୋଗନାହିଁ, ଅଭିମାନନାହିଁ, ଯେପରି ଏପରି ଭାବରେ ଜୀବନ ବିତାଇବା ତାଙ୍କର ଏକ ଚିରାଚରିତ ପ୍ରଥା ଏବଂ ସେଥିରେ ସବୁ ଲୋକଙ୍କର ଆନନ୍ଦ ଆଉ ଶାନ୍ତି ।

 

ପିଠି ଉପରେ ଚନ୍ଦ୍ରକାନ୍ତଙ୍କର ନରମ ହାତର ସ୍ପର୍ଶ । ସେ ଚାହାଁନ୍ତିନାହିଁ, ଇରାବତୀ ଉଠିପଡ଼ି ତାଙ୍କପାଇଁ ବ୍ୟସ୍ତ ହେଉ; ଡାଇନିଂ ଟେବୁଲରେ ଜଳଖିଆ ଧରି ଅପେକ୍ଷା କରୁ, ପିଲାମାନଙ୍କ ଭବିଷ୍ୟତ ବିଷୟରେ ଜଳଖିଆ ଧରି ଅପେକ୍ଷା କରୁ, ପିଲାମାନଙ୍କ ଭବିଷ୍ୟତ ବିଷୟରେ ଆଲୋଚନା କରୁ, କି ଚାକର ପିଅନଙ୍କ ଉଦ୍ଦେଶ୍ୟରେ ତାଙ୍କୁ ବିରକ୍ତ ବ୍ୟସ୍ତ କରିଦେଉ । କିମ୍ବା ଆଜିକାଲି ତ ପ୍ରେମାଳାପ କରିବାକୁ କାହାକୁ ସମୟନାହିଁ । ଆଉ କେବେ ବା ସେ କରିଥିଲା-?

 

“ମା’ କେତେବେଳୁ ଶୋଇଛନ୍ତି ? କାହାର ଉଦ୍ଦେଶ୍ୟରେ ଏ ପ୍ରଶ୍ନ କେଜାଣି ? ଚତୁର୍ଦ୍ଦିଗରେ ଚପା, ଚିପା ସ୍ଵର । କପ୍‌, ପ୍ଲେଟ ଓ ଚାମଚ କଣ୍ଟାର ରୁଣୁଝୁଣୁ ଶବ୍ଦ– ।

 

ହସ ମାଡ଼ୁଛି ଇରାବତୀକୁ । କାହାର କାହାଠେଇଁ ଆବଶ୍ୟକନାହିଁ, ତଥାପି ମେସିନ ପରି ଘର ଚାଲିଛି । କେଜାଣି କେଉଁ ଦିନରୁ ଯେ...... ।

 

ସେ କେବେ ବିଭା ହୋଇ ଏ ଘରକୁ ଆସିଥିଲା, ତାରିଖ ତା’ର ମନେନାହିଁ । ଶାଶୁ ତାକୁ ଖୁଣିବା କଥା ଖୁଣିଥିଲେ, ଯାଆ ନଣନ୍ଦ ଚିଗୁଳେଇ ଯେମିତି କହିବା କଥା କହିଥିଲେ । ଇରାବତୀ ଶାଶୁଘରେ ବୋହୁ ହୋଇ ଯାହା ଯାହା କରିବା କଥା, ମୁହଁରୁ ଗୋଡ଼ ପର୍ଯ୍ୟନ୍ତ ଲୁହଲାଲରେ ଆଣ୍ଠୁଏ ହୋଇ ସେହି ସବୁ କାର୍ଯ୍ୟ ମଧ୍ୟ କରିଥିଲା ବିନା ପ୍ରତିବାଦରେ । ବି. ଏ. ପାଶ୍‌ କରିଥିବାରୁ ତାକୁ ବିବାହ କରିବାକୁ ଚନ୍ଦ୍ରକାନ୍ତ ଟିକିଏ କୁଣ୍ଠାବୋଧ କରିଥିଲେ–ଶାଶୁ ସର୍ତ୍ତ କରିଥିଲେ ବୋହୂ ଚାକିରୀ କରିବନାହିଁ । ଦାଣ୍ଡ ଘାଟରେ ଯାଇଁ ସଭାସମିତିରେ ବସିବ ନାହିଁକି ବାପ ଘରକୁ ଯିବାକୁ ମନ କରିବନାହିଁ–ତେବେ ଯାଇଁ ବାହାଘର ହେବ, ନହେଲେନାହିଁ ।

 

ଇରାବତୀର ବାପା ବାଧ୍ୟ ହୋଇ ରାଜି ହୋଇଥିଲେ । ପାଞ୍ଚ ପାଞ୍ଚଟା । ଝିଅଙ୍କୁ ବେକରେ ବାନ୍ଧି ସେତ ଆଉ ମରି ପାରିବେନାହିଁ । ଆଉ ଝିଅ ଜନ୍ମତ ପରଘରକୁ–ଚାକର ବାକର ଥିଲେ ଚୁଲିମୁଣ୍ଡରୁ ଅବ୍ୟାହତି ମିଳିପାରେ ।

 

ଇରାବତୀ କଥା ମନାଥିଲା ସମସ୍ତିଙ୍କର । ଏପରିକି, ପ୍ରତିବର୍ଷ ଗୋଟି ଗୋଟି କରି ପିଲା ଜନ୍ମ କରିବାକୁ ମଧ୍ୟ ସେ ପଛେଇ ନଥିଲା । ଦଶବର୍ଷରେ ଆଠଟି ସନ୍ତାନ ଜନ୍ମ କରି ସେ ତା’ର ମାତୃତ୍ଵର ଆକାଂକ୍ଷା କେତେ ମେଣ୍ଟେଇଥିଲା କେଜାଣି....ଆଠୋଟିରୁ ତିନୋଟି ଆକାଳରେ ଝଡ଼ି ପଡ଼ିବା ଦୋଷରେ ମଧ୍ୟ ସେ ଆକ୍ରାନ୍ତ ହେଲା । କିନ୍ତୁ କହିବ କାହାକୁ ? ଶାଶୁ କହିଲେ ଡାହାଣୀ ପରି ଖିର ଲୁଚାଇ ଦେଲା, କିନ୍ତୁ ସ୍ଵାମୀ କହିଲେ–ମା’ର ଅନିଚ୍ଛାରେ ସନ୍ତାନ ଜନ୍ମ ହେଲେ ଏଇ ଅବସ୍ଥା ହୋଇଥାଏ । ଆଉ ସେ ନିଜେ ? ସନ୍ତାନ ଦିଅ ବୋଲି କି ମାରିଦିଅ ବୋଲି କହିନାହିଁ । ସେ କ’ଣ ମଣିଷ ? ସେ ପ୍ରତିବାଦ କରିବ କେଉଁଠି । ସେତ ଯନ୍ତ୍ର–ମେସିନ୍‌–ପିଲା ଜନ୍ମ ହେଲାବେଳେ ସେ ଯେମିତି ନୀରବରେ ହସିଛି, ସେମିତି ମରିଗଲାବେଳେ ନୀରବରେ କାନ୍ଦିଛି । କାହାପାଖରେ ହସିବାର କି କାନ୍ଦିବାର କ୍ଷମତା ତା’ର ନାହିଁ–କି ଆଶ୍ଚର୍ଯ୍ୟ ! ସେ କ’ଣ ସତରେ କାଠ ନାଁ ପଥର ? ସକାଳ ଛ’ଟାରୁ ରାତି ବାରଟା ପର୍ଯ୍ୟନ୍ତ ସେ ସବୁ କାମ ନିର୍ଲିପ୍ତ ଭାବରେ କରିଲେବି ଦିନେ ହେଲେ କେହି ତାକୁ କିଛି ପ୍ରଶଂସା କରି, ଆଦରି କରି କଥା କହେନାହିଁ । ସତରେ ବା କ’ଣ କହିବାର ଅଛି-? ନିଜ ଘରକାମ ନିଜେକରିବ ସେଥିରେ ପୁଣି ଗୋଟାଏ ପ୍ରଶଂସା, ଅପ୍ରଶଂସା, ମତାମତ କ’ଣ-? ଖାଉଛି, ପିଉଛି, ପିଲା ଜନ୍ମ କରୁଛି, ରାତ୍ରିରେ ସୁଖନିଦ୍ରା ଯାଉଛି, ଶଙ୍ଖା ସିନ୍ଦୂର ହାତରେ ଜଳ ଜଳ କରି ତା’ର ଗୌରବମୟ ନାରୀ ଜୀବନକୁ ଧନ୍ୟ କରିଛି....

 

–ଅଉ କ’ଣ ଲୋଡ଼ା ?

 

ଚନ୍ଦ୍ରକାନ୍ତ ମଦ ଖାଇଲେବି ତା’ର କହିବାର କିଛିନାହିଁ । ପୁରୁଷ ଲୋକ ରୋଜଗାର ଯେତେବେଳେ କରୁଛନ୍ତି ସେତେବେଳେ ସେ ନ ଖାଇବେ କାହିଁକି ? କଲୋନିସାରା କେଉଁ ସ୍ତ୍ରୀ ଯଦି ସ୍ଵାମୀର ମଦ ଖାଇବାରେ ବିଚଳିତ ନୁହେଁ, ସେ କାହିଁକି ହେବ ? ସେ କ’ଣ ବି. ଏ. ପାଶ କରିଛି ବୋଲି.... ?

 

ସେଦିନ ବଡ଼ପୁଅ ତପନ ତାକୁ ପାଞ୍ଚଟିଟଙ୍କା ମାଗିଥିଲା । କେଉଁଠି ରାତିରେ ତାସ, ଖେଳି ପାଞ୍ଚଟଙ୍କା ସେ ହାରିଯାଇ ପକେଟରେ ପଇସା ନଥିବାରୁ ବଡ଼ ଅପମାନିତ ହୋଇଥିଲା । ଗଞ୍ଜେଇ ଖାଇ ପୁଅର ଆଖି ଲାଲ୍‌ ପଡ଼ିଯାଇ ଭୟଙ୍କର ଦିଶୁଥିଲା । ସେ ଟଙ୍କା ମାଗୁ ନଥିଲା ଯେ ଦାବୀ କରୁଥିଲା....ପୁଅର ମୁହଁକୁ ଚାହିଁ ସେ ଦବି ଯାଇଥିଲା । ତା’ ପାଖରେ ସେ ଟଙ୍କାନାହିଁ, କଥା ପୁଅ କାହିଁକି ବିଶ୍ଵାସ କରିବ ? ନାଁ ସେ ବା କାହିଁକି ତା’ର କୈଫିୟତ୍‌ ତାକୁ ଦେବ । ଦୁନିଆରେ ସବୁ ମା’ମାନେ ପୁଅମାନଙ୍କୁ ଲୁଚେଇ ଟଙ୍କା ଦିଅନ୍ତି, ସ୍ଵାମୀଙ୍କର ଆୟୁରୁ ଟଙ୍କା ରଖି ଅଣ୍ଟନିଅଣ୍ଟ ସମ୍ଭାଳି ନିଅନ୍ତି । ଇରାବତୀ ଯେ ପୁଅକୁ ଜୁଆ ଖେଳିବାପାଇଁ ପାଞ୍ଚଟା ଟଙ୍କା ଦେଇପାରୁନି, କି ମନା କରିପାରୁନି । କାହିଁକି ? ପୁଅର ରାଗିଲା ରାଗିଲା ଆଖିକୁ ଚାହିଁ ସେ ଶଙ୍କି ଯାଉଥିଲା– । ତା’ର ନୀରବତାରେ ପୁଅର ରାଗ ଏତେ ବଢ଼ିଯାଇଥିଲା ଯେ, ସେ ଚିତ୍କାର କରି କହିଥିଲା–“ମୋ ବାପାର ଟଙ୍କାରେ ତୋର ଏତେ ଦିମାକ ! ଜାଣୁ, ତତେ ଘୋଷାଡ଼ି ନେଇ ଦାଣ୍ଡରେ ଛିଡ଼ା କରେଇ ଦେବି ଗୋଟାଏ ମିନିଟରେ ।

 

ଦେ.... ଚାବିଦେ....”

 

ଚାବିଟା ଇରାବତୀର କାନିରୁ ଏକଦମ୍‌ ଛିଡ଼ାଇ ନେଇ ତା’ର ଆଖି ସାମ୍ନାରେ ଆଲମାରୀ ଖୋଲି ସେ ପକେଟରେ କେତେ ବିଡ଼ା ଟଙ୍କା ପୂରେଇ ନେଇ ଚାଲିଗଲା । ଗଲାବେଳେ ଚାବି ନେନ୍ଥାଟା ଫୋଫାଡ଼ି ଦେଲା ତା’ର ଗୋଡ଼କୁ । ରକ୍ତ ମେଞ୍ଚାଏ ଜମାଟ ବାନ୍ଧି ଅନେକ ଦିନ ଇରାବତୀର ଡାହାଣ ପାଦରେ ରହିଥିଲା । ଶରୀରର ଯନ୍ତ୍ରଣା ଠାରୁ ମନର ଯନ୍ତ୍ରଣା ଏତେ ବଢ଼ିଯାଇଥିଲା ଯେ, ଇରାବତୀ ଗୋଟିଏ ଶବ୍ଦ ମଧ୍ୟ ଉଚ୍ଚାରଣ କରିପାର ନଥିଲା ।

 

ଚନ୍ଦ୍ରକାନ୍ତ କଥାଟା ଶୁଣି ହସି ଦେଇଥିଲେ । ଜୁଆ ଖେଳିବା, ଆଡ଼୍‍ଡ଼ା ଦେବା ତ ସବୁ ଯୁଗରେ ପୁରୁଷ ପିଲାର ଅଭ୍ୟାସ । ସେ ବି ଖେଳୁଥିଲେ, ଏବେବି ଖେଳୁଛନ୍ତି–ଆହୁରିବି ଖେଳିବେ–ଏଥିରେ ବ୍ୟସ୍ତ ହେବାର କ’ଣ ଅଛି ? ତା’ପରେ–ଚନ୍ଦ୍ରକାନ୍ତଙ୍କର ଅଭାବ ଥିଲେ ଯାହା କିଛି ପ୍ରଶ୍ନ ଉଠନ୍ତା !

 

ପୃଥିବୀରେ ତାହେଲେ ସବୁ ଅଭାବୀ ଲୋକଙ୍କପାଇଁ, ଅଜ୍ଞାନୀ, ଅପାରିବାର, ଅକ୍ଷମ ଲୋକଙ୍କପାଇଁ ନୀତିନିୟମ କାନୁନ୍‌ ତିଆରି ହୋଇଛି ? ସବୁବେଳେ ସବୁ ଯୁଗରେ ଗଣପାଇଁ ଅଗଣର, ସାଧାରଣ ପାଇଁ ଅସାଧାରଣର ଆନ୍ଦୋଳନ, ବିପ୍ଳବ ଅବ୍ୟାହତ ରହିଛି ! ଅଥଚ ପ୍ରଚ୍ଛନ୍ନ ରହିଛି ନିଜସ୍ଵ ସ୍ଵାର୍ଥ, ଅହଂକାର ଆଉ ଗର୍ବ । ଯେତେଦିନ ପର୍ଯ୍ୟନ୍ତ ଏଇ ସୂତ୍ରରେ, ଏଇ ବିଚାରରେ ଜୀବନ ନିୟନ୍ତ୍ରିତ ହେବ, ସେତେଦିନ ପର୍ଯ୍ୟନ୍ତ......ସେ ତ ବଞ୍ଚିବନାହିଁ ସେତେଦିନ....ତଥାପି ତା’ର ଅସ୍ଥି ମଜ୍ଜା ଭିତରେ ଯେମିତି କେଉଁ ଅନାଗତ ଯୁଗର ଯନ୍ତ୍ରଣା ଜମାଟ ବାନ୍ଧି ତାକୁ ଅସ୍ଥିର କରିଦେଉଛି !

 

ତା’ପରେ ? ଇରାବତୀର ଚଳମାନ ଧାରାବାହିକ ଜୀବନ ଉପରେ ଯେମିତି କିଏ ପୂର୍ଣ୍ଣଚ୍ଛେଦ ଟାଣିଦେବାକୁ ବସିଲା । ସ୍ଵାମୀକୁ ଭୟ କରୁ କରୁ ସେ ପୁଅକୁ ମଧ୍ୟ ଭୟକରି ଶିଖିଲା । କେବଳ ଚତୁର୍ଦ୍ଦିଗରେ ଭୟ, ଭୟ, ଭୟ ! ଜନ୍ମକାଳରୁ ସତେ ଯେମିତି ଅନ୍ଧାର ଘୁଡ଼ୁଘୁଡ଼ିର କୁହୁକକରା ଭୟ ତା’ର ବାହାର ଭିତର ପୋକପରି କୁଟୁ କୁଟୁ କରି ଖାଇଯାଉଛି.... । ଯେତେ ପାଠ ସେ ବହିରେ ପଢ଼ିଥିଲା ସେ କେବଳ ଡିଗ୍ରୀଟିଏ, ଅଦରକାରୀ ଡିଗ୍ରୀଟିଏ ଛଡ଼ା ତାକୁ କିଛି ଦେଇପାରିନି । ଏମିତିକି ତୁଣ୍ଡଖୋଲି ପଦେ କଥା ସାହସ କରି ମଧ୍ୟ ସେ କହିପାରିନି–ଘର ଭିତରେ ସାଲିଶ୍‌ କରି ଇରାବତୀ ଚଳିପାରୁନି–କି ପଦାକୁ ବାହାରି ଯାଇଁ ଏକୁଟିଆ ଛିଡ଼ା ହେବାକୁ ସାହସ କରୁନାହିଁ । କାହିଁକି ? କେତେଦିନ ?

 

ହଠାତ୍‌ ଦିନେ ଏଇପରି ଅବସ୍ଥାରେ ଯେମିତି ଝଣ୍‌ ଝଣ୍‌ କରି କୋଉଠୁ ଗୋଟାଏ ଅଦୃଶ୍ୟ ଶକ୍ତି ତା’ ଦେହ ଭିତରେ ପଶିଯାଇ ବହୁଦିନର କଂସା କବାଟ ଖୋଲିଦେଲା.... । ସେଦିନର ଘଟଣାଟା ମନେପଡ଼ିଲେ ଏବେବି ଭୟରେ ତା’ର ଦେହ କମ୍ପି ଉଠେ–ପୃଥିବୀ ଛାଡ଼ି କେଉଁ ଜନଶୂନ୍ୟ ସାହାରା ମଧ୍ୟକୁ ଚାଲିଯିବାକୁ ଇଚ୍ଛାହୁଏ !

 

ବଡ଼ଝିଅ ଛନ୍ଦାର ବିବାହ ନେଇ ଘଟଣାଟା ଘଟିଗଲା ଅଦ୍ଭୁତ ଭାବରେ । ଛନ୍ଦା ଯେତେବେଳେ ନିଜର ସ୍ଵାଧୀନ ମତବ୍ୟକ୍ତ କରିବସିଲା–ଘରେ ଗୋଟାଏ ଚହଳ ପଡ଼ିଯାଇଥିଲା । ଖାଲି ତାଙ୍କଠାରୁ ଧନ ବା ଜାତିରେ ଊଣା ନୁହେଁ ଅନିରୁଦ୍ଧ–ସେ ଯେ ହରିଜନ ! ମେଧାବୀ ଛାତ୍ର ହେଲେ ତ ସଂସାର ଚଳେ ନାହିଁ–ବଂଶ, କୁଳ ମର୍ଯ୍ୟାଦା ଦେଖିବାକୁ ହୁଏ.... । ସବୁ କଥାରେ ଆଜୀବନ ନୀରବ ଥିବା ମା’ ଆଗରେ ଛନ୍ଦାର କିଛି କହିବାର ପ୍ରୟୋଜନ ନଥିଲା । ଖାଇବା ସମୟରେ ଯେତେବେଳେ ଛନ୍ଦା କଥାଟା ପକାଇଥିଲା, ସେତେବେଳେ ଚନ୍ଦ୍ରକାନ୍ତ ପ୍ରଚଣ୍ଡ ରାଗରେ ଫାଟିପଡ଼ି କହିଥିଲେ–

 

“ଏ ବିବାହ ହୋଇପାରିବନି ! ମୋର ଝିଅ ହୋଇ–ମୋ ମୁହଁରେ ତୁ ଏକଥା କହିବାର ସାହସ କେଉଁଠୁ ପାଇଲୁ ?”

 

ରାଗରେ ତରକାରୀ ପ୍ଲେଟ୍‌ଟି ଛାଟିଦେଲେ ସେ ଇରାବତୀ ଆଡ଼କୁ । ସତେକି ସବୁ ଘଟଣାର ମୂଳକାରଣ ସିଏ !

 

ବହୁଦିନର ସଞ୍ଚିତ ଶୁଖିଲା ପତ୍ରରେ ବୈଶାଖର ବଜ୍ର ଯେମିତି ଅଗ୍ନି ସଂଯୋଗ କରିଦେଲା । ମନେହେଲା ସମଗ୍ର ପୃଥିବୀ ଜଳୁଛି–ଜଳୁଛନ୍ତି ତା’ ଭିତରେ କେଉଁ ଆନାଦି ଅନନ୍ତ ଯୁଗରୁ ନାମହୀନ ଅସଂଖ୍ୟ ନାରୀ ! ଦର୍ପଣରେ ଦେଖିଥିବା ଇରାବତୀ ନିଜର ମୁହଁରେ ଆଖିରେ ଛାତିରେ ଅଗ୍ନି ଧରିଥିବାର ସ୍ପଷ୍ଟ ଦେଖିପାରୁଥିଲା–ଜ୍ଵଳନ ଅନୁଭବ କରୁଥିଲା ପ୍ରତିଟି ରକ୍ତ କଣିକାରେ–

 

“ଏ ବିବାହ ନିଶ୍ଚୟ ହେବ । ତୁମେ ଏମିତି ପାଟିତୁଣ୍ଡ କରି ଝିଅର ଇଚ୍ଛା ବିରୁଦ୍ଧରେ ତାକୁ ବିବାହ ଦେଇପାରିବନି । ମୋ ଭଳି ତାକୁ”.....

 

କଥାଟା ଅଟକିଗଲା ପାଟିରେ । ଠାଏକରି ଅଇଁଠା ହାତ ଚନ୍ଦ୍ରକାନ୍ତଙ୍କର ଇରାବତୀ ଗାଲରେ ବସିଗଲା ! ଆହତ କଣ୍ଠରେ ସପନ କହିଲା–

 

“ତୋର କ’ଣ ଅଛି ମା’ ! ତୁ କାହିଁକି ପାଟି ଫିଟଉଛୁ ? ବାପା ଯେତେବେଳେ ବିଭାଘର ଦେବେ–ସେତେବେଳେ”....

 

“କ’ଣ କହିଲୁ ? ମୁଁ କାହିଁକି ପାଟି ଫିଟଉଛି ? ମୁଁ କିଛି କହିପାରିବିନି–କାହିଁକି ? ମୁଁ କୌଣସି କଥାରେ ମୋ ମତ ମଧ୍ୟ ଦେଇପାରିବିନି ?”

 

ତାଚ୍ଛଲ୍ୟ ହସରେ ଘରଟା ଯେମିତି ଭାଙ୍ଗି ଅଜାଡ଼ି ହୋଇପଡ଼ିବକି ଆଉ ?

 

“ବୁଝିପାରୁନ ! ବି. ଏ. ପାଶ୍‌ ତାହେଲେ କ’ଣ କୁଣ୍ଡାଦେଇ କରିଥିଲ ? ସାମାନ୍ୟ ଗୋଟାଏ ସ୍ତ୍ରୀଲୋକ ହୋଇ ଦେଖୁଛି ତମର ସାହସ କିଛି ତ କମ୍‌ ନୁହେଁ” ?

 

ରାଗରେ ଥରି ଥରି ଚାଲିଗଲେ ଖାଇବା ପାଖରୁ ଚନ୍ଦ୍ରକାନ୍ତ । ଟେବୁଲ ଉପରେ ଥାଳିକୁ ଅନାଇ ଛନ୍ଦା ଚୁପ୍‌ଚାପ୍‌ ଆସନ୍ନ ବିପଦର ଆଶଙ୍କାରେ ସେମିତି କାତର ହୋଇ ଉଠୁଥିଲା । ଫ, ଫ ହୋଇ ବଡ଼ପୁଅ କହିଲା–

 

“ଦେଖିଲୁ ! ବାପା ଉଠିଗଲେ ନଖାଇ ! ତୋର କ’ଣ ଏତେ କଥାରେ ମୁଣ୍ଡ ଖେଳେଇବାରେ ଅଛି ? ଆଉ ଛନ୍ଦା ଅପାର ଏମିତି ହରିଜନ ବାହା ହେବାରେ ଆଗ୍ରହ କାହିଁକି ? ଯୌତୁକ ଦେବାକୁ ଆମର ଯଥେଷ୍ଟ ଶକ୍ତି ଅଛି....‘ହେଁ, ହେଁ, ହେଁ, ସେସବୁ ନାରୀଜାଗରଣ ଆନ୍ଦୋଳନ ଫାନ୍ଦୋଳନରୁ କ୍ଷାନ୍ତ ହୋଇ ସ୍ତ୍ରୀଲୋକ ଯେମିତି ଚଳିବା କଥା ଚଳ–ନଚେତ୍‌ କିଛି ଭଲ କାମ ହେବନି”–

 

–ତପନର ସବୁଦିନ ପରି ନିଶାସକ୍ତ ପରିହାସଭରା କଣ୍ଠ ।

 

ଇରାବତୀ ଭଲକରି ଜାଣିଥିଲା ଚନ୍ଦ୍ରକାନ୍ତ କିମ୍ବା ତପନ କେହି କେବଳ କଥାରେ ରହିଯିବେନାହିଁ । ସେମାନେ ହୁଏତ ଛନ୍ଦାକୁ ଅନ୍ୟତ୍ର ପଠାଇଦେବେ କିମ୍ବା ନିଜ ଜାତିର ଯୋଗ୍ୟ ଅଯୋଗ୍ୟ ଯାହାହେଉ କୌଣସି ଗୋଟିଏ ପାତ୍ର ଠିକଣା କରି ବିବାହ ଦେଇଦେବେ–କି ଅନିରୁଦ୍ଧର କିଛି ଗୋଟିଏ କ୍ଷତି କରାଇଦେବେ, ଯାହା ଫଳରେ ବିବାହ କୌଣସିମତେ ଛନ୍ଦାର ତାହା ସହିତ ହୋଇପାରିବନି । ସବୁଦିନ ନିଜ ଝିଅ ତାଙ୍କପରି ଗୁମୁରି, ଗୁମୁରି ମରିବ– !

 

ସେଦିନ ରାତିରେ ସମସ୍ତେ ଶୋଇସାରିଥିଲା ପରେ ଚୁପ୍‌ ଚୁପ୍‌ ଇରାବତୀ ଛନ୍ଦାକୁ ଯାଇଁ ଡାକିଥିଲା । ପଛପଟ କବାଟ ଖୋଲି ପାଚେରୀ ଦେଇ ସେ ଝିଅକୁ ଆରପଟ ଉଠାଇ ଦେଲାବେଳେ କେବଳ ପଦୁଟିଏ କହିଲା...

 

“ଚାଲିଯା–ଏଘରୁ ଚାଲି ନଗଲେ ତୁ ମଣିଷପରି ବଞ୍ଚିପାରିବୁନି.... ।”

 

‘ମା’ ।” ଛନ୍ଦା ଲୁହର ଝଡ଼ରେ ଭାଙ୍ଗିପଡ଼ିଥିଲା । “ଛିଃ ! କାନ୍ଦୁଛୁ କାହିଁକି ? ତୁ ତ କିଛି ଭୁଲ୍‌ କରିନୁ ! ଭୁଲ୍‌ କରିଛି ମୁଁ । ମୁଁ ବି. ଏ. ପାଶ୍‌ କରିଥିଲି–ଅଥଚ ପଦେ କଥା କହିବାର ସାହସ ମୋରନାହିଁ । କାହିଁକି ଜାଣୁ ? ମୁଁ ଅକ୍ଷମ–ନିଜକୁ ଜାହିର କରିବାର ଶକ୍ତିନାହିଁ, ପରିସ୍ଥିତିନାହିଁ । ମୁଁ ପଶୁପରି ଖାଇପିଇ ବଞ୍ଚିଛି–ଜିନିଷଟେ ପରି ମତେ ଗୋଡ଼ରେ ସମସ୍ତେ ଆଡ଼େଇଦେଇ ଯାଇଛନ୍ତି–

 

–ମୁଁ ଚାହେଁନା ତୁ ବି ଯେମିତି ବଞ୍ଚିରହ ! ତୁ ଚାଲିଯା’–ତୋ ଦେହରେ ମନରେ ଶକ୍ତି ଅଛି–ତୁ ଲଢ଼େଇ କରିକୁ ବଞ୍ଚିକୁ ମଣିଷପରିନାହିଁ ଯଦି ନ ପାରିବୁ ନ ପାରିବୁ ତେବେ ଚିରଦିନ ପାଇଁ ହଜିଯିବୁ ପଛକେ ମୋ ଭଳି ବଞ୍ଚି ରହିବାକୁ କେବଳ ଚେଷ୍ଟା କରିବୁନାହିଁ । ମୁଁ ଜାଣେ ତୁ ପାରିବୁ–ପାରିବୁ....ନିଶ୍ଚୟ ପାରିବୁ ।”

 

ସେ ପ୍ରାୟ ଏକବର୍ଷ ତଳର ଘଟଣା ହେଲାଣି । ଛନ୍ଦାର ଜନ୍ମ ଯେମିତି ପରିବାରରେ କାହାମନରେ ଆନନ୍ଦ ଦେଇ ନଥିଲା–ତା’ର ଅନୁପସ୍ଥିତି ସେମିତି ବିଷାଦ କାଣିଚାଏବି ସୃଷ୍ଟି କରି ନଥିଲା । ଚନ୍ଦ୍ରକାନ୍ତଙ୍କର ହିସାବପତ୍ରରେ ଚାରୋଟି ସନ୍ତାନ ବଦଳରେ ତିନୋଟି ବୋଲି କେବଳ ଉଲ୍ଲେଖ କରାଯାଇଥିଲା । ନୀରବ ବେଦନାର ଝଡ଼ରେ ଧୂଳିସାତ୍‌ ହେଲେବି ଇରାବତୀ କାହାକୁ କିଛି କହି ନଥିଲା । ଚନ୍ଦ୍ରକାନ୍ତ ଓ ତପନ ଗଭୀର ସନ୍ଦେହରେ ତାକୁ ଅଯଥା ବାକ୍ୟବାଣରେ ଆକ୍ରାନ୍ତ କଲେବି ସେ ଚୁପ୍‌ ରହିଥିଲା !

 

ମାତ୍ର କେତେ ଦିନ ? କେତେ ଦିନ ସୁବର୍ଣ୍ଣ ପଞ୍ଜରୀରେ ବନ୍ଦୀକରି ରଖାଯାଇପାରେ ଆକାଶର ଉଡ଼ନ୍ତା ମୁକ୍ତିକାମୀ ବିହଙ୍ଗମଟିକୁ ?

 

ଅଶାନ୍ତି, ଅଶାନ୍ତିରେ ଇରାବତୀ ଶଯ୍ୟାଶାୟୀ ହୋଇଗଲା । ପ୍ରତିଦିନ ଫାକ୍‌ଟ୍ରିରୁ କ୍ଲବ ଯାଇଁ ଏବଂ ରାତି ଅଧରେ ନିଶାଶକ୍ତ ଭାବରେ ବିନା ବାକ୍ୟବ୍ୟୟରେ ନିଜର ଶାରିରୀକ କ୍ଷୁଧା ମେଣ୍ଟାଇ ଚନ୍ଦ୍ରକାନ୍ତ ଶୋଇପଡ଼ନ୍ତି ଅଘୋର ନିଦରେ । ଉଜାଗର ରାତ୍ରିରେ ଇରାବତୀର ଦେହ ଘୃଣାରେ ଯେମିତି ବିଷାକ୍ତ ହୋଇଯାଏ ନିଜ ମନପାଖରେ ।

 

ସେପାଖ ଘରୁ ତପନ ଓ ସପନର କୋଳାହଳ ବେଳେ ବେଳେ ଭାସିଆସେ । ସେମାକେ ଜାଣନ୍ତି ଛନ୍ଦାଅପାର ଅସବର୍ଣ୍ଣ ବିବାହ ପରେ ମା’ ଚିନ୍ତାରେ ଯେମିତି ମୂକ ହୋଇଯାଇଛି-। ଡାକ୍ତରଙ୍କ କଡ଼ା ନିର୍ଦ୍ଦେଶ ମଧ୍ୟ ଇରାବତୀକୁ କେହି ଡିଷ୍ଟାର୍ବ କରିବେନାହିଁ... ! ବେଳେ ବେଳେ ସ୍ନିଗ୍‌ଧା ସନ୍ଧ୍ୟାର କଥା ଭାବି ଇରାବତୀ ବ୍ୟାକୁଳ ହୋଇଉଠେ । ଆହା ବିଚାରୀ ? ଛନ୍ଦାର ଅନ୍ତର୍ଦ୍ଧାନ ପରେ ଦୁଇଟିଯାକ ଝିଅଙ୍କୁ ମାଟ୍ରିକ୍‌ ପାଶ୍‌ ନ କରିଥିବା ସତ୍ତ୍ୱେବି ଚନ୍ଦ୍ରକାନ୍ତ ବିବାହ ଦେଇଦେଲେ ଗୋଟିଏ ତିଥିରେ । ଅଯୋଗ୍ୟ ଅର୍ଦ୍ଧଶିକ୍ଷିତ ପାତ୍ର । ଅଥଚ ଆଭିଜାତ୍ୟ ଓ ସମ୍ପତ୍ତିର ପ୍ରାଚୁର୍ଯ୍ୟ ଭରି ରହିଛି । ଆଉ କେତେ ଦିନ ଗଲେ ସେମାନେ ହେବେ ମା’–ଠିକ୍‌ ତା’ରି ପରି ବଞ୍ଚି ରହିବାକୁ ଚେଷ୍ଟା କରୁ କରୁ ମୁହୂର୍ତ୍ତ ମୁହୂର୍ତ୍ତ ଧରି ମରିଯାଉଥିବେ...ଉଃ !

 

ଅସହ୍ୟ ବେଦନାରେ ଇରାବତୀ କର ଲେଉଟାଇଲା । ଗମ୍‌ ଗମ୍‌ ଝାଳ ବୋହିଯାଉଛି–ନିଶ୍ଵାସ ରୁଦ୍ଧ ହୋଇ ଆସୁଛି । ଅଥଚ ଏୟାର କଣ୍ଡିସେନ୍‌ଡ଼୍‍ ଡନଲପ୍‌ ଗଦିରେ ସେ ଶୋଇଛି ।

 

ଘରଭିତରେ ଆଉ କିଛି ଶବ୍ଦନାହିଁ । ଯେ ଯୁଆଡ଼େ ଗଲେଣି । ଏମିତିକି ଚାକରଗୁଡ଼ାକ ମଧ୍ୟ ଚୁପ୍‌ଚାପ୍‌ । ନିଶବ୍ଦଅନ୍ଧାର ଲଦି ହୋଇଯାଉଛି ଛାତି ଉପରେ–ଅଚଳ ଲାଗୁଛି ଶରୀରର ସମସ୍ତ ଯନ୍ତ୍ର ।

 

କେତେଦିନ ? ଆଉ କେତେଦିନ ଏମିତି ଅଲୋଡ଼ା, ଅବାଞ୍ଛିତ ହୋଇ ସେ ବଞ୍ଚି ରହିବ-? ୟାକୁଇ କହନ୍ତି ତେବେ ଭାଗ୍ୟ–କିଏ ତିଆରି କରେ ତାକୁ ? କେଉଁ ଧାତୁରେ ସେ ଗଢ଼ା ହୋଇଛି ଯେ’ ଥରେ ତିଆରି ହୋଇଗଲେ କେହି ତାକୁ ଭାଙ୍ଗି ଗଢ଼ି ପାରିବେନାହିଁ । କିଏ ସେ, କିଏ ସେ ତା’ର ସୃଷ୍ଟି କର୍ତ୍ତା ? ଭଗବାନ ନାଁ ସୟତାନ ? କିଏ ସେ ? ଜାଣେ, ଜାଣେ ଇରାବତୀ, କିଏ ସେ ଜାଣେ....ଭଲକରି ଜାଣେ !

 

ହଠାତ୍‌ ଚିତ୍କାର କରି ଉଠିଲା ଇରାବତୀ ସମସ୍ତ କୂଳ ଅକୂଳ ଭୁଲିଯାଇ, ଭୁଲିଯାଇ ଦୁଇ ତଟର ଶସ୍ୟଶ୍ୟାମଳ ବେଜୁ ପୃଥିବୀର ଆକାଶଚୁମ୍ବୀ ଅଟ୍ଟାଳିକା ଆଉ ତା’ର ସବୁ ଅସାବଧାନୀ ଜନତାର ବିଚିତ୍ର ପୈଶାଚିକ ଇତିବୃତ୍ତିକୁ :

 

ରୁଦ୍ଧ ଯନ୍ତ୍ରଣାରେ ତା’ର ସ୍ଵର ଅବଲୁପ୍ତ ହେଉଥିଲା ! ଦୁଇ ଦୁର୍ବଳ ହାତର ପାପୁଲି ନିଜର କଣ୍ଠଦେଶରେ ଅସାଡ଼ ହୋଇଯାଉଥିଲେ ।

Image

 

 

 

 

 

 

 

 

 

 

ପରିଶିଷ୍ଟ

(ଲେଖକ ଲେଖିକାଙ୍କ ପରିଚୟ)

 

ଗୋପୀନାଥ ମହାନ୍ତି

 

କଟକ ଜିଲ୍ଲାର ନାଗବାଲି ଗ୍ରାମରେ ୧୯୧୪ ମସିହା ଏପ୍ରିଲ୍‌ କୋଡ଼ିଏ ତାରିଖରେ ଗାଳ୍ପିକ ମହାନ୍ତିଙ୍କ ଜନ୍ମ । ଇଂରାଜୀ ସାହିତ୍ୟରେ କୃତିତ୍ଵର ସହିତ ଏମ୍‌. ଏ. ପାଶ କରି ଓଡ଼ିଶା ସରକାରଙ୍କ ଶାସନ ବିଭାଗରେ କର୍ମ କରିଥିଲେ । ଏ ଦେଶର ଅବହେଳିତ ଆଦୀବାସୀ, ହରିଜନ, ପରଜା, ଶବର, କନ୍ଧ, କୋହ୍ଲ ପ୍ରଭୃତି ଉପଜାତି ସମ୍ପର୍କରେ ସାହିତ୍ୟ ସୃଷ୍ଟି କରି ସଭ୍ୟ-ସମାଜ ଆଗରେ ସେ ଉପସ୍ଥାପିତ କରିଛନ୍ତି । ଲେଖକଙ୍କ ‘ଅମୃତ ସନ୍ତାନ’ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ଵାରା ପୁରଷ୍କୃତ ହେବା ସଙ୍ଗେ ସଙ୍ଗେ ତାଙ୍କର ‘ମାଟି ମଟାଳ’ ଭାରତୀୟ ଜ୍ଞାନପୀଠଦ୍ଵାରା ପୁରଷ୍କୃତ-। ଗୋପୀବାବୁଙ୍କର ଅନ୍ୟାନ୍ୟ ଉପନ୍ୟାସ ସବୁ ହେଲା ପରଜା, ହରିଜନ, ମନ ଗହୀରର ଚାଷ, ଦାଦିବୁଢ଼ା, ଶରତବାବୁଙ୍କ ଗଳି, ସପନ ମାଟି, ଦାନାପାଣି, ଶିବ ଭାଇ, ଅପହଞ୍ଚ, ଲୟ ବିଲୟ, ଆକାଶ ସୁନ୍ଦେରୀ, ଦୁଇ ପତ୍ର, ନବବଧୂ ଓ ଗଳ୍ପଗ୍ରନ୍ଥ ମଧ୍ୟରେ ଛାଇ ଆଲୁଅ, ଘାସ ଫୁଲ, ଉଡ଼ନ୍ତା ଖଇ ପ୍ରଭୃତି ପ୍ରଧାନ । ଏଇଦ୍‌ବ୍ୟତୀତ ଲେଖକ ଅଳ୍ପ କେତୋଟି ନାଟକ, ଜୀବନୀ, ଭାଷାତାତ୍ତ୍ୱିକ ପୁସ୍ତକ ଓ ସମାଲୋଚନା ସାହିତ୍ୟ ସୃଷ୍ଟି କରି ଓଡ଼ିଆ ସାହିତ୍ୟରେ ଏକ ବିସ୍ମୟ ସୃଷ୍ଟି କରିଛନ୍ତି ।

 

କଥାକାର ଗୋପୀନାଥ ଆଧୁନିକ ଓଡ଼ିଆ କଥା ସାହିତ୍ୟରେ ଏକ ବରେଣ୍ୟ ପ୍ରତିଭା । ଫକୀରମୋହନଙ୍କ ପରେ ଓଡ଼ିଶାର ପରିବର୍ତ୍ତିତ ସଂସ୍କୃତିକ ଜୀବନକୁ ଯେପରି ଉପଲବ୍‌ଧି କରିଛନ୍ତି ସେହିପରି ଯୁଦ୍ଧୋତ୍ତର ସାମାଜିକ ପରସ୍ଥିତି, ସ୍ଵାଧୀନତା ପରବର୍ତ୍ତୀ ନାଗରିକ ଜୀବନର ସଙ୍କଟ ଓ ଅସହାୟତାକୁ ରୂପ ଦେବାରେ ସମର୍ଥ ହୋଇଛନ୍ତି । ଗୋଟିଏ ଗୋଟିଏ ମୁହୂର୍ତ୍ତର ବିଶେଷ ଭାବସତ୍ତାକୁ ରୂପାୟନ କରି ଚରିତ୍ରମାନଙ୍କ ମଧ୍ୟରେ ନିଜର ବ୍ୟକ୍ତି ସତ୍ତାକୁ ବିଚ୍ଛୁରିତ କରି ଦେଇଛନ୍ତି-। ଲେଖକଙ୍କ କ୍ଷୁଦ୍ରଗଳ୍ପ ଅପେକ୍ଷାକୃତ ଦୀର୍ଘ ଓ ବ୍ୟଞ୍ଜନା ଅପେକ୍ଷା ବର୍ଣ୍ଣନାର ଗୁରୁତ୍ଵ ଏଥିରେ ଅଧିକ ପରିମାଣରେ ଉପଲବ୍‌ଧ । ଅର୍ଥନୀତି ପରିପୀଡ଼ିତ ମଣିଷର ଅସହାୟତା ଜନିତ ମାନସିକ ଯନ୍ତ୍ରଣା, କ୍ଷମତାଦୃପ୍ତ ବ୍ୟକ୍ତିର ଆତ୍ମାଭିମାନ, ଆଧୁନିକ ଚାକିରୀଜୀବୀର ମାନସିକ ଦାସତ୍ଵ ଓ ଅସହାୟତା ପ୍ରଦତ୍ତ ଗଳ୍ପରେ ପ୍ରକାଶିତ ।

 

ରାଜକିଶୋର ରାୟ

 

ପୁରୀ ଜିଲ୍ଲାର ଛତାବର ଗ୍ରାମରେ ୧୯୧୪ ସାଲରେ ରାଜକିଶୋର ରାୟଙ୍କ ଜନ୍ମ । ଛାତ୍ର ଜୀବନରୁ ସେ ଅଭିନୟ, ସଙ୍ଗୀତ ତଥା ସାହିତ୍ୟ ସେବା ପ୍ରତି ଗଭୀର ଅନୁରାଗ ପ୍ରଦର୍ଶନ କରିଥିଲେ । ଅଦ୍ୟାପି ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ ମଧ୍ୟରେ ନୀଳ ଲହରୀ, ବିକଚ ଶତଦଳ, ଜୟଶ୍ରୀ, ବନଜ୍ୟୋତ୍ସ୍ନା, ଅଶୋକ ଚକ୍ର, ଜୟ ଶଙ୍ଖ, ଦାପାଳୀ, ଶୋଣିତ କାବ୍ୟ, ପଙ୍କ ଚନ୍ଦନ, ମନର ମୃଣାଳ, ଜୀବନ ସଙ୍ଗୀତ, ମଧ୍ୟାହ୍ନର ମରୁପଥେ, ଏହି କି ଦେବାୟତନ ପ୍ରଭୃତି ପାଠକ ସମାଜରେ ବେଶ୍ ଆଦୃତ ଓ ସୁପରିଚିତ ହୋଇଛି ।

 

ଓଡ଼ିଆ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ କଥାକାର ରାଜକିଶୋର ରାୟ ଏକ ଉଲ୍ଲେଖଯୋଗ୍ୟ ପ୍ରତିଭା । ପ୍ରାକ୍‌ ସ୍ଵାଧୀନତା କାଳରୁ ଅଦ୍ୟାବଧି ଓଡ଼ିଆ ଗଳ୍ପ ସାହିତ୍ୟରେ ସେ ବହୁ ପରୀକ୍ଷା ନିରୀକ୍ଷା କରି ଆସିଛନ୍ତି । ଦୈନନ୍ଦିନ ଜୀବନର ବହୁ ପରିଚିତ ଘଟଣା ମଧ୍ୟରେ ଜୀବନର ମହନୀୟତା ଉପସ୍ଥାପନା କରିବା ହେଲା ତାଙ୍କର ପ୍ରଧାନ ବିଶେଷତ୍ଵ । ଆଭିଜାତ୍ୟ ପୂର୍ଣ୍ଣ ଭାଷାଶୈଳୀ, ଶବ୍ଦାଡ଼ମ୍ବରର ବିଚିତ୍ର ଝଂକାର, ରୋମାଣ୍ଟିକ୍‌ ଭାବପ୍ରବଣତା ଓ ଆବେଗପୂର୍ଣ୍ଣ କଳ୍ପନା ପ୍ରୀତି ମାଧ୍ୟମରେ ସାଧାରଣ ବ୍ୟକ୍ତି ବିଶେଷର କୋମଳ ଅନୁଭୂତି ସବୁକୁ ରୂପାୟିତ କରିବାରେ ସେ ସିଦ୍ଧହସ୍ତ । ପ୍ରଦତ୍ତ ଗଳ୍ପ ମଧ୍ୟରେ ସମାଜ ସଚେତନତା, ଆଧୁନିକ ଜୀବନଧାର ପ୍ରତି ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣର ପରିପ୍ରକାଶ କରିବାକୁ ଯାଇ ଲେଖକ ଗ୍ରାମ୍ୟ ଜୀବନର ସାଧାରଣ ମଣିଷର ଅସହାୟତାକୁ ରୂପ ଦେଇଛନ୍ତି ।

 

ସୁରେନ୍ଦ୍ର ମହାନ୍ତି

 

କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗ୍ରାମରେ ୧୯୨୬ ମସିହାରେ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ । ଗାଳ୍ପିକ, ଔପନ୍ୟାସିକ ଓ ସମାଲୋଚକ ଭାବରେ ଅତ୍ୟାଧୁନିକ ଓଡ଼ିଆ ସାହିତ୍ୟରେ ସେ ଏକ ସମ୍ମାନିତ ଆସନର ଅଧିକାରୀ ହୋଇପାରିଛନ୍ତି । ସେ ଏକାଧାରରେ ସାମ୍ବାଦିକ, ସାହିତ୍ୟିକ ସମାଲୋଚକ ଓ ରାଜନୀତିଜ୍ଞ । ତାଙ୍କର ସାହିତ୍ୟିକ କୃତି ସମୂହ ସର୍ବଭାରତୀୟ ସ୍ତରରେ ମଧ୍ୟ ସ୍ଵୀକୃତି ଲାଭ କରିପାରିଛି ।

 

ତାଙ୍କର ଗଳ୍ପଗ୍ରନ୍ଥଗୁଡ଼ିକ ମଧ୍ୟରେ ମହାନଗରୀର ରାତ୍ରି, କୃଷ୍ଣଚୂଡ଼ା, ରୁଟି ଓ ଚନ୍ଦ୍ର, ଶେଷ କବିତା, ଦୁଇ ସୀମାନ୍ତ, ମହାନିର୍ବାଣ, ମରାଳର ମୃତ୍ୟୁ, ସବୁଜ ପତ୍ର ଓ ଧୂସର ଗୋଲପ, କବି ଓ ନର୍ତ୍ତକୀ ପ୍ରଭୃତି ଉଲ୍ଲେଖଯୋଗ୍ୟ ସୃଷ୍ଟି । ଅନ୍ଧ ଦିଗନ୍ତ, ନୀଳଶୈଳ, ଶତାବ୍ଦୀର ସୂର୍ଯ୍ୟ ଓ କୁଳବୃଦ୍ଧ ପ୍ରଭୃତି ଉପନ୍ୟାସ ଗୋଟିଏ ଗୋଟିଏ ସାର୍ଥକ ସୃଷ୍ଟି ଏତତ୍‌ବ୍ୟତୀତ ଫକୀରମୋହନ ସମୀକ୍ଷା, ଓଡ଼ିଆ ସାହିତ୍ୟର ଆଦିପର୍ବ ଓ ମଧ୍ୟପର୍ବ ଏବଂ ଉତ୍କଳ ଯୁଗେ ଯୁଗେ ପ୍ରଭୃତି ଆଲୋଚନାତ୍ମକ ପ୍ରବନ୍ଧ ରଚନାରେ ଶ୍ରୀଯୁକ୍ତ ମହାନ୍ତିଙ୍କ ଦକ୍ଷତା ପରିସ୍ଫୁଟ ।

 

କଥାକାର ସୁରେନ୍ଦ୍ର ମହାନ୍ତି ଶୈଳୀ, ବିଷୟ ନିର୍ବାଚନ ତଥା ଭାଷା ପ୍ରୟୋଗରେ ନୂତନ ବୈପ୍ଳବିକ ସୂତ୍ରଧର । ସୁନିର୍ବାଚିତ ବ୍ୟଞ୍ଜନାପୂର୍ଣ୍ଣ ଶବ୍ଦ ପ୍ରୟୋଗ, ଜୀବନ୍ତ ବାତାବରଣ ସୃଷ୍ଟି, ଆଧୁନିକ ଅର୍ଥନୀତି, ପରିବର୍ତ୍ତିତ ସାମାଜିକ ମୂଲ୍ୟବୋଧ ଓ ଆଧୁନିକ ଯୁଗ ଚେତନାର ବହୁ ଘାତ ପ୍ରତିଘାତମୟ ସୂକ୍ଷ୍ମ ପରିକଳ୍ପନା ସୁରେନ୍ଦ୍ର ମହାନ୍ତିଙ୍କ ବିଶେଷତ୍ଵ । ଅତୀତ ପ୍ରତି ଏକ ରୋମାଣ୍ଟିକ ଭାବ ବିହ୍ଵଳତା ତଥା ପ୍ରାଚୀନ ପୁରାଣ ମଧ୍ୟରେ ବିଷୟବସ୍ତୁ ସଂଗ୍ରହ କରି ମାନବିକ ଆବେଦନ ପୂର୍ଣ୍ଣ ସାର୍ଥକ ଗଳ୍ପ ସେ ସୃଷ୍ଟି କରିଛନ୍ତି ।

 

ବ୍ରହ୍ମାନନ୍ଦ ପଣ୍ଡା

 

ଗଞ୍ଜାମ ଜିଲ୍ଲାର ସେରଗଡ଼ ନିକଟବର୍ତ୍ତୀ ଚିକିଲି ଗ୍ରାମରେ ୧୯୨୨ ମସିହାରେ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ପଣ୍ଡାଙ୍କ ଜନ୍ମ । ଛାତ୍ର ଜୀବନରୁ କବିତା, ଏକାଙ୍କିକା ଓ କ୍ଷୁଦ୍ରଗଳ୍ପ ରଚନା କରିବାରେ ସେ ମନୋନିବେଶ କରିଥିଲେହେଁ ଗାଳ୍ପିକ ଭାବରେ ସେ ଅଧିକ ଯଶସ୍ଵୀ ହୋଇପାରିଛନ୍ତି । ଅଦ୍ୟାପି ପ୍ରକାଶିତ ତାଙ୍କର ଗଳ୍ପ ସଂକଳନଗୁଡ଼ିକ ମଧ୍ୟରେ ସାଧାରଣ ସତ୍ୟ, ମହକ, ଭୋଳିକକା, ଫଳଗୁର ତରଙ୍ଗ, କଳା ଓ କଳ୍ପନା, ଆତ୍ମ ପରିଚୟ ଆଦି ବିଶେଷ ଆଦର ଲାଭ କରିଛି-

 

ଜଣେ ସମ୍ପୂର୍ଣ୍ଣ ନୂତନ ଧରଣର ଗଳ୍ପ ଲେଖକ ଭାବରେ ବ୍ରହ୍ମାନନ୍ଦ ପଣ୍ଡା ଅତ୍ୟାଧୁନିକ କାଳରେ ଖ୍ୟାତି ଅର୍ଜନ କରିଛନ୍ତି । ଓଡ଼ିଆ ଗଳ୍ପ ଜଗତରେ ସର୍ବପ୍ରଥମେ ଆଭାସଧର୍ମୀ କ୍ଷୁଦ୍ର ଗଳ୍ପ ଲେଖି ସେ ଯଶସ୍ଵୀ ହୋଇଛନ୍ତି । ଜୀବନ୍ତ ଓ ବାସ୍ତବ ଚରିତ୍ର ସହିତ ନୂତନ ଦୃଷ୍ଟିଭଙ୍ଗୀ ଓ ପ୍ରୟୋଗବାଦୀ ଶୈଳୀ ତାଙ୍କ ଗଳ୍ପ କଳାର ଅନ୍ୟତମ ବୈଶିଷ୍ଟ୍ୟ । ଆଧୁନିକ ଯନ୍ତ୍ର ଯୁଗର ମଣିଷ ଐତିହ୍ୟ, ପରମ୍ପରା ଓ ବୁନିୟାଦୀକୁ ପରିହାର କରି କ୍ରମଶଃ ସଭ୍ୟ ଓ ଉନ୍ନତ ହେବାର ପରିକଳ୍ପନା କରି କିପରି ଅନ୍ତଃସାରଶୂନ୍ୟ ହୋଇପଡ଼ୁଛି ତାହାର ଇଙ୍ଗିତ ଏହି ଗଳ୍ପରେ ପ୍ରକାଶ ପାଇଛି ।

 

କିଶୋରୀଚରଣ ଦାସ

 

ସାଂପ୍ରତିକ କାଳର ସ୍ଵନାମଧନ୍ୟ ଗାଳ୍ପିକ ୧୯୨୪ ସାଲରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ଭାରତ ସରକାରଙ୍କ ଶାସନ ବିଭାଗରେ ଉଚ୍ଚ ପଦସ୍ଥ କର୍ମଚାରୀଭାବେ ଦେଶ ବିଦେଶରେ ମହାନଗରୀର ବିପୁଳ ଜନସମାବେଶ ଓ ବିଭିନ୍ନ ଚରିତ୍ରକୁ ଦେଖିବାର ସୁଯୋଗ ସେ ଲାଭ କରିଛନ୍ତି । ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ ମଧ୍ୟରେ ଭଙ୍ଗା ଖେଳଣା, ଲକ୍ଷ୍ୟ ବିହଙ୍ଗ, ମଣିହରା, ଘରବାହୁଡ଼ା, ଠାକୁରଘର ଆଦି ପ୍ରଧାନ ।

 

ଗାଳ୍ପିକ ଅବଚେତନ ମନର ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ଳେଷଣ ଓ ମନସ୍ତାତ୍ତ୍ୱିକ ଚିତ୍ରଣ ପ୍ରତି ଅଧିକ ଦୃଷ୍ଟି ପ୍ରଦାନ କରିଛନ୍ତି । ଗଳ୍ପଗୁଡ଼ିକରେ ଆଧୁନିକ ମଣିଷ ମନର କଠୋରତା, ସ୍ନେହମମତାହୀନ ପରିବାର ମଧ୍ୟରେ ମୂଲ୍ୟବୋଧହୀନତା ବ୍ୟଥିତ ପ୍ରାଣର ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଆଦି ବିଶେଷ ସ୍ଥାନ ପାଇଥାଏ । ପ୍ରଦତ୍ତ ଗଳ୍ପରେ ଅହଂପ୍ରବଣ, ସ୍ଵାର୍ଥ ସର୍ବସ୍ଵ ଆତ୍ମ ସଚେତନ ଆଧୁନିକ ମଣିଷର ଅସହାୟତା, ନିଃସଙ୍ଗତା ଓ ଦୁର୍ବଳତାକୁ ଗାଳ୍ପିକ ସଂଯତ ଭାବରେ ଉପସ୍ଥାପନ କରିବାରେ ସମର୍ଥ ହୋଇଛନ୍ତି ।

 

ମହାପାତ୍ର ନୀଳମଣି ସାହୁ

 

୧୯୨୬ ମସିହା ଡିସେମ୍ବର କୋଡ଼ିଏ ତାରିଖରେ କଟକ ଜିଲ୍ଲାର ନିଆଳି ଗ୍ରାମରେ କଥାକାର ଶ୍ରୀଯୁକ୍ତ ସାହୁ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶାର ଶିକ୍ଷା ବିଭାଗରେ ଅଧ୍ୟାପକ ଭାବରେ ସେ ଅବସ୍ଥାପିତ । କବିତା ରଚନାରେ ସାହିତ୍ୟିକ ଜୀବନର ଆରମ୍ଭ ହୋଇଥିଲେହେଁ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ରଚନାରେ ଲେଖକ ଅଧିକ ସଫଳତା ଲାଭ କରିଛନ୍ତି । ତାଙ୍କର ପ୍ରକାଶିତ ଗଳ୍ପଗ୍ରନ୍ଥଗୁଡ଼ିକ ମଧ୍ୟରେ ପ୍ରେମ ଓ ତ୍ରିଭୁଜ, ମିଛବାଘ, ଶୁଣନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ ଗଞ୍ଜେଇ ଓ ଗବେଷଣା, ସୁମିତ୍ରାର ହସ, ବିଷ୍ଣୁ ମାୟା, କପୋତ ପକ୍ଷୀ ଗୁରୁମୋର, ଅନ୍ଧରାତ୍ରିର ସୂର୍ଯ୍ୟ ପ୍ରଭୃତି ପ୍ରଧାନ । ଏତଦ୍‌ବ୍ୟତୀତ ଧରା ଓ ଧାରା’ ଏବଂ ‘ତାମସୀ ରଧା’ ଉପନ୍ୟାସ ଦୁଇଟି ପାଠକମାନଙ୍କର ଦୃଷ୍ଟିଆକର୍ଷଣ କରିଛି ।

 

ଗାଳ୍ପିକଙ୍କର ବ୍ୟଙ୍ଗାତ୍ମକ ଓ ବିଦ୍ରୁପପରାୟଣ ଦୃଷ୍ଟିଭଙ୍ଗୀ ସର୍ବପ୍ରଥମେ ପାଠକକୁ ବିଶେଷ ଆକର୍ଷଣ କରିଥାଏ । ସାମାଜିକ ସ୍ଥିତିସ୍ଥାପକତା ଓ ସାମାଜିକ ଜୀବନ ଧାରରେ ବ୍ୟକ୍ତି ଚେତନାକୁ ବିଦ୍ରୁପ କରି ସାମାଜିକ ଆଦର୍ଶ ପ୍ରତିଷ୍ଠା ଓ ସଂସ୍କାର ଆନୟନ କରିବା ଥିଲା ତାଙ୍କର ପ୍ରଧାନ ଲକ୍ଷ୍ୟ-। ତାଙ୍କର ମେଡ଼ିସିନ୍‌ ଗଳ୍ପ ମଧ୍ୟରେ ଜୀବନ ପ୍ରତି ଅଖଣ୍ଡ ଶ୍ରଦ୍ଧା ଓ ଗଭୀର ମମତା ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଯୁଗରୁଚିରେ ବ୍ୟକ୍ତି ଜୀବନର ରୁଚି କିପରି ଭିନ୍ନ ତାହା ସୁନ୍ଦର ଭାବରେ ପ୍ରକାଶ ପାଇଛି ।

 

ଅଖିଳମୋହନ ପଟ୍ଟନାୟକ

 

ଗାଳ୍ପିକ ଅଖିଳ ମୋହନ ପଟ୍ଟନାୟକ ୧୯୨୭ ମସିହା ଡିସେମ୍ବର ମାସରେ ପୁରୀ ଜିଲ୍ଲାର ଖୋର୍ଦ୍ଧାରେ ଜନ୍ମ ଗ୍ରହଣ କରିଥିଲେ । ପିତା ଶ୍ରୀ ବାଙ୍କନିଧି ପଟ୍ଟନାୟକଙ୍କ ଯୋଗ୍ୟତମ ଦାୟାଦ ଭାବରେ ଓଡ଼ିଆ ଗଳ୍ପ ସାହିତ୍ୟର ସେ ପ୍ରଭୃତ ଉନ୍ନତି ସାଧନ କରିଛନ୍ତି । ଆଇନଜୀବୀ ଭାବରେ ଶ୍ରୀଯୁକ୍ତ ପଟ୍ଟନାୟକ ବହୁ ଚରିତ୍ରର ସଂସ୍ପର୍ଶରେ ଆସିବା ସଙ୍ଗେ ସଙ୍ଗେ ସେସବୁକୁ ଗଭୀରଭାବେ ଅନୁଧ୍ୟାନ କରିବାର ସୁଯୋଗ ଲାଭ କରିଛନ୍ତି । ତାଙ୍କର ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର ଏକ ସାର୍ଥକ କ୍ଷୁଦ୍ରଗଳ୍ପ ସଂକଳନ ।

 

ମନୁଷ୍ୟ ମନର ଅବଚେତନ ସ୍ତରରେ ବନ୍ଦୀ ହୋଇ ରହିଥିବା ଦୂରଧିଗମ୍ୟ ସତ୍ତାକୁ ଅପାରମ୍ପରିକ ଶୈଳୀ ମାଧ୍ୟମରେ ପ୍ରକାଶ କରି ଅବ୍ୟକ୍ତ ଚିନ୍ତାକୁ ବ୍ୟକ୍ତ କରିବାରେ ଗାଳ୍ପିକ ପଟ୍ଟନାୟକଙ୍କ ପ୍ରବଣତା ଅଧିକ । ଜୀବନ ଯାତ୍ରାର ରହସ୍ୟ ଓ ଅବଚେତନର ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ଳେଷଣ ପ୍ରତି ସେ ଯେତିକି ଆଗ୍ରହୀ; ଅଜଣା ଅତୀତ ପ୍ରତି ଏକ ଅବ୍ୟକ୍ତ ମୋହ ଏବଂ ଭବିଷ୍ୟତ

 

ପ୍ରତି ଏକ ଅଜ୍ଞାତ ମମତା ମଧ୍ୟରେ ମଣିଷର ବର୍ତ୍ତମାନ ସ୍ଥିତି ଆବିଷ୍କାର କରିବାପାଇଁ ସେ ସେତିକି ବ୍ୟଗ୍ର । ସୁବର୍ଣ୍ଣମୟୀ ଉପାଖ୍ୟାନ ଏହାର ଏକ ଜ୍ଵଳନ୍ତ ଦୃଷ୍ଟାନ୍ତ ।

 

ବସନ୍ତକୁମାରୀ ପଟ୍ଟନାୟକ

 

୧୯୨୭ ମସିହା ଡିସେମ୍ବର ପନ୍ଦର ତାରଖରେ ବଶିଷ୍ଟ-ଔପନ୍ୟାସିକା ବସନ୍ତକୁମାରୀଙ୍କ ଜନ୍ମ । ନାରୀ ଲେଖିକା ହିସାବରେ ନାରୀ ଜୀବନର ବିଶ୍ଳେଷଣ କରି ସେ ଯଥେଷ୍ଟ ଗୌରବର ଅଧିକାରିଣୀ ହୋଇଛନ୍ତି । ଜଣେ ସମର୍ଥ ଔପନ୍ୟାସିକା ଓ କ୍ଷୁଦ୍ରଗଳ୍ପ ଲେଖିକା ରୂପରେ ତାଙ୍କର ଯଶସ୍ଵିତା ଅନସ୍ଵୀକାର୍ଯ୍ୟ । ତାଙ୍କ ଲିଖିତ ପୁସ୍ତକମାନଙ୍କ ମଧ୍ୟରେ ଅମଡ଼ାବାଟ, ଚୋରାବାଲି ଉପନ୍ୟାସ, ପାଲଟା ଢେଉ, ସଭ୍ୟତାର ସାଜ, ଜୀବନ ଚିହ୍ନ, ଜୁଆର ଭଟ୍ଟା ପ୍ରଭୃତି କ୍ଷୁଦ୍ରଗଳ୍ପ ଉଲ୍ଲେଖ ଯୋଗ୍ୟ ସୃଷ୍ଟି ।

 

ସାମାଜିକ ଜୀବନ ଧାରାର ଧରାବନ୍ଧା ନିୟମ ମଧ୍ୟରେ ପାରିବାରିକ ଜୀବନ ଜଞ୍ଜାଳ, ମାନସିକ ଦ୍ଵନ୍ଦ୍ଵ ଓ ସଂଘର୍ଷର ଚିତ୍ର ଉପସ୍ଥାପନ କରିବାରେ ଲେଖିକାଙ୍କ ସ୍ଵାତନ୍ତ୍ର୍ୟ ଉପଲବ୍‌ଧ । ମଣିଷ ମନର ଅନାଲୋଚିତ ଚିନ୍ତା ଓ ଚେତନା, ବିଶ୍ଵାସବୋଧ ଓ ଦୃଢ଼ତାକୁ ବଳିଷ୍ଠ ଭାଷାରେ ସୁସଂଯତ ଭାବରେ ପ୍ରକାଶ କରିବା ତାଙ୍କର ବିଶେଷତ୍ଵ । ନୂଆ ପୁରୁଣା ଗଳ୍ପ ଏହାର ଏକ ଜ୍ଵଳନ୍ତ ନିଦର୍ଶନ ।

 

ଅଚ୍ୟୁତାନନ୍ଦ ପତି

 

ଗାଳ୍ପିକ ଅଚ୍ୟୁତାନନ୍ଦ ପତି ୧୯୨୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଶିକ୍ଷକ ଭାବରେ ଜୀବିକା ଅର୍ଜନ କରି ଶ୍ରୀଯୁକ୍ତ ପତି ସାଂପ୍ରତିକ କାଳର ଜୀବନ ଜିଜ୍ଞାସାକୁ ସ୍ପଷ୍ଟ ଭାବରେ ଉପଲବ୍‍ଧ କରିପାରିଥିଲେ । ନୀରବ ସାହିତ୍ୟ ସାଧକ ହିସାବରେ ଗାଳ୍ପିକ ସାଂପ୍ରତିକ କାଳର ବିଭିନ୍ନ ପତ୍ରପତ୍ରିକାରେ ବହୁ ଗଳ୍ପ ରଚନା କରି ନିଜର ଆସନ ସୁଦୃଢ଼ କରିପାରିଛନ୍ତି । ପ୍ରକାଶିତ ଗଳ୍ପ ସଂକଳନ ‘ଅଶୁଭ ପୁତ୍ରର କାହାଣୀ’ ଓଡ଼ିଆ ଗଳ୍ପ ସାହିତ୍ୟରେ ଏକ ସାର୍ଥକ ସୃଷ୍ଟି ।

 

ଗାଳ୍ପିକଙ୍କର ଅନ୍ତର୍ଦୃଷ୍ଟି ଓ ବହିର୍ଦୃଷ୍ଟି ସୁଦୂରପ୍ରସାରୀ । ମଣିଷ ମନର ଅତ୍ୟନ୍ତ ବ୍ୟକ୍ତିଗତ ଗୋପନ ଅନୁଭୂତି ସମୂହ, ଚେତନ ଓ ଅବଚେତନର ବିଭିନ୍ନ ସ୍ତର ଉନ୍ମୋଚନ, ବ୍ୟକ୍ତିଗତ ଓ ସମଷ୍ଟିଗତ ଭାବାଦର୍ଶ ମଧ୍ୟରେ ସଂଗତି ଓ ସଂଘର୍ଷ ଜନିତ ଅତ୍ୟନ୍ତ ସୂକ୍ଷ୍ମ ଓ ଜଟିଳ ପରିସ୍ଥିତ ତଥା ପ୍ରତିକ୍ରିୟାକୁ ପ୍ରକାଶ କରିବାରେ ଲେଖକ ଅଧିକ ଆଗ୍ରହୀ । ସଙ୍କେତ ପୂର୍ଣ୍ଣ ସଂଯତ ଭାଷାରେ ଅଶୁଭ ପୁତ୍ରର କାହାଣୀ ଆଧୁନିକ ମାନବ ଜୀବନର ଧାରାକୁ ପ୍ରକାଶ କରିବାରେ ସମର୍ଥ ।

 

ଶାନ୍ତନୁ କୁମାର ଆଚାର୍ଯ୍ୟ

 

୧୯୩୪ ଖ୍ରୀଷ୍ଟାବ୍ଦ ଜୁଲାଇ ପହିଲା ତାରିଖରେ ଶାନ୍ତନୁ କୁମାରଙ୍କ ଜନ୍ମ । ଓଡ଼ିଶା ସରକାରଙ୍କ ଶିକ୍ଷା । ବିଭାଗରେ ଅଧ୍ୟାପନା ରତ ଏବଂ ସାଂପ୍ରତିକ କାଳର ଜଣେ ସାର୍ଥକ ଔପନ୍ୟାସିକ ଓ ଗାଳ୍ପିକ ଭାବରେ ସୁପରିଚିତ । ତାଙ୍କର ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ ନରକିନ୍ନର, ଶତାବ୍ଦୀର ନଚିକେତା, ତିନୋଟି ରାତିର ସକାଳ ପ୍ରଭୃତି ଉପନ୍ୟାସ, ଦୁର୍ବାର ଗଳ୍ପ ସଂଗ୍ରହ ବିଶେଷ ଉଲ୍ଲେଖଯୋଗ୍ୟ । ଏଇଦ୍‌ବ୍ୟତୀତ ମନ ମର୍ମର, ମୋ କାଠ ଘୋଡ଼ା କଥା କହେ, ବାଗ ବଗିଚାର ସୌଦାଗର ପ୍ରଭୃତି ଅନ୍ୟାନ୍ୟ ପୁସ୍ତକ ତାଙ୍କର ସାହିତ୍ୟିକ ପ୍ରତିଭାର ପରିଚୟ ଦିଏ ।

 

ଆଧୁନିକ ଚେତନାର ଜଣେ ସାର୍ଥକ ବାର୍ତ୍ତବହ ଭାବରେ ଗାଳ୍ପିକ ସୁପରିଚିତ । ମଣିଷ ମନର ଅବଚେତନ ସ୍ତରରେ ବନ୍ଦୀ ହୋଇ ରହିଥିବା ଦୂରଧିଗମ୍ୟ ସତ୍ତାକୁ ପ୍ରକାଶ କରି ଶିଳ୍ପ ସୃଷ୍ଟିକୁ ଜୀବନ୍ତ ଭାବରେ ଉପସ୍ଥାପନ କରିବା ତାଙ୍କର ପ୍ରଧାନ ବିଶେଷତ୍ଵ । ବ୍ରିଟିଶ ନୈୟାୟିକ ଦୃଷ୍ଟିକୋଣରୁ ମଣିଷକୁ ବିଚାର ନ କରି ଜୀବନଧାରା କେତୋଟି ମୁହୂର୍ତ୍ତ ଉପରେ ଅଧିକ ଗୁରୁତ୍ଵଆରୋପ ପୂର୍ବକ ସେ ଚରିତ୍ରକୁ ଉଦ୍‌ଘାଟନ କରିବାପାଇଁ ସତତ ଚେଷ୍ଟିତ । ଦୁର୍ବାର ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ।

 

ମନୋଜ ଦାସ

 

ସ୍ଵାଧୀନୋତ୍ତର କାଳର ଓଡ଼ିଆ ଗାଳ୍ପିକ ମନୋଜ ଦାସ ୧୯୩୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଏକାଧାରାରେ ସେ ଥିଲେ ଜଣେ କବି, ଗାଳ୍ପିକ ଓ ସମାଲୋଚକ । ‘ଦିଗନ୍ତ’ ମାସିକ ପତ୍ରିକା ସଂପାଦନା କରି ସେ ଯଥେଷ୍ଟ ପ୍ରତିଷ୍ଠା ଅର୍ଜନ କରିଥିଲେ । ପ୍ରଗତିଶୀଳ ଛାତ୍ର ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରିଥିଲେ । ଶ୍ରୀଯୁକ୍ତ ଦାସ କିୟତ୍‌କାଳ ପାଇଁ ଖ୍ରୀଷ୍ଟ କଲେଜରେ ଇଂରେଜୀ ସାହିତ୍ୟ ବିଭାଗରେ ଅଧ୍ୟାପନା କଲାପରେ ଅରବିନ୍ଦ ଦର୍ଶନରେ ଅନୁପ୍ରାଣିତ ହୋଇ ସଂପ୍ରତି ପଣ୍ଡିଚେରୀ ଅରବିନ୍ଦ ଆଶ୍ରମରେ ଅବସ୍ଥାନ କରୁଅଛନ୍ତି । ତାଙ୍କର ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା–ଆରଣ୍ୟକ, ସମୁଦ୍ରର କ୍ଷୁଧା, ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ, ମନୋଜ ଦାସଙ୍କ କଥା ଓ କାହାଣୀ, ସହଜ ରାମାୟଣ, ଇଣ୍ଡୋନେସିଆ ଅନୁଭୂତି, ନନ୍ଦାବତୀର ମାଝି, ଶତାବ୍ଦୀର ଆର୍ତ୍ତନାଦ ।

 

ଜଣେ ଉଚ୍ଚକୋଟୀର କଥାକାର ଭାବରେ ମନୋଜ ଦାସ ଆତ୍ମସଚେତନ ଏବଂ ଭାରତୀୟ ତଥା ଆନ୍ତର୍ଜାତିକ ଗଳ୍ପ ସାହିତ୍ୟ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ । ଅନୁଭୂତିପ୍ରବଣ ବ୍ୟକ୍ତିମାନସର ଅବଚେତନ ସ୍ତରକୁ ସେ ଅତ୍ୟନ୍ତ ଦକ୍ଷତାର ସହିତ ପ୍ରକାଶ କରିବା ସଙ୍ଗେ ସଙ୍ଗେ ବୌଦ୍ଧିକ ଚେତନାର ବାହକରୂପେ ତାଙ୍କର ଗଳ୍ପଗୁଡ଼ିକ ସ୍ମରଣୀୟ । କ୍ଷୁଦ୍ରଗଳ୍ପର ସୀମିତ ପରିସର ମଧ୍ୟରେ ଓ ଘଟଣାବଳୀର ସ୍ଵଳ୍ପତା ସତ୍ତ୍ଵେ ତାଙ୍କର ନିପୁଣ କଥକତା ଓ ଅପୂର୍ବ ଭାଷାଶୈଳୀ ତଥା ବ୍ୟଞ୍ଜାନପୂର୍ଣ୍ଣ ଇଙ୍ଗିତ ଧର୍ମ ପାଠକକୁ ବିଶେଷ ଆକୃଷ୍ଟ କରିଥାଏ ।

 

ଶ୍ରୀମତୀ ବୀଣାପାଣି ମହାନ୍ତି

 

ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଅର୍ଥନୀତି ଅଧ୍ୟାପିକା ହେଲେହେଁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସୁପରିଚିତା । ବିଭିନ୍ନ ମାସିକ ସାହିତ୍ୟ ପତ୍ରିକାରେ ଧାରାବାହିକ ଭାବରେ ଲେଖା ପ୍ରକାଶ କରି ଓଡ଼ିଆ ଗଳ୍ପ କ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛନ୍ତି । କ୍ଷୁଦ୍ରଗଳ୍ପ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ତାଙ୍କୁ ପୁରସ୍କୃତ କରିଛନ୍ତି । ତାଙ୍କର ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା ପାନ୍ଥଶାଳା, ରକ୍ତ କରବୀ, ନବତରଙ୍ଗ, ସାୟାହ୍ନର ସ୍ଵର ଇତ୍ୟାଦି ।

 

ନାରୀ ଲେଖିକା ହିସାବରେ ଶ୍ରୀମତୀ ମହାନ୍ତି ଜୀବନ ଯାତ୍ରାର ସରଳତାରେ ଅନେକ ବିଫଳତାର ହତାଶା ଲକ୍ଷ୍ୟ କରି ସାହିତ୍ୟ ସୃଷ୍ଟି କରିଛନ୍ତି । ଏକାନ୍ତ ଭାବରେ ଆତ୍ମଗତ, ପ୍ରତିଷ୍ଠିତ ସାମାଜିକ ସ୍ଥିତି ପ୍ରତି ଅନାସ୍ଥା ପୋଷଣ ପୂର୍ବକ ଆଧୁନିକ ପୃଥିବୀର ନିଃସଂଗତାମୟ ଯନ୍ତ୍ରଣାରେ ଗାଳ୍ପିକ । ସର୍ବଦା ଛଟପଟ ହେଲାପରି ପ୍ରତୀୟମାନ ହୁଏ । ପ୍ରଦତ୍ତ ଗଳ୍ପ ଏହାର ଏକ ଜ୍ଵଳନ୍ତ ନିଦର୍ଶନ ।

Image